ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା
1 min read
ଭୁବନେଶ୍ୱର,TATKAL ODISHA//
ରାୟଗଡ଼ ଜିଲ୍ଲାର ବିଜିଏନ ଓ କନ୍ଧମାଳ ଜିଲ୍ଲାର କେକେବିଏନ ଡିଭିଜନର ମୋଟ ୧୯ ଜଣ ମାଓ କ୍ୟାଡର ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଫଳରେ ନକ୍ସଲମୁକ୍ତ ଭାରତ ଗଠନ ଅଭିଯାନରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ଶୁକ୍ରବାର ସାମାଜିକ ଗଣମାଧ୍ୟମ ଏକ୍ସରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆମ ସଂକଳ୍ପବଦ୍ଧ ଅଭିଯାନର ପରିଣାମ ସ୍ୱରୂପ, ରାୟଗଡ଼ ଓ କନ୍ଧମାଳ ୧୯ ମାଓ କ୍ୟାଡର ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିବା ଦୁଇଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ ନିରଞ୍ଜନ ରାଉତ ଏବଂ ଅଙ୍କିତା ଓରଫ ରସ୍ମିତା ଲେଙ୍କା ସାମିଲ ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନିକଟରୁ ଏକେ-୪୭ ଓ ଏସଆଲଆର ଭଳି ସମୁଦାୟ ୧୪ଟି ମାରାତ୍ମକ ଅସ୍ତ୍ର ଜବତ କରାଯାଇଛି, ଯାହା ଆମ ସୁରକ୍ଷା ବାହିନୀର ବଡ଼ ସଫଳତା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀଙ୍କ ସୁରକ୍ଷିତ ଓ ସଶକ୍ତ ଭାରତ ଗଠନର ସ୍ୱପ୍ନ ଏବଂ କେନ୍ଦ୍ର ଗୃହମନ୍ତ୍ରୀଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଆଜି ବାମପନ୍ଥୀ ଉଗ୍ରବାଦ ବିରୋଧରେ ଆମର ଏହି ଲଢ଼େଇକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇଛି। କେନ୍ଦ୍ର ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତି ଓ ନିରନ୍ତର ସହଯୋଗ ଯୋଗୁଁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ କରିବା ପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ମାଓବାଦୀମାନଙ୍କ ପାଇଁ ଆମର ‘ପୁନର୍ବାସ ଓ ଥଇଥାନ ନୀତି’ ଅଧୀନରେ ବିଭିନ୍ନ ସରକାରୀ ସୁବିଧା ଓ ସମ୍ମାନଜନକ ଜୀବନ ନିଶ୍ଚିତ କରାଯାଉଛି। ହିଂସା କେବେ ବି ସମାଧାନର ପଥ ନୁହେଁ; କେବଳ ଶାନ୍ତି ଏବଂ ପ୍ରଗତି ହିଁ ଆମ ରାଜ୍ୟର ଭବିଷ୍ୟତ। ମୁଁ ପୁଣିଥରେ ସମସ୍ତ ସକ୍ରିୟ କ୍ୟାଡରମାନଙ୍କୁ ହିଂସା ଛାଡ଼ି ବିକାଶର ସହଯୋଗୀ ହେବାକୁ ଆହ୍ୱାନ କରୁଛି
