tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶିଳ୍ପପତିଙ୍କୁ ଛାଡ଼, ଉପଭୋକ୍ତାଙ୍କୁ ମାଡ଼

1 min read
  • ଆନନ୍ଦ ମହାପାତ୍ର
  • ++++++++++
  • ଶୀଳ୍ପପତିଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛି ଏସଏଲଡ଼ିସି:
  • ବର୍ଷକୁ ୧୭୨୮ କୋଟିଟଙ୍କା ରାଜସ୍ୱ ହରାଉଛି ରାଜ୍ୟ;
  • ଏକକୋଟି ବିଦ୍ୟୁତ ଉପଭୋକ୍ତା ଶୋଷିତ

ରାଜ୍ୟ ବିଦ୍ୟୁତଭାର ପ୍ରେରଣ କେନ୍ଦ୍ର (ଏସଏଲଡ଼ିସି) ଶିଲ୍ପପତି ମାନଙ୍କ ଦ୍ଵାରା ସ୍ଥାପିତ ୧୫ ହଜାର ମେଗାୱାଟ କ୍ଷମତାର ନିଜସ୍ଵ ତଥା ସ୍ଵାଧୀନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡିକୁ ଅହେତୁକ ଅନୁକମ୍ପା ପଦର୍ଶନ କରି ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ ବିଦ୍ୟୁତ ବିନା କରରେ ପ୍ରେରଣ କାର୍ଯ୍ୟ ଲୁଚାଛପାରେ ନିୟନ୍ତ୍ରଣ କରୁଛି। ଫଳରେ ରାଜ୍ୟଗ୍ରୀଡ ବାର୍ଷିକ ୧୭୨୮ କୋଟିଟଙ୍କା ରାଜସ୍ୱ ହରାଉଛି ଏବଂ ସେଥିପାଇଁ ଅନ୍ୟାୟ ଭାବେ ରାଜ୍ୟଗ୍ରୀଡର ସମସ୍ତ ଖର୍ଚ ଓଡିଶାର ଏକକୋଟି ଉପଭୋକ୍ତା ବହନ କରୁଛନ୍ତି।

ଏସଏଲଡ଼ିସି ରାଜ୍ୟ ବିଦ୍ୟୁତସେବାର ମସ୍ତିସ୍କ ଭଳି କାର୍ଯ୍ୟକରେ। ବିଦ୍ୟୁତ ଆଇନ, ୨୦୦୩ ଧାରା ୩୧ ଅନୁସାରେ ଏସଏଲଡ଼ିସି କାର୍ଯ୍ୟକୁ ସୁପରିଚାଳନା ପାଇଁ ଏକ ସ୍ଵତନ୍ତ୍ର ସରକାରୀ କମ୍ପାନୀ ଗଠନ କରିବାପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ଓଡିଶା ସରକାର ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ତେବେ ବିଦ୍ୟୁତମୂଲ୍ୟ ନିର୍ଧାରଣ ପାଇଁ ଓଇଆରସି ଆହ୍ଵାନ କରୁଥିବା ଜନଶୁଣାଣୀରେ ଆପତ୍ତିକର୍ତ୍ତାମାନେ ବାରମ୍ବାର ଅଭିଯୋଗ କରିବାପରେ ୫ ବର୍ଷତଳେ ଏସଏଲଡ଼ିସି ପରିଚାଳନା ପାଇଁ ରାଜ୍ୟସରକାର ଗୋଟିଏ ନିର୍ଦ୍ଦେଶକ ପଦ ମଞ୍ଜୁର କରି ଭଦ୍ରେଶ କୁମାର ବଛୁଭାଇ ମେହେଟାକୁ ନିଯୁକ୍ତି ଦେଇଥିଲେ। ଶ୍ରୀ ମେହେଟା ବର୍ତ୍ତମାନ ଓଡିଶା ବିଦ୍ୟୁତଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପାଇଁ ଗଠନ ହୋଇଥିବା ପରିଚାଳନା ମଣ୍ଡଳୀର ଆଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମେହେଟା ୬୩ ବର୍ଷରେ ଅବସର ନେବାପରେ ଶକ୍ତିବିଭାଗ ତାଙ୍କୁ ଆଉ ଦୁଇବର୍ଷ ପାଇଁ ପୁନଃନିଯୁକ୍ତ କରିଛନ୍ତି।

