tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୬୪୫ କିମିର ଦୀର୍ଘ ୩ ରିଙ୍ଗ୍ ରୋଡ୍

1 min read

  • ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍
  • ସମଗ୍ର ଅଞ୍ଚଳର ସହରଗୁଡିକୁ ‘ଗ୍ରୋଥ୍ ହବ୍‌’ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,//TATKAL ODISHA//
କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍‌ରେ ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ। ଏଥିରେ କ୍ୟାପିଟାଲ ରିଙ୍ଗ୍ ରୋଡ୍ ଅଧିନରେ ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ୪୩୨ କିଲୋମିଟରର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ। ଏହାକୁ କେନ୍ଦ୍ର ସରକାରଙ୍କ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ (୧୧୧ କିଲୋମିଟର)ସହିତ ସମନ୍ୱିତ କରି ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ଏହା ସହିତ କଟକ ଜିଲ୍ଲା ଜାତମୁଣ୍ଡିଆ-ତ୍ରିଶୁଳିଆ-ଉରାଳି ଦେଇ ବାଲିପାଟଣା-ପିପିଲି-ଜଟଣୀ-ଖୋର୍ଦ୍ଧା ପର୍ଯ୍ୟନ୍ତ ୧୪୮ କିଲୋମିଟରର ଏକ ଆଉଟର ରିଙ୍ଗ୍ ରୋଡ୍ ଏବଂ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଠାରୁ ଚନ୍ଦକା-ପାହାଳ-ଧଉଳି ଦେଇ ୬୫ କିଲୋମିଟରର ଏକ ଇନ୍‌ର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବାର ଯୋଜନା ରହିଛି। ଏହିପରି ସମୁଦାୟ ୬୪୫ କିଲୋମିଟରର ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ।


ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ କାର୍ଯ୍ୟ ଆଉ ପାଦେ ଆଗେଇଛି।

  • ଇକୋନୋମିକ୍ ରିଜିଅନ୍‌ର ସମଗ୍ର ଅଞ୍ଚଳରେ ଥିବା ସହରଗୁଡିକୁ ‘ଗ୍ରୋଥ୍ ହବ୍‌’ ଭାବେ ବିକଶିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଜନାରେ ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ୩୨ କିଲୋମିଟର ରେଳପଥ ଏବଂ କୋଣାର୍କରୁ ଭୁବନେଶ୍ୱର ଭାୟା ନିମାପଡା ଦେଇ ୭୦ କିଲୋମିଟର ରେଳପଥ ନିର୍ମାଣ କରାଯିବାର ଯୋଜନା ରହିଛି। ତାହା ପାରାଦୀପକୁ ସଂଯୋଗ କରୁଛି। ତେଣୁ ଏହି ଇକୋନୋମିକ୍ ରିଜିଅନ୍ ଗଠନ ହେବା ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ। ଏହି ରିଜିଅନ୍ ମଧ୍ୟରେ କୃଷି ଓ ମତ୍ସ୍ୟ ଉଦ୍ୟୋଗ, ମାନୁଫାକ୍ଚରିଙ୍ଗ୍‌, ପରିବହନ, ବନ୍ଦର ଭିତ୍ତିକ ଶିଳ୍ପ, କେମିକାଲ୍‌ସ, ଟେକ୍ସଟାଇଲ୍‌ସ, ଆଇଟି ଭଳି ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠିବ। ଏସବୁ ଅଞ୍ଚଳ ଗୁଡିକରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ।


ବୈଠକରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ସହିତ ନିୟମିତ ଯୋଗାଯୋଗରେ ରହି ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୂଆ ନୀତି ଆଣିବା ସହିତ ଆବଶ୍ୟକ ସ୍ଥଳେ ପ୍ରଚଳିତ ନୀତିରେ ସଂଶୋଧନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଏ ସବୁ ଅଞ୍ଚଳ ଗୁଡିକରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୌର ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।(ଜିତେନ୍ଦ୍ର)

Share

Leave a Reply