ବେଖାତିରର ନଗ୍ନ ନମୁନା : ବର୍ଷେ ପରେ ବି କାର୍ଯ୍ୟକାରୀ ହେଲାନି କ୍ୟାବିନେଟ ନିଷ୍ପତ୍ତି
1 min read
- ଅନୁସୂଚିତ ଜାତି, ଜନଜାତି ବିଭାଗରେ ଚାଲିଛି ମନମାନି?
ଭୁବନେଶ୍ୱର, କୋରାପୁଟ, ରାୟଗଡା, ସୁନ୍ଦରଗଡ଼ //TATKAL ODISHA //
କ୍ୟାବିନେଟ ଅନୁମୋଦନ ହେଲା I ମାତ୍ର ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିବାଗ ବେଖାତିର କରି ନିଷ୍ପତ୍ତିର ଏକ ବର୍ଷ ପରେ ବି ଓପିଲିପି-୨ କାର୍ଯ୍ୟକ୍ରମ କାର୍ଯ୍ୟକ୍ଷମ କଲା ନାହିଁ I ଫଳରେ ବିରଳ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଠପ ହୋଇ ଯାଇଛି ବୋଲି ଅଭିଯୋଗ ହୋଇଛି I
ବିରଳ ଜନଜାତି ସମୁଦାୟ(ପିଭିଟିଜି ) ଉନ୍ନୟନର ମାପଦଣ୍ଡରେ ସବୁଠାରୁ ଅବହେଳିତ,ପଛୁଆ( ଉଭୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ) , କ୍ରମଶଃ ହ୍ରାସ ପାଉଥିବା ଜନସଂଖ୍ୟା, ଅତ୍ୟାଚାର , ଅବହେଳାର ଶିକାର ହୋଇ ସ୍ବାଧୀନତା ପରଠାରୁ ଆସିଛନ୍ତିI ଓଡ଼ିଶାରେ ୧୩ ପ୍ରକାର ପିଭିଟିଜି ଗୋଷ୍ଠୀ ବସବାସ କରୁଛନ୍ତି ଯାହାକି ଭାରତବର୍ଷରେ ୭୫ ଗୋଷ୍ଠୀ ମଧ୍ୟରୁ ସର୍ବାଧିକ ସଂଖ୍ୟା ।
- ଆବଶ୍ୟକତାର ଗୁରୁତ୍ବ ଉପଲବ୍ଧି କରି ଓଡ଼ିଶା ସରକାର ୨୦୧୬ରେ ପ୍ରଥମଥର ପାଇଁ ପିଭିଟିଜି ଅନୁକୂଳ ଉନ୍ନୟନର ଏକ ନମୁନା ପ୍ରଣୟନ କରିବା ନିମନ୍ତେ ମିଳିତ ଜାତିସଂଘର ସହଯୋଗରେ ଓଡ଼ିଶା ପିଭିଟିଜି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯକ୍ରମ (ଓପିଲିପି ) ଆରମ୍ଭ କରିବା ନିମିତ୍ତ ସ୍ଥିରୀକୃତ କଲେ । ଏହି କ୍ରମରେ ଓଡ଼ିଶା ସରକାର ଆନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି (ଆଇଫଡ) ଏବଂ ଭାରତ ସରକାରଙ୍କ ସହ ତା ୧୮। ୦୩। ୨୦୧୬ ରିଖରେ ଏକ ତ୍ରି -ପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ କଲେ। ଏଥିରେ ଓପିଲିପି କାର୍ଯକ୍ରମ ୧୨ ଟି ଜିଲ୍ଲାର ୧୭ ଟି ଅଣୁ ପ୍ରକଳ୍ପ ସଂସ୍ଥା ମାଧ୍ୟମରେ ୨୨ ଟି ବ୍ଲକ,୮୯ ଟି ଗ୍ରାମ ପଂଚାୟତରେ ବସବାସ କରୁଥିବା ୧.୩୪ ଲକ୍ଷ ପିଭିଟିଜି ଜନସଂଖ୍ୟାର ସାମୁହିକ ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ ୮୪୧ ଟି ପିଭିଟିଜି ଗ୍ରାମରେ ୧୭ ଟି ସ୍ବେଚ୍ଛାସେବୀ ସଂଗଠନ ସହଭାଗିତାରେ ଶୁଭ।ରମ୍ଭର ମୂଳଦୁଆ ପଡିଥିଲା ।
ସେହି ପରଠାରୁ ଓପେଲିପ କାର୍ଯକ୍ରମ ମାଧ୍ୟମରେ ପିଭିଟିଜି ମାନଙ୍କର ଜୀବନ ଜୀବିକାର ଯାତ୍ରାରେ ଏକ ବ୍ୟାପକ ପରିବର୍ତନର ଧାରା ଯୋଡି ହୋଇଗଲା । ଏହି ଦୀର୍ଘ ୭ ବର୍ଷର ଉନ୍ନୟନ ଯାତ୍ରାରେ ତ୍ଵରିତ ବିକାଶର ସାକ୍ଷୀ ଭାବରେ ଓପେଲିପ ନିଜକୁ ପ୍ରତିପାଦିତ କଲା ।ଏହି କାର୍ଯକ୍ରମ ଏକ ବଡ ସ୍ଵତନ୍ତ୍ରତା ଥିଲା ଗ୍ରାମ୍ୟ ଉନ୍ନୟନ ଯୋଜନା ପ୍ରସ୍ତୁତି, ପ୍ରଣୟନ , ତଦାରଖ ଓ ସମୀକ୍ଷା ସବୁକିଛି ଗ୍ରାମବାସୀଙ୍କ ଦ୍ବାରା କରାଯାଇଥାଏ।


ସ୍ବୟଂ ସହାୟକ ଗୋଷ୍ଠୀ ,କ୍ଲଷ୍ଟର ସ୍ତରୀୟ ସଂଘ ,ଗ୍ରାମ ପଂଚାୟତ ସ୍ତରୀୟ ସଂଘ,ଗ୍ରାମ୍ୟ ଉନ୍ନୟନ ସଂଘ ଗଠନ, ଗଠନ କରାଯାଇ ସେମାନଙ୍କର ଦକ୍ଷତାରେ ପରାଭୂତ ବିକାଶ, ପିଭିଟିଜି ପରିବାର ମହିଳାଙ୍କ ନାମରେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ଅନୁସାରେ ଜଙ୍ଗଲ ଜମି ଶିରୋନାମା ପଟ୍ଟା ପ୍ରଦାନ,ପିଭିଟିଜି ସ୍ବୟଂ ସହାୟକ ଗୋଷ୍ଠୀ ପିଭିଟିଜି ସଶକ୍ତିକରଣ ପାଣ୍ଠି ପ୍ରଦାନ, ଅର୍ଥନୈତିକ ସ୍ତରରେ ଅତି ନିମ୍ନରେ ଥିବା ପିଭିଟିଜି ପରିବାରମାନଙ୍କୁ (ଭିନ୍ନକ୍ଷମ ,ଦାଦନ ଶ୍ରମିକ, ନିସହାୟ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ) ଗ୍ରୋସରୀ /ଜେରକ୍ସ /ସାଇକେଲ ମରାମତି /ସିଲେଇ ଦୋକାନ ଇତ୍ୟାଦି ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ,ନିସହାୟ ପରିବାରର ଜୀବନ ଜୀବିକାରେ ଦ୍ରୁତ ପରିବର୍ତନ ତଥା ନିକଟସ୍ଥ ଗ୍ରାମମାନଙ୍କର ମହିଳା/ପୁରୁଷ ମାନଙ୍କର ଶ୍ରମ ହ୍ରାସ ନିମନ୍ତେ କ୍ଷୁଦ୍ର ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ, କୃଷିଭିତ୍ତିକ କ୍ଲସ୍ଟର ସୃଷ୍ଟି କରାଯାଇ ପିଭିଟିଜି ପରିବାରଙ୍କୁ କୃଷି ତଥା ଉଦ୍ୟାନ କୃଷି ଉନ୍ନତି ନିମନ୍ତେ ସହାୟତା ତଥା ପ୍ରଶିକ୍ଷଣ ପ୍ରଦାନ, ଜଳସେଚନ ଭିତ୍ତିଭୂମି ସ୍ଥାପନ, ପାକଶାଳା ବଗିଚା ସହାୟତା ପ୍ରଦାନ,ଉତ୍ପାଦକ ଗୋଷ୍ଠୀ , ବନଧନ ବିକାଶ କେନ୍ଦ୍ର ଗଠନ, କୃଷି ସେବା ସହାୟତା କେନ୍ଦ୍ର