ଶ୍ରୀମଦ୍ ଭଗବଦ୍ ଗୀତା ୧: ୪୩ ଶ୍ଳୋକ : ଦୋଷୈରେତୈଃ କୁଲଘ୍ନାନାଂ…
1 min read
Oplus_16908288
ଦୋଷୈରେତୈଃ କୁଲଘ୍ନାନାଂ ବର୍ଣ୍ଣସଂକରକାରକୈଃ ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଲଧର୍ମାଶ୍ଚ ଶାଶ୍ୱତାଃ ॥
ଏହି କୁଳନାଶକ କର୍ମଜନିତ ଦୋଷ ଦ୍ୱାରା ବର୍ଣ୍ଣଶଙ୍କର ସୃଷ୍ଟି ହୁଅନ୍ତି, ଫଳସ୍ୱରୂପ ଶାଶ୍ୱତ କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ।
ଏହି ଶ୍ଳୋକରେ ଅର୍ଜୁନ ଯୁଦ୍ଧର ଭୟାବହ ସାମାଜିକ ପରିଣାମ ସମ୍ପର୍କରେ ଗଭୀର ଚିନ୍ତା ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ, ଯୁଦ୍ଧରେ କୁଳର ପୁରୁଷମାନେ ନଷ୍ଟ ହୋଇଗଲେ ସମାଜର ନୀତିଗତ ଆଧାର ଭାଙ୍ଗିଯାଏ । ଏହାର ପରିଣାମରେ ବର୍ଣ୍ଣଶଙ୍କର ଅର୍ଥାତ୍ ସାମାଜିକ ଶୃଙ୍ଖଳାର ଅସ୍ଥିରତା ସୃଷ୍ଟି ହୁଏ । ଅର୍ଜୁନଙ୍କ ଦୃଷ୍ଟିରେ, କୁଳଧର୍ମ (ପରିବାର ଭିତ୍ତିକ ନୀତି, ଆଚାର) ଓ ଜାତିଧର୍ମ (ସାମାଜିକ ଦାୟିତ୍ୱ, ପରମ୍ପରା) ହେଉଛି ସମାଜର ନୀତିଗତ ମୂଳସ୍ତମ୍ଭ । ଏହି ଧର୍ମଗୁଡ଼ିକ ନଷ୍ଟ ହେଲେ, ମାନବ ସମାଜ ଅନୈତିକତା, ଅବ୍ୟବସ୍ଥା ଓ ଅନ୍ୟାୟରେ ଡୁବିଯାଏ । ଏହି ଶ୍ଳୋକ ମାଧ୍ୟମରେ ଅର୍ଜୁନ କେବଳ ନିଜ ପରିବାର ନୁହେଁ, ସମଗ୍ର ସମାଜ ଓ ଭବିଷ୍ୟତ ପିଢ଼ି ପ୍ରତି ଦାୟିତ୍ୱବୋଧ ପ୍ରକାଶ କରୁଛନ୍ତି । ତାଙ୍କର ଭୟ; ଯୁଦ୍ଧ ଜିତିଲେ ମଧ୍ୟ, ଯଦି ଧର୍ମ ନଷ୍ଟ ହୋଇଯାଏ, ତେବେ ସେହି ବିଜୟର କୌଣସି ନୀତିଗତ ମୂଲ୍ୟ ରହିବ ନାହିଁ । ଆଜିର ସମାଜରେ ମଧ୍ୟ ଯଦି ପାରିବାରିକ ମୂଲ୍ୟ, ସାମାଜିକ ଦାୟିତ୍ୱ ଓ ନୀତିଗତ ଶିକ୍ଷା ଅବହେଳିତ ହୁଏ, ତେବେ ସମାଜରେ ଅସ୍ଥିରତା, ଅନୈତିକତା ଓ ସଂଘର୍ଷ ବୃଦ୍ଧି ପାଏ – ଏହି ସତ୍ୟକୁ ଏହି ଶ୍ଳୋକ ଗଭୀର ଭାବେ ଉପସ୍ଥାପନ କରିଅଛି ।
