03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର।ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ॥

1 min read

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୧୯ ଶ୍ଳୋକ :

ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର।
ଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ॥

ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, “ଏହି କାରଣରୁ, ତୁମେ ଆସକ୍ତି ବିହୀନ ହୋଇ ସଦା ନିଜ କର୍ତ୍ତବ୍ୟ କର୍ମ କର । କାରଣ ଆସକ୍ତି ବିନା କର୍ମ କରୁଥିବା ମନୁଷ୍ୟ ପରମ ପଦକୁ ପ୍ରାପ୍ତ କରେ।”
ପୂର୍ବ ଶ୍ଳୋକରେ ଆତ୍ମଜ୍ଞାନୀ ବ୍ୟକ୍ତିଙ୍କର କର୍ମ କରିବାର କୌଣସି ପ୍ରୟୋଜନ ନଥାଏ ବୋଲି ଶ୍ରୀକୃଷ୍ଣ କହିଥିଲେ । କିନ୍ତୁ ଅର୍ଜୁନଙ୍କ ପରି ଯେଉଁମାନେ ପୂର୍ଣ୍ଣତ୍ୱ ପ୍ରାପ୍ତ କରିନାହାନ୍ତି, ସେମାନଙ୍କୁ ଫଳରେ ଆସକ୍ତ ନ ହୋଇ, ଅହଂକାର ବିନା, ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବାକୁ ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହୁଛନ୍ତି ଯେ ମନୁଷ୍ୟ ସଦା ନିଜ କର୍ତ୍ତବ୍ୟ କର୍ମ କରିବା ଉଚିତ, କିନ୍ତୁ ସେହି କର୍ମର ଫଳ ପ୍ରତି ଆସକ୍ତ ହେବା ଉଚିତ ନୁହେଁ । ଏହି ଶ୍ଳୋକର ମୂଳ ଧାରଣା ହେଉଛି “ଆସକ୍ତି”। ମନୁଷ୍ୟ ଜୀବନରେ କର୍ମ ଅନିବାର୍ଯ୍ୟ; କେହି କର୍ମ ବିନା ରହି ପାରେନାହିଁ । କିନ୍ତୁ କର୍ମ କରିବା ସମୟରେ ଯେତେବେଳେ ମନୁଷ୍ୟ କର୍ମଫଳରେ ଆଶା ରଖେ, ସେଥିରୁ ଜନ୍ମ ନିଏ ଚିନ୍ତା, ଭୟ, ଅହଂକାର ଓ ଅସନ୍ତୋଷ । ଶ୍ରୀକୃଷ୍ଣ ଏହି ବନ୍ଧନକୁ ଛାଡ଼ିବାର ପଥ ଦେଖାଇଛନ୍ତି ।

ସେ କହୁଛନ୍ତି କର୍ମକୁ ଛାଡ଼ିବା ନୁହେଁ, ବରଂ କର୍ମରେ ଆସକ୍ତିକୁ ଛାଡ଼ିବା। ଏହାହିଁ ନିଷ୍କାମ କର୍ମର ସାରତତ୍ତ୍ୱ । ଦାର୍ଶନିକ ଭାବେ ଦେଖିଲେ, ଯେତେବେଳେ ମନୁଷ୍ୟ ନିଜ କର୍ମକୁ ଇଶ୍ୱରାର୍ପଣ ଭାବରେ କରେ ଓ ଫଳକୁ ଇଶ୍ୱରଙ୍କ ଉପରେ ଛାଡ଼ି ଦିଏ, ସେତେବେଳେ ସେ କର୍ମର ବନ୍ଧନରୁ ମୁକ୍ତ ହୁଏ । ଏହି ମୁକ୍ତି ହିଁ “ପରମ ପଦ” ବା ଆତ୍ମସାକ୍ଷାତକାର । ଏଠାରେ କର୍ମ ମୋକ୍ଷର ବାଧା ନୁହେଁ; ଯଥାଯଥ ଭାବରେ କରାଯାଇଥିବା କର୍ମ ମୋକ୍ଷର ସାଧନ ହୋଇଯାଏ ।
ଦାର୍ଶନିକ ଭାବେ ମନୁଷ୍ୟଜୀବନର ମୂଳ ସମସ୍ୟା ହେଉଛି ବନ୍ଧନ । ଏହି ବନ୍ଧନ କର୍ମରୁ ନୁହେଁ, ବରଂ କର୍ମଫଳ ପ୍ରତି ଆସକ୍ତିରୁ ଉଦ୍ଭବ ହୁଏ। ଗୀତା ଏଠାରେ ଏକ ମହାନ ସମନ୍ୱୟ ଦର୍ଶନ ପ୍ରସ୍ତୁତ କରିଛି – କର୍ମତ୍ୟାଗ ନୁହେଁ, କର୍ମରେ ଅସକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ମନୁଷ୍ୟ ପ୍ରକୃତିଗତ ଭାବେ କର୍ମଶୀଳ; ସେ କର୍ମ ବିନା ରହିପାରେନାହିଁ । ତେଣୁ ସନ୍ନ୍ୟାସର ଅର୍ଥ କର୍ମ ଛାଡ଼ିବା ନୁହେଁ, ମନସିକ ଆସକ୍ତିକୁ ଛାଡ଼ିବା । ଏଠାରେ “ଅସକ୍ତି” ଦାର୍ଶନିକ ଭାବରେ ଅହଂକାର ଓ ମମତାର ତ୍ୟାଗ । ଯେତେବେଳେ ବ୍ୟକ୍ତି “ମୁଁ କରୁଛି” ଓ “ମୋର ଫଳ” ଭାବରେ କର୍ମ କରେ, ସେତେବେଳେ ସେ କର୍ତ୍ତୃତ୍ୱାଭିମାନରେ ବାନ୍ଧି ଯାଏ । କିନ୍ତୁ ଯେତେବେଳେ ସେ କର୍ମକୁ ଇଶ୍ୱରାର୍ପଣ ବା ଧର୍ମପାଳନ ଭାବରେ କରେ, ସେତେବେଳେ ସେ କର୍ମରେ ଲିପ୍ତ ରହି ମଧ୍ୟ ଅଲିପ୍ତ ରହେ । ଏହା ଉପନିଷଦୀୟ ଆଦର୍ଶ “କର୍ମଣ୍ୟକର୍ମ” ଅର୍ଥାତ୍ କର୍ମରେ ଅକର୍ମର ଅନୁଭୂତି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply