ଶ୍ରୀମଦ୍ ଭଗବଦ୍ ଗୀତା ୨: ୧୮ ଶ୍ଳୋକ : ଅନ୍ତବନ୍ତ ଇମେ ଦେହା..
1 min read
Oplus_16908288
ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ॥
ଏହି ଦେହଗୁଡ଼ିକ ନଶ୍ୱର; କିନ୍ତୁ ଏହାମାନଙ୍କ ଭିତରେ ବସିଥିବା ସେଇ ସ୍ଥାୟୀ, ଅବିନାଶୀ ଓ ଅପରିମେୟ ସତ୍ତା ନିତ୍ୟ । ତେଣୁ, ହେ ଭାରତ (ଅର୍ଜୁନ), ତୁମେ ଯୁଦ୍ଧ କର ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେହ ଓ ସତ୍ତା (ଆତ୍ମା/ଚେତନା) ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ ବୁଝାଇଛନ୍ତି । ଦେହ ହେଉଛି ସମୟରେ ବନ୍ଧା – ଏହା ଜନ୍ମ ନିଏ, ବୃଦ୍ଧି ପାଏ ଏବଂ ଅନ୍ତେ ନଶ୍ୱର ହୋଇଯାଏ । କିନ୍ତୁ ଦେହକୁ ଚଳାଇଥିବା ସେଇ ଅନ୍ତର୍ନିହିତ ସତ୍ତା ନା ଜନ୍ମ ନିଏ, ନା ମରେ । ସେ ଅବିନାଶୀ, ଅମାପ୍ୟ ଓ ସ୍ଥାୟୀ ।
ଅର୍ଜୁନଙ୍କ ଦୁଃଖର ମୂଳ କାରଣ ଥିଲା – ସେ ଦେହକୁ ସର୍ବସ୍ୱ ଭାବି ତାହାର ନାଶକୁ ନେଇ ଭୟଭୀତ ହେଉଥିଲେ । କୃଷ୍ଣ ଏଠାରେ କହୁଛନ୍ତି, ଦେହର ନାଶ ମାନେ ସତ୍ତାର ନାଶ ନୁହେଁ । ଶ୍ରୀକୃଷ୍ଣଙ୍କର ଏହି ବାଣୀ ମନୁଷ୍ୟକୁ ଆସକ୍ତି, ଭୟ ଓ ଶୋକରୁ ମୁକ୍ତ କରେ। ଯେତେବେଳେ ମଣିଷ ନଶ୍ୱର ଦେହକୁ ଅତ୍ୟଧିକ ମୂଲ୍ୟ ଦେଇଥାଏ, ସେତେବେଳେ ସେ କର୍ତ୍ତବ୍ୟରୁ ପଛୁଆ ହୁଏ । ଏହି କାରଣରୁ କୃଷ୍ଣ କହୁଛନ୍ତି – “ତସ୍ମାଦ୍ୟୁଧ୍ୟସ୍ୱ” – ଅର୍ଥାତ୍ ଆସକ୍ତି ଓ ମୋହ ତ୍ୟାଗ କରି ନିଜ କର୍ତ୍ତବ୍ୟ ପାଳନ କର ।
ଆଧୁନିକ ସମାଜ ଅଧିକାଂଶ ସମୟରେ ଦେହକେନ୍ଦ୍ରିକ । ରୂପ, ଶକ୍ତି, ପଦବୀ, ଯୌବନ – ସବୁକିଛି ଦେହ ସହ ଜଡିତ । ଏହି ଶ୍ଳୋକ ସମାଜକୁ ସଚେତନ କରେ ଯେ ଏହି ସମସ୍ତ ପରିଚୟ ସାମୟିକ । ଯେତେବେଳେ ସମାଜ ଦେହକୁ ସର୍ବସ୍ୱ ଭାବେ ଦେଖେ, ସେତେବେଳେ ହିଂସା, ଭେଦଭାବ, ଅହଂକାର ଓ ସ୍ୱାର୍ଥ ଜନ୍ମ ନିଏ । ମଣିଷର ମୂଲ୍ୟ ଦେହରେ ନୁହେଁ, ଚେତନା ଓ କର୍ତ୍ତବ୍ୟବୋଧରେ । ଏହି ବୁଝାମଣା ସମାଜକୁ ମାନବିକ, ସହନଶୀଳ ଓ ନ୍ୟାୟପୂର୍ଣ୍ଣ କରେ ।
