tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୪୧ ଶ୍ଳୋକ :ଅଧର୍ମାଭିଭବାତ୍ କୃଷ୍ଣ…

1 min read

Oplus_16908288

ଅଧର୍ମାଭିଭବାତ୍ କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ ।
ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ ॥

ହେ କୃଷ୍ଣ ! ଯେତେବେଳେ ଧର୍ମ ନଷ୍ଟ ହୋଇଯାଏ ଏବଂ ପରିବାରରେ ଅଧର୍ମ ପ୍ରବଳ ହୋଇଉଠେ, ସେତେବେଳେ କୁଳର ସ୍ତ୍ରୀମାନେ ଦୂଷିତା (ଅସୁରକ୍ଷିତ/ବିକୃତ) ହୁଅନ୍ତି । ଏବଂ ସ୍ତ୍ରୀମାନେ ଦୁଷ୍ଟା ହେଲେ ବର୍ଣ୍ଣଶଙ୍କର (ସାମାଜିକ ଅବ୍ୟବସ୍ଥା) ଜନ୍ମ ନେଇଥାଏ ।


ଏହି ଶ୍ଳୋକରେ ଅର୍ଜୁନ ଯୁଦ୍ଧର ପରିଣାମକୁ ଚିନ୍ତାକରି ଭୟ କରୁଛନ୍ତି । ତାଙ୍କ ଦୃଷ୍ଟିରେ ଯୁଦ୍ଧ ଧର୍ମକୁ ଧ୍ଵଂସ କରିଦେବ; ଧର୍ମ ଧ୍ଵଂସ ହେଲେ ପାରିବାରିକ ଶୃଙ୍ଖଳା ଭାଙ୍ଗିଯିବ, ଯାହାର ସର୍ବପ୍ରଥମ ପ୍ରଭାବ ପଡିବ ପରିବାରର ସୁରକ୍ଷା ଓ ନାରୀମାନଙ୍କ ମର୍ଯ୍ୟାଦା ଉପରେ । ଏହାର ଫଳରେ ସାମାଜିକ ଅବ୍ୟବସ୍ଥା ତଥା ବର୍ଣ୍ଣଶଙ୍କର ସୃଷ୍ଟି ହେବ ।


ଏଠାରେ “କୁଳସ୍ତ୍ରୀ” କହିଲେ କେବଳ ବଂଶଗତ ପରିଚୟ ନୁହେଁ; ପରିବାର ଓ ସମାଜର ନୈତିକ ଆଧାରକୁ ଧାରଣ କରି ଏକ ଦାୟିତ୍ୱଶୀଳ ଭୂମିକା ଗ୍ରହଣ କରୁଥିବା ନାରୀ ଅଟେ । ଧର୍ମ (ନ୍ୟାୟ, ଦାୟିତ୍ୱ, ନୀତି) ଭାଙ୍ଗିଗଲେ ପାରିବାରିକ ସୁରକ୍ଷା ଓ ଶିଷ୍ଟାଚାର ଅସ୍ଥିର ହୋଇଯିବ ବୋଲି ଅର୍ଜୁନ ଆଶଙ୍କା କରୁଛନ୍ତି । “ଅଧର୍ମାଭିଭବାତ୍” – ଅର୍ଥାତ୍ ଧର୍ମର ଅବମାନନା ବା ଧ୍ଵଂସ ହେଲେ ସମାଜର ମୂଳ ଆଧାର ଭାଙ୍ଗିଯାଏ । ଅର୍ଜୁନଙ୍କ ଦୃଷ୍ଟିରେ ଯୁଦ୍ଧ ଫଳରେ ପରିବାରର ବୃଦ୍ଧ, ରକ୍ଷକ ଓ ନେତୃତ୍ୱ ନେଉଥିବା ପରିବାର ସଦସ୍ୟଙ୍କ ମୃତ୍ୟୁ ହେବ । ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ ପାରିବାରିକ ସୁରକ୍ଷା ଓ ନୀତିଶିକ୍ଷା ଉପରେ । କୁଳସ୍ତ୍ରୀମାନେ “ପ୍ରଦୁଷ୍ୟନ୍ତି”, ଅର୍ଥାତ୍ ସମାଜିକ ଅସୁରକ୍ଷା ଓ ଅନୀତି ଦ୍ୱାରା ପ୍ରଦ୍ୟୁଷିତ ହୋଇଯିବେ । ଏଠାରେ “କୁଳସ୍ତ୍ରୀ ପ୍ରଦୁଷ୍ୟନ୍ତି” ବୋଲି କୁହାଯାଇଥିବା କଥାକୁ ସାମାଜିକ ଅବନତିର ଲକ୍ଷଣ ଭାବେ ବୁଝିବା ଦରକାର । ଏହା ନାରୀଙ୍କ ଚରିତ୍ର ଉପରେ ଅଭିଯୋଗ ନୁହେଁ; ବରଂ ଧର୍ମହୀନ ସମାଜରେ ସୁରକ୍ଷା, ଶିକ୍ଷା ଓ ମର୍ଯ୍ୟାଦା ନଷ୍ଟ ହେବାର ଚିତ୍ରଣ । ଏହାର ଫଳରେ ସମାଜରେ ନୀତିହୀନତା, ହିଂସା ଓ ପରିଚୟ-ସଙ୍କଟ ବୃଦ୍ଧି ପାଏ – ଯାହାକୁ ଅର୍ଜୁନ “ବର୍ଣ୍ଣଶଙ୍କର” ବୋଲି ଅଭିହିତ କରିଛନ୍ତି ।


