ଶ୍ରୀମଦ୍ ଭଗବଦ୍ ଗୀତା ୨: ୩୧ ଶ୍ଳୋକ :ସ୍ୱଧର୍ମମପି ଚାବେକ୍ଷ୍ୟ ନ..
1 min read
ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ ॥
ହେ ଅର୍ଜୁନ, ନିଜ ସ୍ୱଧର୍ମ (କ୍ଷତ୍ରିୟ ଧର୍ମ)କୁ ଦେଖିଲେ ତୁମେ କମ୍ପିତ ହେବା ଉଚିତ୍ ନୁହେଁ । ଧର୍ମଯୁକ୍ତ ଯୁଦ୍ଧଠାରୁ ଉତ୍ତମ କର୍ତ୍ତବ୍ୟ କ୍ଷତ୍ରିୟ ପାଇଁ ଆଉ କିଛି ନାହିଁ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ “ସ୍ୱଧର୍ମ” ଧାରଣାକୁ କେନ୍ଦ୍ରବିନ୍ଦୁ କରିଛନ୍ତି । ସ୍ୱଧର୍ମ ମାନେ କେବଳ ଜାତିଗତ କର୍ତ୍ତବ୍ୟ ନୁହେଁ, ବରଂ – ନିଜ ସାମର୍ଥ୍ୟ, ନିଜ ସାମାଜିକ ଭୂମିକା ଏବଂ ନୀତିଗତ ଦାୟିତ୍ୱ ଅନୁଯାୟୀ କର୍ମ କରିବା । କ୍ଷତ୍ରିୟର କାର୍ଯ୍ୟ ସମାଜର, ରାଷ୍ଟ୍ରର ନେତୃତ୍ୱ ନେବା । କ୍ଷତ୍ରିୟ ହୋଇଥିବାରୁ ଅର୍ଜୁନଙ୍କର କର୍ତ୍ତବ୍ୟ ହେଉଛି – ଦେଖା ଦେଇଥିବା ଅଧର୍ମ ଜନିତ ସଙ୍କଟରୁ ସମାଜକୁ ରକ୍ଷା କରିବା । ତାଙ୍କର କର୍ତ୍ତବ୍ୟ ହେଲା ସମାଜର ଆହ୍ୱାନ ପରେ ଯୁଦ୍ଧ ଭୂମିରେ ବିଚଳିତ ନ ହୋଇ ଶତୃମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ରାଷ୍ଟ୍ରୀୟ ସଂସ୍କୃତିକୁ ରକ୍ଷା କରିବା ଏବଂ ଧର୍ମର ପୁନଃ ପ୍ରତିଷ୍ଠା କରିବା । କ୍ଷତ୍ରିୟମାନଙ୍କ ପାଇଁ ଏହାଠାରୁ ବଳି ଅନ୍ୟ କୌଣସି ଶ୍ରେଷ୍ଠ କାର୍ଯ୍ୟ ହୋଇ ନ ପାରେ । କାରଣ ଧର୍ମ-ଯୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରିବାର ଏଭଳି ସୁବର୍ଣ୍ଣ ଅବସର ହୁଏତ ଆଉ ମିଳିବ ନାହିଁ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉକ୍ତ ଯୁଦ୍ଧରୁ ବିରତ ନହେବା ପାଇଁ କହୁଛନ୍ତି।
ଆଧୁନିକ ସମାଜରେ ଏହି ଶ୍ଳୋକର ଅର୍ଥ ଅଧିକ ପ୍ରାସଙ୍ଗିକ। ଆଜିର ଯୁଗରେ ଯୁଦ୍ଧକ୍ଷେତ୍ର କେବଳ ରଣଭୂମିରେ ସୀମିତ ନୁହେଁ; ଏହା କାର୍ଯ୍ୟାଳୟ, ସମାଜ, ରାଜନୀତି ଓ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅଛି । ଅନ୍ୟାୟ, ଦୁର୍ନୀତି, ଅସତ୍ୟ ଓ ଶୋଷଣ ବିରୋଧରେ ଦଣ୍ଡାୟମାନ ହେବା ହିଁ ଆଧୁନିକ ଧର୍ମଯୁଦ୍ଧ । ଏହି ସନ୍ଦର୍ଭରେ “କମ୍ପିତ ହେବା ଉଚିତ୍ ନୁହେଁ” ବୋଲି କୃଷ୍ଣଙ୍କ ଉପଦେଶ ମାନସିକ ସାହସ ଓ ନୀତିଗତ ଦୃଢତାର ଆହ୍ୱାନ । ସମାଜିକ ଦୃଷ୍ଟିକୋଣରୁ ଦେଖିଲେ, ଗୀତା ୨:୩୧ ସମାଜରେ ପ୍ରତ୍ୟେକ ବ୍ୟକ୍ତିର ଏକ ନିର୍ଦ୍ଧିଷ୍ଟ ଭୂମିକା ଥିବା କଥାକୁ ଉଦ୍ଘାଟିତ କରେ । ଅର୍ଜୁନ ଯେପରି କ୍ଷତ୍ରିୟ ଭାବେ ଧର୍ମର ସୁରକ୍ଷାକାରୀ, ସେହିପରି ଆଜିର ସମାଜରେ ଶିକ୍ଷକ, ଚିକିତ୍ସକ, ପ୍ରଶାସକ, ଶ୍ରମିକ ସମସ୍ତଙ୍କର ନିଜସ୍ୱ ସାମାଜିକ ଦାୟିତ୍ୱ ଅଛି । ଯେତେବେଳେ ଲୋକେ ଭୟ, ସୁବିଧା ବା ଭାବନାରେ ପଡ଼ି ନିଜ କର୍ତ୍ତବ୍ୟରୁ ପଛେଇଯାନ୍ତି, ସେତେବେଳେ ସମାଜରେ ଅନ୍ୟାୟ ଓ ଅବ୍ୟବସ୍ଥା ବୃଦ୍ଧି ପାଏ । ଏହି ଶ୍ଳୋକ ଏହା ଶିଖାଏ ଯେ ସମାଜିକ ଶାନ୍ତି ପାଇଁ ନିଜ କର୍ତ୍ତବ୍ୟରେ ଦୃଢ଼ ରହିବା ଅତ୍ୟାବଶ୍ୟକ ।
ପାରିବାରିକ ଦୃଷ୍ଟିକୋଣରୁ, ଅର୍ଜୁନଙ୍କ ଦ୍ୱନ୍ଦ୍ୱ ଅତ୍ୟନ୍ତ ସାର୍ଥକ । ସେ ଯେଉଁ ଯୁଦ୍ଧ କରିବାରେ ଅସମ୍ମତ, ତାହାର ମୂଳରେ ପାରିବାରିକ ସମ୍ପର୍କ, ଆତ୍ମୀୟତା ଓ କରୁଣା ଅଛି । କିନ୍ତୁ କୃଷ୍ଣଙ୍କ ଉପଦେଶ ଏଠାରେ ସୂକ୍ଷ୍ମ – ପରିବାର ପ୍ରେମ ଯଦି ଅନ୍ୟାୟକୁ ସହ୍ୟ କରିବାର ଉପକରଣ ହୋଇଯାଏ, ତେବେ ସେହି ପ୍ରେମ ଧର୍ମର ବିରୋଧୀ ହୋଇପାରେ । ପରିବାରକୁ ସୁରକ୍ଷା କରିବାର ଅର୍ଥ ମାନେ କେବଳ ଭାବନାକୁ ରକ୍ଷା କରିବା ନୁହେଁ, ବରଂ ନ୍ୟାୟ ଓ ସତ୍ୟର ଆଧାର ଉପରେ ପାରିବାରିକ ମୂଲ୍ୟବୋଧକୁ ସ୍ଥାପନ କରିବା।
ଦାର୍ଶନିକ ଭାବେ “ସ୍ୱଧର୍ମ” କୌଣସି ସାମାଜିକ ନିର୍ଦ୍ଦେଶ ମାତ୍ର ନୁହେଁ । ଏହା ମାନବ ସ୍ୱଭାବ (ସ୍ୱଭାବ–ସ୍ୱଧର୍ମ ସମ୍ପର୍କ) ସହ ଗଭୀର ଭାବରେ ଜଡିତ । ଗୀତାର ଦୃଷ୍ଟିରେ ପ୍ରତ୍ୟେକ ବ୍ୟକ୍ତି ନିଜ ଗୁଣ, ପ୍ରବୃତ୍ତି ଓ ସାମର୍ଥ୍ୟ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ କର୍ମକ୍ଷେତ୍ରରେ ନିୟୋଜିତ । ଅର୍ଜୁନଙ୍କ କ୍ଷତ୍ରିୟତ୍ୱ ତାଙ୍କର ଆକସ୍ମିକ ପରିଚୟ ନୁହେଁ; ଏହା ତାଙ୍କର ଅସ୍ତିତ୍ୱଗତ ସତ୍ୟ ।
“ନ ବିକମ୍ପିତୁମର୍ହସି” ବାକ୍ୟଟି ମାନସିକ ଅସ୍ଥିରତା ଉପରେ ଗଭୀର ଆଲୋଚନା କରେ । ଗୀତା ମତାନୁସାରେ ଭୟ ଉତ୍ପନ୍ନ ହୁଏ ଯେତେବେଳେ ମାନବ ନିଜ କର୍ମକୁ ତାହାର ଫଳ ସହ ଅତ୍ୟଧିକ ଭାବେ ଯୋଡ଼ିଦିଏ । ଦାର୍ଶନିକ ଭାବେ ଏହା ଅବିଦ୍ୟାର ଲକ୍ଷଣ। ସ୍ୱଧର୍ମରେ ନିଷ୍ଠା ରଖି କର୍ମ କଲେ, କର୍ତ୍ତା-ଭୋକ୍ତା ଭାବ କ୍ଷୀଣ ହୁଏ ଓ ମାନସିକ କମ୍ପନ ଦୂର ହୁଏ ।“ଧର୍ମ୍ୟାଦ୍ଧି ଯୁଦ୍ଧାତ୍” ବାକ୍ୟଟିରେ ଯୁଦ୍ଧ ହେଉଛି ଏକ ପ୍ରତୀକ – କର୍ମ ଓ ଆସକ୍ତି, ନୀତି ଓ ସ୍ୱାର୍ଥ ମଧ୍ୟର ଚିରନ୍ତନ ସଂଘର୍ଷ । ଗୀତା ଏହି ସଂଘର୍ଷକୁ ଅଟଳ ମାନେ, କିନ୍ତୁ ତାହାର ସମାଧାନ ପଳାୟନ ନୁହେଁ, ସଚେତନ କର୍ମ ।
ଆରିଷ୍ଟଟଲଙ୍କ ଦର୍ଶନ ଅନୁସାରେ ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ଏକ ଟେଲୋସ୍ (ଉଦ୍ଦେଶ୍ୟ) ରହିଛି । ମାନବର ଟେଲୋସ୍ ହେଉଛି ୟୁଡାଇମୋନିଆ – ନୀତିଗତ ଉତ୍କର୍ଷ ମାଧ୍ୟମରେ ସୁସ୍ଥ ଜୀବନ । ଗୀତାର “ସ୍ୱଧର୍ମ” ଧାରଣା ସହ ଏହାର ସାମ୍ୟ ଦୃଶ୍ୟମାନ । ଅର୍ଜୁନଙ୍କ କ୍ଷତ୍ରିୟତ୍ୱ ତାଙ୍କର ଟେଲୋସ୍; ସେହି କର୍ତ୍ତବ୍ୟରୁ ପଳାୟନ କରିବା ମାନେ ନିଜ ସ୍ୱଭାବକୁ ଅସ୍ୱୀକାର କରିବା। ଏହି ଦୃଷ୍ଟିରୁ ଗୀତା ଆରିଷ୍ଟଟଲୀୟ ନୀତିଦର୍ଶନ ସହ ଗଭୀର ସାମ୍ୟ ରଖେ ।
ସେହିପରି କାଣ୍ଟଙ୍କ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି କର୍ତ୍ତବ୍ୟ ପାଇଁ କର୍ତ୍ତବ୍ୟ । କର୍ମ ଫଳ ଆଶାରେ ନୁହେଁ, ବରଂ ନୀତିଗତ ନିୟମର ପାଳନ କରାଯିବା ଉଚିତ । ଗୀତା ମଧ୍ୟ ଏହି ମତକୁ ସମର୍ଥନ କରେ – ଧର୍ମ ଯୁଦ୍ଧ ହେଉଛି କ୍ଷତ୍ରିୟଙ୍କ କର୍ତ୍ତବ୍ୟ, ତେଣୁ ଫଳ ବା ବ୍ୟକ୍ତିଗତ ଭାବନା ଭୟରୁ ଏଥିରୁ ଓହରିଯିବା ଅନୀତି ।
ଷ୍ଟୋଇକ୍ ଦାର୍ଶନିକ ମାନେ କୁହନ୍ତି – ମାନବ ଯାହା ନିୟନ୍ତ୍ରଣ କରିପାରେ, ସେହି ଉପରେ ମାତ୍ର ଧ୍ୟାନ ଦେବା ଉଚିତ । ଭୟ ଓ ଦୁଃଖ ଉତ୍ପନ୍ନ ହୁଏ ଯେତେବେଳେ ମନୁଷ୍ୟ ଅନିୟନ୍ତ୍ରଣୀୟ ଫଳ ନେଇ ଆସକ୍ତ ହୁଏ । ଗୀତା ୨:୩୧ର “ନ ବିକମ୍ପିତୁମର୍ହସି” ଷ୍ଟୋଇକ୍ ଆତ୍ମସଂଯମର ସ୍ପଷ୍ଟ ପ୍ରତିଧ୍ୱନି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
