ଶ୍ରୀମଦ୍ ଭଗବଦ୍ ଗୀତା ୨: ୨୯ ଶ୍ଳୋକ : ଆଶ୍ଚର୍ୟବତ୍ ପଶ୍ୟତି କଶ୍ଚିଦେନମ୍…
1 min read
ଆଶ୍ଚର୍ୟବତ୍ ପଶ୍ୟତି କଶ୍ଚିଦେନମ୍ ଆଶ୍ଚର୍ୟବଦ୍ ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ୟବଚ୍ଚୈନମନ୍ୟଃ ଶୃଣୋତି ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ॥
କେହି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି । କେହି ଏହା ବିଷୟରେ ଆଶ୍ଚର୍ଯ୍ୟ ହୋଇ କହନ୍ତି, ଅନ୍ୟ କେହି ଏହା ସମ୍ପର୍କରେ ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, ପୁନଶ୍ଚ କେହି କେହି ଏହା ସମ୍ପର୍କରେ ଶୁଣି ମଧ୍ୟ ବୁଝିପାରନ୍ତି ନାହିଁ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଆତ୍ମତତ୍ତ୍ୱର ଗଭୀର ଓ ଦୁର୍ଲଭ ବୋଧ ବିଷୟରେ କହୁଛନ୍ତି । ଆତ୍ମା ସାଧାରଣ ଇନ୍ଦ୍ରିୟ ଜ୍ଞାନ କିମ୍ବା ତର୍କରେ ବୁଝାଯାଏ ନାହିଁ । ଏହା ଚକ୍ଷୁକୁ ଦୃଷ୍ଟିଗୋଚର ନୁହେଁ, ବକ୍ତବ୍ୟରେ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନୀୟ ନୁହେଁ, ଶ୍ରବଣମାତ୍ରରେ ଅନୁଭୂତ ହୋଇପାରେ ନାହିଁ । ଏହାକୁ ଜାଣିବା ପାଇଁ ଅନୁଭୂତି, ଓ ଆତ୍ମଚିନ୍ତନ ଆବଶ୍ୟକ ।
ମନୁଷ୍ୟ ସାଧାରଣତଃ ଯାହାକୁ ନିଜ ଇନ୍ଦ୍ରିୟ ଦ୍ୱାରା ଉପଲବ୍ଧି କରିପାରେ, ସେହିଥିରେ ବିଶ୍ୱାସ କରେ । ଆତ୍ମା ଏକ ଅନ୍ତଃସ୍ଥ ଅନୁଭୂତି, ତେଣୁ ଅଧିକାଂଶ ଲୋକ ଯଦିଓ ଏହାକୁ ଆଶ୍ଚର୍ଯ୍ୟ ହୋଇ ଦାର୍ଶନିକ ଧାରଣା ଭାବେ ଦେଖନ୍ତି, କିନ୍ତୁ ଜୀବନରେ ତାହାକୁ ଅନୁଭବ କରିପାରନ୍ତି ନାହିଁ ।
ସମାଜରେ ଆତ୍ମଜ୍ଞାନୀ ଲୋକ ସଂଖ୍ୟାରେ ଅତ୍ୟନ୍ତ କମ୍ । ଅଧିକାଂଶ ମନୁଷ୍ୟ ବାହ୍ୟ ସଫଳତା, ସମ୍ପତ୍ତି ଓ ପଦମର୍ଯ୍ୟାଦା ମଧ୍ୟରେ ଅଟକି ରହନ୍ତି । ଏହି ଶ୍ଳୋକ ଦର୍ଶାଏ ଯେ, ଆତ୍ମାକୁ ନ ବୁଝିଲେ, ମନୁଷ୍ୟ ନିଜ ଜୀବନର ମୂଳ ଅର୍ଥକୁ ବୁଝିପାରେନାହିଁ । ଆତ୍ମାକୁ ନେଇ ମନୁଷ୍ୟ ଦେଖେ, କହେ ଓ ଶୁଣେ; କିନ୍ତୁ ସେହି ଆତ୍ମସତ୍ୟକୁ ଜୀବନରେ ଅନୁଭବ କରିବା ଦୁର୍ଲଭ ।
