tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨:୫ ଶ୍ଳୋକ : ଗୁରୁନହତ୍ୱା ହି ମହାନୁଭାବାନ୍…

1 min read

ଗୁରୁନହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁଂ ଭୈକ୍ଷ୍ୟମପୀହ ଲୋକେ ।
ହତ୍ୱାର୍ଥକାମାଂସ୍ତୁ ଗୁରୁନିହୈବ ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ॥

ହେ କୃଷ୍ଣ ! ଏହି ମହାନ ଗୁରୁଜନମାନଙ୍କୁ ବଧ କରିବା ଅପେକ୍ଷା ଏହି ଲୋକରେ ଭିକ୍ଷା ମାଗି ଜୀବନ ଯାପନ କରିବା ଭଲ । କାରଣ ଗୁରୁଜନମାନଙ୍କୁ ହତ୍ୟା କରି ଯେଉଁ ସୁଖ ଓ ସମୃଦ୍ଧି ମିଳିବ, ତାହା ସବୁ ରକ୍ତରେ ରଂଜିତ ହେବ ।


ଏହି ଶ୍ଳୋକରେ ଅର୍ଜୁନ ସେ ଯୁଦ୍ଧକ୍ଷେତ୍ରରେ ନିଜ ଗୁରୁ – ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ପୂଜ୍ୟ ବ୍ୟକ୍ତିମାନଙ୍କୁ ବିପକ୍ଷ ସେନାରେ ଦେଖି ଅତ୍ୟନ୍ତ ମନୋବେଦନାରେ ପଡ଼ିଯାଇଛନ୍ତି । ତାଙ୍କ ଦୃଷ୍ଟିରେ; ଗୁରୁହତ୍ୟା ଧର୍ମବିରୋଧୀ । ଏପରି ବିଜୟ ଓ ରାଜ୍ୟଲାଭ ମଧ୍ୟ ନୀତିହୀନ, ଯଦି ସେ ରକ୍ତରେ ରଙ୍ଗିତ । ଏପରି ସୁଖ ଭୋଗ କରିବା ତାଙ୍କ ଅନ୍ତଃକରଣରେ ଗ୍ରହଣୀୟ ନୁହେଁ । ଏହି କାରଣରୁ ଅର୍ଜୁନ କହୁଛନ୍ତି – ରାଜସିକ ସୁଖ ଭୋଗ କରିବା ଠାରୁ ଭିକ୍ଷା ମାଗି ଜୀବନ ଯାପନ କରିବା ଶ୍ରେଷ୍ଠ ।

ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଅର୍ଜୁନ ନୈତିକ ଦ୍ୱନ୍ଦ୍ୱ ଓ ଭାବନାତ୍ମକ ଅସ୍ଥିରତାରେ ଆକ୍ରାନ୍ତ । କର୍ତ୍ତବ୍ୟ (କ୍ଷତ୍ରିୟ ଧର୍ମ) ଓ ଭାବନା (ଗୁରୁପ୍ରେମ, କୃତଜ୍ଞତା); ଏହି ଦୁଇଟି ମଧ୍ୟରେ ସେ ଭାଙ୍ଗି ପଡ଼ିଛନ୍ତି ।
ଏହି ଶ୍ଳୋକ ଦ୍ୱାରା ଗୀତା ଆମକୁ ଏହି ପ୍ରଶ୍ନ ଉତ୍ଥାପନ କରେ – “ନୀତିହୀନ ସଫଳତା କଣ ସତରେ ସୁଖ ଦେଇପାରେ?” ଯେଉଁ ସମାଜ ନୀତିହୀନ ଉପାୟରେ ସଫଳତାକୁ ସ୍ୱୀକାର କରେ, ସେ ସମାଜ ଧୀରେ ଧୀରେ ଅନ୍ତଃକରଣରୁ ଧ୍ଵଂସ ହୋଇଯାଏ । ଅର୍ଜୁନଙ୍କ ଭାବନା ଆଜିର ସମାଜ ପାଇଁ ଏକ ପ୍ରଶ୍ନ – “ନୀତିକୁ ବଳି ଦେଇ ମିଳୁଥିବା ଉନ୍ନତି କଣ ସତରେ ଉନ୍ନତି?”
ରାଜନୈତିକ ଦୃଷ୍ଟିକୋଣରୁ ସତ୍ତା ପାଇଁ ହିଂସା, ଛଳନା, ବିଶ୍ୱାସଘାତ ଆଜି ସାଧାରଣ । ଅର୍ଜୁନ କହୁଛନ୍ତି – “ଏପରି ସତ୍ତା ଭୋଗ କରିବା ଠାରୁ ଭିକ୍ଷା ଶ୍ରେୟ।” ଏହା ଏକ ଆଦର୍ଶ ରାଜନୈତିକ ନୀତି । ରାଜ୍ୟ ଶାସନ ଯଦି ନୀତିହୀନ ରକ୍ତପାତ ଉପରେ ଭିତ୍ତି କରେ, ସେ ଶାସନ ଦୀର୍ଘକାଳୀନ ହୁଏନି ।


ଅତ୍ୟନ୍ତ ଉଚ୍ଚ ପ୍ରତୀତ ହେଉଥିବା, କିନ୍ତୁ ବାସ୍ତବରେ ଅର୍ଥଶୂନ୍ୟ ତର୍କ ଅର୍ଜୁନ ପୁନଃ ପୁନଃ ପ୍ରସ୍ତୁତ କରୁଛନ୍ତି । କାରଣ, ସ୍ୱୟଂକୁ ନ ବୁଝିପାରିବା ହେତୁ ସେ ନିଜର ଉପସ୍ଥିତ ସମସ୍ୟାଗୁଡ଼ିକୁ ମଧ୍ୟ ବୁଝିପାରୁନଥିଲେ । ଅର୍ଜୁନ ଭୁଲ୍ ନୁହେଁ, କିନ୍ତୁ ତାଙ୍କ ଦୃଷ୍ଟି ଅଧୂରା – ଯାହାକୁ ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଳୋକମାନଙ୍କରେ ପୂରଣ କରିଛନ୍ତି ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply