‘ପରମ୍ପରାପ୍ରାପ୍ତମ୍’ ଶବ୍ଦଟି ଆମକୁ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ସ୍ମରଣ କରାଏ
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୪:୨ଶ୍ଳୋକ :
ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।
ସ କାଲେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ ॥
ଏହି ଦିବ୍ୟ ଯୋଗ ପରମ୍ପରା ମାଧ୍ୟମରେ ରାଜର୍ଷିମାନେ ଜାଣିଥିଲେ। କିନ୍ତୁ ଦୀର୍ଘ କାଳ ବିତିବାରୁ ଏହି ଯୋଗ ଏହି ଲୋକରେ ନଷ୍ଟ ହୋଇଗଲା ।
ଆଧ୍ୟାତ୍ମିକ ଜ୍ଞାନର ସଂରକ୍ଷଣ ଓ ପ୍ରଚାର ପରମ୍ପରା ମାଧ୍ୟମରେ ହୁଏ, କିନ୍ତୁ କାଳକ୍ରମେ ଏହାର ଅବକ୍ଷୟ ଘଟିପାରେ । ଶ୍ରୀକୃଷ୍ଣ ଏଠାରେ ଯେଉଁ “ଯୋଗ” ଶବ୍ଦ ବ୍ୟବହାର କରିଛନ୍ତି, ତାହା କେବଳ ଧ୍ୟାନ ବା ତପସ୍ୟାର ଅର୍ଥ ନୁହେଁ; ବରଂ ଏହା ହେଉଛି କର୍ମ, ଜ୍ଞାନ ଓ ଭକ୍ତିର ସମନ୍ୱିତ ଜୀବନଦର୍ଶନ ।
“ପରମ୍ପରାପ୍ରାପ୍ତମ୍” ଶବ୍ଦଟି ଆମକୁ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ସ୍ମରଣ କରାଏ । ପୁରାତନ ଭାରତୀୟ ସଂସ୍କୃତିରେ ଜ୍ଞାନ କେବଳ ପୁସ୍ତକ ମାଧ୍ୟମରେ ନୁହେଁ, ଜୀବନ୍ତ ଅନୁଭୂତି ଓ ଶିକ୍ଷାର ଶୃଙ୍ଖଳାରେ ପ୍ରବାହିତ ହୋଉଥିଲା । ଏହି ପରମ୍ପରା ଜ୍ଞାନକୁ ଶୁଦ୍ଧ ଓ ଅକ୍ଷୁଣ୍ଣ ରଖିଥିଲା । ଯେତେବେଳେ ଏହି ଶୃଙ୍ଖଳା ଭଙ୍ଗ ହେଲା, ସେତେବେଳେ ଜ୍ଞାନର ମୂଳ ତତ୍ତ୍ୱ ଅସ୍ପଷ୍ଟ ହୋଇଗଲା ।
“ରାଜର୍ଷୟଃ” ଶବ୍ଦଟି ଏକ ଆଦର୍ଶ ସମାଜ ବ୍ୟବସ୍ଥାକୁ ସୂଚାଏ । ରାଜା ଯଦି ଋଷିସମ ଜ୍ଞାନୀ ଓ ଧାର୍ମିକ ହୁଅନ୍ତି, ତେବେ ରାଷ୍ଟ୍ର ନ୍ୟାୟ, ଧର୍ମ ଓ ସତ୍ୟର ପଥରେ ଗତି କରେ । ଏହା ଆମକୁ ଶିଖାଏ ଯେ ଶାସନ ଓ ଆଧ୍ୟାତ୍ମିକତାର ମଧ୍ୟରେ ସମନ୍ୱୟ ଅତ୍ୟାବଶ୍ୟକ । ଶକ୍ତି ସହିତ ନୀତି ଓ ଆତ୍ମଜ୍ଞାନ ଯୋଗ ହେଲେ ସୁସଂଗଠିତ ସମାଜ ଗଢ଼ିଉଠେ । ଏହି ଶ୍ଳୋକରେ “ସ କାଲେନେହ ମହତା” ବାକ୍ୟାଂଶ ମାନବ ସଭ୍ୟତାର ଏକ ଚିରନ୍ତନ ସତ୍ୟକୁ ପ୍ରକାଶ କରେ । ସମୟର ପ୍ରଭାବରେ ମୂଲ୍ୟବୋଧ ଓ ଧର୍ମର ଅବକ୍ଷୟ ଘଟେ । ଯେତେବେଳେ ଲୋକମାନେ ଆତ୍ମତତ୍ତ୍ୱରୁ ଦୂରେଇଯାନ୍ତି, ସେତେବେଳେ ଯୋଗ ଅର୍ଥାତ୍ ସଠିକ୍ ଜୀବନଦର୍ଶନ ନଷ୍ଟ ହୋଇଯାଏ । ଏହି ପରିସ୍ଥିତିରେ ଭଗବାନ୍ ପୁନଃ ସେହି ଜ୍ଞାନକୁ ପ୍ରକାଶ କରନ୍ତି । ଜ୍ଞାନର ସଂରକ୍ଷଣ ପାଇଁ କେବଳ ତତ୍ତ୍ୱ ଜାଣିବା ପର୍ଯ୍ୟାପ୍ତ ନୁହେଁ; ତାହାକୁ ଆଚରଣରେ ପ୍ରୟୋଗ କରିବା ଆବଶ୍ୟକ । ଯଦି ଆମେ ଜୀବନରେ ଧର୍ମ, ନୀତି ଓ ଯୋଗର ଆଦର୍ଶକୁ ଅନୁସରଣ କରିବାରେ ବିଫଳ ହେବା, ତେବେ ସମୟ ସହିତ ସେହି ଜ୍ଞାନ ମାତ୍ର ଶବ୍ଦରେ ସୀମିତ ରହିଯିବ। ଆଧ୍ୟାତ୍ମିକ ଜ୍ଞାନ ଏକ ଜୀବନ୍ତ ପରମ୍ପରା। ଏହାକୁ ରକ୍ଷା କରିବା ଓ ପରବର୍ତ୍ତୀ ପିଢ଼ୀକୁ ପ୍ରଦାନ କରିବା ପ୍ରତ୍ୟେକ ମାନବର କର୍ତ୍ତବ୍ୟ । ଏହି ଶ୍ଳୋକ ମାଧ୍ୟମରେ ଶ୍ରୀକୃଷ୍ଣ ଆମକୁ କହୁଛନ୍ତି ଯେ, ଧର୍ମ ଓ ଯୋଗର ଆଦର୍ଶକୁ ସଂରକ୍ଷଣ କରିବାରେ ମାନବଜାତିର ମଙ୍ଗଳ ନିହିତ ।

ଦାର୍ଶନିକ ଭାବରେ ଏହି ଶ୍ଳୋକ କହେ ଯେ ସତ୍ୟ ଜ୍ଞାନ କୌଣସି ବ୍ୟକ୍ତିଗତ ଆବିଷ୍କାର ନୁହେଁ, ଏହା ଏକ ଅବିରତ ଚେତନାପ୍ରବାହ । “ପରମ୍ପରା” ଅର୍ଥ ହେଉଛି ଜ୍ଞାନର ସାମୂହିକ ସଂରକ୍ଷଣ । ଏଠାରେ ଜ୍ଞାନକୁ ଅନୁଭୂତିମୂଳକ ଓ ଆତ୍ମସାକ୍ଷାତ୍କାରମୂଳକ ବୋଲି ଧରାଯାଇଛି । ଯଦି ଗୁରୁ-ଶିଷ୍ୟ ସମ୍ପର୍କ ଭଙ୍ଗ ହୁଏ, ତେବେ ଜ୍ଞାନର ତତ୍ତ୍ୱ ଅସ୍ପଷ୍ଟ ହୋଇଯାଏ । ଏହା ପ୍ରମାଣିତ ଯେ, ଜ୍ଞାନ କେବଳ ବୌଦ୍ଧିକ ନୁହେଁ, ଏହା ଜୀବନ୍ତ ଅନୁଭୂତିର ସଂଚାର । “ରାଜର୍ଷି” ଧାରଣା ଦର୍ଶାଏ ଯେ ଆଦର୍ଶ ନେତୃତ୍ୱରେ ଶକ୍ତି (ରାଜା) ଓ ପ୍ରଜ୍ଞା (ଋଷି)ର ଏକତା ଆବଶ୍ୟକ । ଦାର୍ଶନିକ ଭାବରେ ଏହା ନୀତିଶାସ୍ତ୍ର ଓ ରାଜନୀତିର ଏକ ସମନ୍ୱିତ ଆଦର୍ଶ । ଯେଉଁଠାରେ ଆତ୍ମଜ୍ଞାନ ନାହିଁ, ସେଠାରେ ଶକ୍ତି ଅନ୍ଧ ହୋଇଯାଏ; ଏବଂ ଯେଉଁଠାରେ କର୍ମନିଷ୍ଠା ନାହିଁ, ସେଠାରେ ଜ୍ଞାନ ନିଷ୍କ୍ରିୟ ହୋଇଯାଏ । ଏହି ଶ୍ଳୋକ ଏହି ଦ୍ବୟର ସମନ୍ୱୟକୁ ଆବଶ୍ୟକ ମନେ କରେ । “ସ କାଲେନେହ ମହତା”- ଏଠାରେ କାଳକୁ ଏକ ଶକ୍ତିଶାଳୀ ତତ୍ତ୍ୱ ଭାବେ ଦର୍ଶାଯାଇଛି । ସମୟ ସହିତ ଧର୍ମ ଓ ଯୋଗର ଅବକ୍ଷୟ ଘଟେ । ଦାର୍ଶନିକ ଭାବେ ଏହା ଦର୍ଶାଏ ଯେ ମାନବ ସମାଜ ଚକ୍ରାକାର ଗତିରେ ଚାଲିଥାଏ, ଉତ୍ଥାନ ଓ ପତନର ମଧ୍ୟରେ । ଯେତେବେଳେ ମୂଲ୍ୟବୋଧର ଅବନତି ହୁଏ, ସେତେବେଳେ ସତ୍ୟ ଅସ୍ପଷ୍ଟ ହୋଇଯାଏ । ଏହା ଆମକୁ ସଚେତନ କରେ ଯେ ଜ୍ଞାନକୁ ଅନୁସ୍ଥାନ ନ କଲେ ତାହା ଅବକ୍ଷୟ ହେବ । ଏଠାରେ “ଯୋଗ ନଷ୍ଟଃ” ବୋଲି କୁହାଯାଇଛି, କିନ୍ତୁ ତତ୍ତ୍ୱ ସ୍ୱୟଂ ନଷ୍ଟ ହୁଏନାହିଁ । ଦାର୍ଶନିକ ଭାବରେ ସତ୍ୟ ଚିରନ୍ତନ; ନଷ୍ଟ ହୁଏ ମାନବର ଅନୁଭୂତି ଓ ଆଚରଣରେ ତାହାର ପ୍ରୟୋଗ । ତେଣୁ ଏହି ଶ୍ଳୋକ ଆମକୁ ଶିଖାଏ ଯେ ଜ୍ଞାନର ସଂରକ୍ଷଣ କେବଳ ସ୍ମୃତିରେ ନୁହେଁ, ବ୍ୟବହାରରେ ଅବସ୍ଥିତ ।
“ପରମ୍ପରାପ୍ରାପ୍ତମ୍” ଶବ୍ଦଟି ମନୋବୈଜ୍ଞାନିକ ଭାବେ ମାନବ ମନରେ ମୂଲ୍ୟବୋଧ ଓ ଆଚରଣର ଗଠନ ପ୍ରକ୍ରିୟାକୁ ସୂଚାଏ । ଏକ ବ୍ୟକ୍ତିର ଚିନ୍ତାଧାରା କେବଳ ତାଙ୍କ ନିଜ ଅନୁଭବରୁ ନୁହେଁ; ପରିବାର, ସମାଜ ଓ ଶିକ୍ଷା ମାଧ୍ୟମରେ ପ୍ରାପ୍ତ ସଂସ୍କାରରୁ ଗଢ଼ିଉଠେ । ଯଦି ଏହି ସକାରାତ୍ମକ ପରମ୍ପରା ଭଙ୍ଗ ହୁଏ, ତେବେ ବ୍ୟକ୍ତିର ମନରେ ଦିଗଭ୍ରମ ଓ ଅସ୍ଥିରତା ଦେଖାଯାଏ । “ରାଜର୍ଷି” ଧାରଣାକୁ ମନୋବୈଜ୍ଞାନିକ ଭାବରେ ଦେଖିଲେ, ଏହା ଏକ ସମନ୍ୱିତ ବ୍ୟକ୍ତିତ୍ୱର ପ୍ରତୀକ । “ରାଜ” ଅର୍ଥ ଶକ୍ତି, ଇଚ୍ଛା ଓ କ୍ରିୟାଶୀଳତା; “ଋଷି” ଅର୍ଥ ଜ୍ଞାନ, ଆତ୍ମନିୟନ୍ତ୍ରଣ ଓ ଚିନ୍ତନଶୀଳତା। ମନୋବିଜ୍ଞାନ ଅନୁସାରେ ସୁସ୍ଥ ବ୍ୟକ୍ତିତ୍ୱ ସମ୍ଭବ ହୁଏ ସେଇଠାରେ, ଯେଉଁଠି ଭାବନା ଓ ବୁଦ୍ଧିର ସମତୁଳନ ରହେ । ଯେତେବେଳେ ଶକ୍ତି ବୁଦ୍ଧିର ନିୟନ୍ତ୍ରଣରେ ରହେ, ସେତେବେଳେ ବ୍ୟକ୍ତି ଓ ସମାଜ ଦୁହେଁ ସୁସଂଗଠିତ ହୁଅନ୍ତି । ସମୟ ସହିତ ମାନବର ମୂଲ୍ୟବୋଧ କ୍ଷୀଣ ହୋଇପାରେ । ଯଦି ନିରନ୍ତର ଆତ୍ମଚିନ୍ତନ ଓ ଅଭ୍ୟାସ ନ ହୁଏ, ତେବେ ଉଚ୍ଚ ଆଦର୍ଶ ମନରୁ ଉଭେଇଯାଏ। ଅନୁଶାସନ ଓ ଆତ୍ମନିୟନ୍ତ୍ରଣ ଅଭାବରୁ ଆଦର୍ଶ ଧୀରେ ଧୀରେ ଲୋପ ହୁଏ । “ଯୋଗ”ର ଅର୍ଥ ହେଉଛି ମନ, ବୁଦ୍ଧି ଓ କର୍ମର ସମନ୍ୱୟ । ଯେତେବେଳେ ଏହି ସମନ୍ୱୟ ଭଙ୍ଗ ହୁଏ, ବ୍ୟକ୍ତି ଆନ୍ତରିକ ଦ୍ୱନ୍ଦ୍ୱ, ଚିନ୍ତା ଓ ଅସନ୍ତୁଷ୍ଟରେ ପଡ଼େ । ଯୋଗ ନଷ୍ଟ ହେବାର ଅର୍ଥ ହେଉଛି ବ୍ୟକ୍ତିର ଆତ୍ମସମନ୍ୱୟ ହରାଇବା ।
ସେହିପରି “ପରମ୍ପରାପ୍ରାପ୍ତମ୍” ଶବ୍ଦଟି ପରିବାରରେ ସଂସ୍କାର ଓ ଆଦର୍ଶର ପରମ୍ପରାଗତ ପ୍ରବାହକୁ ସୂଚାଏ । ଏକ ପିଢ଼ି ତାଙ୍କ ଅନୁଭବ, ନୀତି ଓ ଧର୍ମଚେତନାକୁ ପରବର୍ତ୍ତୀ ପିଢ଼ିକୁ ଦେଇଥାଏ । ଯଦି ଏହି ଶୃଙ୍ଖଳା ଭଙ୍ଗ ହୁଏ, ତେବେ ପରିବାରରେ ମୂଲ୍ୟବୋଧର ଅବକ୍ଷୟ ଘଟେ। ଶ୍ଳୋକଟି ଆମକୁ ଶିଖାଏ ଯେ ପରିବାର କେବଳ ରକ୍ତସମ୍ପର୍କ ନୁହେଁ; ଏହା ଏକ ସଂସ୍କାରର ଅବିରତ ପ୍ରବାହ । ଯେପରି “ରାଜର୍ଷି” ରାଜା ଓ ଋଷିର ସମନ୍ୱୟ, ସେପରି ପରିବାରର ମୁଖ୍ୟ ବ୍ୟକ୍ତି ପିତା–ମାତା ବା ବଡ଼ମାନେ ନେତୃତ୍ୱ ଓ ପ୍ରଜ୍ଞାର ଏକତା ଧାରଣ କରିବା ଉଚିତ୍ । କେବଳ ଅଧିକାର ପ୍ରୟୋଗ କରିଲେ ହେବ ନାହିଁ; ଜ୍ଞାନ, ସହନଶୀଳତା ଓ ନୀତିଶିକ୍ଷାରେ ଶିଶୁମାନଙ୍କୁ ଗଢ଼ି ତୋଳିବା ଆବଶ୍ୟକ । ଯେଉଁ ପରିବାରରେ ନେତୃତ୍ୱ ସହିତ ଆଦର୍ଶ ଆଚରଣ ରହେ, ସେଠାରେ ସଂସ୍କାର ସୁଦୃଢ଼ ହୁଏ । ସମୟ ସହିତ ଯଦି ଧର୍ମ, ନୀତି ଓ ଆଦର୍ଶକୁ ଅନୁଶୀଳନ ନ କରାଯାଏ, ତେବେ ସେମାନେ ଧୀରେ ଧୀରେ ଲୋପ ହୋଇଯାନ୍ତି ।
ଆଧୁନିକ ଜୀବନର ବ୍ୟସ୍ତତା ଓ ଭୌତିକତାର ଚାପରେ ପାରୀବାରିକ ସମ୍ପର୍କ ଓ ସଂସ୍କାର କ୍ଷୀଣ ହେବାର ସମ୍ଭାବନା ରହେ । ଏହି ଶ୍ଳୋକ ଆମକୁ ସଚେତନ କରେ ଯେ ସଂସ୍କାରକୁ ସଚେତନ ଭାବରେ ରକ୍ଷା କରିବା ଦରକାର ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
