ଶ୍ରୀମଦ୍ ଭଗବଦ୍ ଗୀତା ୧: ୩୧ ଶ୍ଳୋକ :ନିମିତ୍ତାନି ଚ ପଶ୍ୟାମି..
1 min read
ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ।
ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ॥
- ଅର୍ଜୁନ କହୁଛନ୍ତି, ହେ କୃଷ୍ଣ ! ମୁଁ ସବୁ ଶକୁନ ଗୁଡିକୁ ମଧ୍ୟ ବିପରୀତ ଦେଖୁଛି ଏବଂ ଯୁଦ୍ଧରେ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ମୁଁ କୌଣସି ଶ୍ରେୟ (ମଙ୍ଗଳ) ଦେଖୁନାହିଁ ।
ଏହି ଶ୍ଳୋକରେ ଅର୍ଜୁନଙ୍କ ମନ ଗଭୀର ନୈତିକ ସଂକଟ ମଧ୍ୟରେ ପଡିଯାଇଛି । ତାଙ୍କ ଦୃଷ୍ଟିରେ – ବିଜୟ ଅର୍ଥହୀନ, ଯଦି ତାହାର ମୂଲ୍ୟ ହେଉଛି ନିଜ ଆତ୍ମୀୟଙ୍କ ରକ୍ତ । ରାଜ୍ୟ ନିରର୍ଥକ, ଯଦି ତାହା ଶୂନ୍ୟ ହୃଦୟ ଉପରେ ସ୍ଥାପିତ ହୁଏ । ସୁଖ ଅସତ୍ୟ, ଯଦି ତାହା ଦୁଃଖର ଉତ୍ପତ୍ତି ସ୍ଥଳ ହୁଏ । - ଏହି ଶ୍ଳୋକ ମନୁଷ୍ୟର ଆନ୍ତରିକ ଦ୍ୱନ୍ଦ୍ୱର ଅତ୍ୟନ୍ତ ସ୍ପଷ୍ଟ ଉଦାହରଣ । ନିଜ ଆତ୍ମୀୟଙ୍କ ସହ ଯୁଦ୍ଧ କରିବାକୁ ଅର୍ଜୁନ ନିଜକୁ ଦୋଷୀ ବୋଲି ମନେ କରୁଛନ୍ତି । ଯୁଦ୍ଧର ଭୟାବହ ଫଳାଫଳର ଭୟ ତାଙ୍କୁ ଆବୃତ କରିଛି । ଏହା ଆଧୁନିକ ମନୁଷ୍ୟଙ୍କ ମନସ୍ଥିତି ସହ ସମ୍ପୂର୍ଣ୍ଣ ମେଳ ଖାଏ – ଯେତେବେଳେ ଆମେ କହୁ – “ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ମୋ’ର ସଫଳତା ଲୋଡ଼ା ନାହିଁ ।” ଆଜିର ଜୀବନରେ, ଅନ୍ୟାୟ ଉପାୟରେ ସଫଳତା ହାସଲ କରିବା, କିମ୍ବା ପରିବାର ବା ସମ୍ପର୍କ ଭାଙ୍ଗି ଉନ୍ନତି ହାସଲ କଲାବେଳେ ମଧ୍ୟ କେତେକ ବ୍ୟକ୍ତିଙ୍କର ମନରେ ଅର୍ଜୁନଙ୍କ ଭାବନା ଜାଗେ । କାରଣ, ନୀତିହୀନ ବିଜୟ ହେଉଛି ପରାଜୟ ଏବଂ ଧର୍ମ ବିହୀନ ସୁଖ ଦୀର୍ଘକାଳୀନ ନୁହେଁ ।
- ଶ୍ରୀମଦ୍ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟର ୩୧ତମ ଶ୍ଳୋକ ମାନବ ଜୀବନର ଏକ ଗଭୀର ସତ୍ୟକୁ ଉଜାଗର କରେ । ଅର୍ଜୁନ କୃଷ୍ଣଙ୍କୁ କହୁଛନ୍ତି – ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ମୋତେ ବିଜୟ, ରାଜ୍ୟ କିମ୍ବା ସୁଖ କୌଣସି ମଙ୍ଗଳ ଦେଖାଯାଉନାହିଁ । ଏହି ଉକ୍ତି କେବଳ ଯୁଦ୍ଧକ୍ଷେତ୍ରର ଭାବୁକ ଉଚ୍ଚାରଣ ନୁହେଁ, ବରଂ ଏହା ରାଜନୀତି, ପରିବାର ଓ ସମାଜରେ ଚାଲୁଥିବା ନୀତିଗତ ଦ୍ୱନ୍ଦ୍ୱର ଦର୍ପଣ । ପରିବାର ମାନବ ସମାଜର ମୂଳ ଆଧାର । କିନ୍ତୁ ସ୍ୱାର୍ଥ, ସମ୍ପତ୍ତି, ଆତ୍ମସ୍ଥାପନା ପାଇଁ ପରିବାର ଭିତରେ ଦ୍ୱନ୍ଦ୍ୱ ଦେଖାଯାଏ। ପରିବାରକୁ ଧ୍ୱଂସ କରି ପାଇଥିବା ସଫଳତା କେବଳ ବାହ୍ୟ ସଫଳତା, ଆନ୍ତରିକ ଶାନ୍ତି ନୁହେଁ ।
- ଆଜି ଯେତେବେଳେ ଭାଇ-ଭାଇ, ଭଉଣୀ-ଭାଇ ଅଦାଲତରେ ମୁହାଁମୁହିଁ, ସେଠାରେ ଗୀତାର ଏହି ଶ୍ଳୋକ ପ୍ରଶ୍ନ କରେ -“ଏହି ବିଜୟ କାହା ପାଇଁ?”
- ସମାଜ କେବଳ ବ୍ୟକ୍ତିମାନଙ୍କ ସମୂହ ନୁହେଁ; ଏହା ନୀତି, ମୂଲ୍ୟବୋଧ ଓ ସମ୍ବେଦନାର ଗଠନ । ଯେତେବେଳେ ସମାଜ ସଫଳତାକୁ କେବଳ ଫଳାଫଳରେ ମାପେ, ଉପାୟକୁ ଅଣଦେଖା କରେ, ସେଠାରେ ନୀତିର ଅବକ୍ଷୟ ହୁଏ । ଅର୍ଜୁନଙ୍କ ଉକ୍ତି ସମାଜକୁ ସ୍ମରଣ କରାଏ – ସୁଖ ଓ ସମୃଦ୍ଧି ସେତେବେଳେ ହିଁ ସାର୍ଥକ ହୁଏ, ଯେତେବେଳେ ତାହା ନ୍ୟାୟ ଓ କରୁଣା ଉପରେ ଆଧାରିତ ହୋଇଥାଏ । ରାଜନୀତିରେ ଶକ୍ତି, ପରିବାରରେ ସଫଳତା ଓ ସମାଜରେ ଉନ୍ନତି, ଯଦି ନୀତି ଓ ମାନବିକତାକୁ ଅନୁସରଣ ନ କରେ, ତେବେ ତାହା ଅର୍ଥହୀନ ହୋଇଯାଏ ।
ଗୀତାର ଏହି ଶ୍ଳୋକ ମାନବ ମନର ଏକ ଗଭୀର ଅବସ୍ଥାକୁ ପ୍ରକାଶ କରେ – ଯେଉଁଠାରେ ବୁଦ୍ଧି, ଭାବନା ଓ ନୀତି ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଅର୍ଜୁନ ଯେଉଁ ମନୋସ୍ଥିତିରେ ଅଛନ୍ତି, ସେହି ଅବସ୍ଥା ଆଧୁନିକ ମନୋବିଜ୍ଞାନର ଅନେକ ସିଦ୍ଧାନ୍ତ ସହ ମେଳ ଖାଏ । ଅର୍ଜୁନଙ୍କ ମନରେ ଦୁଇଟି ବିପରୀତ ଶକ୍ତି କାର୍ଯ୍ୟ କରୁଛି – କ୍ଷତ୍ରିୟ ଧର୍ମ ଓ କର୍ତ୍ତବ୍ୟ ଏବଂ ପାରିବାରିକ ସମ୍ବେଦନଶୀଳତା ଓ ମମତା । ଏହି ଦ୍ୱନ୍ଦ୍ୱ ମନକୁ ନିଷ୍ପତ୍ତିହୀନ କରିଦିଏ । ଅର୍ଜୁନ ଏପର୍ଯ୍ୟନ୍ତ ଯୁଦ୍ଧ କରିନାହାନ୍ତି, କିନ୍ତୁ କର୍ମ ପୂର୍ବରୁ ଫଳାଫଳ ଚିନ୍ତାକରି ପଶ୍ଚାତାପ ଅନୁଭବ କରୁଛନ୍ତି । ଅର୍ଜୁନ କହୁଛନ୍ତି – ବିଜୟ, ରାଜ୍ୟ, ସୁଖ ମୋତେ ଲୋଡ଼ା ନାହିଁ । ଏହା ଆଦର୍ଶ ତ୍ୟାଗ ନୁହେଁ; ଏହା ହେଉଛି ଭୟଜନିତ ତ୍ୟାଗ । ଅର୍ଜୁନଙ୍କ ବିଚାର ଯୁକ୍ତି ନୁହେଁ, ଭାବନା ଦ୍ୱାରା ପରିଚାଳିତ । ଭୟ, ମମତା, ଦୁଃଖ ତାଙ୍କର ଭାବନା ବୁଦ୍ଧିକୁ ଆଚ୍ଛାଦିତ କରିଦେଇଛି । “ନ ଶ୍ରେୟୋଽନୁପଶ୍ୟାମି” – ମୋତେ କୌଣସି ମଙ୍ଗଳ ଦେଖାଯାଉନାହିଁ । ଏହା ମନୁଷ୍ୟର ଜୀବନ ପ୍ରକ୍ରିୟାରେ ଏକ ଶୂନ୍ୟସ୍ଥାନ ସଦୃଶ – ଯେତେବେଳେ ସମସ୍ତ କାର୍ଯ୍ୟ ଓ ଲକ୍ଷ୍ୟ ଅର୍ଥହୀନ ଲାଗେ । ଆଜିର ମଣିଷର ଉଚ୍ଚ ପଦ ମିଳିଲେ ମଧ୍ୟ ଅସନ୍ତୋଷ, ସଫଳତା ପରେ ଶୂନ୍ୟତା, ନୀତିଗତ ମୂଲ୍ୟ ବଦଳରେ ସଫଳତା ହାସଲ – ଏହି ସମସ୍ତ ଅବସ୍ଥା ଅର୍ଜୁନଙ୍କ ମନୋସ୍ଥିତି ସହ ମେଳ ଖାଏ । ଏହି ମନୋସଂକଟର ସମାଧାନ କେବଳ ଗୀତା ହିଁ କରିପାରେ ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
