tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୯ ଶ୍ଳୋକ : ଏବମୁକ୍ତ୍ୱା ହୃଷୀକେଶଂ ଗୁଡାକେଶଃ…

1 min read

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୯ ଶ୍ଳୋକ :

ସଞ୍ଜୟ ଉଵାଚ
ଏବମୁକ୍ତ୍ୱା ହୃଷୀକେଶଂ ଗୁଡାକେଶଃ ପରନ୍ତପ ।
ନ ୟୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ॥

ସଞ୍ଜୟ କହିଲେ – ଗୁଡ଼ାକେଶ (ନିଦ୍ରାକୁ ଜୟ କରିଥିବା ବ୍ୟକ୍ତି) ଏବଂ ପରନ୍ତପ (ଶତ୍ରୁଦମନକାରୀ) ଅର୍ଜୁନ, ହୃଷୀକେଶ (ଇନ୍ଦ୍ରିୟମାନଙ୍କର ନିୟନ୍ତା) ଶ୍ରୀକୃଷ୍ଣଙ୍କୁ “ହେ ଗୋବିନ୍ଦ ! ମୁଁ ଯୁଦ୍ଧ କରିବି ନାହିଁ ” – ଏହା କହି ତାଙ୍କ ସମ୍ମୁଖରେ ନିରବ ହୋଇ ବସି ରହିଲେ ।


ଏହି ଶ୍ଳୋକରେ ଅର୍ଜୁନଙ୍କ ମାନସିକ ସଂକଟ ଏକ ଚୂଡ଼ାନ୍ତ ଅବସ୍ଥାକୁ ପହଞ୍ଚିଛି । ସେ ନିଜ ଯୁକ୍ତି, ଯନ୍ତ୍ରଣା ଓ ଦୁଃଖକୁ କୃଷ୍ଣଙ୍କ ସମ୍ମୁଖରେ ପ୍ରକାଶ କରି ସାରିଛନ୍ତି । ଏବେ ସେ କହୁଛନ୍ତି – “ନ ଯୋତ୍ସ୍ୟ”, ଅର୍ଥାତ୍ ମୁଁ ଯୁଦ୍ଧ କରିବି ନାହିଁ । ଏହା କେବଳ ଯୁଦ୍ଧକୁ ଅସ୍ୱୀକାର କରିବା ନୁହେଁ, ବରଂ ଜୀବନର କଠିନ କର୍ତ୍ତବ୍ୟରୁ ପଳାୟନର ମାନସିକ ଘୋଷଣା ।


ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଅର୍ଜୁନଙ୍କ ନିରବତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ନିରବତା – ମାନସିକ ଅସହାୟତାର ପ୍ରତୀକ, ଅତିରିକ୍ତ ଚିନ୍ତାରେ ନିଷ୍ପତ୍ତି ନେବାର ଅସମର୍ଥତା । ପରିବାର, ସମାଜ କିମ୍ବା କର୍ମକ୍ଷେତ୍ରରେ ମଣିଷ ଯେତେବେଳେ ଭାବନାରେ ଅତ୍ୟଧିକ ଆକ୍ରାନ୍ତ ହୁଏ, ସେ ମଧ୍ୟ ଏଭଳି କହେ – “ମୁଁ ଏହା କରିପାରିବି ନାହିଁ”। ଅର୍ଜୁନ ଏଠାରେ ସମସ୍ତ ପ୍ରତିବଦ୍ଧତାକୁ ଅସ୍ଥାୟୀଭାବେ ତ୍ୟାଗ କରି ନିରବତାକୁ ଆଶ୍ରୟ କରିଛନ୍ତି; ଯାହା ମଣିଷର ସାଧାରଣ ପ୍ରବୃତ୍ତି । ଅନ୍ୟ ପକ୍ଷରେ ଦେଖିଲେ – ଅର୍ଜୁନଙ୍କ ନିରବତା ହେଉଛି, ଶିଷ୍ୟତ୍ୱର ପ୍ରସ୍ତୁତି । ନିଜ ଅହଂକାରୀ ଯୁକ୍ତିର ସମାପ୍ତି । ଦିବ୍ୟ ଜ୍ଞାନ ପ୍ରାପ୍ତିର ପୂର୍ବ ମୁହୂର୍ତ୍ତ । ଏହି ନିରବତା ପରେ ହିଁ ଶ୍ରୀକୃଷ୍ଣ , ତତ୍ତ୍ୱଜ୍ଞାନ ଦେବାକୁ ଆରମ୍ଭ କରିଛନ୍ତି ।


ସମାଜରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଭୂମିକାରେ ଅବସ୍ଥିତ – ଶିକ୍ଷକ, କର୍ମଚାରୀ, ନେତା, କିମ୍ବା ସାଧାରଣ ନାଗରିକ। ଅର୍ଜୁନଙ୍କ “ନ ଯୋତ୍ସ୍ୟ” ମନୋଭାବ ସେହି ସମୟର ପ୍ରତୀକ, ଯେତେବେଳେ ମଣିଷ ସାମାଜିକ ଅନ୍ୟାୟ, ଅନୀତି ଓ ଅବ୍ୟବସ୍ଥାକୁ ଦେଖି ମଧ୍ୟ ନିରବ ରହିବାକୁ ପସନ୍ଦ କରେ । ନିରବତା ଏଠାରେ ଶାନ୍ତିର ନୁହେଁ, ବରଂ ଦାୟିତ୍ୱରୁ ପଳାୟନର ପ୍ରତୀକ । ଏହା ଦ୍ୱାରା ସମାଜରେ ଅନ୍ୟାୟ ଦୃଢ଼ ହୁଏ ଓ ସତ୍ୟ ପଛକୁ ହଟିଯାଏ ।


ଶ୍ରୀମଦ୍‌ଭଗବଦ୍‌ଗୀତାର ଦ୍ୱିତୀୟ ଅଧ୍ୟାୟର ନବମ ଶ୍ଳୋକ ତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଅର୍ଜୁନ ନିଜ ଦୁଃଖ, ଭୟ ଓ ଯୁକ୍ତିକୁ କୃଷ୍ଣଙ୍କ ସମ୍ମୁଖରେ ପ୍ରକାଶ କରି ସାରିଛନ୍ତି । “ନ ଯୋତ୍ସ୍ୟ ଇତି”- ମୁଁ ଯୁଦ୍ଧ କରିବି ନାହିଁ – ଏହା କେବଳ ଯୁଦ୍ଧକ୍ଷେତ୍ରରେ ଜଣେ କ୍ଷତ୍ରୀୟର ଦ୍ୱନ୍ଦ୍ୱ ନୁହେଁ, ବରଂ ପ୍ରତ୍ୟେକ ମଣିଷର ଅସ୍ତିତ୍ୱମୂଳକ ସଂକଟର ଏକ ଦାର୍ଶନିକ ଘୋଷଣା । ଏହି ଶ୍ଳୋକର ମୁଖ୍ୟ ଦାର୍ଶନିକ ଅର୍ଥ ହେଉଛି – ଅହଂକାର ଭିତ୍ତିକ ନିଷ୍ପତ୍ତିର ଅସମର୍ଥତା । ଅର୍ଜୁନ “ମୁଁ” ଉପରେ ଭରସା କରି ନିଷ୍ପତ୍ତି ନେଉଛନ୍ତି – ମୋ ଭାବନା, ମୋ ନୀତି, ମୋ ଦୟା । କିନ୍ତୁ ଗୀତାର ଦାର୍ଶନିକ ମାର୍ଗରେ ଏହି “ମୁଁ” ହିଁ ଦୁଃଖର ମୂଳ । ଯେପର୍ଯ୍ୟନ୍ତ ନିଷ୍ପତ୍ତି ଅହଂକାରରୁ ଉଦ୍‌ଭୂତ, ସେପର୍ଯ୍ୟନ୍ତ ସେହି ନିଷ୍ପତ୍ତି ଅପୂର୍ଣ୍ଣ ।


“ତୂଷ୍ଣୀଂ ବଭୂବ”- ଅର୍ଜୁନଙ୍କ ନିରବତା ଦାର୍ଶନିକ ଭାବେ ଅତ୍ୟନ୍ତ ଗଭୀର । ଏହି ନିରବତା ହେଉଛି ମଣିଷର ନିଜ ବୁଦ୍ଧିର ସୀମାକୁ ସ୍ୱୀକାର କରିବା । ଯେତେବେଳେ ବୁଦ୍ଧି ଓ ତର୍କ ଅସଫଳ ହୁଏ, ସେତେବେଳେ ନିରବତା ଜନ୍ମ ନେଇଥାଏ । ଏହି ନିରବତା ହେଉଛି ଜ୍ଞାନର ପ୍ରାରମ୍ଭିକ ଭୂମି । ମଣିଷ ଯେତେବେଳେ ନିଜ ଜୀବନର ଅର୍ଥ, କର୍ତ୍ତବ୍ୟ ଓ ନୀତି ନେଇ ଅସ୍ପଷ୍ଟ ହୁଏ, ସେ “ନ ଯୋତ୍ସ୍ୟ” ଭଳି ଅବସ୍ଥାକୁ ପହଞ୍ଚେ । ଏହି ସଂକଟକୁ ଗୀତା ଅସ୍ୱୀକାର କରେ ନାହିଁ; ବରଂ ଏହାକୁ ଜ୍ଞାନର ଦ୍ୱାର ଭାବେ ଗ୍ରହଣ କରେ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply