ଶ୍ରୀମଦ୍ ଭଗବଦ୍ ଗୀତା ୨: ୪୩ ଶ୍ଳୋକ :କାମାତ୍ମାନଃ ସ୍ୱର୍ଗପରା..
1 min read
:
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ଯଗତିଂ ପ୍ରତି ॥
ଯେଉଁମାନେ କାମନାରେ ଆବଦ୍ଧ, ସ୍ୱର୍ଗକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବନ୍ତି, ସେମାନେ କର୍ମଫଳ ପ୍ରାପ୍ତ ନିମନ୍ତେ ଉଦ୍ଦିଷ୍ଟ ବହୁ ପ୍ରକାର କର୍ମକାଣ୍ଡ କ୍ରିୟା କରନ୍ତି । ସେମାନେ ଭୋଗ ଓ ଐଶ୍ୱର୍ଯ୍ୟର ପ୍ରାପ୍ତିକୁ ହିଁ ଜୀବନର ଲକ୍ଷ୍ୟ ରୂପେ ମାନିଥାନ୍ତି ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ବେଦର କର୍ମକାଣ୍ଡମୂଖୀ ବ୍ୟାଖ୍ୟାକୁ ସମାଲୋଚନା କରୁଛନ୍ତି । କିଛି ଲୋକ ବୈଦିକ ଯାଗଯଜ୍ଞ, ବ୍ରତ–ନିୟମ ଇତ୍ୟାଦିକୁ କେବଳ ସ୍ୱର୍ଗଲାଭ, ଭୋଗ, ସମୃଦ୍ଧି ପାଇଁ କରିଥାନ୍ତି । ଏହି ପ୍ରବୃତ୍ତିରେ – କାମନା (ଇଚ୍ଛା) ମୁଖ୍ୟ ହୁଏ, କର୍ମଫଳ ହିଁ ଲକ୍ଷ୍ୟ ହୁଏ, ଏବଂ ଆତ୍ମଜ୍ଞାନ ଓ ମୋକ୍ଷ ପଛକୁ ପଡ଼ିଯାଏ । ଶ୍ରୀକୃଷ୍ଣ କହୁଛନ୍ତି – ଏପରି କାମନାପ୍ରଧାନ କର୍ମ ମଣିଷକୁ ପୁନଃପୁନଃ ଜନ୍ମ–ମୃତ୍ୟୁର ଚକ୍ରରେ ବାନ୍ଧି ରଖେ । ଏହା ମୁକ୍ତିର ମାର୍ଗକୁ ନିଏନାହିଁ । ବେଦର ଅସଲ ଉଦ୍ଦେଶ୍ୟ କେବଳ ଭୋଗ କିମ୍ବା ସ୍ୱର୍ଗପ୍ରାପ୍ତି ନୁହେଁ, ଆତ୍ମବୋଧ । କାମନାଶୂନ୍ୟ କର୍ମ (ନିଷ୍କାମ କର୍ମ) ମଣିଷକୁ ଉଚ୍ଚ ଆଧ୍ୟାତ୍ମିକ ସ୍ତରକୁ ନେଇଯାଏ । ଭୋଗ ଓ ଐଶ୍ୱର୍ଯ୍ୟ ଅସ୍ଥାୟୀ; ଜ୍ଞାନ ଓ ବୈରାଗ୍ୟ ସ୍ଥାୟୀ ଶାନ୍ତି ଦିଏ ।
ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, କାମନାପ୍ରଧାନ କର୍ମ ସମାଜରେ ଏକ ପ୍ରତିଯୋଗିତାମୂଳକ ଓ ଭୋଗବାଦୀ ମନୋଭାବକୁ ଜନ୍ମ ଦିଏ । ଲୋକମାନେ କର୍ମର ନୀତିଗତ ମୂଲ୍ୟକୁ ଛାଡ଼ି ଦେଇ, କେବଳ ଫଳକୁ ମାନଦଣ୍ଡ କରନ୍ତି । ଏହାର ପରିଣାମ ସ୍ୱରୂପ ସମାଜରେ ଅନୀତି, ଅନ୍ୟାୟ ଓ ଆତ୍ମକେନ୍ଦ୍ରିକତା ବୃଦ୍ଧି ପାଏ । ଯେଉଁଠାରେ ସେବା, ସହଯୋଗ ଓ ଦାୟିତ୍ୱବୋଧ ମୁଖ୍ୟ ହେବା ଉଚିତ, ସେଠାରେ ଲାଭ, ପଦମର୍ଯ୍ୟାଦା ଓ ଆଡ଼ମ୍ବର ପ୍ରଧାନ ହୋଇଯାଏ । ଶ୍ରୀକୃଷ୍ଣଙ୍କର ଏହି ସତର୍କବାଣୀ ଆଜିର ଉପଭୋକ୍ତାବାଦୀ ସମାଜରେ ଅଧିକ ପ୍ରାସଙ୍ଗିକ ମନେହୁଏ ।
ପାରିବାରିକ ଜୀବନରେ ମଧ୍ୟ ଏହି ଶ୍ଳୋକର ସନ୍ଦେଶ ଗଭୀର । ଯେତେବେଳେ ପରିବାରର ଲକ୍ଷ୍ୟ କେବଳ ଧନ, ସୁବିଧା ଓ ସାମାଜିକ ପ୍ରତିଷ୍ଠାରେ ସୀମିତ ହୋଇଯାଏ, ସେତେବେଳେ ସମ୍ପର୍କର ଉଷ୍ମତା କ୍ଷୀଣ ହୁଏ । ମାତା–ପିତା ସନ୍ତାନଙ୍କୁ କେବଳ ସଫଳତାର ଯନ୍ତ୍ର ଭାବରେ ଦେଖନ୍ତି, ସନ୍ତାନମାନେ ମଧ୍ୟ ପାରିବାରିକ ମୂଲ୍ୟବୋଧ ଠାରୁ ଅଧିକ ବ୍ୟକ୍ତିଗତ ସୁଖକୁ ମୁଖ୍ୟ ରୂପେ ବିବେଚନା କରନ୍ତି । ଏହାର ପରିଣାମରେ ଆତ୍ମୀୟତା, ଶ୍ରଦ୍ଧା ଓ ତ୍ୟାଗର ସ୍ଥାନରେ, ସମ୍ପର୍କରେ ନେଣ- ଦେଣ ବା ହିସାବକିତାବ ଆସିଯାଏ । କିନ୍ତୁ ଯେତେବେଳେ କର୍ମ ଦାୟିତ୍ୱ, ପ୍ରେମ ଓ କର୍ତ୍ତବ୍ୟବୋଧରୁ ହୁଏ, ସେତେବେଳେ ପରିବାର ଏକ ଆଶ୍ରୟସ୍ଥଳୀରେ ପରିଣତ ହୁଏ । ନିଷ୍କାମ କର୍ମର ଆଦର୍ଶ ମାତା–ପିତାଙ୍କୁ ସନ୍ତାନ ପ୍ରତି ନିରପେକ୍ଷ ସ୍ନେହ, ସନ୍ତାନଙ୍କୁ ପିତା–ମାତା ପ୍ରତି କୃତଜ୍ଞତା ଓ ସେବାର ପ୍ରେରଣା ଦିଏ ।
ଦାର୍ଶନିକ ଭାବରେ, ଏହି ଶ୍ଳୋକ ପୁରୁଷାର୍ଥ ସିଦ୍ଧାନ୍ତ ସହ ଗଭୀର ସମ୍ପର୍କ ରଖେ । ଭାରତୀୟ ଦର୍ଶନରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ- ଏହି ଚାରିଟି ପୁରୁଷାର୍ଥ ମଧ୍ୟରୁ କାମ ଓ ଅର୍ଥକୁ ଯେତେବେଳେ ମଣିଷ ନିଜର ଚୂଡ଼ାନ୍ତ ଲକ୍ଷ୍ୟ କରେ, ସେତେବେଳେ ମଣିଷ ଆତ୍ମବିସ୍ମୃତ ହୋଇଯାଏ । ଗୀତା ୨:୪୩ ଏହି ଭ୍ରମକୁ ଉନ୍ମୋଚନ କରି, ମୋକ୍ଷକୁ ଏକମାତ୍ର ଶାଶ୍ୱତ ପୁରୁଷାର୍ଥ ଭାବରେ ସୂଚିତ କରେ । କର୍ମକୁ ଯଦି କେବଳ ଫଳର ମାପଦଣ୍ଡରେ ମୂଲ୍ୟାୟନ କରାଯାଏ, ତେବେ ନୀତିର ସ୍ଥାନ ଦୂର୍ବଳ ହୁଏ । ଗୀତା ଏଠାରେ କର୍ମର କର୍ତ୍ତବ୍ୟମୂଳକ ଧାରଣାକୁ ପ୍ରାଧାନ୍ୟ ଦେଇ, ମାନବ କର୍ମକୁ ନୀତିଗତ ଉଚ୍ଚତା ପ୍ରଦାନ କରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଉକ୍ତ ଶ୍ଳୋକ ମାନବ ଚେତନାର ଦୁଇଟି ସ୍ତରକୁ ଚିହ୍ନଟ କରେ – ପ୍ରଥମଟି ହେଉଛି କାମନା, ଭୋଗ ଓ କର୍ମଫଳରେ ଆବଦ୍ଧ ସ୍ତର; ଅନ୍ୟଟି ହେଉଛି ନିଷ୍କାମ କର୍ମ ଓ ଆତ୍ମଜ୍ଞାନର ମୁକ୍ତିମୁଖୀ ସ୍ତର ।
ପାଶ୍ଚାତ୍ୟ ଦର୍ଶନର ହେଡୋନିଜ୍ମ (Hedonism) ର ଏପିକ୍ୟୁରସ୍ ଓ ଆରିଷ୍ଟିପସ୍ ପରି ଦାର୍ଶନିକମାନେ ସୁଖ ଓ ଭୋଗକୁ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଦେଖନ୍ତି । ହେଡୋନିଜ୍ମ ଭୋଗକୁ ସକାରାତ୍ମକ ମୂଲ୍ୟ ଦେଉଥିବା ବେଳେ, ଗୀତା ଏହାକୁ ଆତ୍ମବନ୍ଧନର କାରଣ ଭାବେ ଦେଖେ । ଇମ୍ମାନୁଏଲ କାଣ୍ଟଙ୍କ ନୀତିଦର୍ଶନ ଗୀତା ସହ ଅଧିକ ଗଭୀର ସମ୍ପର୍କ ରଖେ । କାଣ୍ଟଙ୍କ ମତରେ – କର୍ମ ଫଳ ପାଇଁ ନୁହେଁ, କର୍ତ୍ତବ୍ୟବୋଧରୁ କରାଯିବା ଉଚିତ (“duty for duty’s sake”)। ଏହି ଧାରଣା ଗୀତାର ନିଷ୍କାମ କର୍ମ ସିଦ୍ଧାନ୍ତ ସହ ସାମଞ୍ଜସ୍ୟତା ରଖେ । ଗୀତା ୨:୪୩ ଯେପରି କାମନାପ୍ରଧାନ କର୍ମକୁ ଅପୂର୍ଣ୍ଣ କହେ, କାଣ୍ଟ ମଧ୍ୟ ଫଳାଶାପ୍ରେରିତ କର୍ମକୁ ନୀତିଗତ ଭାବେ ଅପରିପୂର୍ଣ୍ଣ ମନେ କରନ୍ତି । ତଥାପି, ଗୀତା କାଣ୍ଟଠାରୁ ଆଗକୁ ଯାଇ କର୍ମକୁ ମୋକ୍ଷ ସହ ସମ୍ପର୍କିତ କରେ। ଉପଯୋଗିତାବାଦ (Utilitarianism) ର ଦାର୍ଶନିକ ଜେରେମି ବେନ୍ଥାମ୍ ଓ ଜନ୍ ଷ୍ଟୁଆର୍ଟ ମିଲ୍ କର୍ମର ମୂଲ୍ୟକୁ – “ଅଧିକ ସୁଖ, ଅଧିକ ଲୋକଙ୍କ ପାଇଁ”- ରୂପେ ବିବେଚନା କରନ୍ତି । ଏହି ଦୃଷ୍ଟିକୋଣରେ ଫଳ ହିଁ ପ୍ରଧାନ। ଗୀତା ୨:୪୩ ଏହି ଫଳକେନ୍ଦ୍ରିକ ଚିନ୍ତାକୁ ଅପୂର୍ଣ୍ଣ କହି, କର୍ମର ଆନ୍ତରିକ ପବିତ୍ରତା ଓ ଚେତନାକୁ ମୂଳ ମାନେ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
