tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୩୦ ଶ୍ଳୋକ : ଦେହୀ ନିତ୍ୟମବଧ୍ୟୋଽୟଂ…

1 min read

Oplus_16908288

ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ॥

ହେ ଭାରତ (ଅର୍ଜୁନ) ! ସମସ୍ତଙ୍କ ଦେହ ମଧ୍ୟରେ ଥିବା ଦେହୀ (ଆତ୍ମା) ସଦା ଅବିନାଶୀ, ଅବଧ୍ୟ – ଅର୍ଥାତ୍ ତାକୁ କେହି ମାରିପାରନ୍ତି ନାହିଁ। ତେଣୁ ସମସ୍ତ ପ୍ରାଣୀଙ୍କ ପାଇଁ ତୁମେ ଶୋକ କରିବା ଅନୁଚିତ ।


ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଆତ୍ମା-ତତ୍ତ୍ୱର ଶେଷ ଓ ସଂକ୍ଷିପ୍ତ ନିଷ୍କର୍ଷ ଦେଉଛନ୍ତି । ପୂର୍ବ ଶ୍ଳୋକଗୁଡ଼ିକରେ ଆତ୍ମାର ଅମରତ୍ୱ, ଅବିକାରିତ୍ୱ ଓ ଅବିନାଶୀ ସ୍ୱଭାବ ବ୍ୟାଖ୍ୟା କରି, ଏଠାରେ ସେ ଅର୍ଜୁନଙ୍କୁ ସ୍ପଷ୍ଟ ଭାବେ କହୁଛନ୍ତି – ଶୋକର କୌଣସି ତାର୍କିକ ଆଧାର ନାହିଁ । ଦେହ ନଶ୍ୱର, କିନ୍ତୁ ଦେହୀ (ଆତ୍ମା) ନିତ୍ୟ । ଯୁଦ୍ଧରେ ଦେହ ନଷ୍ଟ ହେବା ସମ୍ଭବ, କିନ୍ତୁ ଆତ୍ମା କେବେ ନଷ୍ଟ ହୁଏ ନାହିଁ । ଏହି ଦୃଷ୍ଟିକୋଣରୁ ମୃତ୍ୟୁ ମାନେ ସମାପ୍ତି ନୁହେଁ, ବରଂ ପରିବର୍ତ୍ତନ । ଯେତେବେଳେ ମନୁଷ୍ୟ ଆତ୍ମାକୁ ଦେହ ରୂପେ ଭାବି ଭ୍ରମ କରେ, ସେତେବେଳେ ଶୋକ, ଭୟ ଓ ମୋହ ଜନ୍ମ ନେଇଥାଏ । କିନ୍ତୁ ଆତ୍ମାର ସତ୍ୟ ସ୍ୱରୂପକୁ ବୁଝିଲେ, ଶୋକ ଆପେ ଆପେ ନିରର୍ଥକ ହୋଇଯାଏ । “ଦେହୀ ନିତ୍ୟମବଧ୍ୟଃ” ବୋଲି ଆତ୍ମାକୁ ଅବିନାଶୀ କୁହାଯିବା ମାନେ – ମନୁଷ୍ୟକୁ ଦେହକେନ୍ଦ୍ରିକ ଭୟ ଓ ଅତିରିକ୍ତ ଆସକ୍ତିରୁ ମୁକ୍ତ କରିବା ।


ପାରିବାରିକ ଜୀବନରେ ଶୋକ, ଭୟ, ଆଶଙ୍କା ଓ ଆସକ୍ତି ଅତ୍ୟନ୍ତ ସାଧାରଣ । ପିତାମାତା ସନ୍ତାନ ପାଇଁ, ସନ୍ତାନ ପିତାମାତା ପାଇଁ, ସ୍ୱାମୀ–ସ୍ତ୍ରୀ ପରସ୍ପର ପାଇଁ ଅତ୍ୟଧିକ ଭାବନାତ୍ମକ ନିର୍ଭରତା ଗଢ଼ିଦେଇଥାନ୍ତି । ଏହି ଶ୍ଳୋକ କହେ – ଏହି ସମ୍ପର୍କଗୁଡ଼ିକୁ ଅସ୍ୱୀକାର କରିବା ନୁହେଁ, କିନ୍ତୁ ଅନ୍ଧ ଆସକ୍ତିକୁ ସଂଯମିତ କରିବା । ଆତ୍ମାକୁ ନିତ୍ୟ ଭାବେ ଦେଖିଲେ, ପରିବାରର କୌଣସି ସଦସ୍ୟଙ୍କ ଶାରୀରିକ ନଷ୍ଟ କିମ୍ବା ପରିବର୍ତ୍ତନକୁ ଜୀବନର ସମାପ୍ତି ଭାବେ ନୁହେଁ, ବରଂ ଜୀବନର ଏକ ଅନିବାର୍ଯ୍ୟ ପରିଣତି ଭାବେ ଗ୍ରହଣ କରାଯିବା ଉଚିତ । ଏହା ଶୋକକୁ ନାଶ କରେନାହିଁ, କିନ୍ତୁ ତାହାକୁ ସହନଶୀଳ ଓ ସଚେତନ କରେ । ଏହି ଦୃଷ୍ଟିକୋଣ ପାରିବାରିକ ଦୁଃଖ, ବିଚ୍ଛେଦ ଓ ସଂକଟକୁ ଧୈର୍ଯ୍ୟର ସହିତ ମୁକାବିଲା କରିବାର ଶକ୍ତି ଦିଏ ।


ଏହି ଶ୍ଳୋକର ମୂଳ ଦାର୍ଶନିକ ଧାରଣା ହେଉଛି “ଦେହ” ଓ “ଦେହୀ”ର ଭିନ୍ନତା । ଦେହ ହେଉଛି ପଦାର୍ଥଜଗତର ଏକ ଅସ୍ଥାୟୀ ରୂପ, ଯାହା ଜନ୍ମ, ବୃଦ୍ଧି, ପରିଣାମ ଓ ବିନାଶର ଅଧୀନ । କିନ୍ତୁ ଦେହୀ ଅର୍ଥାତ୍ ଆତ୍ମା, ଏହି ପରିବର୍ତ୍ତନଗୁଡ଼ିକୁ ଅତିକ୍ରମ କରିଥାଏ। ଶ୍ଳୋକର ଶେଷ ଧାଡ଼ି – “ନ ତ୍ୱଂ ଶୋଚିତୁମର୍ହସି” – ଏକ ନୀତିଗତ ଉପଦେଶ ନୁହେଁ, ବରଂ ଏକ ତାର୍କିକ ନିଷ୍କର୍ଷ । ଶୋକ ସେତେବେଳେ ଯୁକ୍ତିସଙ୍ଗତ ହୁଏ, ଯେତେବେଳେ କୌଣସି ସତ୍ତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । କିନ୍ତୁ ଯଦି ଆତ୍ମା ଅବିନାଶୀ, ତେବେ ମୃତ୍ୟୁ କେବଳ ଦେହର ପରିବର୍ତ୍ତନ- ଅସ୍ତିତ୍ୱର ନାଶ ନୁହେଁ ।

ଏଠାରେ ଗୀତା ମନୁଷ୍ୟର ଦୁଃଖର ମୂଳକୁ ଚିହ୍ନଟ କରେ – ଅବିଦ୍ୟା । ଅବିଦ୍ୟାର ଅର୍ଥ ହେଉଛି ଦେହକୁ ଆତ୍ମା ରୂପେ ଭାବିବା । ଏହି ଭ୍ରମରୁ ଶୋକ, ଭୟ ଓ ମୋହ ଜନ୍ମ ନେଇଥାଏ । ଏହି ଦୃଷ୍ଟିରୁ ଶୋକ ଏକ ଜ୍ଞାନହୀନ ପ୍ରତିକ୍ରିୟା ମାତ୍ର । ଗୀତା ୨:୩୦ର ଦାର୍ଶନିକ ମର୍ମ ହେଉଛି – ଯେପର୍ଯ୍ୟନ୍ତ ମନୁଷ୍ୟ ନିଜକୁ ଦେହ ଭାବେ ଦେଖେ, ସେପର୍ଯ୍ୟନ୍ତ ଶୋକ ଅନିବାର୍ଯ୍ୟ । କିନ୍ତୁ ଯେତେବେଳେ ସେ ନିଜକୁ ଆତ୍ମା ଭାବେ ଅନୁଭବ କରେ, ଶୋକ ତାର୍କିକ ଭାବେ ଅସମ୍ଭବ ହୋଇଯାଏ ।