ବିଦ୍ୟୁତ ଆଇନ ଧାରା ୩୨ ଅନୁସାରେ ଏସଏଲଡ଼ିସିର ପ୍ରମୁଖ କାର୍ଯ୍ୟ ହେଉଛି, ଓପିଟିସିଏଲ ଅଧୀନରେ ଥିବା ଉଚ୍ଚ କ୍ଷମତା ସମ୍ପର୍ଣ ସମସ୍ତ ବିଦ୍ୟୁତଗ୍ରୀଡ୍ ଗୁଡିକମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହିତ ସେଗୁଡିକୁ ନିୟନ୍ତ୍ରଣ କରି ତାହାର ସର୍ବୋତ୍ତମ ବ୍ୟବହାର କରିବା। ଏପରି ଗୁରୁତ୍ୱପୂର୍ଣ କାର୍ଯ୍ୟକୁ ସମ୍ପାଦନ କରିବାପାଇଁ ରାଜ୍ୟଗ୍ରୀଡ୍ ସହିତ ସଂଯୋଗ ହୋଇଥିବା ସମସ୍ତ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଓ ଲାଇସେନ୍ସଧାରୀ ବିଦ୍ୟୁତ ଉପଭୋକ୍ତାମାନଙ୍କର ସବିଶେଷ ତଥ୍ୟ ପଞ୍ଜୀକରଣ କରି ସେମାନେ ପ୍ରତି ମିନିଟରେ ପ୍ରେରଣ ଓ ଗ୍ରହଣ କରୁଥିବା ସମସ୍ତ ବିଦ୍ୟୁତଶକ୍ତିର ଟିକିନିଖି ହିସାବ ରଖିବା। ଉକ୍ତ କାର୍ଯ୍ୟଗୁଡିକୁ ସମ୍ପାଦନ କରିବାପାଇଁ ଏସଏଲଡ଼ିସିର ଆବଶ୍ୟକ କରୁଥିବା ସମୁଦାୟ ବାର୍ଷିକ ଖର୍ଚକୁ ଭରଣା କରିବା ପାଇଁ ପଞ୍ଜୀକରଣ ହୋଇଥିବା ଉତ୍ପାଦନ କମ୍ପାନୀ ଓ ଲାଇସେନ୍ସଧାରୀ ଉପଭୋକ୍ତାମାନଙ୍କ ଉପରେ ନିର୍ଦ୍ଧିଷ୍ଟ କର ବସାଇ ରାଜସ୍ୱ ଅଦାୟ କରିବ ଏବଂ ସେଥିପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ (ଓଇଆରସି) ଅନୁମୋଦନ ନେବ। ଯେହେତୁ ରାଜ୍ୟଗ୍ରୀଡକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜୀକୃତ କମ୍ପାନୀମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ତେଣୁ ଏସଏଲଡ଼ିସି ସମ୍ପାଦନ କରୁଥିବା ସମସ୍ତ କାର୍ଯ୍ୟକୁ ନିଷ୍ପକ୍ଷ ଏବଂ ସ୍ୱଚ୍ଛଭାବେ ନିଜର ୱେବସାଇଟରେ ପ୍ରକାଶ କରିବା ପାଇଁ ନିୟମ ରହିଛି।

ତେବେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ବିସ୍ତୃତ ବିବରଣୀ ପ୍ରକାଶ କରି କହିଛନ୍ତିଯେ, ରାଜ୍ୟଗ୍ରୀଡ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୬୦ଟି ଉତ୍ପାଦନ କମ୍ପାନୀ ସଂଯୋଗ ହୋଇ ୨୫ ହଜାର ମେଗାୱାଟ କ୍ଷମତାର ବିଦ୍ୟୁତ ଉତ୍ପାଦନ ଶକ୍ତିକେନ୍ଦ୍ର ସ୍ଥାପନ କରିଛନ୍ତି ଯେଉଁଥିରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସଂସ୍ଥା ସହିତ ଶିଲ୍ପପତି ମାନଙ୍କର ସ୍ଵାଧୀନ ଓ ନିଜସ୍ଵ ବିଦ୍ୟୁତକେନ୍ଦ୍ର ରହିଛି। କେନ୍ଦ୍ରସରକାର ପ୍ରକାଶ କରିଥିବା ରିପୋର୍ଟରେ ଓଡିଶା ଗ୍ରୀଡରେ ବର୍ଷକୁ ୧ ଲକ୍ଷ ୨୦ ହଜାର ନିୟୁତ ୟୁନିଟ ବିଦ୍ୟୁତ ପ୍ରେରଣ ହେଉଥିବାବେଳେ ସେଥିରୁ ଓଡିଶା ପାଇଁ ସଂରକ୍ଷିତ ହୋଇଛି ୧୦ ହଜାର ମେଗାୱାଟ ଏବଂ ଏଥିରୁ ଉତ୍ପାଦିତ ହେଉଥିବା ୪୮୦୦୦ ନିୟୁତ ୟୁନିଟ ଯାହାକୁ ଓଡିଶାର ଏକକୋଟି ଉପଭୋକ୍ତା ବ୍ୟବହାର କରୁଛନ୍ତି। ତେବେ ବିଡମ୍ବନା ହେଉଛି ଏସଏଲଡ଼ିସି ଓ ଓପିଟିସିଏଲ ନିଜର ସମୁଦାୟ ବାର୍ଷିକ ଖର୍ଚ ଭରଣା କରିବା ପାଇଁ କେବଳ ଓଡିଶା ପାଇଁ ସଂରକ୍ଷିତ ଥିବା ୧୦ ହଜାର ମେଗାୱାଟ ବିଦ୍ୟୁତ ପ୍ରେରଣରୁ ଟାରିଫ ଅଦାୟ କରୁଥିବା ବେଳେ ଅବଶିଷ୍ଟ ୧୫ ହଜାର ମେଗାୱାଟ ବା ୭୨ ହଜାର ନିୟୁତ ୟୁନିଟ ବିଦ୍ୟୁତ ଉପରେ ଟାରିଫ ଆଦାୟ ନକରି ଲୁଚାଛପାରେ ପ୍ରେରଣ କରୁଛି। ଫଳରେ ଓଡିଶାର ଏକକୋଟି ଉପଭୋକ୍ତା ରାଜ୍ୟଗ୍ରୀଡର ସମସ୍ତ ବାର୍ଷିକ ଖର୍ଚ ଅନ୍ୟାୟ ଭାବେ ଭରଣା କରୁଛନ୍ତି। ଏସଏଲଡ଼ିସି ପ୍ରଦର୍ଶନ କରିଥିବା ଅହେତୁକ ଅନୁକମ୍ପା ଭିତରେ ଶିଲ୍ପପତିମାନେ ସ୍ଥାପନ କରିଥିବା ଉକ୍ତ ୧୫ ହଜାର ମେଗାୱାଟ କ୍ଷମତାର ନିଜସ୍ଵ ଓ ସ୍ଵାଧୀନ ବିଦ୍ୟୁତ ଅନ୍ତର୍ଭୁକ୍ତ। କେନ୍ଦ୍ରୀୟ ରିପୋର୍ଟ ଅନୁସାରେ ଉକ୍ତ ୧୫ ହଜାର ମେଗାୱାଟ ବିଦ୍ୟୁତକେନ୍ଦ୍ରରୁ ଲୁଚାଛପାରେ ବାର୍ଷିକ ୭୨ ହଜାର ନିୟୁତ ୟୁନିଟ ବିଦ୍ୟୁତ ରାଜ୍ୟଗ୍ରୀଡରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରେରଣ କରାଯାଉଛି। ତେଣୁ ଏସଏଲଡ଼ିସି ଓ ଓପିଟିସିଏଲ ଅପାରଗତା ତଥା ଦୁର୍ନୀତିଖୋର ମନୋବୃତି ପାଇଁ ୟୁନିଟ ପିଛା ୨୪ ପଇସା ହିସାବରେ ବାର୍ଷିକ ୧୭୨୮ କୋଟିଟଙ୍କା ରାଜସ୍ୱ ହରାଉଛି। ପ୍ରଚଳିତ ବିଧିବ୍ୟବସ୍ତା ଅନୁସାରେ ଏସଏଲଡ଼ିସି ଓ ଓପିଟିସିଏଲ ନିଷ୍ପକ୍ଷ ଏବଂ ସ୍ୱଚ୍ଛଭାବେ ଗ୍ରୀଡ ପରିଚାଳନା କରିବା ନିୟମ ଥିଲେବି ଏହାକୁ ସମ୍ପୂର୍ଣ ଅଣଦେଖା କରି ଉକ୍ତ ୧୫ ହଜାର ମେଗାୱାଟ ଶକ୍ତିକେନ୍ଦ୍ରର ତଥ୍ୟ ନିଜର ୱେବସାଇଟରେ ପ୍ରକାଶ ନକରିବା ଘଟଣା ଏଥିରେ ଲୁଚି ରହିଥିବା ଦୁର୍ନୀତିକୁ ସ୍ପଷ୍ଟ ଇଙ୍ଗିତ କରୁଛି ବୋଲି ଶ୍ରୀ ମହାପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟଗ୍ରୀଡର ପରିଚାଳନା ବିଶୃଙ୍ଖଳା ପାଇଁ ବିଦ୍ୟୁତ ଉପଭୋକ୍ତା ୟୁନିଟ ପିଛା ୨୪ ପଇସା ହାରରେ ଅନ୍ୟାୟ ଭାବେ ବିଦ୍ୟୁତବିଲ ପଇଠ କରୁଛନ୍ତି। ପ୍ରକାଶ ଥାଉକି, ଭାରତର ଅନ୍ୟ ରାଜ୍ୟ ଗୁଡ଼ିକରେ ଗ୍ରିଡ ସହିତ ସଂଯୋଗ ହୋଇଥିବା ସମସ୍ତ ଉତ୍ପାଦନ କମ୍ପାନୀ ଓ ଲାଇସେନ୍ସଧାରି ମାନେ ଟାରିଫ (କର) ପ୍ରଦାନ କରୁଛନ୍ତି।

ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର (ମୋବାଇଲ ନମ୍ବର: ୮୮୯୫୪୧୮୧୬୯)।

Share

Leave a Reply