02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦକ୍ଷିଣ ହସ୍ତ ଥିଲେ ‘ପ୍ରଜ୍ଞା ପୁରୁଷ ନୀଳକଣ୍ଠ’

1 min read
  • ଶ୍ରୀକାନ୍ତ ଦାଶ
  • ++++++++

ଆଜି ଅଗଷ୍ଟ 5, ତାରିଖ, ଓଡ଼ିଶାର ଅନ୍ୟତମ ବରପୁତ୍ର ପଣ୍ଡିତ ନୀଳକଣ୍ଠ ଦାସଙ୍କର ଆବିର୍ଭାବ ଦିବସ |

ସେ ଥିଲେ ଏକାଧାରରେ ସୁସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଦାର୍ଶନିକ, ବାଗ୍ମୀ, ଶିକ୍ଷାବିତ, କବି, ସମୀକ୍ଷକ, ପ୍ରାବନ୍ଧିକ |ସେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଧରି ଓଡିଶାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସାହିତ୍ୟିକ ଜୀଵନକୁ ସମୃଦ୍ଧ କରିଥିଲେ |ତାଙ୍କ ସମୟର ଉତ୍ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଓ ଆହୁରି ଅନେକ ତାଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ |

ଏହି ମହା ମନୀଷୀ ଜନ୍ମ ନେଇଥିଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ, ରାମଚନ୍ଦ୍ର ପୁର ଗାଁ ରେ 1884 ମସିହା ଅଗଷ୍ଟ 5ତାରିଖରେ | ମୋତିଲାଲ ନେହରୁ, ମହାତ୍ମା ଗାନ୍ଧୀ, ଡ଼ଃ ରାଜେନ୍ଦ୍ର ପ୍ରସାଦ ଭଳି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ବ୍ୟକ୍ତିତ୍ୱଙ୍କ ସହଯୋଗୀ ସେ ହୋଇ ପାରିଥିଲେ ନିଜର ଜ୍ଞାନ ଓ ବ୍ୟକ୍ତିତ୍ୱ ବଳରେ |

ଜଣେ ଉଚ୍ଚ କୋଟିର ବକ୍ତା ଭାବରେ ସେ ସମୟରେ ସେ ପରିଚିତ ଥିଲେ | ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟକରି ଅନେକ ସୁଯୋଗ୍ୟ ଛାତ୍ର ସେ ସୃଷ୍ଟି କରିଥିଲେ | ତେବେ ବିଦେଶୀ ଶାସକଙ୍କ ଚକ୍ରାନ୍ତରେ ଏ ବିଦ୍ୟାଳୟ ବନ୍ଦ ହୋଇଗଲେ ବି ଆଜି ବି ଲୋକ ମୁଖରେ ଏହାର ପ୍ରଶଂସା ରହିଛି | ସେ ମଧ୍ୟ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ଅନ୍ୟତମ ମୁଖ୍ୟ ବିନ୍ଧାଣି ଥିଲେ |ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦକ୍ଷିଣ ହସ୍ତ ଭାବରେ ସେ ଉତ୍କଳର ସ୍ୱତନ୍ତ୍ରତା ପାଇଁ ଯଥେଷ୍ଟ ଶ୍ରମ ସ୍ୱୀକାର କରିଥିଲେ |

ଜଣେ ଓଜସ୍ୱିନୀ ବକ୍ତା ଭାବରେ ସେ ଦିଲ୍ଲୀ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୁକ୍ତି ଉପସ୍ଥାପନ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ସହଜ କରିଥିଲେ |

ସେ ଓଡିଶା ବିଧାନସଭାର ବାଚସ୍ପତି ଓ କେନ୍ଦ୍ରୀୟ ସଭାର ସଦସ୍ୟ ଭାବେ ପ୍ରଦାନ କରିଥିବା କରିଥିବା ବକ୍ତବ୍ୟ ଐତିହାସିକ ଦସ୍ତାବିଜ ହୋଇ ରହିଛି |

କଲିକତା ବିଶ୍ୱ ବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ଏହି ସୁଯୋଗ୍ୟ ଓଡ଼ିଆ ଅନେକ ପ୍ରଶଂସା ଓ ସମ୍ମାନ ପ୍ରାପ୍ତ ହୋଇଥିଲେ | ସେ ସବୁ ହେଲା ପଦ୍ମଭୂଷଣ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ D.litt. ଉପାଧି ପାଇଥିଲେ |

