tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୪୦ ଶ୍ଳୋକ : ନେହାଭିକ୍ରମନାଶୋଽସ୍ତି…

1 min read

ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।

ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ॥


ଏହି କର୍ମଯୋଗର ପ୍ରଚେଷ୍ଟାରେ କିଛି ନଷ୍ଟ ହୁଏନାହିଁ ବା କୌଣସି ହାନି ନାହିଁ । ଏହି ମାର୍ଗରେ ଅଳ୍ପକିଛି କର୍ମ କରିଥିଲେ ମଧ୍ୟ ମଣିଷ ଭୟଙ୍କର ଦୁଃଖ ଓ ଭୟରୁ ରକ୍ଷା ପାଇପାରେ ।

“ନେହାଭିକ୍ରମନାଶୋଽସ୍ତି” – ଏହି ପଂକ୍ତି ଦ୍ୱାରା ଶ୍ରୀକୃଷ୍ଣ କହୁଛନ୍ତି ଯେ, ଧର୍ମପଥରେ କରାଯାଇଥିବା କୌଣସି ପ୍ରୟାସ ବ୍ୟର୍ଥ ହୁଏନାହିଁ । ସାଂସାରିକ କାର୍ଯ୍ୟରେ ଯେପରି ବିଫଳତା, ଲାଭ-ହାନି ରହେ, କର୍ମଯୋଗରେ ସେପରି ନାଶ ନାହିଁ । ମଣିଷ ଯେତେ ଦୂର ଧର୍ମ ପଥରେ ଆଗେଇଯାଏ, ସେତେ ଦୂର ସେ ଆତ୍ମିକ ଉନ୍ନତି କରେ ।

“ପ୍ରତ୍ୟବାୟୋ ନ ବିଦ୍ୟତେ” – ଅର୍ଥାତ୍ କର୍ମଯୋଗରେ କୌଣସି ବାଧା ନାହିଁ । ଜୀବନର ଯେକୌଣସି ପରିସ୍ଥିତିରେ ମଣିଷ ନିଜ କର୍ତ୍ତବ୍ୟ କରିପାରେ । ଦୁଃଖ, ସୁଖ, ସଫଳତା କିମ୍ବା ବିଫଳତା – କିଛି ମଧ୍ୟ ଧର୍ମମୟ କର୍ମକୁ ରୋକିପାରେନାହିଁ । ବେଦର କର୍ମକାଣ୍ଡରେ ବର୍ଣ୍ଣିତ ଯଜ୍ଞାଦି ଅନୁଷ୍ଠାନକୁ କ୍ରମାନୁସାରେ ବିଧିପୂର୍ବକ ନକଲେ ଯଜ୍ଞର ଫଳ ମିଳେନାହିଁ । ଅଧିକାଂଶ ସମୟରେ ତାହା ମଧ୍ୟ ବିପରୀତ ଫଳ ଅର୍ଥାତ୍ ଅନିଷ୍ଟ କରାଏ । ଯଦି ବେଦ ପ୍ରତିପାଦିତ କର୍ମଗୁଡିକୁ ନ କରାଯାଏ, ତେବେ ତାହାକୁ ‘ପ୍ରତ୍ୟବାୟ ଦୋଷ’ କୁହାଯାଏ । ଯାହାର ଅନିଷ୍ଟ ଫଳ କର୍ତ୍ତା(ଜୀବ)କୁ ଭୋଗିବାକୁ ପଡେ । 
“ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ” – ଧର୍ମର ଛୋଟ ପ୍ରୟାସ ମଧ୍ୟ ବ୍ୟର୍ଥ ଯାଏନି । ଏକ ଛୋଟ ସତ୍କର୍ମ, ଏକ ସଠିକ୍ ନୀତିମୟ ନିଷ୍ପତ୍ତି, ଏକ ନିଷ୍କାମ ସେବା – ସବୁ ମଣିଷର ଚରିତ୍ରକୁ ଶୁଦ୍ଧ କରେ । “ତ୍ରାୟତେ ମହତୋ ଭୟାତ୍” –  ଧର୍ମମୟ କର୍ମ ମଣିଷକୁ ଜୀବନ ଓ ମୃତ୍ୟୁର ଭୟ, ଅନିଶ୍ଚିତତା, ଅନ୍ତର୍ନିହିତ ଅଶାନ୍ତିରୁ ମୁକ୍ତ କରେ । ଏହା କେବଳ ପରଲୋକୀୟ ଭୟ ନୁହେଁ, ବରଂ ଆଜିର ମାନସିକ ଭୟ, ଅପରାଧବୋଧ ଓ ଅର୍ଥହୀନତାରୁ ମଧ୍ୟ ରକ୍ଷା କରେ ।

ଆଧୁନିକ ମଣିଷ ଫଳକୁ ନେଇ ଅତ୍ୟଧିକ ଚିନ୍ତିତ । ଗୀତା ୨:୪୦ ଶିଖାଏ – ଫଳ ନୁହେଁ, କର୍ମ ମୁଖ୍ୟ । ସତ୍ତା, ନୀତି ଓ ଦାୟିତ୍ୱ ସହ କାମ କଲେ ଜୀବନ ନିଶ୍ଚିତ ଭାବେ ଅର୍ଥପୂର୍ଣ୍ଣ ହୁଏ । ନିଷ୍କାମ କର୍ମ ମଣିଷକୁ ଭୟରୁ ମୁକ୍ତ କରି ସ୍ୱାଧୀନ, ଶାନ୍ତ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପଥ ଦେଖାଏ ।

ସମାଜ ମଣିଷଙ୍କ ଛୋଟ-ଛୋଟ କର୍ମରେ ଗଢ଼ିଉଠେ । ଗୀତା ଆମକୁ ଶିଖାଏ – ସତ୍ୟ, ନ୍ୟାୟ ଓ ନୀତି ପାଳନରେ କରାଯାଇଥିବା କୌଣସି ପ୍ରୟାସ ବ୍ୟର୍ଥ ଯାଏନି । ଯଦି କେହି ସମାଜରେ ସତ୍ୟବାଦୀ ହେବାକୁ ଚେଷ୍ଟା କରେ, ଦୁର୍ନୀତିକୁ ଅସ୍ୱୀକାର କରେ, କିମ୍ବା ଦୁର୍ବଳଙ୍କ ସପକ୍ଷରେ ଛିଡା ରହେ – ତେବେ ସେହି ପ୍ରୟାସ ତୁରନ୍ତ ଫଳ ଦେଉ ନା ଦେଉ, ସମାଜର ନୀତିଗତ ଭିତ୍ତିକୁ ଶକ୍ତ କରେ । ଆଧୁନିକ ସମାଜ ଭୟରେ ଚାଲୁଛି – ଚାକିରି ହରାଇବାର ଭୟ, ମତ ପ୍ରକାଶ କରିବାର ଭୟ, ସତ୍ୟ କହିବାର ଭୟ । ଗୀତା କହେ – ଧର୍ମପଥରେ ଚାଲିଲେ ଏହି ଭୟ ଧୀରେ ଧୀରେ କ୍ଷୟ ପାଏ । ଏକ ସମାଜ ଯେଉଁଠି ଲୋକେ ନିଜ କର୍ତ୍ତବ୍ୟକୁ ଭୟ ବିନା କରନ୍ତି, ସେ ସମାଜ ଅଧିକ ସ୍ଥିର, ନ୍ୟାୟପୂର୍ଣ୍ଣ ଓ ମାନବିକ ହୁଏ ।

ପରିବାର ହେଉଛି ମଣିଷର ପ୍ରଥମ ସମାଜ । ଗୀତା ୨:୪୦ ଅନୁଯାୟୀ, ପରିବାରରେ କରାଯାଇଥିବା ସାମାନ୍ୟ ତ୍ୟାଗ, ସେବା ଓ ଦାୟିତ୍ୱ କେବେ ବି ବ୍ୟର୍ଥ ଯାଏନି । ମାତା–ପିତାଙ୍କ ଦେଖାଶୁଣା, ସନ୍ତାନଙ୍କ ଶିକ୍ଷା, ବୃଦ୍ଧଙ୍କ ପ୍ରତି ସମ୍ମାନ – ଏହି ସବୁ କର୍ମର ଫଳ ତୁରନ୍ତ ଦୃଶ୍ୟମାନ ନ ହୋଇପାରେ, କିନ୍ତୁ ଏହା ପରିବାରକୁ ଭାଙ୍ଗିଯିବାର ଭୟରୁ ରକ୍ଷା କରେ । ପାରିବାରିକ ସମ୍ପର୍କରେ ଅନେକ ସମୟ ହତାଶା ଆସେ – “ମୋ ଚେଷ୍ଟାର କିଛି ମୂଲ୍ୟ ନାହିଁ” ବୋଲି ଭାବନା ହୁଏ । ଗୀତା ଏହି ହତାଶାକୁ ଭାଙ୍ଗିଦିଏ । ଏହା କହେ – ସ୍ନେହ, କ୍ଷମା ଓ ଦାୟିତ୍ୱର ଛୋଟ ପ୍ରୟାସ ମଧ୍ୟ ପରିବାରକୁ ମହାଭୟ, ଯଥା ବିଚ୍ଛେଦ, ଅବିଶ୍ୱାସ ଓ ଅସ୍ଥିରତାରୁ ରକ୍ଷା କରେ ।

ସାଧାରଣ ସାଂସାରିକ କର୍ମରେ କାରଣ – ଫଳର ନିୟମ ଅନୁସାରେ କର୍ମ ନାଶଶୀଳ । କିନ୍ତୁ ନିଷ୍କାମ କର୍ମ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସଂଯୋଜନ କରୁଥିବା ଏକ ଆତ୍ମିକ ସଞ୍ଚୟ । ମୀମାଂସା ଦର୍ଶନରେ କର୍ମ କ୍ରିୟାର ଅପୂର୍ଣ୍ଣତାକୁ “ପ୍ରତ୍ୟବାୟ” ବୋଲି କୁହାଯାଏ । ଗୀତା ଏଠାରେ ଏକ ନୂତନ ମାର୍ଗ ପ୍ରଦାନ କରେ – ନିଷ୍କାମ କର୍ମରେ କୌଣସି ଅପୂର୍ଣ୍ଣତା ନାହିଁ, କାରଣ ଏହା ଫଳ ନୁହେଁ, ଚେତନାର ଶୁଦ୍ଧିକୁ ଲକ୍ଷ୍ୟ କରେ । ଗୀତା କହେ, ଏକ ଛୋଟ ଧର୍ମମୟ କର୍ମ ମଧ୍ୟ ଅନନ୍ତ ଆତ୍ମିକ ପରିଣାମ ରଖିଥାଏ, କାରଣ ଏହା ଚେତନାର ଦିଗକୁ ପରିବର୍ତ୍ତନ କରେ ।

🌹🙏🌹

*ପ୍ରଶାନ୍ତ କୁମାର ବେଉରିଆ*

*୯୪୩୭୦୪୬୮୪୯*


Share

Leave a Reply