ଏଠାରେ “ସ୍ତ୍ରୀ ଦୁଷ୍ଟ ହେବା” ବୋଲି କୁହାଯାଇଥିବା କଥାକୁ ଆଧୁନିକ ଦୃଷ୍ଟିରେ ବୁଝିବା ଆବଶ୍ୟକ । ଏହା ନାରୀଙ୍କ ଉପରେ ଦୋଷାରୋପ ନୁହେଁ; ବରଂ ଏକ ପୁରୁଷପ୍ରଧାନ ସମାଜରେ ସୁରକ୍ଷା, ଶିକ୍ଷା ଓ ନ୍ୟାୟ ବ୍ୟବସ୍ଥା ଭାଙ୍ଗିଗଲେ ଯେପରି ନାରୀ ଅଧିକ ପ୍ରଭାବିତ ହୁଅନ୍ତି, ସେହି ସତ୍ୟର ଅଭିବ୍ୟକ୍ତି । ଅର୍ଜୁନ ଏହାକୁ ସମାଜର ଆଗାମୀ ଅବନତିର ଲକ୍ଷଣ ଭାବେ ଦେଖୁଛନ୍ତି । “ବର୍ଣ୍ଣଶଙ୍କର” ଧାରଣାକୁ ଅବୈଧ ସନ୍ତାନ ନୁହେଁ, ସାମାଜିକ ଅବ୍ୟବସ୍ଥାର ପ୍ରତୀକ ଭାବେ ବୁଝିବା ଉଚିତ । ଯେତେବେଳେ ପାରିବାରିକ ମୂଲ୍ୟ, ଶିକ୍ଷା, ନୀତି ଓ ଦାୟିତ୍ୱବୋଧ ନଷ୍ଟ ହୁଏ, ସମାଜରେ ପରିଚୟ-ସଙ୍କଟ, ନୀତିହୀନତା ଓ ହିଂସା ବୃଦ୍ଧି ପାଏ – ଏହି ଅବସ୍ଥାକୁ ଅର୍ଜୁନ “ବର୍ଣ୍ଣଶଙ୍କର” ଭାବେ ଉଲ୍ଲେଖ କରୁଛନ୍ତି । ଆଧୁନିକ ସମାଜରେ ମଧ୍ୟ ଏହି ଶ୍ଳୋକ ଗଭୀର ଭାବେ ପ୍ରଯୁଜ୍ୟ। ଯେତେବେଳେ ନ୍ୟାୟ, ନୀତି, ପାରିବାରିକ ସମ୍ମାନ ଓ ସାମାଜିକ ଦାୟିତ୍ୱକୁ ଅବହେଳା କରାଯାଏ, ସେତେବେଳେ ସମାଜର ସବୁଠାରୁ ଦୁର୍ବଳ ଶ୍ରେଣୀ – ନାରୀ ଓ ଶିଶୁ – ସର୍ବାଧିକ ପ୍ରଭାବିତ ହୁଅନ୍ତି । ଏହି ସତ୍ୟକୁ ଅର୍ଜୁନ ତାଙ୍କ ସମୟର ଭାଷାରେ ବ୍ୟକ୍ତ କରିଛନ୍ତି । ସମାଜର ମୂଳ ଆଧାର ହେଉଛି ଧର୍ମ – ଅର୍ଥାତ୍ ନୀତି, ନ୍ୟାୟ, ଶିଷ୍ଟାଚାର ଓ ଦାୟିତ୍ୱବୋଧ । ଅର୍ଜୁନଙ୍କ ମତରେ ଯୁଦ୍ଧ ଏହି ଧର୍ମକୁ ଧ୍ଵଂସ କରିଦେବ । ଯେତେବେଳେ ଧର୍ମ ଅବମାନିତ ହୁଏ, ସମାଜର ସୁରକ୍ଷାବଳୟ ଭାଙ୍ଗିଯାଏ । ତାହାର ପ୍ରଥମ ଆଘାତ ପଡ଼େ ପାରିବାରିକ ସମ୍ମାନ ଓ ନାରୀଙ୍କ ସୁରକ୍ଷା ଉପରେ ।


