02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୨୮ ଶ୍ଳୋକ :ତତ୍ତ୍ୱବିତ୍ତୁ ମହାବାହୋ..

1 min read

Oplus_16908288

ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ତନ୍ତେ ଇତି ମତ୍ୱା ନ ସଜ୍ଜତେ ॥

ହେ ମହାବାହୁ ଅର୍ଜୁନ ! ଯେଉଁ ବ୍ୟକ୍ତି ପ୍ରକୃତିର ଗୁଣ ଓ କର୍ମର ରହସ୍ୟକୁ ଜାଣେ, ସେ ବୁଝେ ଯେ ଗୁଣମାନେ ଗୁଣମାନଙ୍କର କାର୍ଯ୍ୟ କରୁଛନ୍ତି । ତେଣୁ ସେ କୌଣସି କର୍ମରେ ଆସକ୍ତ ହୁଏ ନାହିଁ ।


ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଜ୍ଞାନୀ ବ୍ୟକ୍ତିର ମନୋଭାବକୁ ବ୍ୟାଖ୍ୟା କରିଛନ୍ତି । ପ୍ରକୃତି ତିନୋଟି ଗୁଣ ସତ୍ତ୍ୱ, ରଜ, ତମ ଦ୍ୱାରା ଗଠିତ । ମନୁଷ୍ୟର ଶରୀର, ମନ, ଇନ୍ଦ୍ରିୟ ସବୁ ପ୍ରକୃତିର ଅଂଶ, ତେଣୁ ସେମାନଙ୍କର କ୍ରିୟା-ପ୍ରତିକ୍ରିୟା ମଧ୍ୟ ଗୁଣମାନଙ୍କ ପ୍ରଭାବରେ ହୁଏ । ଯେଉଁ ବ୍ୟକ୍ତି ଏହି ସତ୍ୟକୁ ବୁଝେ, ସେ ଏଭଳି ଭାବେ ଚିନ୍ତା କରେ – “ମୁଁ କର୍ତ୍ତା ନୁହେଁ; ପ୍ରକୃତିର ଗୁଣମାନେ ନିଜେ ନିଜର କାର୍ଯ୍ୟ କରୁଛନ୍ତି।” କର୍ମ ଘଟୁଛି ପ୍ରକୃତିର ଗୁଣମାନଙ୍କ ମାଧ୍ୟମରେ । ଯେଉଁ ବ୍ୟକ୍ତି ଏହି ତତ୍ତ୍ୱକୁ ବୁଝିଥାଏ, ସେ ଅହଂକାରରୁ ମୁକ୍ତ ହୁଏ ।


“ମୁଁ କରିଛି” ବୋଲି ଯେଉଁ ଭାବନା, ତାହା ଅଜ୍ଞାନର ଫଳ । ତତ୍ତ୍ୱବିତ୍ ବ୍ୟକ୍ତି ଜାଣେ ଯେ ସେ କେବଳ ଏକ ନିର୍ବିକାର ସାକ୍ଷୀ, ଯେଉଁଥିରେ ପ୍ରକୃତିର କ୍ରିୟା ଘଟୁଛି । ଏହି ବୋଧ ମନୁଷ୍ୟକୁ କର୍ମବନ୍ଧନରୁ ମୁକ୍ତ କରିଥାଏ । ମନୁଷ୍ୟ ସଫଳତାରେ ଗର୍ବିତ ହୁଏ ଓ ବିଫଳତାରେ ହତାଶ ହୁଏ, କାରଣ ସେ ନିଜକୁ କର୍ତ୍ତା ଭାବେ ଦେଖେ । କିନ୍ତୁ ଯେତେବେଳେ ସେ ବୁଝେ ଯେ ସବୁ କ୍ରିୟା ପ୍ରକୃତିର ଗୁଣମାନଙ୍କ ମଧ୍ୟରେ ଘଟୁଛି, ସେତେବେଳେ ତାହାର ମନ ଶାନ୍ତ ହୁଏ । ଏହି ଜ୍ଞାନ ମନୁଷ୍ୟକୁ ସମତାବୋଧ ଦିଏ – ନା ସେ ଅତ୍ୟଧିକ ଉତ୍ସାହିତ ହୁଏ, ନା ଅତ୍ୟଧିକ ବିଷାଦଗ୍ରସ୍ତ । ଏହା ମାନସିକ ସ୍ଥିରତାର ମୂଳ ଆଧାର ।

