tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଫେବୃଆରୀ ୭ରୁ ପ୍ରାଚୀ ପରିକ୍ରମା

1 min read
  • ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ହେବ
  • ବହୁ ସାଧୁସନ୍ଥ, ବୁଦ୍ଧିଜୀବି ଓ ଶିଷ୍ୟଭକ୍ତ ଏଥିରେ ସାମିଲ ହେବେ
  • ପ୍ରାଚୀ ନଦୀର ପୁନଃରୁଦ୍ଧାର କରିବା ପାଇଁ ବଡ଼ ପ୍ରୟାସ

  • ପୁରୀ, ଭୁବନେଶ୍ୱର// TATKAL ODISHA//

ଲୁପ୍ତପ୍ରାୟ ପୁରାଣ ବର୍ଣିତ ପ୍ରାଚୀ ନଦୀର ଉଦ୍ଧାର ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାଚୀ ପରିକ୍ରମା ଅନୁଷ୍ଠିତ ହେବ I ତାହା ଫେବୃଆରୀ ୭ରୁ ୧୩ ମଧ୍ୟରେ ହେବ I ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନେକ ସାଧୁସନ୍ଥ, ପ୍ରାଚୀପ୍ରେମୀ, ବୁଦ୍ଧିଜୀବି ଓ ଶିଷ୍ୟଭକ୍ତ ଏଥିରେ ସାମିଲ ହେବେ I

   TATKAL ODISHAକୁ ଏହି ସୂଚନା ଦେଇଛନ୍ତି ପ୍ରାଚୀ ପରିକ୍ରମା ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସ୍ବାମୀ ଶୁଦ୍ଧାନନ୍ଦ ଗିରି I

  ଶୁଦ୍ଧାନନ୍ଦ ଜୀ କହିଛନ୍ତି ଯେ, ସନାତନ ବୈଦିକ ପରମ୍ପର ପରମ୍ପରାର ଦେଶ ଭାରତବର୍ଷ । ଗୀତା, ଗଙ୍ଗା, ଗାୟତ୍ରୀ, ଗୋମାତା ଓ ଗୋବିନ୍ଦ ସନାତନ ସଂସ୍କୃତିର ପଞ୍ଚ ଆଧାର ସ୍ତମ୍ଭ, ଯାହାଙ୍କୁ ନେଇ ଏ ଦେଶର ସାଂସ୍କୃତିକ ଐତିହ୍ୟ ମହିମାମୟ ହୋଇଅଛି । 

ପ୍ରକୃତିକୁ ଈଶ୍ୱରଙ୍କର ସାକ୍ଷାତ୍ ପ୍ରକାଶ ରୂପରେ ଗ୍ରହଣ କରି ଆମେ ବିଭିନ୍ନ ନଦନଦୀଙ୍କୁ ଆରାଧନା କରିଥାଉ । ଏହିକ୍ରମରେ ଉତ୍କଳ ଖଣ୍ଡରେ ପ୍ରବାହିତା ମା’ ପ୍ରାଚୀ ସରସ୍ବତୀଙ୍କ ମହିମା ଅବର୍ଣନୀୟ ।

 ମା’ ନର୍ମଦା ଓ ମା’ ପ୍ରାଚୀ ସରସ୍ବତୀ ନଦୀର ପରିକ୍ରମା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଅଛି ।

ପୁରାଣ ବର୍ଷିତ ସେହି ପୁଣ୍ୟତୋୟା ମା’ ପ୍ରାଚୀ ସରସ୍ୱତୀଙ୍କର ଅସ୍ତିତ୍ୱ ବର୍ତ୍ତମାନ ଲୁପ୍ତପ୍ରାୟ । 

ଏହି କୀର୍ତି କିରୀଟିନୀ ପୁଣ୍ୟତୋୟା ପ୍ରାଚୀ ମା’ଙ୍କୁ ଲୁପ୍ତ ସତ୍ତା ଭିତରୁ, ବିସ୍ମୃତିର ଅତଳ ଗହ୍ଵର ଭିତରୁ ଉଦ୍ଧାର କରି ପୁଣି ଜନମାନସରେ ଜାଗରିତ କରିବା ପାଇଁ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନେକ ସାଧୁସନ୍ଥଙ୍କ ସହିତ ପ୍ରାଚୀପ୍ରେମୀ, ବୁଦ୍ଧିଜୀବି ଓ ଶିଷ୍ୟଭକ୍ତ ୨୦୧୨ଠାରୁ ମା’ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ କରିଅଛନ୍ତି ।

ଚଳିତ ବର୍ଷ ଏହି ପଦଯାତ୍ରା ପଞ୍ଚଦଶ ବର୍ଷରେ ପଦାର୍ପଣ କରିବାକୁ ଯାଉଅଛି ।

ସାମିଲ ହେବେ ପୂଜ୍ୟ ମହନ୍ତ ଚିନ୍ତାମଣୀ ପର୍ବତ ମହାରାଳ, ପୂଜ୍ୟ ସ୍ଵାମୀ ଶୁଦ୍ଧାନନ୍ଦ ଗିରି, ପୂଜ୍ୟ ବାବା ଦାମୋଦର ଦାସ, ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ, ପୂଜ୍ୟ ବାବା ରାମଦାସ, ପୂଜ୍ୟ ମହନ୍ତ ଦିବ୍ୟକୃଷ୍ଣ ଦାସ, ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ଏବଂ ଅନେକ ସାଧୁସନ୍ଥ..।

 ଏ ପବିତ୍ର ସଂକଳ୍ପର ଦିବ୍ୟ ଉତ୍ସବ ଅବସରରେ ଆପଣଙ୍କୁ ସାଦର ନିମନ୍ତ୍ରଣ । ଏହି ପରିକ୍ରମା କାର୍ଯ୍ୟରେ ଉପସ୍ଥିତ ରହି ସାଧୁସନ୍ଥଙ୍କର ସାନ୍ନିଧ ଲାଭ କରିବା ସହିତ ନିଜକୁ ଏହି ମହାଯଜ୍ଞରେ ଏକ ଦିବ୍ୟ ଆହୁତି ରୂପେ ସମର୍ପିତ କରି ପ୍ରାଚୀ ମା’ ଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ପ୍ରାଚୀ ପରିକ୍ରମା ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସ୍ବାମୀ ଶୁଦ୍ଧାନନ୍ଦ ଗିରି ନିବେଦନ କରିଛନ୍ତି I

Share

Leave a Reply