ଭାରତୀୟ ଦାର୍ଶନିକ ପରମ୍ପରାରେ ଧର୍ମ କେବଳ ଧାର୍ମିକ ଆଚାର ନୁହେଁ; ଏହା ଜୀବନର ନୀତିଗତ ସମତୁଳନ । କୁଳଧର୍ମ ଓ ଜାତିଧର୍ମ ହେଉଛି ସେହି ଦୃଶ୍ୟମାନ ମାଧ୍ୟମ, ଯାହା ଦ୍ୱାରା ଧର୍ମ ପିଢ଼ିରୁ ପିଢ଼ିକୁ ସଂଚାରିତ ହୁଏ । ଅର୍ଜୁନ ଭାବୁଛନ୍ତି; “ଯଦି ଏହି ଯୁଦ୍ଧ ଧର୍ମର ମୂଳକୁ ଧ୍ୱଂସ କରିଦିଏ, ତେବେ ଧର୍ମର ନାମରେ ଯୁଦ୍ଧ କରିବାର ଅର୍ଥ କଣ?” ଏହା ଧର୍ମ ଓ କର୍ତ୍ତବ୍ୟ ମଧ୍ୟରେ ଗଭୀର ଦାର୍ଶନିକ ଦ୍ୱନ୍ଦ୍ୱ । ସମାଜର ଗଠନ ପରିବାର ଉପରେ ନିର୍ଭର କରେ । ପରିବାର ନଷ୍ଟ ହେଲେ; ନୀତିଶିକ୍ଷା ଖଣ୍ଡିତ ହୁଏ, ପରମ୍ପରା ଓ ଆଚାର ଲୁପ୍ତ ହୁଏ, ସାମାଜିକ ଶୃଙ୍ଖଳା ଭାଙ୍ଗିଯାଏ ।
ଅର୍ଜୁନଙ୍କ “ବର୍ଣ୍ଣଶଙ୍କର” ଭୟକୁ ଆଧୁନିକ ଭାଷାରେ “ମୂଲ୍ୟବୋଧର ସଂକଟ” କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ଯେପରି ପାରିବାରିକ ବିଖଣ୍ଡନ, ସଂସ୍କାରହୀନ ଶିକ୍ଷା, ନୀତିହୀନ ଆକାଂକ୍ଷା ସମାଜକୁ ଅସ୍ଥିର କରୁଛି;ଏହାର ପୂର୍ବାଭାସ ଏହି ଶ୍ଳୋକରେ ଦେଖିବାକୁ ମିଳେ ।
ସେହିପରି ରାଜନୀତି ଯେତେବେଳେ ନୀତିରୁ ବିଚ୍ଛିନ୍ନ ହୁଏ, ସେତେବେଳେ ସମାଜର ମୂଳ ଢାଞ୍ଚା ଭାଙ୍ଗିପଡ଼େ । ଅର୍ଜୁନ ଏଠାରେ ଯୁଦ୍ଧକୁ କେବଳ ସତ୍ତା ସଂଘର୍ଷ ଭାବେ ନୁହେଁ, ସାମାଜିକ ବିନାଶର ଅୟମାରମ୍ଭ ଭାବେ ଦେଖୁଛନ୍ତି । ଏହି ଶ୍ଳୋକ ରାଜନେତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦିଏ – “ସତ୍ତା ଲାଗି ସମାଜର ନୀତିକ ଆଧାରକୁ ବଳିଦାନ ଦିଅ ନାହିଁ ।”
ଅର୍ଜୁନଙ୍କ ଦୃଷ୍ଟିରେ କୁଳଧର୍ମ ଅର୍ଥ କେବଳ ବଂଶ ପରିଚୟ ନୁହେଁ; ଏହା ହେଉଛି ପରିବାର ମାଧ୍ୟମରେ ମିଳୁଥିବା ସଂସ୍କାର, ନୀତି, ଆଚରଣ ଶିକ୍ଷା, ଓ ଜୀବନର ମୂଲ୍ୟବୋଧ । ପିତା–ମାତା, ବୃଦ୍ଧ–ଯୁବକ, ଗୁରୁ–ଶିଷ୍ୟ – ଏହି ସମ୍ପର୍କଗୁଡ଼ିକ ଧର୍ମକୁ ଜୀବନ୍ତ କରେ। ଯୁଦ୍ଧରେ ପରିବାର ନଷ୍ଟ ହେଲେ, ଏହି ଶିକ୍ଷାର ସ୍ରୋତ ଶୁଷ୍କ ହୋଇଯିବ । ଅର୍ଜୁନଙ୍କ ଆଶଙ୍କା ଯୁଦ୍ଧ ପରେ ପିଲାମାନେ ପିତୃହୀନ ହୋଇଯିବେ । ପରିବାରର ନିର୍ଦ୍ଦେଶକ ହରାଇବେ, ନୀତିର ସୀମା ଅସ୍ପଷ୍ଟ ହେବ । ପରିବାରରେ ପିତା କେବଳ ଜନକ ନୁହେଁ, ସେ ହେଉଛନ୍ତି ନୀତିର ଆଦର୍ଶ । ତାଙ୍କ ଅଭାବରେ ପରିବାର ଭିତରେ ଅସ୍ଥିରତା, ଅନୁଶାସନହୀନତା ଓ ଅସୁରକ୍ଷା ପାଇବ । ଶିଶୁ ପାଳନ, ସଂସ୍କାର ଦାନ ଓ ପରିବାର ରକ୍ଷା ଆଦି ସମସ୍ତ ଭାର ମାତାଙ୍କ ଉପରେ ପଡିବ । ସମାଜିକ ସୁରକ୍ଷା ବିନା, ଏହା ମାତୃ ମନକୁ ଅତ୍ୟଧିକ ଚାପ ଦେବ, ଯଦ୍ଦ୍ଵାରା ପାରିବାରିକ ଧର୍ମରେ ଦୁର୍ବଳତା ଦେଖାଯିବ । ପରିବାରରେ ବୃଦ୍ଧମାନେ ହେଉଛନ୍ତି, ପରମ୍ପରାର ଧାରକ, ସ୍ମୃତିର ରକ୍ଷକ ଓ ଧର୍ମର ସଜୀବ ପୁସ୍ତକ । ଯୁଦ୍ଧ ଯଦି ତାଙ୍କୁ ଏକାକୀ କରିଦିଏ, ବୃଦ୍ଧମାନେ ଯଦି ଅନାଥ ଓ ଅବହେଳିତ ହୋଇଯିବେ, ତେବେ କୁଳଧର୍ମ ସ୍ୱାଭାବିକ ଭାବରେ ଲୁପ୍ତ ହୋଇଯିବ ।
ଅର୍ଜୁନ କହୁଛନ୍ତି ଯେ, ଏହି ଯୁଦ୍ଧ ଦ୍ୱାରା ସୃଷ୍ଟ “ଦୋଷ” କେବଳ ହତ୍ୟାର ପାପରେ ସୀମିତ ନୁହେଁ; ଏହାର ପରିଣାମ ସମାଜର ମୂଳ ଆଧାରକୁ ଧ୍ୱଂସ କରିଦେବ । କୁଳଘ୍ନ କର୍ମ – ଅର୍ଥାତ୍ ନିଜ କୁଳର ପୁରୁଷମାନଙ୍କୁ ବିନାଶ କରିବା ଫଳରେ “ବର୍ଣ୍ଣଶଙ୍କର” ଘଟେ । ଏଠାରେ ବର୍ଣ୍ଣଶଙ୍କରର ଅର୍ଥ କେବଳ ଜନ୍ମଗତ ବିଭ୍ରାଟ ନୁହେଁ; ଏହା ହେଉଛି ନୀତି, ସଂସ୍କାର ଓ ଦାୟିତ୍ୱର ଅସ୍ଥିର ମିଶ୍ରଣ, ଯାହା ସମାଜକୁ ଦିଗଭ୍ରମିତ କରେ । ଏହି ଅବସ୍ଥାରେ “ଜାତିଧର୍ମ” ଓ “କୁଳଧର୍ମ”, ଯାହା ଦୀର୍ଘକାଳ ଧରି ପରମ୍ପରାରେ ପୋଷିତ, ତାହା ନଷ୍ଟ ହୋଇଯାଏ । କୁଳଧର୍ମ ମାନେ ପରିବାର ମଧ୍ୟରେ ଚାଲିଆସୁଥିବା ନୀତି, ଆଚାର, ଆତ୍ମସଂଯମ ଓ ଦାୟିତ୍ୱବୋଧ; ଜାତିଧର୍ମ ମାନେ ସମାଜ ପ୍ରତି ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଓ ସାମୁହିକ ନୀତି । ଏହି ଦୁଇଟି ଧର୍ମ ଶାଶ୍ୱତ, କାରଣ ସେମାନେ ସମାଜର ନୀତିଗତ ଶିରାରେ ରକ୍ତସ୍ରୋତ ପରି ପ୍ରବାହିତ । ଆଧୁନିକ ପରିବାରରେ ମଧ୍ୟ ଯୁଦ୍ଧ ନୁହେଁ, ଅତ୍ୟଧିକ ଆକାଂକ୍ଷା, ଅର୍ଥନୈତିକ ପ୍ରତିସ୍ପର୍ଧା ଓ ମୂଲ୍ୟହୀନ ଜୀବନଶୈଳୀ, ପରିବାରକୁ ଭାଙ୍ଗୁଛି ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
