ଶ୍ରୀମଦ୍ ଭଗବଦ୍ ଗୀତା ୧: ୪୫ ଶ୍ଳୋକ : ଅହୋ ବତ ମହତ୍ ପାପଂ..
1 min read
ଅହୋ ବତ ମହତ୍ ପାପଂ କର୍ତୁଂ ବ୍ୟବସିତା ବୟମ୍ ।
ଯଦ୍ ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ଵଜନମୁଦ୍ୟତାଃ ॥
ଅର୍ଜୁନ କହୁଛନ୍ତି – “ହାୟ ! ଏହା କେତେ ଆଶ୍ଚର୍ଯ୍ୟର କଥା ଯେ, ଆମେ ରାଜ୍ୟ ଓ ସୁଖର ଲୋଭରେ ପଡ଼ି କେତେ ବଡ଼ ପାପ କରିବାକୁ ଯାଉଛୁ । ଏପରିକି ଆମେ ନିଜ ଆତ୍ମୀୟ, ସ୍ଵଜନମାନଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହୋଇଯାଇଛୁ ।”
ଏହି ଶ୍ଳୋକରେ ଅର୍ଜୁନଙ୍କର ନୈତିକ ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ଭାବେ ପ୍ରକାଶିତ । ଯୁଦ୍ଧ ଧର୍ମସଙ୍ଗତ ହେଲେ ମଧ୍ୟ, ନିଜ ଲୋକଙ୍କୁ ହତ୍ୟା କରି ରାଜ୍ୟସୁଖ ଲାଭ କରିବାକୁ ସେ ପାପ ରୂପେ ବିବେଚନା କରୁଛନ୍ତି । ଅର୍ଜୁନ ଏଠାରେ ସ୍ୱୀକାର କରୁଛନ୍ତି ଯେ, ଲୋଭ (ରାଜ୍ୟସୁଖଲୋଭ) ମନୁଷ୍ୟକୁ ଅନ୍ଧ କରିଦିଏ । ଲୋଭ ଯଦି ମୂଲ୍ୟବୋଧକୁ ଆଛାଦିତ କରେ, ତେବେ ମନୁଷ୍ୟ ନିଜ ସ୍ଵଜନଙ୍କ ବିରୋଧରେ ମଧ୍ୟ ଦଣ୍ଡାୟମାନ ହୋଇଯାଏ । ଅର୍ଜୁନ ଯୁଦ୍ଧକୁ ଏକ ପାପମୟ କାର୍ଯ୍ୟ ଭାବେ ଧାରଣା କରି ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ତାଙ୍କ ମତରେ ସ୍ଵାର୍ଥ, ସତ୍ତା ଓ ସୁଖ ପାଇଁ ଯଦି ସମ୍ପର୍କ, ମୂଲ୍ୟବୋଧ ଓ ମାନବିକତା ବଳି ଦିଆଯାଏ, ସେଥିରେ ଧ୍ୱଂସ ନିହିତ ଥାଏ । ଅର୍ଜୁନ କହୁଛନ୍ତି, ରାଜ୍ୟସୁଖର ଲୋଭରେ ପଡ଼ି ନିଜ ସ୍ଵଜନଙ୍କୁ ହତ୍ୟା କରିବା ମହାପାପ । ଏଠାରେ “ରାଜ୍ୟ” କେବଳ ଏକ ସିଂହାସନ ନୁହେଁ; ଏହା ଶକ୍ତି, ସତ୍ତା, ସୁଖ ଓ ଆଧିପତ୍ୟର ପ୍ରତୀକ ।
ଆଧୁନିକ ପରିବାରରେ ଉତ୍ତରାଧିକାର, ସମ୍ପତ୍ତି, ପଦବୀ ବା ଅର୍ଥସମ୍ପତ୍ତି ପାଇଁ ଭାଇ-ଭାଇ, ପିତା-ପୁତ୍ର, ଭଉଣୀ-ଭାଇ ମଧ୍ୟରେ ବିରୋଧ ପ୍ରାୟତଃ ଦେଖିବାକୁ ମିଳେ । ଏହି ପରିସ୍ଥିତିରେ “ହନ୍ତୁଂ ସ୍ଵଜନମୁଦ୍ୟତାଃ” ପଦଟି ଆଜି ରକ୍ତପାତରେ ନ ହେଲେ ମଧ୍ୟ, ମାନସିକ ହିଂସା, ସମ୍ପର୍କ ବିଚ୍ଛେଦ ଓ ଆତ୍ମୀୟତାର ମୃତ୍ୟୁ ରୂପେ ପ୍ରକାଶ ପାଉଛି । ଗୀତା ଏଠାରେ ସତର୍କ କରୁଛି – ଲୋଭ ଯଦି ପରିବାରକୁ ଆକ୍ରାନ୍ତ କରେ, ସେଠାରେ ଶାନ୍ତି ରହେନାହିଁ ।
ଆଧୁନିକ ସମାଜରେ ଯେ କୌଣସି ଉପାୟରେ ସଫଳତା, ପ୍ରତିଷ୍ଠା ଓ ଭୋଗବାଦ ମୁଖ୍ୟତଃ ସମସ୍ତଙ୍କର ଲକ୍ଷ୍ୟ ହୋଇଯାଇଛି । ଏହି ଦୌଡ଼ରେ ମନୁଷ୍ୟ ଧୀରେଧୀରେ ସହାନୁଭୂତି, ନ୍ୟାୟ ଓ ନୈତିକତାକୁ ହରାଇ ଯାଉଛି । ଲୋଭ ଓ ପ୍ରତିଯୋଗିତା ସମାଜକୁ ବିଭକ୍ତ କରୁଛି; ଯେଉଁଠାରେ ସମ୍ପର୍କ ଠାରୁ ଲାଭ ଅଧିକ ମୂଲ୍ୟବାନ ହୋଇଯାଉଛି । ଏହାର ପରିଣାମ ସ୍ୱରୂପ ଲୋଭ ବୃଦ୍ଧି, ନୈତିକତାର ଅବକ୍ଷୟ ଏବଂ ସମ୍ପର୍କରେ ସ୍ଵାର୍ଥପୂର୍ଣ୍ଣ ଆଚରଣ ସମାଜରେ ଦେଖିବାକୁ ମିଳୁଅଛି । ଅର୍ଜୁନଙ୍କ ଭୟ ଆଜି ଏହି ପ୍ରଶ୍ନ ସୃଷ୍ଟି କରୁଛି – “ଆମେ ସଫଳତା ପାଇଁ କ’ଣ ମାନବିକତାକୁ ବଳି ଦେବା ଉଚିତ ?”
ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଅର୍ଜୁନଙ୍କ ଉକ୍ତି ଏକ ଗଭୀର ଆତ୍ମଗ୍ଲାନିର ପ୍ରକାଶ । ଆଧୁନିକ ମନୁଷ୍ୟ ମଧ୍ୟ; ସଫଳତା ପରେ ଶୂନ୍ୟତା, ଅପରାଧବୋଧ, ଅଶାନ୍ତି ଆଦି ମାନସିକ ଯନ୍ତ୍ରଣା ଭୋଗୁଛି, କାରଣ ସେ ମୂଲ୍ୟବୋଧକୁ ଅଗ୍ରାହ୍ୟ କରିସାରିଛି । ସୁଖ, ସତ୍ତା ବା ସଫଳତା ଯଦି ନିଜ ସମ୍ପର୍କ, ଧର୍ମ ଓ ମାନବିକତାର ମୂଲ୍ୟ ବିନିମୟରେ ମିଳେ, ତେବେ ସେ ସୁଖ ଶେଷରେ ଦୁଃଖର କାରଣ ହୁଏ । ଲୋଭ, ସ୍ୱାର୍ଥ ଓ ସତ୍ତା ଯଦି ମାନବିକତା, ସମ୍ପର୍କ ଓ ଧର୍ମକୁ ଅତିକ୍ରମ କରେ, ତେବେ ସେଥିରୁ କେବଳ ପାପ, ଅଶାନ୍ତି ଓ ପତନ ଜନ୍ମ ନିଏ । ଅର୍ଜୁନଙ୍କ ଦ୍ୱନ୍ଦ୍ୱ ଆଜି ଆମ ସମସ୍ତଙ୍କର ଦ୍ୱନ୍ଦ୍ୱ ଏବଂ ଗୀତା ସେଇ ଦ୍ୱନ୍ଦ୍ୱରେ ନୈତିକ ପଥ ଦେଖାଏ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
