tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୪୧ ଶ୍ଳୋକ :ବ୍ୟବସାୟାତ୍ମିକା ବୁଦ୍ଧିରେକେହ…

1 min read

Oplus_16908288

ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ ॥

ହେ କୁରୁନନ୍ଦନ ଅର୍ଜୁନ ! ଯେଉଁମାନେ ନିଷ୍ଠାବାନ ଓ ଦୃଢ଼ ସଙ୍କଳ୍ପ କରନ୍ତି, ସେମାନଙ୍କ ବୁଦ୍ଧି ଏକ ଲକ୍ଷ୍ୟ ମୁଖୀ ହୁଏ । କିନ୍ତୁ ଯେଉଁମାନେ କର୍ମରେ ନିଷ୍ଠାବାନ ନୁହନ୍ତି, ଅସ୍ଥିର ଓ ଲୋଭ-ଭୟରେ ପ୍ରେରିତ, ସେମାନଙ୍କ ବୁଦ୍ଧି ଅନେକ ଦିଗରେ ଭ୍ରମିତ ହୁଏ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କର୍ମଯୋଗର ମୂଳ ମନୋଭାବକୁ ସ୍ପଷ୍ଟ କରୁଛନ୍ତି । “ବ୍ୟବସାୟାତ୍ମିକା ବୁଦ୍ଧି”ର ଅର୍ଥ – ଯେଉଁ ବୁଦ୍ଧି ଏକ ଉଚ୍ଚ ଲକ୍ଷ୍ୟ (ଧର୍ମ, କର୍ତ୍ତବ୍ୟ, ଆତ୍ମସାକ୍ଷାତକାର) ଉପରେ ଅତୁଟ ଭାବେ କେନ୍ଦ୍ରିତ । ଏପରି ବୁଦ୍ଧି ଫଳ ଆଶା, ଭୟ, ଲୋଭ କିମ୍ବା ଅନିଶ୍ଚତତାରେ ବିଚଳିତ ହୁଏନି । ଏହାର ବିପରୀତରେ “ଅବ୍ୟବସାୟିନାମ୍” – ଯେଉଁମାନେ ସ୍ପଷ୍ଟ ଲକ୍ଷ୍ୟ ଓ ନିଷ୍ଠା ବିନା କାର୍ଯ୍ୟ କରନ୍ତି, ସେମାନଙ୍କ ଚିନ୍ତା ଅନେକ ଶାଖା-ପ୍ରଶାଖାରେ ପ୍ରସାରିତ ହୁଏ । କେବେ ସୁଖ, କେବେ ଲାଭ, କେବେ ଭୟ ଏଭଳି ଅସ୍ଥିରତା ତାଙ୍କୁ ମୂଳ ଲକ୍ଷ୍ୟରୁ ଦୂରେଇ ନେଇଯାଏ । ଯେଉଁ ଲୋକମାନେ ଫଳପ୍ରାପ୍ତି ଜନିତ ଅସଂଖ୍ୟ ଇଛାରେ ପ୍ରେରିତ ହୋଇ କର୍ମ କରନ୍ତି, ସେମାନଙ୍କର ବ୍ୟକ୍ତିତ୍ୱ ସର୍ବଦା ବିକ୍ଷିପ୍ତ ରହେ । ଏହି କାରଣରୁ ଏକାଗ୍ର ଚିତ୍ତ ହୋଇ ସେମାନେ କୌଣସି କ୍ଷେତ୍ରରେ କାର୍ଯ୍ୟ କରିପାରନ୍ତି ନାହିଁ । ଯାହାଫଳରେ ପରିଣାମରେ ତାଙ୍କୁ ମିଳେ – ବିନାଶକାରୀ ଅସଫଳତା ।
ଆଜିର ଜୀବନରେ ମଧ୍ୟ ଏହି ଶ୍ଳୋକ ଶିଖାଏ – ସ୍ପଷ୍ଟ ଲକ୍ଷ୍ୟ, ନୀତିମୟ ମନୋଭାବ ଓ ଧୈର୍ଯ୍ୟ ସହ କାମ କଲେ ସଫଳତା ଓ ଶାନ୍ତି ଆସେ; ଅନେକ ଆକାଂକ୍ଷାରେ ଆକ୍ରାନ୍ତ ହେଲେ ମନ ଅସ୍ଥିର ହୁଏ । ସାଧାରଣତଃ ଲୋକମାନେ ଅସଂଖ୍ୟ ଇଛା ବା କାମନାକୁ ନେଇ ବଞ୍ଚନ୍ତି, ଯାହାକି ଅନେକ ସମୟରେ ପରସ୍ପର ବିରୋଧୀ ହୋଇଥାଏ । ତେଣୁ ସ୍ୱାଭାବିକ ରୂପେ ସେଗୁଡିକୁ ପୂର୍ଣ୍ଣ କରିବାରେ ମନର ଶକ୍ତିକୁ ହରାଇ ବ୍ୟକ୍ତି ଥକିଯାଏ । ଏହାକୁ ହିଁ ବୁଦ୍ଧିର ‘ସଂକଳ୍ପ- ବିକଳ୍ପ’ ଖେଳ କହନ୍ତି, ଯାହାକି ମନୁଷ୍ୟର ସଫଳତାର ସବୁ ଅବସାରଗୁଡିକୁ ଲୁଟି ନେଇଯାଏ ।
ସମାଜ ଏକ ସଂଘଟିତ ପ୍ରଣାଳୀ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟବୋଧ ସମଗ୍ର ବ୍ୟବସ୍ଥାକୁ ପ୍ରଭାବିତ କରେ । “ବ୍ୟବସାୟାତ୍ମିକା ବୁଦ୍ଧି” ଥିବା ବ୍ୟକ୍ତି ସମାଜରେ ନ୍ୟାୟ, ସତ୍ୟ ଓ ଦାୟିତ୍ୱକୁ ଆଧାର କରି କାର୍ଯ୍ୟ କରନ୍ତି । ଲୋକପ୍ରିୟତା, ଲାଭ କିମ୍ବା ତୁରନ୍ତ ସୁଖ ପାଇଁ ନୀତିକୁ ବିକ୍ରୟ କରି ଦିଅନ୍ତି ନାହିଁ । ଏହା ସାମାଜିକ ବିଶ୍ୱାସ ଓ ଶୃଙ୍ଖଳାକୁ ସୁଦୃଢ଼ କରେ । ଅପରପକ୍ଷରେ ବହୁ ଲକ୍ଷ୍ୟରେ ଆକ୍ରାନ୍ତ ବ୍ୟକ୍ତି – କେବେ ନୀତି, କେବେ ଅନୀତି – ଏଭଳି ଦୋଳାୟମାନ ଆଚରଣ କରି ସମାଜରେ ଅସ୍ଥିରତା, ଦୁର୍ନୀତି ଓ ଅନିଶ୍ଚିତତା ସୃଷ୍ଟି କରନ୍ତି ।
ପରିବାରରେ ମୁରବୀ ସମସ୍ୟାରେ ଧୈର୍ଯ୍ୟ ଓ ସଂଯମ ରକ୍ଷା କରିବା ଉଚିତ, ଯଦ୍ୱାରା ପରିବାରରେ ସ୍ଥିରତା ଓ ସୁରକ୍ଷାର ଭାବ ସୃଷ୍ଟି ହେବ । ତୁରନ୍ତ ଲାଭ, ଅହଂକାର କିମ୍ବା ବାହ୍ୟ ପ୍ରଲୋଭନରେ ପାରିବାରିକ ମୂଲ୍ୟବୋଧକୁ ପରିବାରର ମୁରବୀ ଭାଙ୍ଗି ଦେବା ଉଚିତ ନୁହେଁ । ଅନ୍ୟପଟେ, ଅସ୍ଥିର ବୁଦ୍ଧି ଥିବା ବ୍ୟକ୍ତି ନିଜ ସୁଖ ଓ ଲାଭକୁ ପ୍ରାଥମିକତା ଦିଏ, ଯଦ୍ୱାରା ସମ୍ପର୍କରେ ଅନିଶ୍ଚୟ ଓ ଅବିଶ୍ୱାସ ଜନ୍ମ ଦିଏ ଏବଂ ପରିବାରକୁ ମାନସିକ ଭାବେ ଦୁର୍ବଳ କରେ । ଫଳରେ ପରିବାର ଏକତା ଭଙ୍ଗ ହୁଏ ।
“ବ୍ୟବସାୟାତ୍ମିକା ବୁଦ୍ଧି”ର ଦାର୍ଶନିକ ଅର୍ଥ ହେଉଛି – ଏକତ୍ୱବୋଧ । ଏହା ଦ୍ୱୈତ ଭାବନା (ଲାଭ–ହାନି, ସୁଖ–ଦୁଃଖ)କୁ ଅତିକ୍ରମ କରି, କର୍ମକୁ ସତ୍ତାର ଅଭିବ୍ୟକ୍ତି ଭାବେ ଦେଖେ । ଏହି ବୁଦ୍ଧି ଅନୁଭବ କରେ – କର୍ମ ହେଉଛି ଅନିବାର୍ଯ୍ୟ, ଫଳ ହେଉଛି ଅନିଶ୍ଚିତ ଏବଂ କର୍ତ୍ତବ୍ୟ ନିଷ୍ଠା ହେଉଛି ସଫଳତା ତଥା ମୁକ୍ତିର ପଥ । ଶ୍ଳୋକର ଦ୍ୱିତୀୟ ଅର୍ଦ୍ଧରେ ଉଲ୍ଲେଖିତ “ବହୁଶାଖା ବୁଦ୍ଧି” ହେଉଛି ଅବିଦ୍ୟାର ଲକ୍ଷଣ । ଏଠାରେ ମନ ଅନେକ ଇଚ୍ଛାରେ ବିଭକ୍ତ । ସ୍ଥାୟୀ ସତ୍ୟକୁ ଛାଡ଼ି ଅସ୍ଥାୟୀକୁ ସତ୍ୟ ଭାବେ ଧରେ । ମୋକ୍ଷ ପରିବର୍ତ୍ତେ ଭୋଗକୁ ଲକ୍ଷ୍ୟ କରେ । ଉପନିଷଦୀୟ ଦୃଷ୍ଟିକୋଣରୁ ଏହା ମନର ବିକ୍ଷେପ ଅବସ୍ଥା, ଯାହା ସଂସାରବନ୍ଧନକୁ ଶକ୍ତିଶାଳୀ କରେ ।
ପାଶ୍ଚାତ୍ୟ ଅସ୍ତିତ୍ୱବାଦ ମନୁଷ୍ୟକୁ ସ୍ୱାଧୀନ ଓ କର୍ମ ପାଇଁ ଦାୟୀ କରେ । କିନ୍ତୁ ଗୀତା ଏକ ପଦକ୍ଷେପ ଆଗକୁ ଯାଇ କହେ – ସ୍ୱାଧୀନତାର ସର୍ବୋଚ୍ଚ ଅବସ୍ଥା ହେଉଛି ଆସକ୍ତିମୁକ୍ତ କର୍ମ । ଏଠାରେ ଅସ୍ତିତ୍ୱ ଅହଂକାରରେ ନୁହେଁ, ବରଂ ଆତ୍ମସ୍ୱରୂପରେ ପ୍ରତିଷ୍ଠିତ। ଗୀତାରେ “ବୁଦ୍ଧି” କେବଳ ତାର୍କିକ ବିବେଚନା ନୁହେଁ; ଏହା ହେଉଛି ବିବେକଶକ୍ତି, ଯାହା ନିତ୍ୟ ଓ ଅନିତ୍ୟ, ସତ୍ୟ ଓ ଅସତ୍ୟକୁ ପୃଥକ କରେ । ଶ୍ରୀକୃଷ୍ଣ “ବ୍ୟବସାୟାତ୍ମିକା ବୁଦ୍ଧି” କହି ଏହି ବିବେକର ଏକ ଉଚ୍ଚତମ ଅବସ୍ଥାକୁ ସୂଚିତ କରୁଛନ୍ତି – ଯେଉଁଠାରେ ମନୁଷ୍ୟ ଏକ ଶାଶ୍ୱତ ଲକ୍ଷ୍ୟକୁ କେନ୍ଦ୍ର କରି ସମସ୍ତ କର୍ମ କରେ ।
ଦାର୍ଶନିକ ଦୃଷ୍ଟିକୋଣରୁ “ବ୍ୟବସାୟାତ୍ମିକା ବୁଦ୍ଧି” ହେଉଛି ଏକତ୍ୱବୋଧର ପ୍ରତୀକ । ଏହି ବୁଦ୍ଧି ଦ୍ୱନ୍ଦ୍ୱ ସୁଖ–ଦୁଃଖ, ଲାଭ–ହାନି, ଜୟ ପରାଜୟକୁ ଅତିକ୍ରମ କରି କର୍ମକୁ କର୍ତ୍ତବ୍ୟ ଭାବେ ଗ୍ରହଣ କରେ । ଏଠାରେ ମନୁଷ୍ୟ ଫଳର ଆଶା ଛାଡ଼ି କର୍ମରେ ନିଷ୍ଠା ରଖେ । ଶ୍ଳୋକର ଦ୍ୱିତୀୟ ଅର୍ଦ୍ଧରେ ଉଲ୍ଲେଖିତ “ବହୁଶାଖା ବୁଦ୍ଧି” ଦାର୍ଶନିକ ଭାବେ ଅବିଦ୍ୟାର ପରିଣାମ । ଏଠାରେ ମନୁଷ୍ୟର ମନ ଅନେକ ଆକାଂକ୍ଷାରେ ବିଭକ୍ତ ହୋଇପଡ଼େ – ଭୋଗ, ଶକ୍ତି, ସମ୍ମାନ, ଭୟ । ଏହି ବିଭକ୍ତ ଚେତନା ମନୁଷ୍ୟକୁ ସତ୍ୟ ପଥରୁ ଦୂରେ ନେଇ ସଂସାରବନ୍ଧନକୁ ଦୃଢ଼ କରେ । ଦାର୍ଶନିକ ଭାଷାରେ କୁହାଗଲେ, ଏହା ମନର ବିକ୍ଷେପ ଅବସ୍ଥା, ଯେଉଁଠାରେ ଚେତନା କେନ୍ଦ୍ରହୀନ ହୋଇଯାଏ । କର୍ମ ଅନିବାର୍ଯ୍ୟ, କିନ୍ତୁ କର୍ମର ଦିଗ ନିର୍ଣ୍ଣୟ କରେ ବୁଦ୍ଧି । ଯଦି ବୁଦ୍ଧି ଏକମୁଖୀ ଓ ଶୁଦ୍ଧ, କର୍ମ ମୁକ୍ତିକୁ ନେଇଯାଏ; ଯଦି ବୁଦ୍ଧି ବହୁମୁଖୀ ଓ ଅସ୍ଥିର, ସେହି କର୍ମ ମଧ୍ୟ ବନ୍ଧନର କାରଣ ହୁଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply