ଶ୍ରୀମଦ୍ ଭଗବଦ୍ ଗୀତା ୧: ୩୦ ଶ୍ଳୋକ :ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ ତ୍ୱକ…
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୧: ୩୦ ଶ୍ଳୋକ :
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ ତ୍ୱକ ଚୈବ ପରିଦହ୍ୟତେ ।
ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ॥
ଅର୍ଜୁନ କହୁଛନ୍ତି – ମୋ ହାତରୁ ଗାଣ୍ଡୀବ ଧନୁଷ ଖସିଯାଉଛି, ମୋ ଚର୍ମ ଜ୍ୱଳନ କରୁଛି, ମୁଁ ଏକ ସ୍ଥାନରେ ଦଣ୍ଡାୟମାନ ହୋଇ ପାରୁନି, ମୋ ମନ ମଧ୍ୟ ଭ୍ରମିତ ହେଉଛି ।
ଏହି ଶ୍ଳୋକରେ ଅର୍ଜୁନଙ୍କ ଆନ୍ତରିକ ମନୋବଳ ଭାଙ୍ଗିପଡିବାର ଶୀର୍ଷ ସ୍ଥିତି ପ୍ରକାଶ ପାଉଛି । ଯେଉଁ ଅର୍ଜୁନ ସାରା ଜୀବନ ଶ୍ରେଷ୍ଠ ଧନୁଷଧାରୀ, ସେ ଏବେ ଧନୁଷ ଧରିବାକୁ ଅସମର୍ଥ । ଏଠାରେ “ଗାଣ୍ଡୀବ ଖସିଯିବା” ହେଉଛି – କର୍ତ୍ତବ୍ୟବୋଧ ଓ ଆତ୍ମବିଶ୍ୱାସର ଅବସାନ । ମନର ଭ୍ରମ ଦର୍ଶାଏ – ଧର୍ମ ଓ ମୋହ ମଧ୍ୟରେ ମଣିଷ କିପରି ଦ୍ୱନ୍ଦ୍ୱରେ ପଡ଼େ ।
ଅର୍ଜୁନଙ୍କ ଶରୀରରେ ପ୍ରକାଶ ପାଉଥିବା ଲକ୍ଷଣଗୁଡ଼ିକ – ହାତ କମ୍ପନ, ଚର୍ମ ଜ୍ୱଳନ, ଶରୀରରେ ଅସ୍ଥିରତା, ମନ ଭ୍ରମିତ ହେବା – ତୀବ୍ର ଉଦବେଗର ପରିପ୍ରକାଶ । ଏହା ଦର୍ଶାଏ ଯେ ଯେତେବେଳେ ଅତ୍ୟଧିକ ଭାବପ୍ରବଣତା ନୀତିକୁ ଆଚ୍ଛାଦିତ କରେ, ସେତେବେଳେ ସର୍ବଶ୍ରେଷ୍ଠ ମଣିଷ ମଧ୍ୟ ଭାଙ୍ଗିପଡ଼େ । ଆଜିର ଜୀବନରେ, ପାରିବାରିକ ଦ୍ୱନ୍ଦ୍ୱ, କର୍ତ୍ତବ୍ୟ ଓ ଭାବନା ମଧ୍ୟରେ ସଂଘର୍ଷ, ନୀତିଗତ ନିଷ୍ପତ୍ତିର ଚାପ ଇତ୍ୟାଦି ପରିସ୍ଥିତିରେ ମଣିଷ ଅର୍ଜୁନଙ୍କ ପରି ଅସ୍ଥିର ହୋଇପଡ଼େ । ସେହି ମୁହୂର୍ତ୍ତରେ ସଠିକ୍ ମାର୍ଗଦର୍ଶନ ଓ ଆତ୍ମଚିନ୍ତନ ଆବଶ୍ୟକ ।
ଅର୍ଜୁନଙ୍କ “ମୁଁ ଦଣ୍ଡାୟମାନ ହୋଇ ପାରୁନି” ବାକ୍ୟଟି ଶାରୀରିକ ନୁହେଁ, ଅସ୍ତିତ୍ୱ ଭଙ୍ଗର ପ୍ରତୀକ । ଯେତେବେଳେ ମଣିଷ ନିଜ ପରିଚୟ ତଥା ସ୍ଵଜନମାନଙ୍କୁ ଏକାସାଥିରେ ହରାଇବା ଭୟରେ ପଡ଼େ, ସେତେବେଳେ ଜୀବନର ଭୂମିକା ତଳେ ପାଦ ରଖିପାରେନାହିଁ । ଗାଣ୍ଡୀବ କେବଳ ଧନୁଷ ନୁହେଁ, ଏହା ହେଉଛି ଅର୍ଜୁନଙ୍କ ସାମାଜିକ ଦାୟିତ୍ୱ । ଏହା ହାତରୁ ଖସିବା ଅର୍ଥ – ଦାୟିତ୍ୱ ବହନ କରିବାର ଶକ୍ତି ହରାଇବା । ଅର୍ଜୁନଙ୍କ ଶାରରୀକ ଲକ୍ଷଣ – ମାଂସପେଶୀ ଦୁର୍ବଳତା (ଧନୁଷ ଖସିବା), ଶରୀରରେ ଜ୍ୱଳନ, ଅସ୍ଥିରତା, ମାନସିକ ଭ୍ରମ – ଏଗୁଡ଼ିକ ତୀବ୍ର ଉଦବେଗର ପ୍ରମୁଖ ଲକ୍ଷଣ ।
ଅର୍ଜୁନଙ୍କ ମନ ଏକାସାଥିରେ – କର୍ତ୍ତବ୍ୟ, ସମ୍ପର୍କ, ନୀତି ଓ ଭବିଷ୍ୟତ ପରିଣାମ – ଏହି ସମସ୍ତ ବିଷୟରେ ଚିନ୍ତନ କରୁଅଛି । ବିଚାରଶକ୍ତି ଉପରେ ଏହିପରି ଅତିଶୟ ଭାର ମସ୍ତିଷ୍କକୁ ସ୍ଥାଣୁ କରିଦିଏ କରେ । ଫଳରେ, ନିଷ୍ପତ୍ତି ନେବାରେ ଅକ୍ଷମତା ହେତୁ ମନ ବିଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାରେ ଅକ୍ଷମତାର ସ୍ଥିତି ଉତ୍ପର୍ଣ୍ଣ ହୁଏ । ଗୀତା ଏହି ସତ୍ୟ ଆଗରୁ କହିଥିଲା ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
