03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଘାଟାରେ ଓପିଜିସି: ୩୪୫୨ କୋଟି ଟଙ୍କାର କ୍ଷତି

1 min read
  • ଆନନ୍ଦ ମହାପାତ୍ର
  • +++++++++

ପରିଚାଳନା ବିଭ୍ରାଟ ପାଇଁ କ୍ଷତି

ବାରମ୍ବାର ପ୍ଳାଣ୍ଟ ବନ୍ଦ ଯୋଗୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ:

ଟର୍ବାଇନ୍ ଜେନେରେଟ ପରମାୟୁ ସଙ୍କଟରେ:

ଗ୍ରୀଡ୍କୋ ଅଧିକ ମୂଲ୍ୟରେ ବିଦ୍ୟୁତ କିଣୁଛି, ଉପଭୋକ୍ତା ହତାସ:

  • ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିପାଇଁ ଇବ ତାପଜ ବିଦ୍ୟୁତକେନ୍ଦ୍ର ବାରମ୍ବାର ବନ୍ଦ ହେଉଛି। ଓଇଆରସି ପ୍ରକାଶ କରିଥିବା ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ (୨x୨୧୦) ପୁରୁଣା ଶକ୍ତିକେନ୍ଦ୍ରଟି ପୂର୍ବ ୫ ବର୍ଷରେ (୨୦୧୯-୨୦ ରୁ ୨୦୨୩-୨୪) ୮୦ ଥର ବନ୍ଦ ହୋଇଥିବା ବେଳେ ୨୦୨୪-୨୫ରେ ୧୮ ଥର ବନ୍ଦ ହୋଇଛି। ଚଳିତ ବର୍ଷର ପ୍ରଥମ ୬ ମାସରେ ପୁରୁଣା ଶକ୍ତିକେନ୍ଦ୍ର ୧୨ ଥର ବନ୍ଦ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୩୨୦ ମେଗାୱାଟ (୨x୬୬୦) ନୂତନ ଶକ୍ତିକେନ୍ଦ୍ର ୧୪ ଥର ବନ୍ଦ ହୋଇଛି। ଫଳରେ ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସରେ ୯୮୬୪ ନିୟୁତ ୟୁନିଟ ଉତ୍ପାଦନ କ୍ଷତି ହୋଇଛି। ସେଥିପାଇଁ ଓପିଜିସି ୩୪୫୨ କୋଟିଟଙ୍କା ରାଜସ୍ୱ ହରାଇଛି।

ଝାରସୁଗୁଡା ଜିଲ୍ଲାର ବନହରିପାଲରେ ଥିବା ଓପିଜିସିର ଇବ ତାପଜ ଶକ୍ତିକେନ୍ଦ୍ର ରାଜ୍ୟର ଏକ ତୃତୀୟାଂଶ ବିଦ୍ୟୁତ ଚାହିଦା ପୂରଣ କରୁଛି। ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଧାର୍ଯ୍ୟ କରିଥିବା ମାନଦଣ୍ଡ ଅନୁସାରେ ୪୨୦ ମେଗାୱାଟ କ୍ଷମତାର ପୁରୁଣା ଶକ୍ତିକେନ୍ଦ୍ରଟି ବର୍ଷକୁ ସ୍ଥାପିତ କ୍ଷମତାର ୮୩% ବିଦ୍ୟୁତ ଉତ୍ପାଦନ କରିବ। ସେହିପରି ୧୩୨୦ ମେଗାୱାଟ କ୍ଷମତାର ନୂତନ ଶକ୍ତିକେନ୍ଦ୍ରଟି ୮୫% ବିଦ୍ୟୁତ ଉତ୍ପାଦନ କରିବ। ଓଇଆରସି ଦ୍ଵାରା ଧାର୍ଯ୍ୟ ମାନଦଣ୍ଡରୁ ଯଦି କମ ବିଦ୍ୟୁତ ଉତ୍ପାଦନ ହୁଏ ତେବେ ଓପିଜିସିର ଉତ୍ପାଦନ କ୍ଷତି ହେବା ସହ ରାଜସ୍ୱ ହାନି ହେବ।

ଓପିଜିସି ପ୍ରକାଶ କରିଥିବା ତଥ୍ୟ ଅନୁସାରେ ପୁରୁଣା ଶକ୍ତିକେନ୍ଦ୍ରଟି ପୂର୍ବ ୫ ବର୍ଷରେ (୨୦୨୦-୨୧ ରୁ ୨୦୨୪-୨୫) ଯଥାକ୍ରମେ ୭୧%, ୮୦%, ୭୬%, ୬୮% ଓ ୭୪% ଉତ୍ପାଦନ କରିଛି। ସେଥିପାଇଁ ପୂର୍ବ ୫ ବର୍ଷରେ ଯଥାକ୍ରମେ ୧୨%, ୩%, ୭%, ୧୫% ଓ ୯% ଉତ୍ପାଦନ କ୍ଷତି କରିଛି। ସେହିପରି ଚଳିତ ବର୍ଷର ପ୍ରଥମ ୬ ମାସରେ ହାରାହାରି ୮୫% ବିଦ୍ୟୁତ ଉତ୍ପାଦନ କରି ୨% ଲାଭ କରିଛି। ତେଣୁ ପୁରୁଣା ଶକ୍ତିକେନ୍ଦ୍ରଟି ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସରେ ଧାର୍ଯ୍ୟ ମାନଦଣ୍ଡ ଠାରୁ ୧୬୭୧ ନିୟୁତ ୟୁନିଟ କମ ଉତ୍ପାଦନ କରି ୟୁନିଟ ପିଛା ୩ ଟଙ୍କା ୫୦ ପଇସା ହିସାବରେ ୫୮୫ କୋଟିଟଙ୍କା ରାଜସ୍ୱ କ୍ଷତି କରିଛି।

ଦ୍ଵିତୀୟ ପର୍ଯ୍ୟାୟ ନୂତନ ଶକ୍ତିକେନ୍ଦ୍ରଟି ପୂର୍ବ ୫ ବର୍ଷରେ ଯଥାକ୍ରମେ ୫୧%, ୬୩%, ୭୭%, ୮୦% ଓ ୮୭% ଉତ୍ପାଦନ କରିଛି। ସେଥିପାଇଁ ପୂର୍ବ ୫ ବର୍ଷରେ ଯଥାକ୍ରମେ ୩୪%, ୨୨%, ୮%, ୫% ଓ (-)୨% ଉତ୍ପାଦନ କ୍ଷତି କରିଛି। ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୭୬% ଉତ୍ପାଦନ କରି ୯% କ୍ଷତି କରିଛି। ତେଣୁ ୧୩୨୦ ମେଗାୱାଟ କ୍ଷମତାର ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ରଟି ଏପ୍ରିଲ, ୨୦୨୦ ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସରେ ୮୧୯୨ ନିୟୁତ ୟୁନିଟ ଉତ୍ପାଦନ କ୍ଷତି ସହି ୨୮୬୭ କୋଟିଟଙ୍କା ରାଜସ୍ୱ ହାନି କରିଛି। ଅତଏବ ଉଭୟ ପୁରୁଣା ଓ ନୂଆ ଶକ୍ତିକେନ୍ଦ୍ର ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସରେ ୯୮୬୪ ନିୟୁତ ୟୁନିଟ ଉତ୍ପାଦନ କ୍ଷତି ସହି ୩୪୫୨ କୋଟିଟଙ୍କା ରାଜସ୍ୱ ହରାଇଛି। ଓପିଜିସି ଭଳି ଏକ ଗୁରୁତ୍ଵପୂର୍ଣ ସରକାରୀ ଉଦ୍ୟୋଗ ଏତେ ବୃହତ ପରିମାଣର କ୍ଷତି କରୁଥିଲେବି ସାଧାରଣ ଉଦ୍ୟୋଗ ଓ ଶକ୍ତି ବିଭାଗ ଅଣଦେଖା କରି ଚୁପ ରହିବା ପରୋକ୍ଷରେ ବିଦ୍ୟୁତମୂଲ୍ୟ ବୃଦ୍ଧିକୁ ପ୍ରତ୍ସୋହନ କରିଛି।

