ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦,୯୨୮ କୋଟି
1 min readLavc57.107.100
- ପାଞ୍ଚ ବର୍ଷରେ ହେବ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ: ବୈଷ୍ଣବ
ଭୁବନେଶ୍ୱର,//TATKAL ODISHA//
ଚଳିତ ସାଧାରଣ ବଜେଟ୍-୨୦୨୬ରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କା ବରାଦ ହୋଇଛି। ଏହା ଏକ ରେକର୍ଡ଼। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଗତ ୧୧ ବର୍ଷ ମଧ୍ୟରେ ୨,୨୦୦ କିଲୋମିଟର ନୂତନ ରେଳ ଲାଇନ ସ୍ଥାପିତ ହେବା ଆମ ବିକାଶ ଯାତ୍ରାର ଏକ ଗୌରବମୟ ସଫଳତା। ଏହା ସହ ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଟ୍ରେନର ସଫଳ ଚଳାଚଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ସାଧାରଣ ଜନତାଙ୍କ ଯାତ୍ରାକୁ ଅଧିକ ସୁଗମ ଓ ଆରାମଦାୟକ କରିଛି। ଆଗାମୀ ପାଞ୍ଚ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କରାଯିବ।
ସୋମବାର ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ବିକାଶ କାମ ଜାରି ରହିଛି। ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ଉପରେ ନଜର ରଖିଛନ୍ତି। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍ ଚାଲିଛି।
ରେଳମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ପୂର୍ବୋଦୟର ବିକାଶ ପାଇଁ ଯୋଜନା କରୁଛନ୍ତି। ପୂର୍ବରୁ ପଶ୍ଚିମ ରେଳକରିଡ଼ର କରୁଛନ୍ତି। ପଶ୍ଚିମବଙ୍ଗରୁ ଆରମ୍ଭ ହେବାକୁ ଥିବା ଏହି କରିଡ଼ର ମହାରାଷ୍ଟ୍ରରେ ପହଞ୍ଚିବ। ଓଡ଼ିଶା ଦେଇ ଏହି କରିଡ଼ର ଆଗକୁ ବଢ଼ିବ। ଚଳିତ ରେଳ ବଜେଟରେ ବିହାରକୁ ୧୦,୩୭୦ କୋଟି ଓ ପଶ୍ଚିମବଙ୍ଗ ପାଇଁ ୧୪,୨୦୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି।

ରେଳମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ମାଲେସିଆ ତୁଳନାରେ ଅଧିକ ରେଳଳାଇନ ନିର୍ମାଣ ୧୧ ବର୍ଷ ମଧ୍ୟରେ ହୋଇପାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆମକୁ ସହଯୋଗ କରୁଛନ୍ତି। ହାତୀ ମୃତ୍ୟୁ ନେଇ ରେଳ ବିଭାଗ ଅବଗତ ଅଛନ୍ତି। ଏହାକୁ ରୋକିବା ପାଇଁ ରାଜ୍ୟରେ ଅପ୍ଟିକାଲ ଫାଇଭର ଟେକ୍ନୋଲୋଜି ଉପରେ କାମ କରାଯାଉଛି। ଏହା ଦ୍ୱାରା ଟ୍ରେନ୍ଲାଇନଜନିତ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ। ରାଜ୍ୟର ୨୦୦ଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେବ। ବିଭିନ୍ନ ସ୍ଥାନରେ ଏଆଇ ଥର୍ମାଲ କ୍ୟାମେରା ଖଞ୍ଜାଯିବ। ଆସନ୍ତା ୬ ମାସ ମଧ୍ୟରେ ଦେଶବ୍ୟାପି ଏହି କାମ ଆରମ୍ଭ ହୋଇଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।
ପୂର୍ବ-ପଶ୍ଚିମ ପରିବହନ କରିଡର’ ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

ଚଳିତ ବଜେଟ୍ରେ ଅନୁମୋଦିତ ‘ପୂର୍ବ-ପଶ୍ଚିମ ପରିବହନ କରିଡର’ ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ। କେବଳ ଭିତ୍ତିଭୂମି ନୁହେଁ, ବରଂ ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ପଥରେ ହାତୀ ମୃତ୍ୟୁ ରୋକିବା ପାଇଁ ଇଓ-ଭିତ୍ତିକ ଥର୍ମାଲ କ୍ୟାମେରା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ଆଦର୍ଶ ସୃଷ୍ଟି କରିବ। ଏଥିଯୋଗୁଁ ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ଆହୁରି ସୁଦୃଢ଼ ହୋଇପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ରେଳମନ୍ତ୍ରଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
