03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାରେ ୩ ବର୍ଗ ସହ ଦେଶରେ ୯୬ ପ୍ରଶିକ୍ଷଣ ବର୍ଗ ଖୁବଶୀଘ୍ର : ସଙ୍ଘ

1 min read

ଆରଏସଏସର ଶତାବ୍ଦୀ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଓଡିଶାରେ ୩୦ ଲକ୍ଷ ପରିବାର ସହିତ ସଂପର୍କ


ଭୁବନେଶ୍ୱର,//TATKAL ODISHA//

ବର୍ତ୍ତମାନ ଦେଶରେ ୮୮,୯୪୯ ଦୈନିକ ଶାଖା ଓ ୩୨,୬୦୬ ସାପ୍ତାହିକ ମିଳନ ଚାଲୁଅଛି । ତନ୍ମଧ୍ୟରୁ ଓଡିଶାରେ ୨୫୧୬ ସ୍ଥାନରେ ୩୦୪୧ ଦୈନିକ ଶାଖା ଏବଂ ୪୯୮ ସ୍ଥାନରେ ୫୮୦ ସାପ୍ତାହିକ ମିଳନ ଅନ୍ତର୍ଭୁକ୍ତ । ଦେଶରେ ୧୩,୭୧୪ ବସ୍ତିରେ ସେବାକାର୍ଯ୍ୟ ଚାଲୁଛି । ଓଡିଶାରେ ମଧ୍ୟ ୧୯୬ ବସ୍ତି ସେବାକାର୍ଯ୍ୟଯୁକ୍ତ. ତଥା ୧୭୨ ବସ୍ତି ସମ୍ପର୍କଯୁକ୍ତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ଦେଶରେ ସଂଘର ୯୬ଟି ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେବ । ତନ୍ମଧ୍ୟରୁ ଓଡିଶାରେ ୩ଟି ବର୍ଗ ହେବାର ଯୋଜନା ରହିଛି ।

ଗତ ମାର୍ଚ୍ଚ ୧୩,୧୪,୧୫ ତିନଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ହରିୟାଣାର ସମାଲଖା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାପ୍ତ ସୂଚନା ଅନୁଯାୟୀ ସଂଘକୁ ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱୟଂସେବକମାନେ ଦେଶରେ ୩,୯୦,୦୦୦ ଗ୍ରାମ ତଥା ସହରାଞ୍ଚଳର ୩୧,୫୦୦ ବସତିକୁ ଯାଇ ପ୍ରତ୍ୟେକ ଗୃହର ସଦସ୍ୟମାନଙ୍କୁ ଭେଟିଥିଲେ । ଏହି ଗୃହ ସଂପର୍କ ଅଭିଯାନରେ ପ୍ରାୟ ୧୦ କୋଟି ପରିବାର ସହ ସଂପର୍କ କରାଯାଇଥିଲା । ସେହିପରି ଓଡିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱୟଂସେବକମାନେ ୩୧୬୪୫ ଗ୍ରାମ ତଥା ୭୪୨ ନଗରୀୟ ବସତିରେ ୩୦ ଲକ୍ଷ ପରିବାର ସହ ସଂପର୍କ କରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂସେବକମାନେ ସମାଜର ବନ୍ଧୁ ଭଗିନୀମାନଙ୍କୁ ବିଗତ ଏକ ଶହ ବର୍ଷ ଧରି ସମାଜ ଜୀବନରେ ସକ୍ରିୟ ଥିବା ସଂଘର ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇ ସେମାନଙ୍କୁ ଦେଶର ହିତ ପାଇଁ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।


ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଯେ, ଓଡିଶା ସମେତ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀ, ଯୁବା ସମ୍ମିଳନୀ ଓ ସାମାଜିକ ସଦ୍‌ଭାବ ବୈଠକମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ପଞ୍ଚ ପରିବର୍ତ୍ତନ, ଯଥା: ସାମାଜିକ ସମରସତା ବା ଭେଦଭାବର ସମାପ୍ତି, ପରିବାର ପ୍ରବୋଧନ ବା ‘ପରିବାର ଏକ ସଂସ୍କାରକେନ୍ଦ୍ର’ ଭାବର ବିକାଶ, ପର୍ଯ୍ୟାବରଣର ସୁରକ୍ଷା, ‘ସ୍ୱ’ ଜାଗରଣ ଅର୍ଥାତ ସମାଜର ଉନ୍ନତିରେ ବାଧକ ଉପନିବେଶବାଦ ମାନସିକତାରୁ ମୁକ୍ତି ଏବଂ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ଜନ ସଚେତନତା ନିର୍ମାଣ କରାଯାଇଥିଲା । ଓଡିଶାରେ ୧୩୯୮ ସ୍ଥାନରେ ହିନ୍ଦୁ ସମ୍ମିଳନୀ, ୭୩ ସ୍ଥାନରେ ଯୁବା ସମ୍ମିଳନୀ ଓ ୨୨୭ ସ୍ଥାନରେ ସାମାଜିକ ସଦ୍‌ଭାବ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆଗ୍ରହ ପରିଲକ୍ଷିତ ହୋଇଥିଲା ।


