tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗୀତା ମାହାତ୍ମ୍ୟ : ଶ୍ଳୋକ ୧: ୧:ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ..

1 min read
  • ପ୍ରଥମ ଅଧ୍ୟାୟ
    ଶ୍ରୀମଦ୍‌ ଭଗବଦ୍‌ ଗୀତା ୧:୧ ଶ୍ଳୋକ

ଧୃତରାଷ୍ଟ୍ର ଉବାଚ –
“ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁୟୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ॥”

  • ଧୃତରାଷ୍ଟ୍ର କହିଲେ – ହେ ସଞ୍ଜୟ ! ଧର୍ମ ଭୂମି କୁରୁକ୍ଷେତ୍ରରେ ଏକତ୍ରିତ ହୋଇଥିବା ଯୁଦ୍ଧ ନିମନ୍ତେ ଇଚ୍ଛୁକ ମୋର ଏବଂ ପଣ୍ଡୁଙ୍କ ପୁତ୍ରମାନେ କ’ଣ କଲେ ?
    ଏହି ଶ୍ଳୋକଟି ଦେଖିବାକୁ ଏକ ସରଳ ପ୍ରଶ୍ନ ପରି ଲାଗିଥାଏ, କିନ୍ତୁ ଏହା ଗଭୀର ଦାର୍ଶନିକ ଅର୍ଥରେ ପୂର୍ଣ୍ଣ । ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ – କୁରୁକ୍ଷେତ୍ର କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ; ଏହା ପ୍ରତ୍ୟେକ ମାନବର ହୃଦୟର ପ୍ରତୀକ ଅଟେ । ଏହାକୁ ଧର୍ମକ୍ଷେତ୍ର ବୋଲି କୁହାଯାଏ, କାରଣ ଏଠାରେ, ମନୁଷ୍ୟ ଜୀବନର ସମସ୍ତ ଧର୍ମ ଓ ଅଧର୍ମ କାର୍ଯ୍ୟ କରିବାର ମାନସିକ ପ୍ରସ୍ତୁତି ତଥା ସଂଘର୍ଷକ୍ଷେତ୍ର ପରିଲକ୍ଷିତ ହୋଇଥାଏ । ଆମ ମନ ହେଉଛି ସେଇ କୁରୁକ୍ଷେତ୍ର, ଯେଉଁଠାରେ ସତ୍ୟ–ଅସତ୍ୟ, ନ୍ୟାୟ–ଅନ୍ୟାୟ, କର୍ତ୍ତବ୍ୟ–ମୋହ, ପରସ୍ପର ମଧ୍ୟରେ ସର୍ବଦା ଯୁଦ୍ଧ କରୁଛନ୍ତି ।
    ମାମକାଃ ଓ ପାଣ୍ଡବାଃ – ଧୃତରାଷ୍ଟ୍ର “ମୋର ଲୋକ” (ମାମକାଃ) ଓ “ପାଣ୍ଡୁଙ୍କ ପୁଅ” (ପାଣ୍ଡବାଃ) ବୋଲି ଭେଦ କରୁଛନ୍ତି । ଏହା ମୋହ, ଆସକ୍ତି ଓ ଅହଂକାରର ପ୍ରକାଶ । “ମୋର-ତୋର” ଭାବନା ହେଉଛି ଅଜ୍ଞାନତାର ମୂଳ । ହୃଦୟକୁ ଏହା କବଳିତ କରି ନିରପେକ୍ଷ କରିବାକୁ ଦିଏନାହିଁ ।
    ଧୃତରାଷ୍ଟ୍ରଙ୍କ ଅନ୍ଧତା – ଶାରୀରିକ ଭାବେ ଅନ୍ଧ ଧୃତରାଷ୍ଟ୍ର – ଆତ୍ମିକ ଅନ୍ଧତାର ପ୍ରତୀକ । ସେ ଜାଣିଥିଲେ ଯେ କୁରୁକ୍ଷେତ୍ର ଧର୍ମର ସ୍ଥାନ, ତଥାପି ନିଜ ପୁଅମାନଙ୍କର ଅନ୍ୟାୟ ପ୍ରତି ଆଶା ରଖିଥିଲେ । ଏଥିରୁ ପ୍ରତିପାଦିତ ହୁଏ – ମନୁଷ୍ୟ ସତ୍ୟ ଜାଣିଥିଲେ ମଧ୍ୟ ମୋହରେ ପଡ଼ି ଭୁଲ ପଥ ବାଛେ ।
    “କିମକୁର୍ବତ?” – ମନୁଷ୍ୟର ଚିରନ୍ତନ ପ୍ରଶ୍ନ ! “ସେମାନେ କଣ କଲେ?” — ଏହି ପ୍ରଶ୍ନ କେବଳ ଯୁଦ୍ଧ ସମ୍ବନ୍ଧୀୟ ନୁହେଁ । ଏହା ମନୁଷ୍ୟ ଜୀବନର ଚିରନ୍ତନ ଉତ୍କଣ୍ଠା – ଧର୍ମ ଜିତିବ କି ଅଧର୍ମ ? ଗୀତା ଏହି ପ୍ରଶ୍ନ ମାଧ୍ୟମରେ କହେ – କର୍ମର ଫଳ ନିଶ୍ଚିତ, ଧର୍ମର ଶେଷରେ ବିଜୟୀ ହୁଏ ।
    ଆଜିର ଜୀବନ ମଧ୍ୟ ଏକ କୁରୁକ୍ଷେତ୍ର – କର୍ତ୍ତବ୍ୟ ବନାମ ସ୍ୱାର୍ଥ, ସତ୍ୟ ବନାମ ସୁବିଧା, ନୀତି ବନାମ ଲାଭ । ପରିବାର, ରାଜନୀତି, କାର୍ଯ୍ୟକ୍ଷେତ୍ର, ସମାଜ, ସବୁଠାରେ ଧୃତରାଷ୍ଟ୍ରୀୟ ମନୋଭାବ ଦେଖାଯାଏ – “ମୁଁ ତଥା ମୋର ଲୋକ ଠିକ୍‌, ଯଦିଓ ଆମେ ଭୁଲ୍।”
    ଧର୍ମର ସ୍ଥାନ ଜାଣିଥିଲେ ମଧ୍ୟ, ଯଦି ଆମେ ଚକ୍ଷୁ ଉନ୍ମୀଳିତ ନ କରିପାରୁ, ତେବେ ଆମେ ଧୃତରାଷ୍ଟ୍ର ହେବାକୁ ବାଧ୍ୟ । ଗୀତା ଆରମ୍ଭ ହୁଏ କୃଷ୍ଣଙ୍କ ଉପଦେଶରୁ ନୁହେଁ, ବରଂ ମନୁଷ୍ୟର ଅନ୍ଧ ପ୍ରଶ୍ନରୁ ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ

Share

Leave a Reply