Oplus_16908288


ସମାଜରେ ଅନେକ ସଂଘର୍ଷର ମୂଳ ହେଉଛି ଅହଂକାର ଓ “ମୋର” ଭାବନା । ଯଦି ମନୁଷ୍ୟ ବୁଝିପାରେ ଯେ ସବୁ କାର୍ଯ୍ୟ ପ୍ରକୃତିର ନିୟମାନୁସାରେ ହେଉଛି, ତେବେ ଦ୍ୱେଷ, ଇର୍ଷ୍ୟା ଓ ପ୍ରତିସ୍ପର୍ଧା କମିଯାଏ । ଏହା ସମାଜରେ ସହଯୋଗ ଓ ସମନ୍ୱୟ ବୃଦ୍ଧି କରେ । ଏହି ଶ୍ଳୋକ ମନୁଷ୍ୟକୁ କର୍ମ କରିବାକୁ ନିରୁତ୍ସାହିତ କରେ ନାହିଁ; ବରଂ ନିରାସକ୍ତ ଭାବେ କର୍ମ କରିବାକୁ ଶିଖାଏ । ଏହି ନିରାସକ୍ତ କର୍ମ ହିଁ ସମାଜକୁ ଶାନ୍ତି ଓ ସମୃଦ୍ଧିର ପଥରେ ନେଇଯାଏ ।


ଜ୍ଞାନୀ ବ୍ୟକ୍ତିର କର୍ମ ପ୍ରତି ଆସକ୍ତି ନ ଥାଏ । କାରଣ, ସେ ଜାଣେ ଯେ, ‘ମନ ହିଁ ବାହ୍ୟ ଜଗତରେ କର୍ମ ରୂପରେ ବ୍ୟକ୍ତ ହୁଏ’ । ଏହି ବିବେକ ତାର ବୁଦ୍ଧିରେ ସର୍ବଦା ଜାଗ୍ରତ ରହିଥାଏ । ଥରେ ମାତ୍ର ଏହି ତଥ୍ୟକୁ ଜାଣିଗଲା ପରେ ସେ ଆଉ ଫଳ ପ୍ରତି ଉତ୍କଣ୍ଠିତ ହୁଏ ନାହିଁ । ସଫଳତା-ବିଫଳତା, ଇଛା-ଅନିଚ୍ଛା, ରାଗ-ଦ୍ୱେଷ ଆଦିକୁ ନିଜର ନୁହଁ, ମନର ବୋଲି ଭାବେ । ତେଣୁ ସେ କର୍ମଫଳରେ ଆସକ୍ତ ହୁଏନାହିଁ । ଏହିପରି ସବୁ ବନ୍ଧନରୁ ମୁକ୍ତ ଜ୍ଞାନୀ ପୁରୁଷ ଜଣେ ପ୍ରକୃତ ଖେଳାଳି ସଦୃଶ ତା’ର ଜୀବନର କର୍ମଜନିତ ଖେଳକୁ ଏହି ଜଗତରୂପୀ ଖେଳପଡିଆରେ ଖୁବ୍ ଆନନ୍ଦ ସହକାରେ ଖେଳିଥାଏ । ତା’ର ଉଦ୍ଦେଶ୍ୟ ଖେଳ ଜିତି ଉଚ୍ଚ ସମ୍ନାନ ଲାଭ କରିବା ନୁହେଁ, ବରଂ ଖେଳ ମାଧ୍ୟମରେ ନିରନ୍ତର ଆନ୍ତରିକ ସୁଖ ଅନୁଭବ କରିବା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply