ଈଶ୍ୱର କ’ଣ ଜନ୍ମ ନିଅନ୍ତି? ଯଦି ଜନ୍ମ ନିଅନ୍ତି, ତେବେ ସେ କିପରି ନିତ୍ୟ?
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୪:୪ ଶ୍ଳୋକ :
ଅର୍ଜୁନ ଉବାଚ
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।
କଥମେତଦ୍ ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି ॥
ଅର୍ଜୁନ କହିଲେ, “ଆପଣଙ୍କର ଜନ୍ମ ପରେ ହୋଇଛି ଏବଂ ସୂର୍ଯ୍ୟଦେବ ବିବସ୍ୱାନଙ୍କର ଜନ୍ମ ପ୍ରାଚୀନ । ତେବେ ମୁଁ କିପରି ଏହା ବୁଝିବି ଯେ, ଆପଣ ପ୍ରଥମେ ତାଙ୍କୁ ଏହି ଯୋଗ ଶିକ୍ଷା ଦେଇଥିଲେ ?”
ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ କହିଥିଲେ ଯେ ସେ ଏହି ପୁରାତନ ଯୋଗକୁ ପ୍ରଥମେ ବିବସ୍ୱାନଙ୍କୁ ପ୍ରଦାନ କରିଥିଲେ, ପରେ ତାହା ମନୁ ଓ ଇକ୍ଷ୍ୱାକୁଙ୍କ ନିକଟକୁ ଆସିଥିଲା । ଏହି କଥା ଶୁଣି ଅର୍ଜୁନଙ୍କ ମନରେ ସନ୍ଦେହ ଜନ୍ମ ନେଲା । ଶ୍ରୀକୃଷ୍ଣଙ୍କୁ ଦେବକୀଙ୍କ ପୁତ୍ର ଏବଂ ଗୋକୁଳର ମୁରଲୀଧର କୃଷ୍ଣ ଭାବରେ ଜାଣିବା ଅର୍ଜୁନଙ୍କ ପାଇଁ ସ୍ୱାଭାବିକ ବିଷୟ । ଶ୍ରୀକୃଷ୍ଣଙ୍କର ଏକ ନିର୍ଦ୍ଦିଷ୍ଟ ଜନ୍ମତିଥି ଥିଲା ଏବଂ ସେ ଥିଲେ ଅର୍ଜୁନଙ୍କ ସମସାମୟିକ । ସେହି ଦୃଷ୍ଟିରୁ, ସୂର୍ଯ୍ୟଙ୍କୁ ସେ ଉପଦେଶ ଦେବା ଅସମ୍ଭବ କଥା । ତେଣୁ, ଅର୍ଜୁନଙ୍କ ପ୍ରଶ୍ନ ସାଧାରଣ ମନୁଷ୍ୟଙ୍କ ପରି ଏକ ଯୁକ୍ତିମୂଳକ ଚିନ୍ତାଧାରା ।

ମନୁଷ୍ୟ ସାଧାରଣତଃ କାଳରେ ବନ୍ଧା । ଆମର ବୁଝିବା ଶକ୍ତି ଭୂତ, ବର୍ତ୍ତମାନ ଓ ଭବିଷ୍ୟତର ସୀମାରେ ସୀମିତ । ଅର୍ଜୁନ ଏହି ସାଧାରଣ ମାନବୀୟ ଯୁକ୍ତିକୁ ଆଧାର କରି ପ୍ରଶ୍ନ କରୁଛନ୍ତି । ତାଙ୍କର ମନରେ ଅଶ୍ରଦ୍ଧା ନୁହେଁ, ବରଂ ଜିଜ୍ଞାସା ଓ ସତ୍ୟଜ୍ଞାନ ପ୍ରାପ୍ତିର ଆକାଂକ୍ଷା ଅଛି । ଅର୍ଜୁନଙ୍କ ଜିଜ୍ଞାସା ଆମକୁ ସୂଚନା କରେ ଯେ ସତ୍ୟକୁ ଜାଣିବା ପାଇଁ ପ୍ରଶ୍ନ କରିବା ଆବଶ୍ୟକ, ଏବଂ ସତ୍ୟ ଉତ୍ତର ପାଇଁ ମନକୁ ନମ୍ର ଓ ଖୋଲା ରଖିବା ଆବଶ୍ୟକ । ଦାର୍ଶନିକ ଆଲୋଚନାରେ ପ୍ରଶ୍ନ ଅତ୍ୟନ୍ତ ଆବଶ୍ୟକ ।
ଦାର୍ଶନିକ ଭାବରେ ଏହି ଶ୍ଳୋକ ଈଶ୍ୱରଙ୍କ ଅବତାର ରହସ୍ୟକୁ ଉନ୍ମୋଚିତ କରେ । ଈଶ୍ୱର କ’ଣ ଜନ୍ମ ନିଅନ୍ତି? ଯଦି ଜନ୍ମ ନିଅନ୍ତି, ତେବେ ସେ କିପରି ନିତ୍ୟ? ଈଶ୍ୱର ନିତ୍ୟ ଓ କାଳାତୀତ; କିନ୍ତୁ ସେ ଯେତେବେଳେ ଅବତାର ଗ୍ରହଣ କରନ୍ତି, ସେହି ଜନ୍ମ ସାଧାରଣ ଜୀବଙ୍କ ଜନ୍ମ ସହ ତୁଳନୀୟ ନୁହେଁ । ଏହା ମାୟାମୟ ଓ ଦିବ୍ୟ । ଦିବ୍ୟତାକୁ ଆମେ କିପରି ବୁଝିବୁ? ଇତିହାସ ଓ କାଳର ମାପଦଣ୍ଡରେ କ’ଣ ଆମେ ଈଶ୍ୱରଙ୍କୁ ମାପିପାରିବୁ?
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
