03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେନ୍ଦୁଝରରେ ଖୋଲିବ ଏନ୍‌ଏସ୍‌ଡି ଶାଖା

1 min read

ଖର୍ଚ୍ଚ ବହନ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

  • ସଂସ୍କୃତି ସମାଜର ଆତ୍ମା, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ

ଭୁବନେଶ୍ୱର,//TATKAL ODISHA//
ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଶାଖା କେନ୍ଦୁଝରରେ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହାର ସମସ୍ତ ଆନୁସଙ୍ଗିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ। କାରଣ, କେନ୍ଦୁଝର ପ୍ରକୃତି, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଭୂମି। ଲୋକ ସଙ୍ଗୀତ ଏବଂ ନୃତ୍ୟଠାରୁ କାହାଣୀ କହିବା ଏବଂ ରୀତିନୀତି ପର୍ଯ୍ୟନ୍ତ, ଏହି ଜିଲ୍ଲା ଏକ ଗଭୀର ସାଂସ୍କୃତିକ ଐତିହ୍ୟ ବହନ କରେ। ଯେତେବେଳେ ଏନ୍‌ଏସ୍‌ଡ଼ି ଭଳି ଜାତୀୟ ପ୍ରତିଷ୍ଠାନ କେନ୍ଦୁଝର ଭଳି ଜିଲ୍ଲାକୁ ଆସନ୍ତି, ସେମାନେ ପାରମ୍ପରିକ ଏବଂ ଆଧୁନିକ କଳା ମଧ୍ୟରେ ସେତୁ ସ୍ଥାପନ କରିବାରେ ସାହାଯ୍ୟ କରନ୍ତି।


ମଙ୍ଗଳବାର ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହା କେବଳ ମନୋରଞ୍ଜନ କରେ ନାହିଁ ବରଂ ଶିକ୍ଷା ମଧ୍ୟ ଦିଏ। ଏହା ପ୍ରଶ୍ନ ପଚାରେ, ସଚେତନତା ବାଣ୍ଟେ ଆଉ ଦର୍ଶକଙ୍କୁ ଭାବ ସହିତ ସମାଜର ଭାବକୁ ଯୋଡ଼ିଥାଏ। ନାଟକ ମାଧ୍ୟମରେ, ଆମେ ସହାନୁଭୂତି, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଆତ୍ମ-ପ୍ରକାଶ ଶିଖୁ। କାରଣ, କଳା ଏବଂ ସଂସ୍କୃତି ଯେକୌଣସି ସମାଜର ଆତ୍ମା। ଏହା ଦ୍ୱାରା ଆମର ଚିନ୍ତାଧାରା, ଆମର ସଂଘର୍ଷ, ଆମର ଆଶା ଏବଂ ଆମର ସ୍ୱପ୍ନକୁ ପ୍ରତିଫଳିତ ହୋଇଥାଏ। ଜାତୀୟ ନାଟ୍ୟ ବିଦ୍ୟାଳୟ ଭାରତୀୟ ନାଟ୍ୟଶାଳାକୁ ଗଠନ କରିବାରେ ଏବଂ କଳାକାରମାନଙ୍କୁ ପିଢ଼ି ପରେ ପିଢି ଅଭିନୟ କଳା ସହିତ ଯୋଡି ରଖିବାରେ ଏକ ଐତିହାସିକ ଭୂମିକା ଗ୍ରହଣ କରିଛି।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଳାକୁ ଏବଂ କଳାକାରକୁ ଉଚିତ ସମ୍ମାନ ଦେଖାଇ ଆମ ସରକାର କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯୁବ ପ୍ରତିଭାକୁ ସମର୍ଥନ କରିବା, ପାରମ୍ପରିକ ରୂପ ସଂରକ୍ଷଣ କରିବା, ଏବଂ ସୃଜନଶୀଳ ପ୍ରକାଶନ ପାଇଁ ନୂତନ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ। ଆମେ ଚାହୁଁଛୁ ଯେ ଆମର ଯୁବପିଢ଼ି ବଡ଼ ସ୍ୱପ୍ନ ଦେଖୁ, କିନ୍ତୁ ସେମାନଙ୍କର ମୂଳ ସହିତ ଜଡ଼ିତ ରୁହନ୍ତୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସବୁବେଳେ କହି ଆସୁଛନ୍ତି, ‘ବିକାଶ ଭି, ବିରାଶତ ଭି’। ଆମ ସରକାର ଏହି ମାନତାରେ ଉଦବୁଦ୍ଧ ହୋଇ ବିକାଶ ଏବଂ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ପ୍ରଚାର ପ୍ରସାର କରିବା ପାଇଁ କାର୍ଯ୍ୟରତ। ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ଅନନ୍ୟ। ଏହାର ସୁରକ୍ଷା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଆମ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର କୋଣ ଅନୁକୋଣରେ ଭରିରହିଛି ଲୋକ ସଙ୍ଗୀତ, ଲୋକ କଳାର ମଧୁର ମୂର୍ଚ୍ଛନା। ଏଥି ସହିତ ଓଡ଼ିଶୀ ଏବଂ ଛଉ ପରି ଶାସ୍ତ୍ରୀୟ ନୃତ୍ୟରେ ଓଡ଼ିଶାର ଲୋକକଳା ସମୃଦ୍ଧ। ଆଦିବାସୀ ସଂସ୍କୃତି ଉତ୍କଳୀୟ ପରମ୍ପରା ସହିତ ଅଙ୍ଗାଙ୍ଗି ଭାବେ ଜଡିତ। ତେଣୁ ଜନଜାତିଙ୍କ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅନନ୍ୟ ଯାତ୍ରା ପରମ୍ପରା ରହିଛି। ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ଯାହା ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ଉପରେ ଆଧାରିତ ହୋଇଛି। ଆଉ ଏକ ଅତ୍ୟନ୍ତ ଲୋକପ୍ରିୟ ଗଣ ନାଟ୍ୟ ହେଉଛି ‘ଦଣ୍ଡ ନାଚ’ ଯାହାକୁ ଅନେକ ଜାଗାରେ ‘ଝାମୁ ଯାତ୍ରା’ ବି କୁହାଯାଇଥାଏ। ଏହି ଯାତ୍ରାରେ ଗ୍ରାମାଞ୍ଚଳ ଓ ଜନଜାତିଙ୍କ ଜୀବନଶୈଳୀ ଓ ପରମ୍ପରା ପ୍ରଦର୍ଶିତ ହୋଇଥାଏ। ଆମ ପଡୋଶୀ ଜିଲ୍ଲା ମୟୂରଭଞ୍ଜର ବିଶ୍ୱ ପ୍ରସିଦ୍ଧ ‘ଛଉ ନାଚ’ ଶାସ୍ତ୍ରୀୟ ଏବଂ ମାର୍ଶାଲ ଆର୍ଟ ଫର୍ମର ଏକ ସୁନ୍ଦର ସମାହାର। ତେଣୁ ଓଡିଶାର ଏହିସବୁ ସମ୍ଭ୍ରାନ୍ତ ନାଟ୍ୟ ପରମ୍ପରା ସହିତ ଲୋକକଳା ଓ ଲୋକ ପରମ୍ପରାକୁ ସୁରକ୍ଷିତ ରଖି ତାର ପ୍ରଚାର-ପ୍ରସାର କରିବା ପାଇଁ ଆମେ ବଦ୍ଧ ପରିକର ।


ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାଂସଦ ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଳ ସିଂହ, ଏନ୍‌ଏସଡ଼ିର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି, ସ୍ପୀରିଜାର ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି ପ୍ରମୁଖ ଉପସ୍ଥି ଥିଲେ।(ଜିତେନ୍ଦ୍ର)

Share

Leave a Reply