tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ’କୁ ପାଇପ୍‌ ଜଳ ଯୋଗାଅ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

1 min read

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା 

ଭୁବନେଶ୍ୱର,//TATKAL ODISHA//

 ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

   ମଙ୍ଗଳବାର  ଲୋକସେବା ଭ‍ବନ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝୀ କହିଛନ୍ତି ଯେ, ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ । 

   ବର୍ତ୍ତମାନ ରାଜ୍ୟର ୪୬, ୫୩୧ ଟି ଗ୍ରାମ ମଧ୍ୟରୁ ୨୧, ୭୨୧ ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍‌ଧ ଅଛି । ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନିର୍ମାଣାଧୀନ ଅଛି । ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ  ଧାର୍ଯ୍ୟ କରିଛନ୍ତି । 

 ଓଡ଼ିଶାରେ ପାଇପ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ୫୪ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ତନ୍ମଧ୍ୟରୁ ଜଳ ଜୀବନ ମିଶନ୍‌ ଯୋଜନାରେ ୩୨, ୧୨୮ କୋଟି ଟଙ୍କାର ପ୍ରାବଧାନ ରହିଥିବା ବେଳେ ଅବଶିଷ୍ଟ ୨୧, ୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି ।  ୨୦୧୭ରୁ ୧୨ ଜୁନ ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି, ଜୁନ ୨୦୨୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୨୦ ମାସ ମଧ୍ୟରେ ରାଜ୍ୟରେ ୨, ୯୫୧ଟି ଏକକ ଗ୍ରାମ ପ୍ରକଳ୍ପ , ୨, ୭୦୨ଟି ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ, ଏବଂ ୨୬, ୧୩୭ଟି ନଳକୂପ ସ୍ଥାପିତ ହୋଇଛି ।

     ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ  ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର  ଡି.କେ. ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶାଶ୍ୱତ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ  ଗିରୀଶ ଏସ୍.ଏନ୍, ନିର୍ଦ୍ଦେଶକ ପାନୀୟ ଜଳ ଓ ପରିମଳ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply