tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଐତିହ୍ୟ ଗ୍ରାମ ହେବ କବିବରଙ୍କ ଗ୍ରାମ

1 min read

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘୋଷଣା

ନିର୍ଜୀବ ଭିତରେ ଜୀବସତ୍ତାକୁ ଉଜ୍ଜୀବିତ କରିଛନ୍ତି କବିବର ରାଧାନାଥ ରାୟ


ଭୁବନେଶ୍ୱର //TATKAL ODISHA//

  • ରାଧାନାଥ ରାୟଙ୍କ ସାରସ୍ୱତ କୃତି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ନିର୍ଜୀବ ଭିତରେ ଜୀବସତ୍ତାକୁ ଉଜ୍ଜୀବିତ କରିଛନ୍ତି କବିବର। ଏଥିସହ ଯୁବ ସାହିତ୍ୟିକମାନଙ୍କୁ କବିବରଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ। କବିବରଙ୍କ ସାରସ୍ୱତ ସର୍ଜନାରେ ଉତ୍କଳୀୟତା ଓ ଭାରତୀୟତାର ଏକ ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୁଏ। ନିଜର କବିତାରେ କବିବର ଓଡ଼ିଆ ଅସ୍ମିତାକୁ ପ୍ରସ୍ଫୁଟିତ କରିଛନ୍ତି। ନିଃସ୍ୱକୁ ବିଶ୍ୱ ସହ ସଂଯୋଗ କରିବା ସହ ନିର୍ଜୀବ ମଧ୍ୟରେ ଜୀବସତ୍ତାର ସଞ୍ଚାର କରିଛନ୍ତି କବିବର। କବିବରଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସାହିତ୍ୟ କୃତି ଉତ୍ତରପିଢ଼ି ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ
  • ଗୀତଗୋବିନ୍ଦ ସଦନରେ କବିବର ରାଧାନାଥ ରାୟଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ଏକ ସାରସ୍ୱତ ସଭା ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କବିବରଙ୍କ ଜୀବନୀ ଓ କବିତା ସମୂହ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ କବିବରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯିବ। ସେ ନେଇ ସରକାର ସବୁ ପ୍ରକାର ଚେଷ୍ଟା କରିବେ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଶୃତି ଦେଇଛନ୍ତି।
  • କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନର ସଂପାଦକ ଶ୍ରୀ ଦେବ ନାରାୟଣ ସେଠୀ, ସଭାପତି ଶ୍ରୀ ଗୋପୀନାଥ ବାରିକ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ଼. ଅରବିନ୍ଦ ଗିରି ପ୍ରମୁଖ ଆଜିର ସଭାକାର୍ଯ୍ୟରେ କବିବରଙ୍କ ସ୍ମୃତିଚାରଣ କରିଥିଲେ।
  • ମୁଖ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ‘କାଲି ଓ ଆଜି ଖବରକାଗଜରେ ସାହିତ୍ୟ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବାଦ’ ଖବରକାଗଜର ପ୍ରତିଷ୍ଠାତା ତଥା ପୂର୍ବତନ ସଂପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ‘ପ୍ରମେୟ’ର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ‘ସୁବାର୍ତ୍ତା’ର ସଂପାଦକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ଼. ଆଦିକନ୍ଦ ସାହୁ, ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡ଼. ସଂଘମିତ୍ରା ମିଶ୍ର, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଶ୍ରୀ ରାଜୀବ କୁମାର ଷଡ଼ଙ୍ଗୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
    ଏହି ଅଵସରରେ କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରର ସାରସ୍ୱତ ସାଧକ ଓ ସାଧିକାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁଙ୍କୁ ‘କବିବର ରାଧାନାଥ ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ପ୍ରଫେସର ଡକ୍ଟର ଅଦ୍ୱୈତ କୁମାର ପାତ୍ରଙ୍କୁ ‘କବିବର ରାଧାନାଥ ଭାଷା ସୁରକ୍ଷା ସମ୍ମାନ’, ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କୁ ‘କବିବର ରାଧାନାଥ ଲେଖିକା ସମ୍ମାନ’, ଡକ୍ଟର ବିଜୟକେତନ ପଟ୍ଟନାୟକଙ୍କୁ ‘କବିବର ରାଧାନାଥ ପ୍ରକୃତି ମିତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ କବିବର ରାଧାନାଥ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଏକାଡେମୀର ଉପସଚିବ ସଞ୍ଜୟ କୁମାର ଛୁଆଳ ସିଂ ଧନ୍ୟବାଦ ଦେଇଥିଲେ।
Share

Leave a Reply