ଶ୍ରୀମଦ୍ ଭଗବଦ୍ ଗୀତା ୧:୧୩ ଶ୍ଳୋକ : ତତଃ ଶଙ୍ଖାଶ୍ଚ ଭେର୍ୟଶ୍ଚ..
1 min read
ତତଃ ଶଙ୍ଖାଶ୍ଚ ଭେର୍ୟଶ୍ଚ ପଣବାନକଗୋମୁଖାଃ ।
ସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ॥
ତାହା ପରେ ଶଙ୍ଖ, ଭେରୀ, ତୁରୀ, ନାଗରା ଏବଂ ଶିଙ୍ଗା ଇତ୍ୟାଦି ବିଭିନ୍ନ ବାଦ୍ୟ ଏକାଥରରେ ବାଜିଉଠିଲା । ସେହି ସମୟର ଉତ୍ପନ୍ନ ହେଉଥିବା ଧ୍ୱନି ଅତ୍ୟନ୍ତ ଭୟଙ୍କର ଓ ଗୁଞ୍ଜନମୟ ହୋଇଉଠିଲା ।
ଏହି ଶ୍ଳୋକରେ କୌରବ ସେନାର ଯୁଦ୍ଧପ୍ରସ୍ତୁତିର ଦୃଶ୍ୟ ଅତ୍ୟନ୍ତ ନାଟକୀୟ ଓ ଶକ୍ତିଶାଳୀ ଭାବରେ ଉପସ୍ଥାପିତ । ବିଭିନ୍ନ ପ୍ରକାର ବାଦ୍ୟର ସାମୂହିକ ଧ୍ୱନି ଯୁଦ୍ଧର ଭୟ, ଉତ୍ସାହ ଓ ଆକ୍ରମଣାତ୍ମକ ମନୋଭାବକୁ ପ୍ରକାଶ କରେ । କିନ୍ତୁ, ଏଠାରେ “ସହସା” ଶବ୍ଦ ଦ୍ୱାରା କୌରବ ପକ୍ଷର ଅସ୍ଥିରତା ଓ ଅଧୈର୍ଯ୍ୟର ସୂଚନା ମିଳେ । କୌରବମାନେ ନିଜ ଶକ୍ତି ପ୍ରଦର୍ଶନରେ ଅଧିକ ମନୋଯୋଗୀ, କିନ୍ତୁ ଆତ୍ମବଳ ଓ ନୀତିଗତ ନିର୍ଣ୍ଣୟର ଅଭାବ ତାଙ୍କ ଭିତରେ ଭରିରହିଥିଲା । ଅତ୍ୟଧିକ ଶବ୍ଦ, ଆଡମ୍ବର ଓ ଶକ୍ତି ପ୍ରଦର୍ଶନ ପ୍ରାୟତଃ ମନର ଅସୁରକ୍ଷତା ଭାବନାକୁ ଢାଙ୍କିବା ପାଇଁ ବ୍ୟବହୃତ ହୁଏ । ଏହି ତୁମୁଳ ଶବ୍ଦ ଥିଲା ଭୟ, ଅସଂଯମତା ଓ ଅହଂକାରର ମିଶ୍ରିତ ଧ୍ୱନି ।
ମହାଭାରତ ଯୁଦ୍ଧ କେବଳ ଦୁଇଟି ସେନାର ମୁକାବିଲା ନୁହେଁ; ଏହା ଧର୍ମ ଓ ଅଧର୍ମ, ସତ୍ୟ ଓ ଅହଂକାର, ଶାନ୍ତି ଓ କୋଳାହଳର ଏକ ମହାସଂଘର୍ଷ । ଶ୍ରୀମଦ୍ଭଗବଦ୍ଗୀତାର ପ୍ରଥମ ଅଧ୍ୟାୟର ୧୩ତମ ଶ୍ଳୋକ ଏହି ସଂଘର୍ଷର ମନୋବୈଜ୍ଞାନିକ ଓ ଦାର୍ଶନିକ ପୃଷ୍ଠଭୂମିକୁ ଅତ୍ୟନ୍ତ ସୂକ୍ଷ୍ମ ଭାବେ ଉଦ୍ଘାଟନ କରେ । ଏହି ଶ୍ଳୋକରେ ଶଙ୍ଖ, ଭେରୀ, ତୁରୀ, ନାଗରା ଏବଂ ଶିଙ୍ଗା ପରି ବିଭିନ୍ନ ବାଦ୍ୟର ଏକାଥରେ ଧ୍ୱନିର ଉଲ୍ଲେଖ ମିଳେ । ବାହ୍ୟ ଭାବେ ଦେଖିଲେ ଏହା ଯୁଦ୍ଧ ଆରମ୍ଭର ସାଧାରଣ ଘଟଣା, କିନ୍ତୁ ଗୀତାର ଦୃଷ୍ଟିରେ ଏହି “ତୁମୁଳ ଶବ୍ଦ” ଗଭୀର ଅର୍ଥ ବହନ କରେ । ଏହା କୌରବ ପକ୍ଷର ମାନସିକ ଅସ୍ଥିରତା, ଭୟ ଓ ଅହଂକାରର ପ୍ରତୀକ । ଯେଉଁଠି ଧର୍ମ ଦୃଢ଼, ସେଠି ଅତିରିକ୍ତ ଶବ୍ଦର ଆବଶ୍ୟକତା ନଥାଏ ।
କିନ୍ତୁ କୌରବମାନେ ନିଜ ଅନ୍ୟାୟକୁ ଢାଙ୍କିବା ପାଇଁ ଶବ୍ଦ ଓ ଆଡମ୍ବରର ଆଶ୍ରୟ ନେଇଛନ୍ତି । “ସହସା” ଓ “ତୁମୁଳ” ଶବ୍ଦ ଏହି ଅଧୈର୍ଯ୍ୟ ଓ ଆତ୍ମସନ୍ଦେହକୁ ସୂଚିତ କରେ । ଏହା ଏକ ପ୍ରକାର ମାନସିକ ଚିତ୍କାର – ନିଜକୁ ଓ ଅନ୍ୟକୁ ଭୟଭୀତ କରିବାର ଚେଷ୍ଟା ।
ଆଧୁନିକ ସମାଜ ସହ ଏହି ଶ୍ଳୋକର ଗଭୀର ସମ୍ପର୍କ ରହିଛି । ଆଜି ଆମେ ଦେଖୁଛୁ ରାଜନୀତି, ସମାଜ କିମ୍ବା ପରିବାରରେ ଯେଉଁଠି ଶବ୍ଦ ବେଶି, ନାରା ବେଶି, ପ୍ରଚାର ବେଶି, ସେଠାରେ ପ୍ରାୟତଃ ସତ୍ୟ ଓ ନୀତି କମ୍ ଥାଏ । ଶକ୍ତି ପ୍ରଦର୍ଶନ ହୁଏ, କିନ୍ତୁ ଧର୍ମବୋଧ ଅନୁପସ୍ଥିତ ଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ଶ୍ଳୋକ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ – ବାହ୍ୟ କୋଳାହଳରୁ ମୁକ୍ତ ହୋଇ ଅନ୍ତର୍ନିହିତ ନିରବତାକୁ ଅନୁଭବ କରିବା । ଧ୍ୟାନ, ଜ୍ଞାନ ଓ ଧର୍ମ ସଦା ନିରବ; ଅହଂକାର ସଦା କୋଳାହଳପୂର୍ଣ୍ଣ ।
ଶ୍ରୀମଦ୍ଭଗବଦ୍ଗୀତାର ପ୍ରଥମ ଅଧ୍ୟାୟର ୧୩ତମ ଶ୍ଳୋକରେ ବର୍ଣ୍ଣିତ “ତୁମୁଳ ଶବ୍ଦ” କେବଳ ମହାଭାରତ ଯୁଦ୍ଧର ଧ୍ୱନି ନୁହେଁ; ଏହା ଆଜିର ଭାରତୀୟ ସମାଜର ଅନ୍ତର୍ନିହିତ କୋଳାହଳର ଏକ ସଜୀବ ପ୍ରତୀକ ।
ପ୍ରତ୍ୟେକ ପରିବାରରେ ଆଜି ପିଢ଼ି ପିଢ଼ି ମଧ୍ୟରେ ସଂଘର୍ଷ, ଅହଂକାରର କୋଳାହଳ, “ମୁଁ ଠିକ୍” ବୋଲି ପ୍ରତିସ୍ପର୍ଦ୍ଧା – ଏସବୁ ମିଶି ଘରକୁ ଯୁଦ୍ଧକ୍ଷେତ୍ର କରୁଛି । କୌରବ ସେନାର ତୁମୁଳ ଶବ୍ଦ ପରି, ପରିବାରରେ ଉଚ୍ଚ ସ୍ୱରରେ ଯୁକ୍ତି ଓ ଅଭିଯୋଗ ସମ୍ପର୍କକୁ ଦୁର୍ବଳ କରିଦେଉଛି ।
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