ମନୁଷ୍ୟ ସମାଜରେ ଅନ୍ୟଙ୍କୁ ମୁଖ୍ୟତଃ ବାହ୍ୟ ପରିଚୟ ଯଥା – ଜାତି, ପେଶା, ଧନ, ପଦମର୍ଯ୍ୟାଦା କିମ୍ବା ସଫଳତା – ମାଧ୍ୟମରେ ଚିହ୍ନେ । ଆମେ ଲୋକଙ୍କୁ “ଦେଖୁ” ତାଙ୍କର ଭୂମିକାରେ, ତାଙ୍କ ବିଷୟରେ ମତାମତ ଦେଇ “କହୁ” ଏବଂ ସାମାଜିକ ଧାରଣାରୁ ତାଙ୍କ ସମ୍ବନ୍ଧରେ “ଶୁଣୁ” । କିନ୍ତୁ ଏହି ସମସ୍ତ ପ୍ରକ୍ରିୟାରେ ଆମେ ମନୁଷ୍ୟର ଅନ୍ତର୍ନିହିତ ମୂଲ୍ୟ,ତାଙ୍କର ଆତ୍ମସତ୍ତାକୁ ଅନୁଭବ କରୁନାହୁଁ । ଯେତେବେଳେ ମନୁଷ୍ୟ ନିଜକୁ କେବଳ ଶରୀର କିମ୍ବା ସାମାଜିକ ପରିଚୟ ଭାବେ ଦେଖେ, ସେ ଅନ୍ୟଙ୍କୁ ମଧ୍ୟ ସେହି ଦୃଷ୍ଟିରେ ମୂଲ୍ୟାୟନ କରେ । ଗୀତାର ଆତ୍ମା-ତତ୍ତ୍ୱ ଏହାକୁ ଭଙ୍ଗ କରି ସମସ୍ତଙ୍କ ମଧ୍ୟରେ ଏକ ଆତ୍ମସତ୍ତାର ଅବସ୍ଥିତି ସମ୍ପର୍କରେ ସୂଚନା ଦିଏ । ଯେତେବେଳେ ପରିବାରରେ ଏକ ପ୍ରତିସ୍ପର୍ଧାମୂଳକ ଦ୍ଵନ୍ଦ ଉତ୍ପର୍ଣ୍ଣ ହୁଏ, ସେତେବେଳେ ସମ୍ପର୍କ ଯାନ୍ତ୍ରିକ ହୋଇଯାଏ। ଗୀତା ୨:୨୯ ଆମକୁ ସ୍ମରଣ କରାଏ ଯେ ମନୁଷ୍ୟ କେବଳ ଭୂମିକା ନୁହେଁ; ସେ ଏକ ଅବ୍ୟକ୍ତ ଆତ୍ମସତ୍ତା ।

ଦାର୍ଶନିକ ଦୃଷ୍ଟିରୁ ଏହି ଶ୍ଳୋକ ମନୁଷ୍ୟର ଜ୍ଞାନସୀମାକୁ ପ୍ରଶ୍ନ କରେ । ମନୁଷ୍ୟ ଯାହାକୁ ଜାଣେ, ସେଥିର ଅଧିକାଂଶ ଇନ୍ଦ୍ରିୟ, ଭାଷା ଓ ତର୍କ ମାଧ୍ୟମରେ । କିନ୍ତୁ ଆତ୍ମା ଇନ୍ଦ୍ରିୟାତୀତ, ଭାଷାତୀତ ଓ ତର୍କାତୀତ । ତେଣୁ କେହି ଏହାକୁ ଆଶ୍ଚର୍ଯ୍ୟ ଭାବେ ଦେଖନ୍ତି, କେହି ଏହା ସମ୍ପର୍କରେ ଆଶ୍ଚର୍ଯ୍ୟ ଭାବେ କହନ୍ତି, ଆଉ କେହି ଆଶ୍ଚର୍ଯ୍ୟରେ ଶୁଣନ୍ତି । କିନ୍ତୁ ଏହି ସମସ୍ତ ପ୍ରକ୍ରିୟା ସତ୍ତ୍ୱେ ମଧ୍ୟ ଆତ୍ମାର ସତ୍ୟ ସ୍ୱରୂପ ଅଧିକାଂଶଙ୍କ ପାଇଁ ଅବୋଧ୍ୟ ରହିଯାଏ । ଆତ୍ମା ପ୍ରବଚନ, ବକ୍ତୃତା କିମ୍ବା ଶାସ୍ତ୍ରପାଠରେ ଲଭ୍ୟ ନୁହେଁ । ଗୀତା ୨:୨୯ ଏହି ଧାରଣାକୁ ଅଧିକ ସ୍ପଷ୍ଟ କରି ଦର୍ଶାଏ ଯେ ଆତ୍ମଜ୍ଞାନ ଏକ ଅନୁଭୂତିମୂଳକ ସତ୍ୟ, ଯାହା ବୁଦ୍ଧିଗତ ସଂଗ୍ରହରେ ସୀମିତ ନୁହେଁ ।
Platoଙ୍କ ଦର୍ଶନରେ ଆତ୍ମା (psyche) ଏକ ଦିବ୍ୟ ଓ ଅମର ସତ୍ତା । Phaedo ଓ Republic ଗ୍ରନ୍ଥରେ Plato କହିଛନ୍ତି ଯେ ସତ୍ୟ ଜ୍ଞାନ ଇନ୍ଦ୍ରିୟାନୁଭବରୁ ନୁହେଁ, ବରଂ ବୁଦ୍ଧିଗତ ଧ୍ୟାନ (intellectual contemplation) ମାଧ୍ୟମରେ ଲଭ୍ୟ ।
ଗୀତା ୨:୨୯ରେ ଯେପରି ଆତ୍ମାକୁ ଦେଖାଏ, Platoଙ୍କ Allegory of the Cave ମଧ୍ୟ ସେହି ଧାରଣାକୁ ସମର୍ଥନ କରେ – ଇନ୍ଦ୍ରିୟଜଗତ ଆତ୍ମସତ୍ୟର ଛାୟା ମାତ୍ର ।
Immanuel Kantଙ୍କ ଦର୍ଶନ ଏହି ପ୍ରଶ୍ନକୁ ଆଉ ଏକ ନୂତନ ମାନ ଦିଏ । Kantଙ୍କ Critique of Pure Reason ଅନୁସାରେ, ଆତ୍ମା (noumenal self) କେବେ ମଧ୍ୟ ଅନୁଭବର ବସ୍ତୁ ହୋଇପାରେ ନାହିଁ । ମନୁଷ୍ୟ ଆତ୍ମାକୁ କେବଳ ଏକ transcendental idea ଭାବେ ଭାବିପାରେ, କିନ୍ତୁ ପ୍ରମାଣ କରିପାରେ ନାହିଁ । ଏହା ଗୀତା ୨:୨୯ର “ଶୁଣିଲେ ମଧ୍ୟ କେହି ଜାଣେ ନାହିଁ” ବାକ୍ୟର ଦାର୍ଶନିକ ସମାନାନ୍ତର । Kant ଏଠାରେ ଆତ୍ମାର ଅସ୍ତିତ୍ୱକୁ ଅସ୍ୱୀକାର କରୁନାହାନ୍ତି; ବରଂ ମନୁଷ୍ୟର ଜ୍ଞାନସୀମାକୁ ସ୍ପଷ୍ଟ କରୁଛନ୍ତି, ଯାହା ଗୀତାର ନମ୍ର ଦାର୍ଶନିକ ଭାବନା ସହ ସମ୍ମିଳିତ କରିଛନ୍ତି । Being and Time ଗ୍ରନ୍ଥରେ Heidegger କହନ୍ତି ଯେ Being (ସତ୍ତା) ସାଧାରଣ ଭାଷା ଓ ଧାରଣାରେ ଧରାପଡ଼େ ନାହିଁ । Being ଆମ ପାଇଁ ସବୁଠୁଁ ନିକଟ, କିନ୍ତୁ ସବୁଠାରୁ ଅବୋଧ୍ୟ । ପ୍ରକୃତରେ ଆତ୍ମା ସବୁଠୁଁ ନିକଟ, ତଥାପି ସବୁଠୁଁ ଅଜଣା ।
ଆଧୁନିକ ମନୋଦର୍ଶନରେ “self” କୌଣସି ସ୍ଥିର ସତ୍ତା ନୁହେଁ, ବରଂ ଏକ ଗତିଶୀଳ ମନୋପ୍ରକ୍ରିୟା । Freudଙ୍କ psychoanalysis ଅନୁସାରେ ମନୁଷ୍ୟର ସ୍ୱ-ବୋଧ ଅଧିକାଂଶ ଅବଚେତନ (unconscious) ଦ୍ୱାରା ନିୟନ୍ତ୍ରିତ । ମନୁଷ୍ୟ ନିଜକୁ ଯେତେ ଦେଖେ ଓ କୁହେ, ସେଇଥିରେ ଅବଚେତନ ଇଚ୍ଛା, ଭୟ ଓ ଦମିତ ସ୍ମୃତି ଲୁଚିଥାଏ । Carl Jung ଏହି ଧାରଣାକୁ ଆଉ ଗଭୀର କରି “Self” କୁ ଏକ ସମଗ୍ର ସାଇକିକ୍ ସତ୍ତା ଭାବେ ଦେଖିଥିଲେ। Jungଙ୍କ ମତରେ Self କେବଳ ego ନୁହେଁ; ଏହା ଚେତନ ଓ ଅବଚେତନର ସମନ୍ୱୟ । ଏହି Self ସାଧାରଣ ଭାଷାରେ ବୁଝାଯାଏ ନାହିଁ; ଏହାକୁ ପ୍ରତୀକ, ସ୍ୱପ୍ନ ଓ ଅନ୍ତର୍ନିହିତ ଅନୁଭୂତି ମାଧ୍ୟମରେ ଅନୁଭବ କରାଯାଏ । ଏହା ଗୀତାର ଆତ୍ମା-ତତ୍ତ୍ୱ ସହ ସମାନ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