ଅଣଓଡ଼ିଆଙ୍କ ଆକ୍ରମଣରୁ ଓଡ଼ିଆ ଭାଷାକୁ ରକ୍ଷା କରିବାକୁ ଯାଇ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି | ସେସବୁ ମଧ୍ୟରେ ରହିଛି ଓଡ଼ିଆ ସାହିତ୍ୟର କ୍ରମ ପରିକ୍ରମା, ଗୀତା ପ୍ରବେଶ, ଆତ୍ମ ଜୀବନୀ ଓ ଆହୁରି ଅନେକ | ସେ ଭାଷାକୁ ସରଳ କରିବାକୁ ଯାଇ ଯୁକ୍ତାକ୍ଷର ପରିବର୍ତ୍ତେ ସ୍ୱତନ୍ତ୍ର ଶବ୍ଦ ଭଣ୍ଡାର ସୃଷ୍ଟି କରିଥିଲେ ;ଯେମିତି ନୀଳକ°ଠ, ପ°କଜ, ଇତ୍ୟାଦି |ଏଥିରୁ ତାଙ୍କର ଭାଷାପ୍ରୀତି ଜଣାଯାଏ |

ତାଙ୍କ ଲିଖିତ କାବ୍ୟ “ଦାସ ନାୟକ” ରେ ସେ ଏହି ଶୈଳୀର ପ୍ରୟୋଗ କରିଛନ୍ତି | ଭାଷା ପାଇଁ ସାହିତ୍ୟ ସୃଷ୍ଟି ଥିଲା ତାଙ୍କର ଉଦ୍ଦେଶ୍ୟ |

ତାଙ୍କ ରଚିତ କବିତା “ରାମ ଚଣ୍ଡୀରେ ସନ୍ଧ୍ୟା ” ରେ ଶିଶୁ ମନର ଆବେଗ, ପିତା ମାତା ଙ୍କ ଭାବ ସୁନ୍ଦର ଭାବେ ବର୍ଣ୍ଣିତ |ଏହାର କେତୋଟି ପଦ : ଆଜି ଯେ କୁଆଁର ପୁନିଅ , କେତେ ସୁଖ ଶରଧା, ମା ଭଉଣୀଙ୍କ ଆଦର, ନବ ବସନ ପିନ୍ଧା |
ଲୁଗାରେ ହଳଦୀ ଲଗାଇ, ଚାହିଁ ଥିବେ ଜନନୀ,
ପିଠା ପଣା ଖାଉ ନ ଥିବ
ସୁଖେ ଆଜି ଭଗିନୀ |


ପୁନିଅ ଜୁଆର ପୁଲକେ
ଭରା ତଟିନୀ ମୁଖ, ମୃଦୁଳ-ଲହରୀ ହିଲୋଳେ
ଚାରୁ ଚାନ୍ଦ ମୟୁଖ| |
*.
ରହ ରହ ବା ବତାସି
ରହ ବରଷା ଧାରା,
କୁଆଁର ପୁନିଅ ହେଉରେ
ଆଜି ରଜନୀ ସାରା |


ମୁଷଳ ଧାରାରେ ଝଟିକା
ଦିଏ କଚାଡି କେବେ,
ଶୋଇ ପଡ଼ିଛ ତ ବାପା ହେ
ଜାଣୁ ନ ଥିବ ଲବେ |


ମୁହିଁ ଦିନେ ଶିଶୁ ଥିଲଇଁ
ମନେ ପଡୁଛି ମୋର,
ବସି ଶିଶୁ ମେଳେ ଦେଖନ୍ତି
ଏ ବିଭବ ରୁଚିର |
ଏଥିରୁ ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଭଲ ପାଇବା ଜଣାଯାଏ |1884ମସିହା ଅଗଷ୍ଟ 5ତାରିଖରେ ଜନ୍ମ ଗ୍ରହଣ କରିଥିବା ଏହି ମହାତ୍ମା 1967 ମସିହା ନଭେମ୍ବର 6ତାରିଖରେ ଇହଲୀଳା ସମ୍ବରଣ କରିଥିଲେ |
ଆଜି ତାଙ୍କର ପବିତ୍ର ଜନ୍ମଦିନରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏🙏
ଶ୍ରୀକାନ୍ତ ଦାଶ, ସଭାପତି ‘ଅବି ‘ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ
ଦୂରଭାଷ :9238304919

Share

Leave a Reply