କେବେ ସରିବ? ଆଶଙ୍କା ପ୍ରକଟ କଲେ ସାଂସଦ ଭର୍ତ୍ତୃହରି
1 min read
- କଟକ ନୂଆ ବସ୍ଷ୍ଟାଣ୍ଡ ସଂଯୁକ୍ତ କାଠଯୋଡ଼ି ବନ୍ଧ ୬ ଲେନ୍ ରାସ୍ତା
ଭୁବନେଶ୍ୱର,//TATKAL ODISHA//
ଖାନ୍ନଗର ଶ୍ମଶାନରେ କଟକ ବସ୍ଷ୍ଟାଣ୍ଡ ହେବା ପରେ କାଠଯୋଡ଼ି ବନ୍ଧ ରାସ୍ତାକୁ ୧୨୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୬-ଲେନ୍ କରିବା ଲାଗି ପୂର୍ବରୁ କାମ ଆରମ୍ଭ ହୋଇଥିଲା। ପ୍ରାୟ ତିନିବର୍ଷରୁ ଅଧିକ ସମୟ ହୋଇଗଲାଣି, ସେ କାମ ଚାଲିଛି । କେବେ ସରିବ? ଉତ୍ତର ମିଳିଲା ଆହୁରି ବର୍ଷେ ପରେ ଲାଗିଯିବ। ଅର୍ଥାତ୍ ୨୦୨୭ରେ ଶେଷ ବେଳକୁ ସରିଲା ଭଳି ଲାଗୁନାହିଁ। ଆହୁରି ମଧ୍ୟ ବଢ଼ିପାରେ। ଏନେଇ ଆଶଙ୍କା ପ୍ରକଟ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହାତାବ।
ଶନିବାର ଗଣମାଧ୍ୟମକୁ ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ, ମୋହନ ମାଝୀଙ୍କ ସରକାର ଏ କାର୍ଯ୍ୟକୁ ଆଗେଇ ନେବାର ସୂଚନା ପୂର୍ତ୍ତ ସଚିବଙ୍କ ସେ ସ୍ଥାନ ଗସ୍ତରୁ ଜଣାପଡ଼ିଛି। ମୁଁ ଏ ବିଷୟରେ ଶାସନ ସହ କଥା ହୋଇନାହିଁ କିନ୍ତୁ ମୋର ଧାରଣା ନୂଆ ବସ୍ଷ୍ଟାଣ୍ଡ ପାଇଁ ପ୍ରଥମେ ୬୫ କୋଟି ଟଙ୍କା ବ୍ୟୟବରାଦ ହୋଇ ତାହା ୯୫ କୋଟି ଟଙ୍କାରେ ପହଞ୍ôଚଥିବା ବେଳେ ବସ୍ ଯାତାୟାତ ପାଇଁ ଏ ୬-ଲେନ୍ ରାସ୍ତା ନିର୍ମାଣ ପାଇଁ ୧୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚର ଯୋଜନା ଯେତେବେଳେ ହେଲା, କେହି କୌଣସି ସ୍ତରରେ ପ୍ରଶାସନରେ ତାହାର ଯଥାର୍ଥତାକୁ ନେଇ ପ୍ରଶ୍ନ କଲେ ନାହିଁ। ଯେପରି ଭାବେ ସେ ବସ୍ଷ୍ଟାଣ୍ଡ୍ ନିର୍ମିତ ହୋଇଛି ଓ କାଠଯୋଡ଼ି ବନ୍ଧ ରାସ୍ତାରେ ଯେପରି ଭାବେ ଭାରିଯାନ ଯଥା ସ୍ଲିପର୍ ବସ୍ଠାରୁ ଆରମ୍ଭ କରି ଟ୍ରକ୍, ଟ୍ରେଲର ଆଦି ଯାଉଛି, ତାହା ଯେ ସେ ବନ୍ଧକୁ ଦୁର୍ବଳ କରୁଛି ଏଥିରେ ସନ୍ଦେହ ନାହିଁ । ଏକ ସମୟ ଥିଲା ସେ ବନ୍ଧ ଉପର ରାସ୍ତାରେ ଭାରିଯାନ ନେବା ନିଷିଦ୍ଧ ଥିଲା ।

ଏବେ ପୁଣି ୬-ଲେନ୍ କଥାକୁ ଆସିବା । ବସ୍ଷ୍ଟାଣ୍ଡ୍ ପାଖରୁ ଜଳ ନିଷ୍କାସନ ପାଇଁ ହ୍ୟୁମ୍ପାଇପ୍ ପକାଇ ବର୍ଷାଜଳକୁ କାଠଯୋଡ଼ି ନଦୀକୁ ପକାଇବାର ବ୍ୟବସ୍ଥା ହୋଇଛି । ମଝିରେ ପେଟ୍ରୋଲ ପମ୍ପ ପୂର୍ବରୁ ଆଉ ଏକ ସ୍ଥାନରୁ ବର୍ଷାଜଳ, ନଦୀକୁ ପକାଇବାର ଯୋଜନା ଅଛି ଓ ତୃତୀୟଟି ଖାନନଗର ସ୍ୱିରେଜ ନାଳ ବାଟେ ରହିଛି । ନଦୀବନ୍ଧ କାଟି, ହ୍ୟୁମ୍ ପାଇପ୍ ପକାଇ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନେଇ କେହି ଜଳ ସମ୍ପଦ ବିଭାଗୀୟ ଇଞ୍ଜିନିୟରଙ୍କ ସହ ଆଲୋଚନା କରିନାହାନ୍ତି, ଅନୁମତି ନେବା ତ ଦୂରର କଥା। ଯିଏ ୧୯୮୨ ବନ୍ୟା କି ତା’ପରେ ହୋଇଥିବା ବର୍ଷାଜଳକୁ ଦେଖିଛି ସିଏ ଏପ୍ରକାର ମୂର୍ଖାମୀ ଆଦୌ କରିନଥାନ୍ତା । ଆଜି ମହାନଦୀରେ ବନ୍ୟା ନାହିଁ । ଛତିଶଗଡ଼ ବନ୍ଧ ବାନ୍ଧି ପାଣି ଅଟକାଇ ଦେଇଛି । କିନ୍ତୁ ବର୍ଷା ହୀରାକୁଦ ଉପର ମୁଣ୍ଡରେ ହେଲେ ଯେ’ ମହାନଦୀରେ ବନ୍ୟା ହୁଏ ତା’ ନୁହେଁ, ହୀରାକୁଦ ତଳମୁଣ୍ଡରେ, ବିଶେଷକରି ତେଲନଦୀରେ ପ୍ରବଳ ବନ୍ୟା ଜଳ ଆସିଲେ ବି ମହାନଦୀ ତ୍ରିକୋଣଭୂମି ବନ୍ୟା ବିଭୀଷିକାର ଶିକାର ହୁଏ। କଟକ ସହର ତ ନଦୀ ଭିତରେ। ହ୍ୟୁମ୍ ପାଇପ୍ ପକାଇ ବର୍ଷାଜଳ ନିଷ୍କାସନ ହୁଏତ ତାମିଲନାଡୁରେ ସମ୍ଭବପର ହେଉଥିବ, ଓଡ଼ିଶାରେ ନଦୀ ଓ ବନ୍ୟାର ନିରୀକ୍ଷଣ ଯିଏ କରିଥିବ, ସିଏ ଆଦୌ ଏହାକୁ ଗ୍ରହଣ କରିପାରିବ ନାହିଁ। ପୁଣି ପୂର୍ତ୍ତ ବିଭାଗ ମନଇଚ୍ଛା କିପରି ଜଳସମ୍ପଦ ବିଭାଗ ସହ ଆଲୋଚନା ନ କରି, ଅନୁମତି ନ ନେଇ ଏପରି କାର୍ଯ୍ୟ କରିଚାଲିଛନ୍ତି ?
ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ,୬-ଲେନ୍ ରାସ୍ତା ପୁଣି ରେଳ ଲାଇନ ତଳବାଟ ହୋଇ ଆଖଣ୍ଡଳମଣି ମନ୍ଦିର ପାଖକୁ ଯିବ । ନଦୀଶଯ୍ୟାରେ ଉଚ୍ଚ ପିଲର୍ ନିର୍ମାଣ କରାଯାଇ ଫ୍ଲାଇଓଭର ଭଳି ବ୍ରିଜ ନିର୍ମାଣ ହେଉଛି । ନଦୀ ଶଯ୍ୟାରେ ଥିବା ରେଳ ଲାଇନର ପିଲର ଓ ଏହି ସଡ଼କର ପିଲର ପାଇଁ ଖୋଦେଇ ବେଳେ ସମନ୍ୱୟ ନଥିବା ମୁଁ ଲକ୍ଷ୍ୟ କଲି । ପ୍ରଥମ ଅନୁଧ୍ୟାନ ବେଳେ ରେଳବାଇ କର୍ମକର୍ତ୍ତାମାନେ ନଥିଲେ । ସେପାଇଁ ଆଉ ଏକ ବୈଠକ ମୁଁ ୨୧ ତାରିଖରେ କଲି । ସେଠି ରେଳବାଇ ଇଞ୍ଜିନିୟର କହିଲେ ଏହି ୬-ଲେନ୍ ରାସ୍ତାର ଡିଜାଇନ ସଂକ୍ରାନ୍ତରେ ତାଙ୍କର କେତେକ କ୍ୱେରୀ ଥିଲା, ତାହା ନା ବିଭାଗ ଦେଇଛି ନା କଣ୍ଟ୍ରାକ୍ଟର । ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ଦାବି କଲାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାରଙ୍ଗରୁ କଟକ ବାଟ ଦେଇ କପିଳାସ ରୋଡ ଯାଏ ତୃତୀୟ ଲାଇନ ମଂଜୁର କରିଛନ୍ତି । ସେ କାମ ଆରମ୍ଭ ହେଲାଣି । ଯେଉଁ ତୃତୀୟ ରେଳ ବ୍ରିଜ କାଠଯୋଡ଼ିରେ ନିର୍ମାଣ ହେବ, ତହିଁରେ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ବି ଯିବ । ତାହା ହେଲେ ଆଉ ଅଧିକ ଜମି ଅଧିଗ୍ରହଣ ହେବ ନାହିଁ । ଏବେ ଏହି ୬-ଲେନ୍ ପୂର୍ତ୍ତ ବିଭାଗ ରାସ୍ତାର ଫ୍ଲାଇଓଭର ପାଇଁ ଯେଉଁ ପିଲର ନିର୍ମାଣ ହେଉଛି ତାହା ଯାଇ ରେଳ ବ୍ରିଜ୍ ପିଲରକୁ ଅତିକ୍ରମ କରିଯାଉଛି ଜାଣିବା ପରେ କିପରି ବିଭାଗ ପକ୍ଷରୁ ମନଇଚ୍ଛା କାର୍ଯ୍ୟ ସଂପାଦନ ଚାଲିଛି ତାହା ଦେଖି ବିସ୍ମିତ ହେଲି । କେନ୍ଦ୍ରର ରେଳ ମନ୍ତ୍ରାଳୟ ତା’ର ଡିଜାଇନ ମଂଜୁର କଲାପରେ ରାଜ୍ୟର ପୂର୍ତ୍ତ ବିଭାଗର କ’ଣ କର୍ତ୍ତବ୍ୟ ନୁହେଁ, ସମନ୍ୱୟ ରକ୍ଷା କରିବା ? ଚିଫ୍ ଇଞ୍ଜିନିୟର କରୁଛନ୍ତି କ’ଣ ?
ଭର୍ତ୍ତୃହରି କହିଛନ୍ତି ଯେ, ଆହୁରି ଟିକେ ଆଗକୁ ଗଲେ, ସେ ରାସ୍ତା ଯାଇ ଏନ୍.ଏ.ନର ସର୍ଭିସ ରୋଡରେ ମିଶିବ । ଏ ୬-ଲେନ୍ ରାସ୍ତା ତା’ ପରେ ୪-ଲେନ୍ ହୋଇଯିବ । ତା’ ଆଗକୁ ମାଛହାଟର ଗହଳି ଓ ବାମ ପଟେ ଅନେକଙ୍କର ତିନି, ଚାରି ତାଲା ବିଲ୍ଡିଂ । ହାଇୱେରେ ପହଞ୍ôଚବାକୁ ହେଲେ ଏଠି ବସ୍ ଗୁଡ଼ିକର ଯେତେ ଗହଳି ହେବ, ସେ ସଂପର୍କରେ ଟ୍ରାଫିକ ସହ କେହି କଥା ହୋଇଥିବା ଜଣାଗଲା ନାହିଁ । ଦୁଇଥରଯାକ ଟ୍ରାଫିକ୍ ମୁଖ୍ୟଙ୍କୁ ମୁଁ ଡକାଇଥିଲି । ସେ ଆସି ନମସ୍କାର କରି ବିଶେଷ କାମ ଅଛି କହି ଚାଲିଯାଇଥିଲେ ।
ଏସବୁର ସମାଧାନ କରିବ କିଏ ? ଏକ ଶାସନ ଥିଲା, ଯିଏ ଆଦୌ ଲୋକଙ୍କ ମତ ଓ ସମସ୍ୟାର ସମାଧାନ ପାଇଁ କାହା ସହ ଆଲୋଚନା କରୁନଥିଲା । ଏବେ ମୋହନ ମାଝୀଙ୍କ ସରକାର ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । କଟକବାସୀଙ୍କର ଯେଉଁ କଷ୍ଟ ଆଗକୁ ହେବାକୁ ଯାଉଛି ତା’ର ପ୍ରତିବିଧାନ ଏବେଠାରୁ ନ କଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ ।
ଖାନନଗରବାସୀ, କାଠଯୋଡ଼ି ଜଳରେ ଦଶତୁଠ କରନ୍ତି । ୬-ଲେନ୍ ହେବା ପରେ ସେମାନଙ୍କର ନଦୀକୁ ଯିବା ରାସ୍ତା ବନ୍ଦ। ତେଣୁ ମୁଁ ପ୍ରସ୍ତାବ ଦେଇଛି ଟିକେ ଦୂର ହେଲେ ବି ଜଗନ୍ନାଥ ମନ୍ଦିର ପାଖରେ ନଦୀ ମଧ୍ୟକୁ ପାହାଚ କରିଦେବା ପାଇଁ ବୋଲି ଶ୍ରୀ ମହତାବ ସ୍ପଷ୍ଟ କରିଛନ୍ତି।
