ଶ୍ରୀମଦ୍ ଭଗବଦ୍ ଗୀତା ୧:୫ ଶ୍ଳୋକ :ଧୃଷ୍ଟକେତୁଶ୍ଚେକିତାନଃ…
1 min read
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ୟବାନ୍ ।
ପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବ୍ୟଶ୍ଚ ନରପୁଙ୍ଗବଃ ॥
- ଧୃଷ୍ଟକେତୁ, ଚେକିତାନ, ବଳଶାଳୀ କାଶିରାଜ, ପୁରୁଜିତ, କୁନ୍ତିଭୋଜ ଓ ଶୈବ୍ୟ – ଏମାନେ ସମସ୍ତେ ଥିଲେ ନରପୁଙ୍ଗବ – ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୀର ଏବଂ ଉଚ୍ଚ ମାନବିକ ଚେତନାର ଅଧିକାରୀ । ଏହି ଶ୍ଳୋକରେ ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷର ସାହସୀ ଓ ପ୍ରଭାବଶାଳୀ ଯୋଦ୍ଧାମାନଙ୍କ ନାମ ଉଚ୍ଚାରଣ କରୁଛନ୍ତି । ଯଦିଓ ସେ ସେମାନଙ୍କୁ ନିଜ ଚକ୍ଷୁରେ ଦେଖି ବର୍ଣ୍ଣନା କରୁଥିଲେ, କିନ୍ତୁ ଆନ୍ତରିକ ଭାବେ ତାଙ୍କ ମନରେ ଭୟ ଓ ଅସ୍ଥିରତା ଲାଗି ରହିଥିଲା ।
ଶତୃପକ୍ଷର ଶକ୍ତି ପ୍ରତି ତାଙ୍କର ଥିଲା ଗୁପ୍ତ ସ୍ୱୀକୃତି । ନିଜ ପକ୍ଷରେ ଧର୍ମ ନଥିବାରୁ ଆତ୍ମବିଶ୍ୱାସର ଅଭାବ । କାରଣ , ଅଧର୍ମର ପଥରେ ଥିବା ବ୍ୟକ୍ତି ପ୍ରବଳ ଶକ୍ତିର ଅଧିକାରୀ ଥିଲେ ମଧ୍ୟ ଭିତରେ ଦୁର୍ବଳ ଥାଏ ।
ଆଜିର ଜୀବନରେ ମଧ୍ୟ ଆମେ ଏହା ଦେଖୁ, କେହି ଅନ୍ୟାୟ ପଥରେ ସଫଳ ହେଲେ ମଧ୍ୟ, ସେ ଅନ୍ୟମାନଙ୍କ ଯୋଗ୍ୟତାକୁ ଦେଖି ଭୟଭୀତ ହୁଏ । ସତ୍ୟ ଓ ନ୍ୟାୟରେ ଥିବା ଲୋକ ଶାନ୍ତ, ମାତ୍ର ଅସତ୍ୟରେ ଥିବା ଲୋକ ସଦା ଚିନ୍ତିତ । ଆଜିର ସମାଜରେ ଅନ୍ୟାୟ କରି ସତ୍ତା ଧରିଥିବା ଲୋକ ଭୟଭୀତ ହୋଇ ସଦା “ବିରୋଧୀ କେତେ ଶକ୍ତିଶାଳୀ” ଗଣନା କରନ୍ତି । ଏହି ଶ୍ଳୋକ ଆମକୁ ପ୍ରଶ୍ନ କରେ – ଆମ ଭିତରେ ଦୁର୍ଯ୍ୟୋଧନ ଅଛି କି ? ଆମେ ଅନ୍ୟମାନଙ୍କ ଭଲକୁ ଦେଖି ଅସୁବିଧା ଅନୁଭବ କରୁଛୁ କି? ଯଦି ହଁ, ତେବେ ଆମେ ଧର୍ମରୁ ସ୍ଥାନଚ୍ୟୁତ ।
ଦୁର୍ଯ୍ୟୋଧନ ଶକ୍ତିଶାଳୀ ଥିଲେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ଯେପରିକି ଆଜି ବଡ଼ ପଦବୀରେ ଥିବା ଲୋକ, ବହୁ ସମ୍ପତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତି ସାଧାରଣ, ସତ୍ୟବାଦୀ ଲୋକଙ୍କୁ ଭୟ କରନ୍ତି । “ଏ ଲୋକ କେତେ ପ୍ରଭାବଶାଳୀ?” ବୋଲି ସଦା ଚିନ୍ତନ କରିଥାନ୍ତି । କାରଣ ଯେଉଁଠି ନ୍ୟାୟ ନାହିଁ, ସେଠି ସୁରକ୍ଷା ନାହିଁ ।
କାର୍ଯ୍ୟକ୍ଷେତ୍ରରେ ଅନୀତିପରାୟଣ ଅଧିକାରୀ, ସତ୍ କର୍ମଚାରୀକୁ “ବିପଦ” ଭାବେ ଦେଖେ । ଯୋଗ୍ୟ ଲୋକଙ୍କୁ ଉନ୍ନତି ଦେବାକୁ ଭୟ କରେ । ଦୁର୍ଯ୍ୟୋଧନଙ୍କ ପରି ସେ ଯୋଗ୍ୟ ଲୋକଙ୍କ ତାଲିକା କରେ, କିନ୍ତୁ ସେମାନଙ୍କୁ ଗ୍ରହଣ କରିପାରେନି । ତେଣୁ କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହୁଏ ଭୟ, ଚକ୍ରାନ୍ତ ଓ ରାଜନୀତି । ଏହି ଶ୍ଳୋକ ଆମକୁ କହେ – ଯଦି ଆପଣ ସତ୍ୟରେ ଅଛନ୍ତି, ଅନ୍ୟମାନଙ୍କ ଉନ୍ନତି ଆପଣଙ୍କୁ ଭୟ ଦେବେ ନାହିଁ । ଯଦି ଆପଣ ଅସତ୍ୟରେ ଅଛନ୍ତି, ପ୍ରତ୍ୟେକ ସତ୍ୟବାଦୀ ଲୋକ ଆପଣଙ୍କୁ ଶତ୍ରୁ ଲାଗିବ ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