ଚଳିତ ବର୍ଷ ସଂଘର ଶତାବ୍ଦୀ ପୂର୍ତ୍ତି ଅବସରରେ ଉପରୋକ୍ତ କାର୍ଯ୍ୟକ୍ରମ ସହିତ ସଂଘ ଶାଖାର ବ୍ୟାପକ ଅଭିବୃଦ୍ଧି ପାଇଁ ଲକ୍ଷ ରଖାଯାଇଛି ।
ଗତ ବର୍ଷ ନବମ ଗୁରୁ ଶ୍ରୀ ତେଗବାହାଦୂରଙ୍କ ବଳିଦାନର ୩୫୦ତମ ବର୍ଷ ପାଳନ ଅବସରରେ ସ୍ୱୟଂସେବକମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଆଉରଙ୍ଗଜେବ ଦ୍ୱାରା କାଶ୍ମୀରରେ ବଳପୂର୍ବକ ଧର୍ମାନ୍ତରୀକରଣକୁ ବିରୋଧ କରିବାରୁ ଦିଲ୍ଲୀର ଶିଶ୍‌ଗଞ୍ଜ ଠାରେ କିପରି ଗୁରୁ ତେଗବାହାଦୂରଙ୍କୁ ମୋଗଲ ସୈନ୍ୟମାନେ ହତ୍ୟା କରିଥିଲେ ତାହା ସ୍ମରଣ କରାଇ ଦେଇଥିଲେ । ଏହିପରି ରାଷ୍ଟ୍ରଗୀତ ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକ ଉତ୍ସବ ସାରା ଦେଶ ତଥା ଓଡିଶାରେ ଉତ୍ସାହ ପୂର୍ବକ ପାଳନ କରାଯାଉଛି । ଆଗାମୀ ବର୍ଷ ସନ୍ଥ ରବିଦାସଙ୍କର ୬୫୦ତମ ଜନ୍ମଜୟନ୍ତୀବର୍ଷ ସାରା ଦେଶରେ ତଥା ଓଡିଶାରେ ମଧ୍ୟ ପାଳନ କରାଯିବ । ସନ୍ଥ ରବିଦାସ ଜାତିଭେଦର ଉର୍ଦ୍ଧ୍ୱକୁ ଉଠି ହିନ୍ଦୁ ଧର୍ମରେ ସମାନତାର ପ୍ରସାର ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ଏବଂ ମୀରାବାଇଙ୍କ ପାଇଁ ସେ ପ୍ରେରଣାର ସ୍ରୋତ ଥିଲେ । ଏ ସମ୍ବନ୍ଧରେ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସୱାଲେଙ୍କର ଏକ ବକ୍ତବ୍ୟ ମଧ୍ୟ ପ୍ରସାରିତ ହୋଇଛି ।
ଅଖିଳ ଭାରତୀୟ ପ୍ରତିନିଧି ସଭାରେ ସମଗ୍ର ଦେଶରୁ ୧୪୩୮ଜଣ ପ୍ରତିନିଧି ଯୋଗ ଦେଇଥିଲେ । ସେଥିରେ ଓଡିଶାର ପ୍ରତିନିଧିଙ୍କ ସଂଖ୍ୟା ଥିଲା ୪୬ । ସଂଘ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ୩୨ଟି ବିବିଧ କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ନିକଟ ଅତୀତରେ ଦେହାନ୍ତ ହୋଇଥିବା ଓଡିଶା ସମେତ ସମଗ୍ର ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପୂର୍ବ ପ୍ରାନ୍ତର ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା, ସହପ୍ରାନ୍ତ ପ୍ରଚାର ପ୍ରମୁଖ ମନିନ୍ଦ୍ର ସୁନ୍ଦର ଦାସ ଉପସ୍ଥିତ ଥିଲେ ।

Share

Leave a Reply