ଶ୍ରୀମଦ୍ ଭଗବଦ୍ ଗୀତା ୨:୬୦ ଶ୍ଳୋକ :ୟତତୋ ହ୍ୟପି..
1 min read
ୟତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ॥
ହେ କୁନ୍ତୀପୁତ୍ର ଅର୍ଜୁନ ! ସଂଯମ ପାଇଁ ଚେଷ୍ଟାଶୀଳ ବୁଦ୍ଧିମାନ ମନୁଷ୍ୟଙ୍କର ମନକୁ ମଧ୍ୟ ଅତ୍ୟନ୍ତ ଚଞ୍ଚଳ ଇନ୍ଦ୍ରିୟଗୁଡ଼ିକ ବଳପୂର୍ବକ ଆକର୍ଷିତ କରିନିଅନ୍ତି ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ମନୁଷ୍ୟର ଆତ୍ମସଂଯମର ସବୁଠାରୁ ବଡ଼ ସମସ୍ୟା ବିଷୟରେ କହୁଛନ୍ତି । ମନୁଷ୍ୟ ଜ୍ଞାନୀ ହୋଇଥିଲେ ମଧ୍ୟ ଧ୍ୟାନ, ସାଧନା, ବିବେକ ରହିଥିଲେ ମଧ୍ୟ ଇନ୍ଦ୍ରିୟ (ଦୃଷ୍ଟି, ଶ୍ରବଣ, ରୁଚି, ସ୍ପର୍ଶ, ଘ୍ରାଣ) ମନକୁ ଆଚମ୍ବିତ ଭାବରେ ଅଶାନ୍ତ କରିପାରେ । ଏହି ଶ୍ଳୋକର ମୂଳ ଅର୍ଥ ହେଲା, ବୁଦ୍ଧିମାନ ଏବଂ ଆତ୍ମସଂଯମ ପାଇଁ ପ୍ରୟାସରତ ମନୁଷ୍ୟଙ୍କର ମଧ୍ୟ ଅତ୍ୟନ୍ତ ଚଞ୍ଚଳ ଇନ୍ଦ୍ରିୟଗୁଡ଼ିକ ମନକୁ ବଳପୂର୍ବକ ନିଜ ଦିଗରେ ଆକର୍ଷିତ କରିନେଇଥାଏ । ଏହି ଶ୍ଳୋକ ମାଧ୍ୟମରେ ଶ୍ରୀକୃଷ୍ଣ ଏହା ସ୍ପଷ୍ଟ କରୁଛନ୍ତି ଯେ କେବଳ ଜ୍ଞାନ ଲାଭ କରିବା ମାତ୍ରେ ମନୁଷ୍ୟ ସଂପୂର୍ଣ୍ଣ ହୋଇଯାଏ ନାହିଁ । ମନ ଓ ଇନ୍ଦ୍ରିୟର ସମ୍ପର୍କ ଅତ୍ୟନ୍ତ ସୂକ୍ଷ୍ମ । ଇନ୍ଦ୍ରିୟଗୁଡ଼ିକ ବାହ୍ୟ ବିଷୟବସ୍ତୁ ପ୍ରତି ଆକର୍ଷିତ ହୋଇ ମନକୁ ଅଶାନ୍ତ କରନ୍ତି । ଫଳସ୍ୱରୂପ, ମନୁଷ୍ୟ ଜାଣିଥିଲେ ମଧ୍ୟ ଭୁଲ୍ ପଥରେ ଚାଲିଯାଏ ।
ପରିବାର ମଧ୍ୟରେ କ୍ରୋଧ, ଲୋଭ, ଇର୍ଷ୍ୟା, ଅତିରିକ୍ତ ଆସକ୍ତି କିମ୍ବା ଭୋଗପ୍ରବୃତ୍ତି – ଏସବୁ ଇନ୍ଦ୍ରିୟଜନିତ ପ୍ରବୃତ୍ତି ଯଦି ନିୟନ୍ତ୍ରଣରେ ନ ରହେ, ତେବେ ପରିବାର ମଧ୍ୟରେ ପାରସ୍ପରିକ ସମ୍ପର୍କ ଦୁର୍ବଳ ହୋଇଯାଏ । ଆବେଗରେ କୁହାଯାଇଥିବା କଠୋର କଥା, ଅନିୟନ୍ତ୍ରିତ କ୍ରୋଧ କିମ୍ବା ବାହ୍ୟ ଆକର୍ଷଣ ପ୍ରତି ଅତ୍ୟଧିକ ଆସକ୍ତି ପାରିବାରିକ ବିଶ୍ୱାସକୁ କ୍ଷତିଗ୍ରସ୍ତ କରେ । ଗୀତା ଏଠାରେ ସତର୍କ କରେ ଯେ, ମନୁଷ୍ୟ ଯଦି ନିଜ ମନ ଓ ଇନ୍ଦ୍ରିୟକୁ ସଚେତନ ଭାବେ ନିୟନ୍ତ୍ରଣ କରେ, ତେବେ ଅନେକ ସମସ୍ୟା ପୂର୍ବରୁ ଏଡ଼ାଯାଇପାରେ । ପିତାମାତା ନିଜ ଇଚ୍ଛା, ଆଶା ଓ ଆବେଗକୁ ସଂଯମ ନକରି ସନ୍ତାନଙ୍କ ଉପରେ ଅନାବଶ୍ୟକ ଚାପ ସୃଷ୍ଟି କରନ୍ତି । ଏହାର ଫଳରେ ସନ୍ତାନ ମନୋବିକାର, ଭୟ ଓ ବିଦ୍ରୋହର ଶିକାର ହୁଏ । ଅନ୍ୟପଟେ, ସନ୍ତାନମାନେ ଯଦି ନିଜ ଇନ୍ଦ୍ରିୟ ଆକାଂକ୍ଷାକୁ ନିୟନ୍ତ୍ରଣ କରିବା ଶିଖନ୍ତି, ତେବେ ସେମାନେ ସଂସ୍କାର ଓ ସମ୍ମାନର ମୂଲ୍ୟ ବୁଝିପାରନ୍ତି । ଆଧୁନିକ ପାରିବାରିକ ପରିପ୍ରେକ୍ଷୀରେ ମୋବାଇଲ, ଟେଲିଭିଜନ୍ ଓ ସୋସିଆଲ୍ ମିଡ଼ିଆ ଇନ୍ଦ୍ରିୟକୁ ଅତ୍ୟଧିକ ଆକର୍ଷିତ କରୁଛି । ପରିବାର ସଦସ୍ୟ ଏକାସାଙ୍ଗରେ ଥାଇ ମଧ୍ୟ ମାନସିକ ଭାବେ ଦୂରେଇ ରହୁଛନ୍ତି ।
ସାମାଜିକ ସ୍ତରରେ ଇନ୍ଦ୍ରିୟ ଅସଂଯମ ଅନେକ ସମସ୍ୟାର ମୂଳ କାରଣ । ଅତ୍ୟଧିକ ଭୋଗବାଦ, ଲୋଭ ଓ ଆକାଂକ୍ଷା ସମାଜରେ ଅସମତା, ଦୁର୍ନୀତି ଓ ସଂଘର୍ଷକୁ ଜନ୍ମ ଦେଇଥାଏ । ଲୋକେ ନିଜ ଇଚ୍ଛା ପୂରଣ ପାଇଁ ସାମାଜିକ ନୀତି, ନ୍ୟାୟ ଓ ନୀତିମୂଲ୍ୟକୁ ଅଣଦେଖା କରିଦିଅନ୍ତି । ଆଧୁନିକ ସମାଜରେ ଇନ୍ଦ୍ରିୟ ଆକର୍ଷଣର ରୂପ ଆହୁରି ସୂକ୍ଷ୍ମ ଓ ଶକ୍ତିଶାଳୀ ହୋଇଉଠିଛି । ବିଜ୍ଞାପନ, ମିଡ଼ିଆ, ସୋସିଆଲ୍ ନେଟୱର୍କ ସବୁଠାରେ ଇନ୍ଦ୍ରିୟକୁ ଉତ୍ତେଜିତ କରିବା ପାଇଁ ମନୁଷ୍ୟକୁ ଆକର୍ଷିତ କରାଯାଉଛି । ଏହାର ପରିଣାମ ହେଉଛି ଉପଭୋକ୍ତାବାଦୀ ସମାଜ, ଯେଉଁଠାରେ ‘ଆବଶ୍ୟକତା’ ଠାରୁ ‘ଇଚ୍ଛା’ ଅଧିକ ପ୍ରାଧାନ୍ୟ ପାଉଛି ।

ସାମାଜିକ ସମ୍ପର୍କରେ ମଧ୍ୟ ଇନ୍ଦ୍ରିୟ ଅସଂଯମର ପ୍ରଭାବ ଦେଖାଯାଏ । କ୍ରୋଧ, ଇର୍ଷ୍ୟା, ଅହଂକାର ଓ ପ୍ରତିସ୍ପର୍ଧା ମନୁଷ୍ୟକୁ ହିଂସା ଓ ବିଦ୍ୱେଷର ପଥରେ ନେଇଯାଏ । ସମାଜରେ ଶାନ୍ତି ଓ ସହଅସ୍ତିତ୍ୱ ରକ୍ଷା ପାଇଁ ଇନ୍ଦ୍ରିୟ ସଂଯମ ଅତ୍ୟାବଶ୍ୟକ । ଯେତେବେଳେ ବ୍ୟକ୍ତି ନିଜ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରେ, ସେ ଅନ୍ୟମାନଙ୍କ ପ୍ରତି ସହିଷ୍ଣୁ ଓ ଦାୟିତ୍ୱଶୀଳ ହୁଏ ।
ଆଧୁନିକ ମନୋବିଜ୍ଞାନ ମଧ୍ୟ କହେ – ମନ ଇନ୍ଦ୍ରିୟ ଉତ୍ତେଜନା ଦ୍ୱାରା ଖୁବ ସହଜରେ ବିକ୍ଷୁବ୍ଧ ହୁଏ । ଇଚ୍ଛା, ଆସକ୍ତି ଓ ଆନନ୍ଦର ଅନୁଭୂତି ମନକୁ ମୁହୂର୍ତ୍ତକରେ ବିଚଳିତ କରିଦିଏ । ଆତ୍ମସଂଯମ ଏକ ନିରନ୍ତର ପ୍ରୟାସ । ଇଛା ଶକ୍ତି କ୍ଷୀଣ ହେଲେ, ମନ ଇନ୍ଦ୍ରିୟ ଅଧୀନକୁ ଚାଲିଯାଏ । ଇନ୍ଦ୍ରିୟ ଶତ୍ରୁ ନୁହେଁ, କିନ୍ତୁ ସେଗୁଡ଼ିକୁ ଯଦି ନିୟନ୍ତ୍ରଣ କରାଯାଏ ନାହିଁ, ତେବେ ସେମାନେ ମନୁଷ୍ୟକୁ ପତନ ପଥରେ ନେଇଯାଏ । ତେଣୁ ଅଭ୍ୟାସ, ବୈରାଗ୍ୟ ଓ ବିବେକ ଦ୍ୱାରା ମନକୁ ସ୍ଥିର କରିବା ହିଁ ଗୀତାର ମୂଳ ଉପଦେଶ । ମନୋବିଜ୍ଞାନ ଅନୁସାରେ ମନର ଦୁଇଟି ପ୍ରମୁଖ ସ୍ତର ଅଛି ସଚେତନ ଓ ଅବଚେତନ । ଇନ୍ଦ୍ରିୟ ମାଧ୍ୟମରେ ଆସୁଥିବା ଆକର୍ଷଣ ଅବଚେତନ ମନକୁ ସିଧାସଳଖ ପ୍ରଭାବିତ କରେ, ଯେଉଁଠାରେ ତର୍କ ଓ ବିବେକ ଡେରିରେ କାମ କରେ । ଏହିକାରଣରୁ ମନୁଷ୍ୟ ଅନେକ ସମୟରେ “ଜାଣିଥିଲେ ମଧ୍ୟ” ଭୁଲ୍ କାମ କରିଦିଏ । ସେହିପରି ଦୀର୍ଘ ସମୟ ଧରି ଆବେଗକୁ ଦମନ କଲେ ମନ କ୍ଳାନ୍ତ ହୁଏ, ତେବେ ଇନ୍ଦ୍ରିୟ ଆକାଂକ୍ଷା ଆହୁରି ପ୍ରବଳ ହୋଇଉଠେ । ଏହି ସତ୍ୟକୁ ଗୀତା “ପ୍ରମାଥୀନି ଇନ୍ଦ୍ରିୟାଣି” ବୋଲି ବ୍ୟକ୍ତ କରିଛି- ଅର୍ଥାତ୍ ଅତ୍ୟନ୍ତ ବିକ୍ଷୁବ୍ଧ କରୁଥିବା ଇନ୍ଦ୍ରିୟଗୁଡ଼ିକ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