ମଣିଷର ମାନସିକ ଯନ୍ତ୍ରଣାର ମୂଳ କାରଣ – ଦେହ, ପରିଚୟ ଓ ସଫଳତା ସହ ଅତ୍ୟଧିକ ଆସକ୍ତି । ଭୟ, ଅବସାଦ, ଅସନ୍ତୋଷ ଏସବୁ ଜନ୍ମ ନିଏ, ଯେତେବେଳେ ମଣିଷ ନଶ୍ୱରକୁ ସ୍ଥାୟୀ ଭାବେ ଧରିନିଏ । ଗୀତା ୨:୧୮ ସନ୍ଦେଶ ଦିଏ – “ତୁମେ ଦେହ ନୁହେଁ, ତୁମେ ଦେହକୁ ଦେଖୁଥିବା ସଚେତନ ସତ୍ତା।” ଏହି ଭାବନା; ଆତ୍ମବିଶ୍ୱାସ ବଢ଼ାଏ, ମୃତ୍ୟୁଭୟ କମାଏ, ଚାପ ଓ ଆତଙ୍କକୁ ନିୟନ୍ତ୍ରଣ କରେ ।
“ତସ୍ମାଦ୍ୟୁଧ୍ୟସ୍ୱ”- ଏଠାରେ “ଯୁଦ୍ଧ” ମାନେ କେବଳ ଶସ୍ତ୍ରଧାରୀ ସଂଘର୍ଷ ନୁହେଁ । ‘ହେ ଭାରତ ! ତୁମେ ଯୁଦ୍ଧ କର’ – ଏହି ବାକ୍ୟ କହି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୌରବ ସେନା ବିରୁଦ୍ଧରେ ଯୁଦ୍ଧ କରିବାକୁ କହୁନାହାନ୍ତି, ବରଂ ନିଜ ଭିତରେ ଉତ୍ପନ୍ନ ହୋଇଥିବା ଦ୍ଵନ୍ଦ, ଭୟ ଓ ଭ୍ରାନ୍ତି ବିରୁଦ୍ଧରେ ଯୁଦ୍ଧ କରିବାକୁ କହୁଛନ୍ତି। ଯଦ୍ୱାରା ସେ ପରାଜୟ ପ୍ରବୃତ୍ତିକୁ ତ୍ୟାଗ କରି ଜୀବନରେ ଆସୁଥିବା ପ୍ରତ୍ୟେକ ଦ୍ଵାନ୍ଦ୍ୱାତ୍ମକ ପରିସ୍ଥିତିଗୁଡିକୁ ନିଷ୍ଠା ପୂର୍ବକ ତଥା ସାହସ, ଧୈର୍ଯ୍ୟର ସହିତ ସମ୍ମୁଖୀନ କରିପାରିବେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ମଣିଷର ଅସ୍ତିତ୍ୱକୁ ଦୁଇଟି ସ୍ତରରେ ବିଭାଜନ କରିଛନ୍ତି – ଦେହ ଓ ଶରୀରୀ (ଦେହଧାରୀ ସତ୍ତା) । ଦେହକୁ “ଅନ୍ତବନ୍ତ” କୁହାଯାଇଛି – ଅର୍ଥାତ୍ ଯାହାର ଅନ୍ତ ଅଛି । ଦାର୍ଶନିକ ଭାବେ ଦେହ କାଳ, ପରିବର୍ତ୍ତନ ଓ କାରଣତାର ନିୟମରେ ବନ୍ଧା । ଯାହା କିଛି ସମୟରେ ଉତ୍ପନ୍ନ ହୁଏ, ସେ କିଛି ସମୟରେ ନଶ୍ୱର ହେବା ଅନିବାର୍ଯ୍ୟ – ଏହା ହେଉଛି ସାର୍ବଭୌମ ଦାର୍ଶନିକ ନୀତି । ଏଠାରେ ଦେହକୁ “ମିଥ୍ୟା” ବୋଲି କୁହାଯାଉନି, କିନ୍ତୁ ଏହାକୁ ପରମ ସତ୍ୟ ମଧ୍ୟ ନୁହେଁ ବୋଲି ସ୍ପଷ୍ଟ କରାଯାଉଛି। ଦେହ ହେଉଛି ଏକ ଉପକରଣ, ଯାହା ମାଧ୍ୟମରେ ସତ୍ତା ଜଗତକୁ ଅନୁଭବ କରେ ।
ଶ୍ଳୋକର ଦ୍ୱିତୀୟ ଭାଗରେ “ନିତ୍ୟସ୍ୟ, ଅନାଶିନଃ, ଅପ୍ରମେୟସ୍ୟ” ଭଳି ଶବ୍ଦ ବ୍ୟବହୃତ । ଏହା ସେଇ ସତ୍ତାକୁ ସୂଚିତ କରେ ଯାହା – କାଳରେ ବନ୍ଧା ନୁହେଁ, ଯାହାକୁ ପରିମାପ କରାଯାଇ ହେବନାହିଁ, ଯିଏ ବିନାଶର ସମ୍ଭାବନାରୁ ମୁକ୍ତ । ଦାର୍ଶନିକ ଭାବେ ଏହି ସତ୍ତାକୁ ଶୁଦ୍ଧ ଚେତନା ବୋଲି ବୁଝାଯାଇପାରେ । ଏହା କୌଣସି ବ୍ୟକ୍ତିଗତ ଆକାର ନୁହେଁ, ବରଂ ସମସ୍ତ ଅନୁଭୂତିର ଆଧାର। କିନ୍ତୁ ମଣିଷ ଦେହକୁ ନିଜ ସତ୍ୟ ସ୍ୱରୂପ ଭାବି ନେଲେ ଶୋକ, ଭୟ ଓ ଆସକ୍ତି ଜନ୍ମ ନିଏ । ଏହି ଭ୍ରାନ୍ତିକୁ ଗୀତା ମୂଳ ଅଜ୍ଞାନ ବୋଲି ଚିହ୍ନଟ କରେ । ଯେତେବେଳେ ଦେହକୁ “ମୁଁ” ବୋଲି ଧରାଯାଏ, ସେତେବେଳେ ମୃତ୍ୟୁକୁ ସର୍ବନାଶ ଭାବି ଭୟ ହୁଏ । କିନ୍ତୁ ଯଦି ସତ୍ତା ନିତ୍ୟ ବୋଲି ବୁଝାଯାଏ, ତେବେ ମୃତ୍ୟୁ ମଧ୍ୟ ଏକ ପରିବର୍ତ୍ତନ ମାତ୍ର ।
ସତ୍ତା ନିତ୍ୟ ବୋଲି ବୁଝିବାର ଅର୍ଥ ଏହା ନୁହେଁ ଯେ କର୍ମ ଅପ୍ରୟୋଜନୀୟ । ବରଂ ଏହି ଜ୍ଞାନ ମଣିଷକୁ ଆସକ୍ତିରୁ ମୁକ୍ତ କରି କର୍ମରେ ସ୍ଥିର କରେ । ଯୁଦ୍ଧ ଏଠାରେ ଏକ ଦାର୍ଶନିକ ପ୍ରତୀକ; ଅଜ୍ଞାନ ବିରୋଧରେ ଜ୍ଞାନର ସଂଘର୍ଷ । ଦେହର ନଶ୍ୱରତା ଓ ସତ୍ତାର ନିତ୍ୟତା ମଧ୍ୟରେ ରହିଥିବା ବିଚାରକ୍ଷମତା ମଣିଷକୁ ଶୋକରୁ ଜ୍ଞାନକୁ, ଭୟରୁ ସ୍ୱାଧୀନତାକୁ ନେଇଯାଏ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
