ପୌଷ ମାସ ଶୁକ୍ଳପକ୍ଷ ଦଶମୀ ହିଁ ‘ଶାମ୍ବ ଦଶମୀ’
1 min read
- ଶ୍ରୀକାନ୍ତ ଦାଶ
- ++++++++
ପୌଷ ମାସ ଶୁକ୍ଳପକ୍ଷ ଦଶମୀକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ | ଉତ୍କଳୀୟ ହିନ୍ଦୁ ପରମ୍ପରାରେ ଏହା ଏକ ଅନନ୍ୟ ପର୍ବ |
ପୌରାଣିକ ଆଖ୍ୟାନ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ତାଙ୍କ ଅନ୍ୟତମା ପତ୍ନୀ ଜାମ୍ବବତୀଙ୍କର ପୁତ୍ର ଥିଲେ |ସେ କୃଷ୍ଣଙ୍କ ପରି ଅତ୍ୟନ୍ତ ସୁନ୍ଦର ଥିଲେ | ସେଥିପାଇଁ ସେ ଅହଙ୍କାରୀ ଓ ଉଦ୍ଧତ ଥିଲେ |

- ଋଷି ଓ ଅନ୍ୟ ଗୁରୁଜନଙ୍କୁ ଥଟ୍ଟା ମଜା କରିବାରେ ଆନନ୍ଦ ଅନୁଭବ କରୁଥିଲେ | ଥରେ ନାରଦ ଋଷିଙ୍କୁ ଥଟ୍ଟା କରିବାରୁ ଋଷି ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ମାନସ୍ଥ କରି ତାଙ୍କ ମାତା ଓ ବିମାତାଙ୍କ ସ୍ନାନସମୟରେ ପୁଷ୍କରିଣୀକୁ ଯାଇ ମଜ୍ଜା ନେବାକୁ ପରାମର୍ଶ ଦେଲେ |ଶାମ୍ବ ଏହା ମାନି ନାରୀ ମାନଙ୍କ ସ୍ନାନ ସମୟରେ ଯାଇ ସେମାନଙ୍କ ସୌନ୍ଦର୍ଯ୍ୟ ନିରୀକ୍ଷଣ କଲେ | ବିମାତା ଓ ଅନ୍ୟ ନାରୀମାନେ ଏଥିରେ ଲଜ୍ଜିତ ଓ ଅପମାନିତ ହୋଇ କୃଷ୍ଣଙ୍କ ନିକଟରେ ଶାମ୍ବଙ୍କ ଅଭଦ୍ର ଆଚରଣ କୁ ନେଇ ଅଭିଯୋଗ କଲେ |ଆଗରୁ ଶ୍ରୀକୃଷ୍ଣ ତାଙ୍କ ଉପରେ ଛୋଟ ମୋଟ ଘଟଣକୁ ନେଇ ଅସନ୍ତୁଷ୍ଟ ଥିଲେ |ଏଥର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରି ଅଭିଶାପ ଦେଲେ ସେ ଦୁରାରୋଗ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହେବେ ଓ ସୌନ୍ଦର୍ଯ୍ୟ ହରେଇବେ |
ଶାମ୍ବ ନିଜ ଭୁଲ ବୁଝି ନାରଦ ଋଷିଙ୍କ କଥାରେ ପରିଚାଳିତ ହୋଇ ଏପରି କୁତ୍ସିତ କାର୍ଯ୍ୟ କରିଥିବା ସ୍ୱୀକାର କଲେ | ଏହା ଶୁଣି କୃଷ୍ଣ ସବୁ ବୁଝି ଶାମ୍ବ ଙ୍କୁ ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟଙ୍କ ଉପାସନା କରି ରୋଗ ମୁକ୍ତ ହେବାକୁ ପରାମର୍ଶ ଦେଲେ |କୁଷ୍ଠ ରୋଗରୁ ମୁକ୍ତି ପାଇଁ ଶାମ୍ବ କୋଣାର୍କ ଚନ୍ଦ୍ରଭାଗା ନଦୀ କୂଳରେ ବାରବର୍ଷ ନିଷ୍ଠାରେ ସୂର୍ଯ୍ୟଦେବଙ୍କ ଧ୍ୟାନ କରି ଏହି ଦୁରାରୋଗ୍ୟ ରୋଗରୁ ଆରୋଗ୍ୟ ଲାଭ କରିଥିଲେ |
ସେହି ଦିନରୁ ବୋଧହୁଏ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା ପ୍ରଚଳିତ ହୋଇଛି |
ଓଡିଶାର ପୁର ପଲ୍ଲୀରେ ପିଲାଙ୍କର ସୁସ୍ଥ ନିରାମୟ ଜୀଵନ ପାଇଁ ବାପା ମା” ମାନେ ନିଷ୍ଠାର ସହ ସୂର୍ଯ୍ୟଙ୍କ ପୂଜା କରିଥାନ୍ତି |ପିଲାଙ୍କ ମନ ପସନ୍ଦର ବିଭିନ୍ନ ସ୍ୱସ୍ୱାଦୁ ମିଠା, ପିଠା, କ୍ଷୀରି, ଖେଚୁଡ଼ି ପ୍ରସ୍ତୁତ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ ଜରନ୍ତି |

ବାସ୍ତବରେ ଆମ ସଂସ୍କୃତିରେ ତେତିଶ କୋଟି ଦେବାଦେଵୀ ଅଛନ୍ତି ବୋଲି କଳ୍ପନା କରାଯାଇଛି ଓ ସେମାନଙ୍କ ପାଇଁ ପୂଜା ଵିଧିର ପ୍ରଚଳନ ବି କରାଯାଇଛି | ହେଲେ ବାସ୍ତବ ଦୃଷ୍ଟିରୁ ଦେଖିଲେ ସୂର୍ଯ୍ୟ ଦେବଙ୍କୁ ଆମେ ପ୍ରତ୍ୟକ୍ଷ ଦେଖିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥାଉ |ଆଉ ସେ ହେଉଛନ୍ତି ସକଳ ଶକ୍ତିର ଆଧାର |ତାଙ୍କ ଛଡା ଆମେ ବାସ୍ତବ ଦୃଷ୍ଟିରୁ ବିଭିନ୍ନ ବୃକ୍ଷ, ଜଳ, ବାୟୁ, ଅଗ୍ନି, ପଶୁ, ପକ୍ଷୀଙ୍କ ସମ୍ପର୍କରେ ଆସିଥାଉ ଓ ଜୀଵନ ଧାରଣ ପାଇଁ ସମସ୍ତ ଉପାଦାନ ସେମାନଙ୍କ ଠାରୁ ପାଇଥାଉ |
ଏଣୁ ସେମାନଙ୍କୁ ମଧ୍ୟ ଦେବା ଦେଵୀ ଭାବେ ପୂଜା କରିଥାଉ |ସଂକ୍ଷେପରେ କହିଲେ ସୂର୍ଯ୍ୟଙ୍କ ସହ ପ୍ରକୃତିପୂଜା ଆମ ସଂସ୍କୃତିର ଅଙ୍ଗ ହୋଇ ଯାଇଛି |
ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରିବା ସହିତ ନିରୋଗ ଜୀଵନ ପାଇଁ ଆମକୁ ଶିକ୍ଷା ଦେଇଥାଏ |
ଆମ ପ୍ରକୃତିର ସୁରକ୍ଷା କରିପାରିଲେ ଏହି ପର୍ବ ପାଳନର ମହତ୍ତ୍ୱ ରହିବ |🙏🙏
- ଶ୍ରୀକାନ୍ତ ଦାଶ, ସଭାପତି “ଅବି”ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
Email – srikantadash. bpc@gmail.com
