tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସଂସ୍କୃତି ବିଭାଗରେ ‘କାରୁବାକୀ’ ପ୍ରେମ କାହିଁକି?

1 min read

Oplus_16908288

  • ନୂଆ ବିବାଦରେ ଛନ୍ଦି ହୋଇଛି ସମ୍ପୃକ୍ତ ବିଭାଗ!!
  • ଗବେଷଣା ହେଉନି, କାଳ୍ପନିକ ଚରିତ୍ର? ଉପରେ ଭରସା??
  • ସରକାରୀ ଅର୍ଥ ବର୍ବାଦ କରୁଥିବା ଅଭିଯୋଗ
  • ଅପରିପକ୍ୱ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା

ଭୁବନେଶ୍ୱର //TATKAL ODISHA //INVESTIGATION //

  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ହଠାତ ‘କାରୁବାକୀ’ ପ୍ରେମ କାହିଁକି?
  • କାହା ପ୍ରରୋଚନାରେ କାରୁବାକୀ ମନ୍ଦିର ହେଉଛି??
  • ଖାରବେଳ, କପିଳେନ୍ଦ୍ର ଦେବଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇଛି କି??

ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଜନୈକ ଅଧିକାରୀ କାରୁବାକୀ ମନ୍ଦିର ସୂଚନା ଦେବା ପରେ ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ଗଣମାଧ୍ୟମରେ ବିଭିନ୍ନ ବିରୋଧୀ ରିପୋର୍ଟ /ଆଲେଖ୍ୟମାନ ନୂଆ ବିତର୍କ ସୃଷ୍ଟି କରିଛି I

ହେବା ମଧ୍ୟ ସ୍ୱାଭାବିକ I

ମାତ୍ର ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ଵା ବିଭାଗୀୟ ମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ଵା ଅନୁଷ୍ଠାନିକ ଶିଳାସ୍ତମ୍ଭ ଉଦଘାଟନ ପୂର୍ବରୁ ବରିଷ୍ଠ ଅଧିକାରୀ ଜଣକ କେଉଁ ସାହସରେ ଆଗୁଆ ପ୍ରଚାର କଲେ? କିଏ ତାଙ୍କୁ ଏନେଇ ଅନୁମତି ଦେଇଥିଲେ??

କଳିଙ୍ଗ ଯୁଦ୍ଧ.. ଶିଶୁପାଳଗଡ଼… ଦୟାନଦୀ… କାରୁବାକୀଙ୍କ ଉପରେ ସେତେଟା ଐତିହାସିକ ଗବେଷଣା ହୋଇନାହିଁ..କେବଳ ସାହିତ୍ୟ ରଚନା ହୋଇଛି …

ଇତିହାସ ସର୍ବଦା ସତ୍ୟ ତଥ୍ୟ ଉପରେ ପର୍ଯ୍ୟବେସିତ I ସାହିତ୍ୟ କଳ୍ପନା/ବାସ୍ତବତାର ଫେଣ୍ଟାଫେଣ୍ଟି ରୂପ I

କୁହାଯାଏ ଜଣେ ବ୍ୟକ୍ତି (ସାହିତ୍ୟିକା) ନିଜ ‘ଭାବମୂର୍ତ୍ତି ଉଚ୍ଚା’ କରିବା ଲକ୍ଷ୍ୟରେ ଏବଂ ନିଜ ପୁସ୍ତକର ଚରିତ୍ରସବୁକୁ ପ୍ରମାଣ ସିଦ୍ଧ କରିବା ଉଦେଶ୍ୟରେ ସଂସ୍କୃତି ବିଭାଗର ମନ୍ତ୍ରୀ /ଅଫିସରଙ୍କୁ ଗୁମୁରା କରି ବିନା ଐତିହାସିକ ଭିତ୍ତିରେ ଓଡ଼ିଶାର ପ୍ରାଚୀନ ଇତିହାସକୁ ଦଳି ଚକଟି ଦେବାକୁ ଚେଷ୍ଟା କରିଛନ୍ତି I ଯଦି ସତ,ତାହାଲେ ନିଶ୍ଚିତ ଭାବରେ ସାଙ୍ଘାତିକ I

ତେଣୁ ରାଜ୍ୟସରକାରଙ୍କ ପ୍ରୋତ୍ସାହନରେ କଳିଙ୍ଗଯୁଦ୍ଧ, ରାଜା, କାରୁବାକୀଙ୍କ ଉପରେ ଅଧିକ ଗବେଷଣା କରିବା ଜରୁରୀ… ତାହା କଲେ ପ୍ରକୃତ କଥା ଜଣା ପଡ଼ିବ…ଅପରିପକ୍ୱ ନିଷ୍ପତ୍ତି ସର୍ବଦା ସମାଲୋଚନାର ସରବ୍ୟ ହୁଏ ଏବଂ ସବୁ ମହଲରୁ ଷଣ୍ଡୁଆଶୀ ଆକ୍ରମଣ ହେବା ସାର ହୁଏ .. ଏବେ ସେଇଆ ହିଁ ହୋଇଛି…

‘ଯଦି ବିଶିଷ୍ଟ ସ୍ତମ୍ଭକାର, ଅନୁବାଦକ ଡ. ଅସିତ ମହାନ୍ତି ‘କାରୁବାକୀ ମନ୍ଦିରର ନେପଥ୍ୟ କଥା’ ଶୀର୍ଷକ ଆଲେଖ୍ୟ ଉପସ୍ଥାପନା କରି ନ ଥାନ୍ତେ, ତାହାଲେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏଭଳି ‘ଗୁମର’ ଖୋଲି ନ ଥାନ୍ତା I’

ଅସିତ ବାବୁ ‘ସମ୍ବାଦ’ରେ ତାଙ୍କ ନିୟମିତ ସ୍ତମ୍ଭ “ସାହିତ୍ୟିକ ପାଣିପାଗ” ରେ ଏହି ଆଲେଖ୍ୟ ଉପସ୍ଥାପନା କରି ହଇଚଇ ସୃଷ୍ଟି କରିଛନ୍ତି I ତେବେ ଆସନ୍ତୁ ଦେଖିବା ସେ କଣ ଲେଖିଛନ୍ତି …..

  • କାରୁବାକୀ ମନ୍ଦିରର ନେପଥ୍ୟ କଥା’
    -ଅସିତ ମହାନ୍ତି

‘- “କଳିଙ୍ଗ ଯୁଦ୍ଧର କୌଣସି ସ୍ମାରକୀ ନାହିଁ। କେବଳ ଇତିହାସ ପୃଷ୍ଠାରେ କିଛି ଉଲ୍ଲେଖ। ଯେଉଁ ଯୁଦ୍ଧ ଚଣ୍ଡ‑ଅଶୋକଙ୍କୁ ଧର୍ମ‑ଅଶୋକରେ ରୂପାନ୍ତରିତ କରିଥିଲା, ସେହି ଯୁଦ୍ଧର ବୀର ଓଡ଼ିଆଙ୍କ ସ୍ମୃତିକୁ ସାଇତିଛି କେବଳ ଦୟାନଦୀ।ଏକ ବିଶେ‌ଷ ପ୍ରୟାସର ଆରମ୍ଭ ହେଲା–ଅସଂଖ୍ୟ ବୀର ଓଡ଼ିଆ ସୈନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ (ହିରୋ ଷ୍ଟୋନ୍‌) ସ୍ଥାପନ ସହିତ ସଂଗ୍ରହାଳୟ, ଆମ୍ଫି ଥିଏଟର ଓ କାରୁବାକୀ ମନ୍ଦିର ନିର୍ମାଣର ପରିଯୋଜନା।’’

  • ୨୭ ଏପ୍ରିଲ୍‌ (୨୦୨୬)ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଜଣେ ଉଚ୍ଚାଧିକାରୀଙ୍କର ଏହା ଥିଲା ଫେସ୍‌ବୁକ୍‌ ପୋଷ୍ଟ। ତାହାର ପରଦିନ ସକାଳେ ଓଡ଼ିଶାର କେତେକ ପ୍ରମୁଖ ଦୈନିକରେ ଯେଉଁ ସଚିତ୍ର ସମ୍ବାଦ ପ୍ରକାଶ ପାଇଲା, ତାହାର ଶୀର୍ଷକ ଥିଲା–

‘କଳିଙ୍ଗ ବୀରଙ୍କ ସ୍ମୃତିରେ ଧଉଳିରେ ନିର୍ମାଣ ହେବ ବିଶାଳ ତର୍ପଣ ଶିଳାସ୍ତମ୍ଭ’। ସେଥିପାଇଁ ଏକ ବୈଷୟିକ କମିଟି ଗଠିତ ହୋଇଛି ଏବଂ ସେହି ବୈଷୟିକ କମିଟି ଏ ନେଇ କ୍ଷେତ୍ର ପରିଦର୍ଶନ କରିଛି।
ଏହାକୁ ନେଇ ଏ ଭିତରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସରଗରମ ଚର୍ଚ୍ଚା ହୋଇଯାଇଛି। କଳିଙ୍ଗ ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆମାନଙ୍କର ସ୍ମୃତିସ୍ତମ୍ଭ ସ୍ଥାପନର ଔଚିତ୍ୟକୁ ନେଇ ସେହି ଚର୍ଚ୍ଚାରେ ପ୍ରାୟ ପ୍ରଶ୍ନ ଉଠି ନ ଥିବା ବେଳେ, ପ୍ରଶ୍ନ ଉଠିଛି କାରୁବାକୀ ମନ୍ଦିରକୁ ନେଇ। କାରଣ ଅନେକଙ୍କ ମତରେ, କାରୁବାକୀ କେବଳ ଏକ କିଂବଦନ୍ତି। ସେ ଏକ ଐତିହାସିକ ଚରିତ୍ର ନୁହନ୍ତି। କିନ୍ତୁ ଆହ୍ଲାବାଦରେ ଥିବା ଅଶୋକଙ୍କ ‘ରାଣୀ ଶିଳାଲେଖ’ (କୁଇନ୍‌ସ ଏଡ଼ିକ୍ଟ)ରେ ଥିବା ଉଲ୍ଲେଖ କହେ, ଯେ କାରୁବାକୀଙ୍କୁ ଅଶୋକ ତାଙ୍କର ଦ୍ବିତୀୟ ରାଣୀର ମାନ୍ୟତା ଦେଇଥିଲେ। ଏହା ବ୍ୟତୀତ ତାଙ୍କ ସଂପର୍କରେ ବିଶେଷ ଐତିହାସିକ ତଥ୍ୟ ପ୍ରମାଣ ପ୍ର‌ାୟ ମିଳେ ନାହିଁ।
ତେବେ, ଅକସ୍ମାତ୍‌ ଦୟାନଦୀର ତଟଦେଶରେ ବୀରସ୍ତମ୍ଭ ସହ କାରୁବାକୀ ମନ୍ଦିର ନିର୍ମାଣର ପ୍ରସ୍ତାବ ଆସିଲା କେଉଁଠୁ?

ଅସିତ ବାବୁ ପୁଣି ଲେଖିଛନ୍ତି..

  • ପ୍ରଶ୍ନର ସୂତ୍ର ସନ୍ଧାନ କଲେ ଆମକୁ ମିଳେ ଏକ ଉପନ୍ୟାସ। ସେ ଉପନ୍ୟାସର ଲେଖିକା ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ। ଉପନ୍ୟାସର ନାଆଁ ‘ଦୟାନଦୀରୁ ନିରଞ୍ଜନା’। ଏହାର ପ୍ରକାଶକ ଔପନ୍ୟାସିକାଙ୍କ ନିଜସ୍ବ ପ୍ରକାଶନୀ ସଂସ୍ଥା ‘ଆଦ୍ୟା ପ୍ରକାଶନୀ’ ଏବଂ ପ୍ରକାଶକାଳ ୨୦୨୫। ଉପନ୍ୟାସଟି ପ୍ରକାଶ ପାଇବା ପରେ, ୧୬ ଜାନୁଆରୀ, ୨୦୨୬ରେ ତାହାର ଏକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ। ସେଥିରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେହି ସଭାରେ ହିଁ ଉଠିଥିଲା ଏହି କାରୁବାକୀ ମନ୍ଦିର ଓ କଳିଙ୍ଗବୀରଙ୍କ ସ୍ମୃତିସ୍ତମ୍ଭର ପ୍ରସ୍ତାବ।
    ପ୍ରଥମେ ଆଲୋଚ୍ୟ କଳିଙ୍ଗ ବୀରଙ୍କ ସ୍ମୃତିସ୍ତମ୍ଭ ପ୍ରସଙ୍ଗ। ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ପ୍ରସ୍ତାବ। ଅବଶ୍ୟ ଧଉଳିଠାରେ ଅଶୋକଙ୍କର ଏକ ଅନୁଶାସନ (ଶିଳାଲେଖ) ଅଛି ଏବଂ ସେହି ଧଉଳିଠାରେ ମଧ୍ୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ଏକ ଶାନ୍ତିସ୍ତୂପ ପ୍ରତିଷ୍ଠା ହୋଇଛି। ମାତ୍ର ଦୟାନଦୀର ତଟଦେଶରେ ଯେ କଳିଙ୍ଗ ଯୁଦ୍ଧ ଲଢ଼ା ହୋଇଥିଲା, କିଛି କାବ୍ୟ, କବିତା ଓ ଗଳ୍ପ ଆଦି ବ୍ୟତୀତ ତାହାର ପ୍ରାୟ କିଛି ଐତିହାସିକ ପ୍ରମାଣ ନାହିଁ। ଏ ବିଷୟ ସେହି ସାମାଜିକ ଗଣମାଧ୍ୟମ (ଫେସ୍‌ ବୁକ୍‌)ରେ ଚର୍ଚ୍ଚା ହେବା ପରେ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ତାଙ୍କର ଗୋଟିଏ ଲେଖା ସହିତ, ସେହି ଚର୍ଚ୍ଚାରେ ଯୋଗ ଦେଲେ। ଲେଖାର ଶୀର୍ଷକ ‘ଅଶୋକଙ୍କ କଳିଙ୍ଗ ବିଜୟ ସତ୍ୟ ନା ମନଗଢ଼ା କାହାଣୀ?’ ତାହାର ସାରମର୍ମ–‘‘କଳ୍ପନାରେ ଏମିତି ଏକ ବିରାଟ ଯୁଦ୍ଧର କାହାଣୀକୁ ଇତିହାସରେ ପରିଣତ କରି, ଦିଗ୍‌ବିଜୟୀ ଓଡ଼ିଆମାନଙ୍କୁ ଗୌରବହୀନ କରିବାକୁ କେବଳ ଚକ୍ରାନ୍ତ କରାଯାଇଛି। … ଏତେ ବଡ଼ ଯୁଦ୍ଧଭୂମି ପାଇଁ ବିରାଟ ପ୍ରାନ୍ତର ଦୟାନଦୀ କୂଳରେ ଥିଲା ତ?’’

ଅସିତ ବାବୁ ପୁଣି ଲେଖିଛନ୍ତି..

  • ଆଉ ଜଣେ ବିଶିଷ୍ଟ ସ୍ତମ୍ଭକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟନିର୍ବାହୀ ପରିଷଦର ପୂର୍ବତନ ସରକାରଙ୍କ ପ୍ରତିନିଧି ସଦସ୍ୟ ଭାଗୀରଥି ମହାସୁଆର ସେଥିରେ ନିଜର ମତ ଦେଇ ଲେଖିଛନ୍ତି, ‘‘ଅଶୋକଙ୍କ ଆକ୍ରମଣ ବା ଯୁଦ୍ଧ ଧଉଳିରେ ବା କେଉଁଠି ହୋଇଥିଲା, ତାହା ଗବେଷଣାସିଦ୍ଧ ନୁହେଁ। ଭୂଖନନ ହୋଇ ଖଣ୍ଡେ କଙ୍କାଳ ବା ଗୋଟିଏ ଖଣ୍ଡା ମିଳି ନାହିଁ। ଲକ୍ଷେ ଲୋକ କ’ଣ ମନ୍ତ୍ରୋଚ୍ଚାରଣରେ ମରିଗଲେ? ତାଙ୍କ ଯୁଦ୍ଧ‑ଶିଳାଲେଖ ଓଡ଼ିଶାରେ ନାହିଁ। … ‌ଲକ୍ଷେ ଓଡ଼ିଆଙ୍କ ହତ୍ୟା ପରେ ଚଣ୍ଡାଶୋକ ହଠାତ୍‌ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ହୋଇଗଲେ? କିଏ ସେ ଦେବତାମାନେ? ସାହସ ଅଛି ତ ଏ ବିଷୟରେ ବୁଝିବା ଲୋକଙ୍କୁ ନେଇ ତର୍କସଭା ହେଉ।’’


ଶ୍ରୀ ମହାସୁଆର ଏହା ଲେଖିବାବେଳେ ସମ୍ଭବତଃ ସ୍ମରଣ କରିପାରି ନାହାନ୍ତି, ଯେ ଏହି କଥା ହିଁ ସାବ୍ୟସ୍ତ କରିବାପାଇଁ ଆଜିର ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର କରିଥିଲେ ୪ ଜାନୁଆରୀ, ୨୦୨୫ରେ। ସେଥିରେ ଯୋଗଦେଇଥିଲେ ଷୋହଳ ଜଣ ଐତିହାସିକ। କଳିଙ୍ଗ ଯୁଦ୍ଧ ସତରେ ଦୟାନଦୀ ତଟରେ ହୋଇଥିଲା କି ନା, ସେ ସଂପର୍କରେ ସେଥିରୁ କିଛି ନିଷ୍କର୍ଷ ମିଳି ନାହିଁ। ଏ ପ୍ରସଙ୍ଗରେ ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଉଛି–କଳିଙ୍ଗ ଓ ଓଡ଼ିଶା ମଧ୍ୟରେ ବୌଦ୍ଧଧର୍ମ ଓ ବହିର୍ବାଣିଜ୍ୟକୁ ନେଇ ଦୀର୍ଘ ସଂପର୍କ ରହିଥିବା ‌େବଳେ, ଶ୍ରୀଲଙ୍କାର ଜଣେ ଗବେଷକ ତଥା ଲେଖକ ତାଙ୍କ ଇଂରେଜୀ ଗବେଷଣା ପୁସ୍ତକ ‘ହୁ ଇଜ୍‌ ଅଶୋକ’ରେ କହିଛନ୍ତି–ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିବାର ପ୍ରମାଣ ନାହିଁ।


ଏହା ସତ୍ତ୍ବେ, ଯେଉଁ ସରକାର ପ୍ରାୟ ବର୍ଷକ ପୂର୍ବେ କଳିଙ୍ଗ ଯୁଦ୍ଧର ବାସ୍ତବତା ସଂପର୍କରେ ସେମିନାର ଆୟୋଜନ କରିଥିଲେ, ସେ ଏବେ ସେହି ଦୟାନଦୀ ତଟରେ କଳିଙ୍ଗ ବୀରଙ୍କ ସ୍ମାରକୀ ନିର୍ମାଣ କରିବାକୁ ଯାଉଛନ୍ତି। ଉପନ୍ୟାସରେ ପ୍ରଦତ୍ତ, ଏଆଇ ଦ୍ବାରା ବିକଶିତ ଏକ ଚିତ୍ର ହୋଇଛି ସେହି ସ୍ମୃତିସ୍ତମ୍ଭର ସମ୍ଭାବିତ ରୂପରେଖ।(ଚିତ୍ର ଦ୍ରଷ୍ଟବ୍ୟ)
ଔପନ୍ୟାସିକା ପ୍ରତିଭା ରାୟଙ୍କୁ ଧନ୍ୟବାଦ, ଯେ ସେ ତାଙ୍କ ନୂଆ ଉପନ୍ୟାସ ‘ଦୟାନଦୀରୁ ନିରଞ୍ଜନା’ରେ, କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିବା କଥାଟିକୁ ଆମୂଳାନ୍ତ ଖଣ୍ଡନ କରିଛନ୍ତି। ଅଶୋକଙ୍କ ଶିଳାଲେଖଗୁଡ଼ିକରେ ଉଲ୍ଲିଖିତ ପ୍ରସଙ୍ଗ ପଛରେ ଥିବା ତାଙ୍କର ସ୍ବାର୍ଥ ଓ ନିହିତାର୍ଥକୁ ମଧ୍ୟ ଔପନ୍ୟାସିକା ଶାଣିତ ଶ୍ଳେଷ କରିଛନ୍ତି। କିନ୍ତୁ କାରୁବାକୀଙ୍କୁ ଜଣେ ମାନବୀରୁ ଦେବୀ କରିବାର ପ୍ରୟାସ ସେଥିରେ ସ୍ପଷ୍ଟ। ଏହି କୈବର୍ତ୍ତ କନ୍ୟା (କୈବର୍ତ୍ତ ରାଜଜେମା!)ଙ୍କ ଜୀବଦ୍ଦଶାରେ ମଧ୍ୟ ସେ କିପରି ଦେବୀ ରୂପେ ପୂଜିତା ହେଉଥିଲେ ଏବଂ ସେ କିପରି ଥିଲେ ଅଲୌକିକ ଶକ୍ତିର ଅଧିକାରିଣୀ, ତାହାର ଚିତ୍ରଣ କରିବାରେ ସେ କୌଣସି କୁଣ୍ଠା କରି ନାହାନ୍ତି।

ଅସିତ ବାବୁ ପୁଣି ଲେଖିଛନ୍ତି..

  • ସଂକ୍ଷେପରେ କେବଳ ଦୁଇଟି ଉଦାହରଣ ଦେଲେ ଯଥେ‌ଷ୍ଟ ହେବ–
    ୧. ‘‘ଅଶୋକଙ୍କୁ ଶାନ୍ତ କରିବାପାଇଁ ଦେବୀ ନମ୍ର ସ୍ବରରେ କହିଲେ–‘ତୁମେ ଜାଣ ନାହିଁ ବୋଲି ଏପରି କହୁଛ। କାରୁବାକୀଙ୍କର ଦୈବୀଶକ୍ତି ଅଛି। ସେ ଆକାଶକୁ ଚାହିଁଦେଲେ ବର୍ଷା ହୁଏ। ନିଦାଘ ବନରେ ପ୍ରବେଶ କଲାମାତ୍ରେ ଶୁଷ୍କ ବୃକ୍ଷମାନ ପଲ୍ଲବିତ ଓ ପ୍ରସ୍ଫୁଟିତ ହୁଅନ୍ତି। ଏକ ଭୟଙ୍କର ମହାମାରୀ କଳିଙ୍ଗରେ ଆରମ୍ଭ ହେବାମାତ୍ରେ କାରୁବାକୀ ମନ୍ତ୍ରତନ୍ତ୍ର କରି ମହାମାରୀକୁ ଫେରାଇ ଦେଇଥିଲେ। କୂଳ ଲଙ୍ଘୁଥିବା ଉତ୍‌ଫଣ ସମୁଦ୍ରକୁ ଦୃଷ୍ଟିପାତ ମାତ୍ରେ ସମୁଦ୍ର ଫେରିଯାଏ। ଏପରି ଉଦାହରଣ ଅନେକ ଅଛି। ଏବେ କଳିଙ୍ଗର ଗାଁ ଗାଁରେ କାରୁବାକୀଙ୍କୁ ଗ୍ରାମଦେବତୀ ଭାବରେ ପୂଜା କଲେଣି। କାରୁବାକୀଙ୍କର ମନ୍ଦିର ତୋଷାଳିଗଡ଼ର କଳିଙ୍ଗେଶ୍ବରୀ ମନ୍ଦିର ପାଖରେ ସ୍ଥାପନା ହେଲାଣି। ସମସ୍ତଙ୍କର ବିଶ୍ବାସ, କାରୁବାକୀ ହେଉଛନ୍ତି କଳିଙ୍ଗ ରାଜ୍ୟର ରକ୍ଷାକର୍ତ୍ତ୍ରୀ।’’


୨. ‘‘ଅଶୋକ କହିଲେ, ‘ପ୍ରି‌େୟ! ଆଶ୍ରମ ନୁହେଁ, ମୁଁ ଅଚିରେ ଏକ ମନ୍ଦିର ନିର୍ମାଣ କରିବି–କାରୁବାକୀ ମନ୍ଦିର। କଳିଙ୍ଗବାସୀ ତୁମକୁ ରକ୍ଷାକର୍ତ୍ତ୍ରୀ ଗ୍ରାମଦେବତୀ ଭାବରେ ପୂର୍ବରୁ ପୂଜା କରିଆସିଛନ୍ତି। ସେହି ମନ୍ଦିରରେ ସେମାନେ ତୁମକୁ ଦେବୀ ଭାବରେ ପୂଜା କରି ମନର ଶାନ୍ତି ଫେରିପାଇବେ।’’


ଏଣୁ କହିବାରେ ଆଦୌ ଦ୍ବିଧା ନାହିଁ, ଯେ ଔପନ୍ୟାସିକାଙ୍କ ବର୍ଣ୍ଣିତ ଏଇ କଳ୍ପ-କାହାଣୀ ଏବେ ସରକାର ଓ ସଂପୃକ୍ତ ବିଭାଗ ପାଇଁ ହୋଇଯାଇଛି ଇତିହାସ। ସେଇ ମନଗଢ଼ା ଇତିହାସର ଉପଜ–ଦୟାନଦୀ ତଟରେ କଳିଙ୍ଗବୀରଙ୍କ ସ୍ମୃତିସ୍ତମ୍ଭ ଓ କାରୁବାକୀ ମନ୍ଦିର।
୫-୬-୨୬

(କ୍ରମଶଃ)

Share

Leave a Reply