ଗଠନ କରାଯାଇ କୃଷି ତଥା ଅଣ କାଷ୍ଠା ବନଜାତ ଦ୍ରବ୍ୟର ମୂଲ୍ୟ ଭିତ୍ତିକ ଏବଂ ବିପଣ ଯୋଗଯୋଗରେ ସହଯୋଗ , ପୋଷଣରେ ବ୍ୟାପକ ଉନ୍ନତି ଆଣିବା ନିମନ୍ତେ ପିଭିଟିଜି ଗର୍ଭବତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଏକ ଅଭିନବ ପ୍ରୟାସ ର ପଦକ୍ଷେପ ସ୍ବରୂପ ଓଡ଼ିଶା ପିଭିଟିଜି ପୋଷଣ ଉନ୍ନତିକରଣ କାର୍ଯକ୍ରମ (ଓପିନିପ) ଆରମ୍ଭ, ପିଭିଟିଜି ପରିବାରଙ୍କୁ କୁକୁଡ , ଛେଳି, ବତକ ପାଳନରେ ସହାୟତା , ପ୍ରତି ଗ୍ରାମରେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ରାସ୍ତା (ଘାଟି ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ ) ନିର୍ମାଣ କରାଯାଇ ଅଗମ୍ଯ /କଠିନ /ଦୁର୍ଗମ ରାସ୍ତାରେ ଯାତାୟତ ସୁବିଧା, ଶସ୍ୟ ଶୁଖା ପକ୍କା ଖଳା ନିର୍ମାଣ , ସମସ୍ତ ଗ୍ରାମରେ ବହୁବିଧ ଗୋଷ୍ଠୀ ଗୃହ /ଭଣ୍ଡାର ଗୃହ, ସୌର ଗ୍ରୀଡ ମାଧ୍ୟମରେ ଗୃହ ତଥା ରାସ୍ତା ଆଲୋକୀକରଣ କାମ ସଫଳତାର ସହ ସମ୍ପନ୍ନ କରାଯାଇଥିଲା ।
ଏତଦବ୍ୟତୀତ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭଳି ସ୍ଵନମଧାନ୍ୟ ଜାତୀୟ ପ୍ରତିଷ୍ଠାନ ଦ୍ବାରା ଦୁର୍ଗମ ଅଞ୍ଚଳରେ ଓପେଲିପ ଉଦ୍ୟମରେ ସେବା ଯୋଗାଇ ଦିଆଯାଇଥିଲା । ଇକ୍ରିସାଟ୍, ୟୁନିସଫେ ଭଳି ଆନ୍ତର୍ଜାତୀୟ ପ୍ରତିଷ୍ଠାନ ଏହି ଦୁର୍ଗମ ଅଞ୍ଚଳରେ ସେବା ଓପେଲିପ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବତନ୍ତ୍ର ସେବା ପ୍ରଦାନ କରିଥିଲେ। ଓପେଲିପ କର୍ମଚାରୀ ମାନଙ୍କର ନିରନ୍ତର ଉଦ୍ୟମରେ ଚଳିତ ଶତାବ୍ଦୀର ଭୟାନକ ମହାମାରୀ କୋଭିଡ ୧୯ ପିଭିଟିଜି ମାନଙ୍କର କୌଣସି କ୍ଷତି ପହଞ୍ଚାଇ ପାରିନଥିଲା । ଗୋଷ୍ଠୀର କେହି ଜଣେ ହେଲେ ମୃତ୍ୟୁ ମୁଖରେ ପଡ଼ିନଥିଲେ।
ଏହି ଗୋଷ୍ଠୀ କୈନ୍ଦ୍ରିକ ଉନ୍ନୟନ ନମୁନା ତଥା ଏକାଭିମୁଖୀକରଣ /ସଂଯୋଜନ ର ବଡ ସଫଳତାକୁ ଅନୁଧ୍ୟାନ କରିବା ନିମନ୍ତେ ତତ୍କାଳୀନ ନୀତି ଆୟୋଗର ମୁଖ୍ୟ ଜନଜାତି ମନ୍ତ୍ରାଳୟର ମୁଖ୍ୟ ତଥା ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ବୃନ୍ଦ ଓପେଲିପ ପ୍ରଣୟନ ହେଉଥିବା ଗ୍ରାମ ସମୂହ ପରିଦର୍ଶନ କରି ମୁଖ୍ୟ ଶାସନ ସଚିବ ମହୋଦୟଙ୍କୁ ଓଡ଼ିଶା ସରକାରଙ୍କ ଏପରି ଏକ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିବା ସହ ବିସ୍ତୃତ ଆଲୋଚନା କରି ଏହି କାର୍ଯକ୍ରମ ସମ୍ପର୍କରେ ବିଶଦ ଭାବରେ ପଚାରି ବୁଝିଥିଲେ । ଓପେଲିପ କିଭଳି ଭାବରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ମାନଙ୍କର ଉତ୍ତମ ସମନ୍ବୟ ରକ୍ଷା କରି ତ୍ଵରିତ ଉନ୍ନୟନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିପାରୁଛନ୍ତି ତାହାର ଅନୁଧ୍ୟାନ କରିଥିଲେ । ଓପେଲିପ କାର୍ଯକ୍ରମ ପରିଦର୍ଶନ ଜାତୀୟ, ଆନ୍ତର୍ଜାତୀୟ ସଂସ୍ଥା ସହ ଜଡ଼ିତ ବ୍ୟକ୍ତିବିଶେଷ ଠାରୁ ଆରମ୍ଭ କରି ଉଚ୍ଚ ସ୍ତରୀୟ ଜନପ୍ରତିନିଧି , ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।
ଓପେଲିପର ସଫଳତାକୁ ଦୋହରାଇବା ପାଇଁ ତଥା ପିଭିଟିଜି ମାନଙ୍କର ବିକାଶର ଧାରା ନିରନ୍ତର ଜାରି ରଖିବା ନିମନ୍ତେ ବର୍ତମାନର ବିଜେପି ସରକାର ମଧ୍ୟ ପିଭିଟିଜି ସମାଜକୁ ସମ୍ମାନ ଜଣାଇ ଓପେଲିପ ୨ ପ୍ରଣୟନ ପାଇଁ ଏକ ବର୍ଷ ତଳେ ୦୭.୧୨. ୨୦୨୪ ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ ଯାହାକି ମିଳିତ ଜାତିସଂଘର ଏକ ସଂସ୍ଥା ଆଇଫଡ ସହାୟତାରେ ସମଗ୍ର ଓଡ଼ିଶାର ପିଭିଟିଜି ମାନଙ୍କର ଦ୍ରୁତ ଉନ୍ନତି ଓ ଅଗ୍ରଗତି ନିମନ୍ତେ ୨୪୨୨. ୧୩ କୋଟି ତାଙ୍କର ବ୍ୟୟ ଅଟକଳରେ କାର୍ଯ୍ୟକରିବାର ଲକ୍ଷ୍ୟ ରଖାଯାଇଅଛି । ୨୦୨୪-୨୫ ଆର୍ଥିକ ବର୍ଷ ରେ ଉଭୟ କାମଚଳା ବିଜେଡ଼ି ସରକାରର ବଜେଟ ଓ ବର୍ତମାନର ବିଜେପି ସରକାରର ବଜେଟ ରେ ପିଭିଟିଜି ଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ୯୦ କୋଟି ରଖିଥିବା ସତ୍ବେ ଟଂକାଟିଏ ମଧ୍ୟ ଖର୍ଚ୍ଚ କଲେନାହିଁ । ସେହପରି ୨୦୨୫-୨୬ ଆର୍ଥିକ ବର୍ଷ ରେ ସରକାରର ବଜେଟ ରେ ଓପେଲିପ ପାଇଁ ୨୦୦ କୋଟି ରଖାଯିବ ସତ୍ବେ ଟଂକାଟିଏ ମଧ୍ୟ ଖର୍ଚ୍ଚ କଲେନାହିଁ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ରେ ଓପେଲିପ-୨ ପାଇଁ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇ ନାହି।
ବିଭିନ୍ନ ସମୟରେ ପିଭିଟିଜି ସମାଜର ଜନସାଧାରଣ ଶାନ୍ତିପୂର୍ଣ ଶୋଭାଯାତ୍ରା , ଧାରଣା ପ୍ରଦର୍ଶନ କରି ସ୍ବର ଉତ୍ତୋଳନ କରିଛନ୍ତି ଏବଂ ମାନ୍ୟବର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ , ସର୍ବୋଚ୍ଚ ଲୋକ ପ୍ରତିନିଧି ଙ୍କ ମୁଖ୍ୟମନ୍ତ୍ରୀ ତଥା ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛଛନ୍ତି । ୩୧ ମାର୍ଚ୍ଚ ୨୦୨୪ ଓପେଲିପ ଶେଷ ହେବା ପରଠାରୁ ପିଭିଟିଜି ମାନଙ୍କ ନିମିତ୍ତ ୧ ଟଙ୍କା ମଧ୍ୟ ଖର୍ଚ୍ଚ କରାଗଲା ନାହି । ୦୭.୧୨.୨୦୨୪ ରେ କ୍ୟାବିନେଟ ନିଷ୍ପତ୍ତି କୁ ତଥାକଥିତ ବିଭାଗୀୟ ପ୍ରଶାସନିକ ଅଧିକାରୀ ସମ୍ମାନ ଦେଲେ ନାହି କିମ୍ବା କାର୍ଯ୍ୟକାରୀ କଲେ ନାହି । କେବଳ ପିଭିଟିଜି ମାନଙ୍କ ଉନ୍ନୟନ ନିମିତ୍ତ ଗଠନ ହୋଇଥିବା ୨୦ ଗୋଟି ଅଣୁ ପ୍ରକଳ୍ପ ସଂସ୍ଥା ର ଅଧିକାରୀ ବୃନ୍ଦ କୌଣସି ଉନ୍ନୟନ କାର୍ଯ୍ୟ କରି ନ ପାରି ବସି ରହିଛନ୍ତି । ସେମାନଙ୍କୁ ଅସୁବିଧା ଯେ କ୍ଷେତ୍ର କର୍ମଚାରୀ ନାହାନ୍ତି କି ବଜେଟ ରେ ପାଣ୍ଠି ଥିବା ସତ୍ବେ ତାଙ୍କ ପାଖରେ ଅର୍ଥ ନାହି ।
ସରକାରଙ୍କ ଦ୍ୱାରା ଘୋଷିତ ନୂତନ ୧୧୩୮ ପିଭିଟିଜି ଗ୍ରାମ ର ବିକାଶ ୨୦୨୦ ମସିହାଠାରୁ କେବଳ ଏକଦିବା ସ୍ୱପ୍ନ ହୋଇ ରହିଗଲା ଓପେଲିପ ୨ ପ୍ରଣୟନ ନ ହେବ କାରଣରୁ ।
କେନ୍ଦ୍ର ସରକାରଙ୍କ ପି ଏମ ଜନମନ ଯୋଜନା ସହ ଓପେଲିପ ୨ ପ୍ରଣୟନ ହୋଇଥିଲେ ଓଡ଼ିଶା ରାଜ୍ୟର ପିଭିଟିଜି ମାନଙ୍କର ପ୍ରଭୂତ ସଫଳତା ସହ ଦେଶରେ ଅନ୍ୟ ରାଜ୍ୟ ପାଇଁ ଏକ ଉଦ୍ଧାହରଣ ସୃଷ୍ଟି କରିପାରିଥାନ୍ତା । ସୁଦୂର ବଣ ପାହାଡ ଦୁର୍ଗମ ଅଞ୍ଚଳର ନିରଳସ ନିଷ୍କପଟ ନିରୀହ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ(ପିଭିଟିଜି ) ମାନଙ୍କୁ ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି, ଅନୁସୁଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ମହତାକାଂକ୍ଷୀ କ୍ୟାବିନେଟ ନିଷ୍ପତ୍ତିକୁ ଯଥାରୀତି ସମ୍ମାନ ଜଣାଇ ତଥା ଏଭଳି ଏକ ସମ୍ବେଦନଶୀଳ ଜନଜାତିଙ୍କ ନିମିତ୍ତ ଓପେଲିପ-୨ ଯୋଜନା ତୁରନ୍ତ ପ୍ରଣୟନ ନିମନ୍ତେ ସରକାରଙ୍କ ନିର୍ଦେଶ ନିମନ୍ତେ ବିଭିନ୍ନ ମହଲରୁ ଦାବି ହୋଇ ଆସୁଅଛି I