ରାଜନୀତିରେ ଯେତେବେଳେ ନ୍ୟାୟ ଓ ଧର୍ମକୁ ବଳି ଦିଆଯାଏ, ସେତେବେଳେ ସମାଜରେ ଅସ୍ଥିରତା ସୃଷ୍ଟି ହୁଏ । କୁରୁକ୍ଷେତ୍ର ଯୁଦ୍ଧ ହେଉଛି ଶକ୍ତି ଓ ସିଂହାସନ ପାଇଁ ସଂଘର୍ଷ । ଅର୍ଜୁନ ଏହାକୁ ରାଜନୈତିକ ଲୋଭର ଫଳ ବୋଲି ଦେଖୁଛନ୍ତି, ଯାହା ଧର୍ମକୁ ପଛକୁ ଠେଲି ଦେଉଛି । ଯୁଦ୍ଧ ମାଧ୍ୟମରେ ରାଜନୈତିକ ସମସ୍ୟାର ସମାଧାନ ହେଲେ, ରାଜ୍ୟ ଅସ୍ଥାୟୀ ଶାନ୍ତି ପାଇପାରେ, କିନ୍ତୁ ସମାଜ ଦୀର୍ଘକାଳୀନ ଭାବେ ଅସୁସ୍ଥ ହୁଏ । ଶାସକ ଓ ନେତୃତ୍ୱ ନଷ୍ଟ ହେଲେ ପ୍ରଶାସନିକ ଶୂନ୍ୟତା ସୃଷ୍ଟି ହୁଏ, ଯାହାର ପ୍ରଭାବ ସର୍ବପ୍ରଥମେ ସାଧାରଣ ପରିବାର ଉପରେ ପଡ଼େ। ଏହି କାରଣରୁ ଅର୍ଜୁନ ଭାବୁଛନ୍ତି ଯେ ଏପରି ରାଜନୈତିକ ହିଂସା ସମାଜକୁ “ବର୍ଣ୍ଣଶଙ୍କର” ଅବସ୍ଥାକୁ ନେଇଯିବ ।


ଅର୍ଜୁନ ଯୁଦ୍ଧକୁ କେବଳ ଏକ ତୁରନ୍ତ ସଂଘର୍ଷ ଭାବେ ନୁହେଁ, ଦୀର୍ଘକାଳୀନ ସାମାଜିକ ଓ ପାରିବାରିକ ବିନାଶର ମୂଳ କାରଣ ଭାବେ ଦେଖୁଛନ୍ତି । ଗୀତା ୧.୪୧ ହେଉଛି ଧର୍ମ ଅବକ୍ଷୟର ସାମାଜିକ ପରିଣାମ ସମ୍ପର୍କିତ ଏକ ଗଭୀର ଚିନ୍ତା । ଏହା ଅର୍ଜୁନଙ୍କ ମାନବୀୟ ଭୟ, କରୁଣା ଓ ଦାୟିତ୍ୱବୋଧକୁ ଦର୍ଶାଏ । କିନ୍ତୁ ଏହା ସହିତ ଏହି ପ୍ରଶ୍ନ ମଧ୍ୟ ମନକୁ ଆସେ – କେବଳ ପରମ୍ପରା ରକ୍ଷା ହିଁ କ’ଣ ଧର୍ମ ?
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply