ନକରାତ୍ମକ ମନୋଭାବ ରଖି ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି ବିରୋଧୀ : ନୀତିନ ନବୀନ
1 min read
ସାରା ଦେଶରେ ବିଜେପି ପ୍ରତି ସକରାତ୍ମକ ଲହର
- ଦେଶର ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ
ଭୁବନେଶ୍ୱର,/TATKAL ODISHA// - ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ସରକାର ଚଲାଇବା ପାଇଁ ସମର୍ପଣ ଭାବ ଦରକାର। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତ୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ‘ରାଷ୍ଟ୍ର ସର୍ବୋପରି’ ମନୋଭାବ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି।୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏବେ ବିରୋଧୀ ଦଳଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତ୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି।
- ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏହା ପ୍ରକାଶ କରିଛନ୍ତି। ନୀତିନ କହିଛନ୍ତି ଯେ, ରାଷ୍ଟ୍ର ସମ୍ମୁଖରେ ଥିବା ଆହ୍ୱାନ ଓ ଏହାର ନିରାକରଣ ହେଉଛି ଆମ ସମସ୍ତଙ୍କ ମୂଳ କର୍ତ୍ତବ୍ୟ। ବିଶେଷ ଭାବେ ‘ଆତଙ୍କବାଦ, ଅନୁପ୍ରବେଶକାରୀ, ସୀମା ବିବାଦ, ତସ୍କରୀ’ ଭଳି ବାହ୍ୟଶତୃଙ୍କ ଆହ୍ୱାନକୁ ସଫଳତାର ସହ ମୁକାବିଲା ଜରୁରୀ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦେଶର ପଛୁଆ ଜିଲ୍ଲା ଭାବେ ପରିଗଣିତ ଅଂଚଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ବିକାଶର ମୁଖ୍ୟ ସ୍ରୋତର ସାମିଲ କରିବାକୁ ସଫଳ ପ୍ରୟାସ କରିଛନ୍ତି। ଏବେ ନକ୍ସଲବାଦ ସମାପ୍ତପ୍ରାୟ। ଆତଙ୍କବାଦ ଉପରେ ରୋକ୍ ଲଗାଯାଇପାରିଛି। ସେନାବାହିନୀକୁ ମୁକ୍ତ ହସ୍ତ ଦିଆଯାଇ ତାଙ୍କ ମନୋବଳକୁ ସୁଦୃଢ଼ କରାଯାଇଛି। ସେହିପରି ସାଂସ୍କୃତିକ ରାଷ୍ଟ୍ରବାଦ ସୁରକ୍ଷା ପ୍ରତି ବଡ଼ ବିପଦକୁ ସାମ୍ନା କରିବା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ। ଅନୁପ୍ରବେଶକାରୀ, ଧର୍ମଭିତିକ ମତାନ୍ତର, କ୍ଷେତ୍ରବାଦ୍, ସାଂସ୍କୃତିକ ଆକ୍ରମଣ କରାଯିବାର ବଡ ଚକ୍ରାନ୍ତକୁ ବିଫଳ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ। ସଂସ୍କୃତିକୁ ଆଧାର କରି ବିକାଶ ହେବା ଉଚିତ୍। ଦେଶର ଉଭୟ ଆନ୍ତରୀଣ ଓ ବାହ୍ୟ ସୁରକ୍ଷା ସହ କୌଣସି ସାଲିସ କରାଯିବନାହିଁ। ପ୍ରଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଅଧ୍ୟୟନ ପ୍ରକ୍ରିୟା ଜାରି ରଖିବା। ଦଳ ଓ ସଂଗଠନକୁ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ନବୀନ କହିଛନ୍ତି।
- ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେପି ହେଉଛି କାର୍ଯ୍ୟକର୍ତା ଆଧାରିତ ଜାତୀୟତାବାଦୀ ଦଳ। ‘ଜ୍ଞାନ ହେଉଛି ଶକ୍ତି ଏବଂ ଅଭିଜ୍ଞତା ହେଉଛି ମୂଲ୍ୟବାନ’। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସକ୍ଷମ କରିବା ସହ ସଂଗଠନକୁ ମଧ୍ୟ ସଶକ୍ତ କରିବ। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରୀୟ ପ୍ରଶିକ୍ଷଣ ଟୋଲିର ସହସଂଯୋଜିକା ତଥା ସାଂସଦ କବିତା ପଟିଦାର, କ୍ଷେତ୍ରୀୟ ସଂଯୋଜକ ଅଧ୍ୟାପକ ଦିନେଶାନନ୍ଦ ଗୋସ୍ୱାମୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।(ଜିତେନ୍ଦ୍ର)