ନିହିଲିଜ୍ମର ଜନକ ଫ୍ରେଡ୍ରିକ୍ ନିତ୍ସେଙ୍କ ମତରେ ମନୁଷ୍ୟ ଏକ ଅର୍ଥହୀନ ବ୍ରହ୍ମାଣ୍ଡରେ ଏକାକୀ ଅସ୍ତିତ୍ୱ ମାତ୍ର । ଗୀତା ୨:୩୦ ସ୍ପଷ୍ଟ କହେ – ଆତ୍ମା ନିତ୍ୟ, ଅବିନାଶୀ, ଏବଂ ଶରୀରର ମୃତ୍ୟୁ ସତ୍ତ୍ୱେ ଏହାର ନାଶ ନାହିଁ । କିନ୍ତୁ ନିହିଲିଜ୍ମ ମତରେ – ଆତ୍ମା ଏକ କଳ୍ପନା, ଚେତନା ମସ୍ତିଷ୍କର ଏକ ଜୀବବୈଜ୍ଞାନିକ ପ୍ରତିଫଳନ, ମୃତ୍ୟୁ ପରେ କିଛି ନାହିଁ – “ଶୂନ୍ୟ”। ଗୀତା କହେ – ଶୋକ କରନି, କାରଣ ଆତ୍ମା ମରେନି । ନିହିଲିଜ୍ମ କହେ – ଶୋକ କରିବାର କୌଣସି ଅର୍ଥ ନାହିଁ, କାରଣ ସବୁକିଛି ଅନ୍ତତଃ ଶୂନ୍ୟରେ ଲୀନ ହୋଇଯାଏ । ଗୀତାରେ ଅନାସକ୍ତି ଆସେ ଶାଶ୍ୱତତାରୁ । ନିହିଲିଜ୍ମରେ ଅନାସକ୍ତି ଆସେ ଅର୍ଥଶୂନ୍ୟତାରୁ । ନିହିଲିଜ୍ ଚିନ୍ତାଧାରା ମତାନୁସାରେ – ଆତ୍ମା ଧାରଣା ମନୁଷ୍ୟର ଭୟ-ଜନିତ ସାନ୍ତ୍ୱନା, ମୃତ୍ୟୁର ନିର୍ଦୟ ସତ୍ୟକୁ ଏଡ଼ାଇବା ପାଇଁ ଗଢ଼ାଯାଇଥିବା ଏକ ଦାର୍ଶନିକ ଭ୍ରମ । ଗଭୀର ଭାବେ ଦେଖିଲେ – ଗୀତା ମନୁଷ୍ୟକୁ ଭୟମୁକ୍ତ କରିବାକୁ ଚାହେଁ, ନିହିଲିଜ୍ମ ମଧ୍ୟ ମନୁଷ୍ୟକୁ ଭ୍ରମମୁକ୍ତ କରିବାକୁ ଚାହେଁ । ଦୁହେଁ ମୃତ୍ୟୁଭୟକୁ ଦୂର କରିବାକୁ ଚାହାଁନ୍ତି । ଗୀତା ଅନୁସାରେ “ତୁମେ ମରୁନାହଁ । ”ନିହିଲିଜ୍ମ କହେ “ମରିବା ପରେ କିଛି ନାହିଁ ।” ଉଭୟଙ୍କ ଲକ୍ଷ୍ୟ ହେଉଛି ଭୟର ଅବସାନ, କିନ୍ତୁ ପଥ ଭିନ୍ନ ।


ସେହିପରି ଗୀତା ୨:୩୦ ଯେଉଁଠି ନିତ୍ୟ, ଅବିନାଶୀ ଆତ୍ମାର ଘୋଷଣା କରେ, ବୌଦ୍ଧ ଦର୍ଶନ ସେଠି ଅନାତ୍ମ ଓ ଶୂନ୍ୟତାର କଥା କହେ । ଏହି ଦୁଇ ଧାରା ଦେଖିବାକୁ ବିରୋଧୀ ହେଲେ ମଧ୍ୟ, ଦୁହେଁ ମନୁଷ୍ୟକୁ ଦୁଃଖରୁ ମୁକ୍ତିକୁ ମୂଳ ଲକ୍ଷ୍ୟ କରିଥାନ୍ତି । ଗୀତା କହେ – ଆତ୍ମା ମରେନି, ତେଣୁ ଶୋକ କରନି । ବୌଦ୍ଧ ଶୂନ୍ୟତା କହେ – ଶୋକ କରିବା ପାଇଁ ଯାହାକୁ “ମୋର” ବୋଲି ଭାବୁଛ, ସେ ମଧ୍ୟ ଶୂନ୍ୟ । ଗୀତାରେ ଶୋକର ଅନ୍ତ ହୁଏ ନିତ୍ୟତା ବୋଧରେ, ବୌଦ୍ଧ ଦର୍ଶନରେ ଶୋକ ଶେଷ ହୁଏ ଶୂନ୍ୟତା ବୋଧରେ। କିନ୍ତୁ ବୌଦ୍ଧ ଶୂନ୍ୟତା ନିହିଲିଜ୍ମ ନୁହେଁ । ଏହା କହେନି ଯେ “କିଛି ନାହିଁ”, ବରଂ କହେ – “କିଛି ମଧ୍ୟ ସ୍ଥାୟୀ ଭାବେ ନାହିଁ।”ଏହିଠାରେ ବୌଦ୍ଧ ଶୂନ୍ୟତା ଓ ଗୀତା ମଧ୍ୟରେ ଏକ ସୂକ୍ଷ୍ମ ସାମଞ୍ଜସ୍ୟତା ଦେଖିବାକୁ ମିଳିଯାଏ – ଆସକ୍ତିର ବିସର୍ଜନ । ଗୀତା କହେ – “ତୁମେ ଶାଶ୍ୱତ ଆତ୍ମା”। ବୌଦ୍ଧ ଦର୍ଶନ କହେ – “ତୁମେ ଯାହାକୁ ‘ମୁଁ’ କୁହୁଛ, ସେ ଶୂନ୍ୟ”। ଫଳ ଏକ – ଭୟ, ଶୋକ ଓ ଆସକ୍ତିର ଅତିକ୍ରମ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply