03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ, ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ

1 min read
  • ଖୁଲାପୀ ଅଧିକାରୀଙ୍କୁ ତାଗିଦ୍ ସହ ଜାରି ହେବ କାରଣ ଦର୍ଶାଅ ନୋଟିସ୍
  • ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଆଦି ଓଡ଼ିଆ ଭାଷାରେ କରାଯିବ

ଭୁବନେଶ୍ୱର,//TATKAL ODISHA//
ଏଣିକି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ (ବ୍ଳକ, ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ) ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ। ଏଥିରେ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଅଧିକାରୀ ଏହାର ଖୁଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ୍ କରାଯିବ ଏବଂ ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି।


ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ହିମାଂଶୁ ଭୂଷଣ ପଣ୍ଡା ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ସବୁ ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଛି। ଏହି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧିସୂଚନା ସଂଖ୍ୟା ୨୪୯୬୭, ତା ୨୭.୦୮.୨୦୨୪ ରିଖ ମାଧ୍ୟମରେ ଜାରି କରିଯାଇଥିବା ସବିସ୍ତୃତ ନିର୍ଦ୍ଦେଶାବଳୀକୁ ପାଳନ କରାଯିବ। ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି ଓଡ଼ିଆ ଭାଷାରେ କରାଯିବ।


ଉକ୍ତ ନିର୍ଦ୍ଦେଶନାମାରେ ଆହୁରି କୁହାଯାଇଛି ଯେ,ସରକାରୀ କାର୍ଯ୍ୟ ସମ୍ପାଦନ ସମୟରେ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ। ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରିକି ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ୱୟଂ ଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ। ପ୍ରଶାସନିକ ଭାଷାକୋଷକୁ ନିରନ୍ତର ଭାବେ ଅଧ୍ୟୟନ କରାଯିବା ସହ ସରକାରୀ କାର୍ଯ୍ୟାଳୟରେ ଏହାକୁ ଉପଲବ୍ଧ କରାଇବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।


ଉପରୋକ୍ତ ନିର୍ଦ୍ଦେଶଗୁଡିକୁ ସମସ୍ତ କାର୍ଯ୍ୟାଳୟ ନିଜ ଅଧିନସ୍ତ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଇବା ସହିତ ଏହି ସମ୍ପର୍କିତ ଅନୁପାଳନ ବିବୃତି ଏହି ବିଭାଗକୁ ଅବଗତ କରାଇବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅନୁରୋଧ କରିଛନ୍ତି।

Share

Leave a Reply