ଇବ ଶକ୍ତିକେନ୍ଦ୍ରରେ ସମୁଦାୟ ୪ଟି ଟର୍ବାଇନ୍ ଜେନେରେଟର (ଟିଜି) କାର୍ଯ୍ୟକ୍ଷମ ଅଛି। ପ୍ରତେକଙ୍କର ପରମାୟୁ ୨୫ ବର୍ଷ। ପୁରୁଣା ଶକ୍ତିକେନ୍ଦ୍ର ଇତିମଧ୍ୟରେ ୨୫ ବର୍ଷ ପରମାୟୁ ପୂରଣ କରିଥିବାବେଳେ ନୂତନ ଶକ୍ତିକେନ୍ଦ୍ର ୬ ବର୍ଷ ପୂରଣ କରିଛି। ଶକ୍ତିକେନ୍ଦ୍ରରେ ସ୍ଥାପିତ ହୋଇଥିବା ଟିଜି-ଗୁଡିକ ବର୍ଷସାରା ଅନବରତ ବିଦ୍ୟୁତ ଉତ୍ପାଦନ କରିବାକୁ ସକ୍ଷମ। କିନ୍ତୁ ପ୍ଳାଣ୍ଟର ସୁରକ୍ଷା ଓ ସ୍ଥାୟିତ୍ଵ ପାଇଁ ପ୍ରତିବର୍ଷ ୧ ମାସ ପ୍ଳାଣ୍ଟ ବନ୍ଦକରି ସାଧାରଣ ମରାମତି କାର୍ଯ୍ୟ କରାଯାଉ ଥିବାବେଳେ ପ୍ରମୁଖ ମରାମତି କାର୍ଯ୍ୟପାଇଁ ପ୍ରତି ୪ ବର୍ଷରେ ୧ ମାସ ପାଇଁ ବନ୍ଦ କରାଯାଏ।

ସାରା ଭାରତରେ ଏହି ନିୟମ ରହିଛି। ମରାମତି ପାଇଁ ବାରମ୍ବାର ପ୍ଳାଣ୍ଟ ବନ୍ଦ କରିବା ଦ୍ଵାରା ଟିଜି ପରମାୟୁ ହ୍ରାସ ପାଉଛି। ସେଥିପାଇଁ ଶକ୍ତିକେନ୍ଦ୍ରର ସ୍ଥାୟିତ୍ଵ ଉପରେ ଆଶଙ୍କା ପ୍ରକାଶ କରିଛନ୍ତି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର। ଓପିଜିସି କର୍ତ୍ତୁପକ୍ଷ ବାରମ୍ବାର ପ୍ଳାଣ୍ଟ ବନ୍ଦ କରିବା ଦ୍ଵାରା ବର୍ଷକୁ ହାରାହାରି ୮ ଥର ଟିଜି ବନ୍ଦ ହେଉଛି। ଏପରି ଘଟଣା ସାରା ଭାରତରେ ବିରଳ ହୋଇଥିଲେବି ଏହାର ସୁଧାର ପାଇଁ ଓପିଜିସି କର୍ତ୍ତୁପକ୍ଷ ବାରମ୍ବାର ଅବହେଳା ପଦର୍ଶନ କରିଆସୁଛନ୍ତି । ଶ୍ରୀ ମହାପାତ୍ର ଯୁକ୍ତି ବାଢି କହିଛନ୍ତିଯେ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଜାରି କରିଥିବା ନିର୍ଦ୍ଧେଶବଳି ଅନୁସାରେ ଶକ୍ତିକେନ୍ଦ୍ରକୁ ମରାମତି ପାଇଁ ବର୍ଷକୁ ମାତ୍ର ଥରେ ବନ୍ଦ କରାଯିବ କିନ୍ତୁ ଓପିଜିସିର ଅବହେଳା ପାଇଁ ମରାମତି ପାଇଁ ବର୍ଷକୁ ୮ ଥର ବନ୍ଧ ହେବା ଦ୍ଵାରା ଶକ୍ତିକେନ୍ଦ୍ରର ଟିଜି ଦୁର୍ବଳ ଆସ୍ତେ ଆସ୍ତେ ଦୁର୍ବଳ ହେଉଛି। ଫଳରେ ଦ୍ଵିତୀୟ ପର୍ଯ୍ୟାୟ ପ୍ଳାଣ୍ଟର ୨୫ ବର୍ଷ ପରମାୟୁ ପୂରଣ ଉପରେ ଆଶଙ୍କା ପ୍ରକାଶ ପାଇଛି। ପ୍ଳାଣ୍ଟ ବାରମ୍ବାର ବନ୍ଦ ହେବା ଦ୍ଵାରା ପ୍ରବଳ ମାତ୍ରାରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ସେଥିପାଇଁ ଓପିଜିସି ଗ୍ରୀଡ୍କୋକୁ ଶସ୍ତା ବିଦ୍ୟୁତ ଯୋଗାଣ କରିବାରେ ବିଫଳ ହେବା ସହିତ ପ୍ରବଳ ରାଜସ୍ୱ କ୍ଷତି ସହୁଛି।

ଗ୍ରୀଡ୍କୋକୁ ଓପିଜିସିର ଶସ୍ତା ବିଦ୍ୟୁତ ନମିଳିବାରୁ ରାଜ୍ୟର ବିଦ୍ୟୁତ ଚାହିଦା ପୂରଣ କରିବାପାଇଁ ଗ୍ରୀଡ୍କୋ ଅଧିକ ମୂଲ୍ୟ ପଇଠ କରି କେନ୍ଦ୍ରୀୟ ସଂସ୍ଥା ଏନଟିପିସି ଠାରୁ ବିଦ୍ୟୁତ କ୍ରୟ କରୁଛି। ଫଳରେ ବିଦ୍ୟୁତମୂଲ୍ୟ ବୃଦ୍ଧିଘଟି ବିତରଣ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କ ଠାରୁ ଅଦାୟ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ସମସ୍ତ ୪ଟି ୟୁନିଟ ପର୍ଯ୍ୟାୟକ୍ରମେ ଗତ ଏପ୍ରିଲରୁ ଚଳିତ ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରାୟ ୨୬ ଥର ବନ୍ଦହୋଇ ୧୦୦୦ ନିୟୁତ ୟୁନିଟ ଉତ୍ପାଦନ କରିପାରି ନାହି ଏବଂ ସେଥିପାଇଁ ଓପିଜିସିର ୩୫୦ କୋଟିଟଙ୍କା ରାଜସ୍ୱ କ୍ଷତି ହେଲାଣି।

ପ୍ଳାଣ୍ଟକୁ ଅନବରତ କାର୍ଯ୍ୟକ୍ଷମ କରିବାକୁ ଅଭିଜ୍ଞ ପରିଚାଳନା ଓ ଅପରେସନ ନିର୍ଦ୍ଦେଶକ ମଣ୍ଡଳୀ ଆବଶ୍ୟକ ଥିବାବେଳେ ସାଧାରଣ ଉଦ୍ୟୋଗ ଓ ଶକ୍ତି ବିଭାଗ ସ୍ଵଜନପୋଷଣ ନୀତିରେ ଅବସରପ୍ରାପ୍ତ ଅନଭିଜ୍ଞ ପାର୍ଥୀଙ୍କୁ ନିଯୁକ୍ତ ଦେଇଛନ୍ତି। ଫଳସ୍ଵରୂପ ଓପିଜିସି ଭୀଷଣ ସଙ୍କଟମୟ ପରିସ୍ଥିତି ଦେଇ ଗତି କରିବା ସହିତ ରାଜସ୍ୱ ହାନି ହେଉଛି ଓ ଉପଭୋକ୍ତା ଶୋଷଣ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ର ଦୁଖଃ ପ୍ରକାଶ କରିଛନ୍ତି।

  • ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର (ମୋବାଇଲ ନ ୮୮୯୫୪୧୮୧୬୯)
Share

Leave a Reply