ଚାଷୀ ମାରଣ ନୀତିକୁ ବିରୋଧ: ଲୋୟର ପିଏମ୍ଜିରେ ଗର୍ଜିବ ବିଜେଡି
1 min read
ଭୁବନେଶ୍ୱର,//TATKAL ODISHA//
ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡ଼ିପଡ଼ିଛି। ରାଜ୍ୟର ଚାଷୀକୁଳ ହତାଶ। ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜେଡି ଗର୍ଜିବ।
ରାଜଧାନୀସ୍ଥ ଲାୟର ପିଏମ୍ଜିି ଠାରେ ହେବ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ।
ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଏହି ସୂଚନା ଦେଇଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି। ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟନୀ ଛଟନୀ ଇତ୍ୟାଦି ରାଜ୍ୟର ଚାଷୀ ମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି। ରାଜ୍ୟର ପ୍ରତିଟି ବ୍ଲକରେ ଓ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । କିନ୍ତୁ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି। କିନ୍ତୁ ସରକାରୀ ତଥ୍ୟ ରାଜ୍ୟ ସରକାରଙ୍କ ଦାବିକୁ ଡାହା ମିଛ ବୋଲି ପ୍ରମାଣିତ କରୁଛି। ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି, ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ବାକି ଧାନକୁ ନେଇ ଚାଷୀ କ’ଣ କରିବେ? ଏହାଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି। ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା କିନ୍ତୁ, ଏହା ପନ୍ଦର କୋଡିଏ ଦିନ ପର୍ଯ୍ୟନ୍ତ ଯାଇପାରୁନାହିଁ। ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ମଙ୍ଗଳବାର ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ।
ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ବ୍ୟତୀତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହିସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ସଞ୍ଜୟ କୁମାର ଦାସବର୍ମା କହିଥିଲେ, ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି। ତେଣୁ ରାଜ୍ୟର କୃଷକ ମାନଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ।
