ଦି ଟିଚର୍ ଆପ୍ ୨.୦: ଶିକ୍ଷାର୍ଥୀଙ୍କୁ ସହଜ କରିବ ଏଆଇ
1 min read
- ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ଏବଂ ସିକେ-୧୨ ଫାଉଣ୍ଡେସନକୁ ଏହି ପ୍ରୟାସ ପାଇଁ ଧନ୍ୟବାଦ
• ଏହି ଆପ୍ ଶିକ୍ଷକମାନଙ୍କ ପାଇଁ ଏକ ଡିଜିଟାଲ୍ ସହଯୋଗୀ ଭାବେ କାର୍ଯ୍ୟ କରିବ
• ଶିକ୍ଷକମାନେ ଗୁଣାତ୍ମକ କଣ୍ଟେଣ୍ଟ୍, ଶିକ୍ଷାଦାନ ଉପକରଣ ଏବଂ ଛାତ୍ରଛାତ୍ରୀଙ୍କ ପ୍ରଗତି ଜାଣିବା ପାଇଁ ସ୍ୱତନ୍ତ୍ର ଡ୍ୟାସବୋର୍ଡର ସୁବିଧା ପାଇବେ
• ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ‘ଫୋର୍ସ ମଲ୍ଟିପ୍ଲାୟର୍’ ଭାବେ କାର୍ଯ୍ୟ କରିବ
• ଏହି ପ୍ଲାଟଫର୍ମରେ ସୋଭେରେନ୍ ଏଲ୍ଏଲ୍ଏମ୍ ବ୍ୟବହାର କରିବା ସହ ତାଲିମ ଉପକରଣଗୁଡ଼ିକୁ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ପରାମର୍ଶ
ନୂଆଦିଲ୍ଲୀ,ଭୁବନେଶ୍ୱର,//TATKAL ODISHA//
ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାରତୀ ଏୟାରଟେଲ୍ ଫାଉଣ୍ଡେସନର ଏକ ଅଭିନବ ପ୍ରୟାସ ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ କରିଛନ୍ତି ।
ଏଆଇ ଚାଳିତ ଆପ୍ ଶିକ୍ଷକମାନଙ୍କୁ ଆଧୁନିକ ଶିକ୍ଷାଦାନ ପାଇଁ ଏକ ସଶକ୍ତ ମାଧ୍ୟମ ଯୋଗାଇଦେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି ଯେ ଏହି ଏଆଇ-ଚାଳିତ ଡିଜିଟାଲ୍ ସହଯୋଗୀ ଶିକ୍ଷକମାନଙ୍କୁ ଆଧୁନିକ ଶିକ୍ଷାଦାନ ଉପକରଣ, ଗୁଣାତ୍ମକ ବିଷୟବସ୍ତୁ ଏବଂ ଡ୍ୟାସବୋର୍ଡ ଯୋଗାଇଦେବ, ଯାହା ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ କରିବାରେ ସହାୟକ ହେବ । ଶିକ୍ଷା କ୍ଷେତ୍ରରେ ଏଭଳି ପଦକ୍ଷେପ ଶିକ୍ଷକମାନଙ୍କୁ ସଶକ୍ତ କରିବା ସହ ଆମ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହିତ ସେ ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ଏବଂ ସିକେ-୧୨ ଫାଉଣ୍ଡେସନକୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଭାରତ ସଫଳତାର ସହ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ସମ୍ପନ୍ନ କରିଛି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଜି ଜୀବନର ପ୍ରତିଟି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଜାତୀୟ ଶିକ୍ଷା ନୀତି ୨୦୨୦ର ଆଭିମୁଖ୍ୟ ଅନୁଯାୟୀ, ଶିକ୍ଷା ବ୍ୟବସ୍ଥାରେ ଏଆଇ ଭଳି ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ରକ୍ଷା କରିବା ପାଇଁ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ‘ଦ ଟିଚର୍ ଆପ୍ ୨.୦’ ଦେଶରେ ଚାଲିଥିବା ଏଆଇ ବିପ୍ଳବକୁ ଅଧିକ ଗତିଶୀଳ କରିବ। ଯଦି ଏଆଇକୁ ସଠିକ୍ ଭାବେ ବ୍ୟବହାର କରାଯାଏ, ତେବେ ଏହା ଶିକ୍ଷା କ୍ଷେତ୍ରରେ ଏକ ‘ଫୋର୍ସ ମଲ୍ଟିପ୍ଲାୟର୍’ ଭାବେ କାର୍ଯ୍ୟ କରିବା ସହ ଉତ୍ତମ ଶିକ୍ଷଣ ଫଳାଫଳ ଏବଂ ବ୍ୟକ୍ତିଗତ ଶିକ୍ଷାଦାନକୁ ସୁନିଶ୍ଚିତ କରିବ ।
ଶେଷରେ, ମନ୍ତ୍ରୀ ଏହି ପ୍ଲାଟଫର୍ମରେ ସୋଭେରେନ୍ ଏଲ୍ଏଲ୍ଏମ୍ ବ୍ୟବହାର କରିବାକୁ ଏବଂ ତାଲିମ ଉପକରଣଗୁଡ଼ିକୁ ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଦେଶର ବହୁଭାଷୀ ଶିକ୍ଷକ ସମାଜ ଏହାର ସୁଫଳ ପାଇପାରିବେ ବୋଲି କହିବା ସହ ଦେଶରେ ଚାଲିଥିବା ଏଆଇ ବିପ୍ଳବରେ ‘ଦ ଟିଚର୍ ଆପ୍ ୨.୦’ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଶିକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
