tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ତୁମେ ଯଦି ନଜାଣ, ମୁଁ ଜାଣେ

1 min read

ଶ୍ରୀମଦ୍ ଭଗବଦ୍‌ ଗୀତା ୪:୫ ଶ୍ଳୋକ :

ଶ୍ରୀଭଗବାନୁବାଚ
ବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ।
ତାନ୍ୟହଂ ବେଦ ସର୍ୱାଣି ନ ତ୍ୱଂ ବେତଥ ପରନ୍ତପ ॥

ଭଗବାନ କହିଲେ – “ହେ ପରନ୍ତପ (ଅର୍ଜୁନ) ! ମୋର ଓ ତୁମର ଅନେକ ଜନ୍ମ ବ୍ୟତୀତ ହୋଇ ସାରିଛି । ସେସବୁ ଜନ୍ମକୁ ମୁଁ ସମ୍ପୂର୍ଣ୍ଣ ଭାବେ ଜାଣେ; କିନ୍ତୁ ତୁମେ ସେଗୁଡ଼ିକୁ ଜାଣ ନାହିଁ ।”


ଏହି ଶ୍ଳୋକରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ଉକ୍ତି ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ଥାପିତ କରେ । ମାନବଜୀବନ କେବଳ ଏକ ଜନ୍ମର ସୀମାରେ ବନ୍ଧା ନୁହେଁ; ଏହା ଏକ ଅନନ୍ତ ଯାତ୍ରାର ଅଂଶ । ଜୀବ ତାହାର କର୍ମାନୁସାରେ ଜନ୍ମ ଓ ମୃତ୍ୟୁର ଚକ୍ରରେ ପ୍ରବେଶ କରେ । ଏହି ଚକ୍ର ତାକୁ ଆତ୍ମଶୁଦ୍ଧି ଓ ଆତ୍ମଜ୍ଞାନ ପ୍ରାପ୍ତି ପଥରେ ଆଗେଇ ନେଇଯାଏ । ଏହି ଦୃଷ୍ଟିକୋଣ ମନୁଷ୍ୟକୁ ଜୀବନ ଏକ ଦୀର୍ଘ ଆଧ୍ୟାତ୍ମିକ ପ୍ରକ୍ରିୟା ବୋଲି ବୁଝିବାର ପ୍ରେରଣା ଦେଇଥାଏ ।


ଦ୍ୱିତୀୟତଃ, ଏହି ଶ୍ଳୋକ ଈଶ୍ୱର ଓ ଜୀବର ମଧ୍ୟରେ ମୂଳ ତଫାତକୁ ଉଜାଗର କରେ । ଜୀବାତ୍ମା ଅନେକ ଜନ୍ମ ନେଉଥାଏ, କିନ୍ତୁ ସେ ମାୟା ଓ ଅଜ୍ଞାନରେ ଆବୃତ ଥିବାରୁ ପୂର୍ବଜନ୍ମ ସ୍ମରଣ କରିପାରେନି । ତାହାର ଜ୍ଞାନ ସୀମିତ, ସ୍ମୃତି ଅସ୍ଥାୟୀ । ପରମେଶ୍ୱର ସର୍ବଜ୍ଞ ଓ ସର୍ବବ୍ୟାପୀ । ସେ କାଳର ତିନିଟି ଅବସ୍ଥା ଭୂତ, ବର୍ତ୍ତମାନ ଓ ଭବିଷ୍ୟତ ସମସ୍ତକୁ ଜାଣନ୍ତି । ଏହି ସର୍ବଜ୍ଞତା ତାଙ୍କୁ ସାଧାରଣ ଜୀବରୁ ଭିନ୍ନ କରେ ।


ତୃତୀୟତଃ, ଏହି ଶ୍ଳୋକ ମାନବୀୟ ସୀମାବଦ୍ଧତାର ଉପଲବ୍ଧିକୁ ପରିପ୍ରକାଶ କରେ । ମନୁଷ୍ୟ ଏହି ଜୀବନର ଅନେକ ଘଟଣାକୁ ଜାଣି ମଧ୍ୟ ଭୁଲିଯାଏ, ତେଣୁ ପୂର୍ବଜନ୍ମ ସ୍ମରଣ କରିପାରିବା ତାହା ପକ୍ଷରେ ସମ୍ଭବ ନୁହେଁ । ଆମେ ଯେତେବେଳେ ନିଜ ଜ୍ଞାନର କ୍ଷୁଦ୍ର ସୀମାକୁ ଅନୁଭବ କରୁଥାଉ, ସେତେବେଳେ ଈଶ୍ୱରଙ୍କ ସର୍ବଜ୍ଞତା ଉପରେ ଆସ୍ଥା ଗଢ଼ିଉଠେ । ଯଦି ଜୀବ ନିଜର ପୂର୍ବଜନ୍ମ ସ୍ମରଣ କରିପାରୁନଥାଏ, ତେବେ ତାହାର କର୍ତ୍ତବ୍ୟ ହେଉଛି ବର୍ତ୍ତମାନର ଜୀବନରେ ସତ୍କର୍ମ ଓ ଧର୍ମାଚରଣର କରିବା ଉଚିତ । ଏହା ମାଧ୍ୟମରେ ସେ ଆତ୍ମିକ ଉନ୍ନତି କରିପାରିବ।


ଏହି ଶ୍ଳୋକ ଜୀବନର ଅନନ୍ତତା, ପୁନର୍ଜନ୍ମର ସତ୍ୟତା ଓ ଈଶ୍ୱରଙ୍କ ସର୍ବଜ୍ଞତାକୁ ସ୍ପଷ୍ଟ କରେ । ଏହା ମନୁଷ୍ୟକୁ ନିଜର ସୀମିତ ସାମର୍ଥ୍ୟ ବୁଝି ଈଶ୍ୱରଙ୍କୁ ଶରଣ ନେବା ଓ ଧର୍ମମୟ ଜୀବନ ବ୍ୟତୀତ କରିବାର ପ୍ରେରଣା ଦେଇଥାଏ ।


ଦାର୍ଶନିକ ଦୃଷ୍ଟିକୋଣରେ, ଜୀବ ସୀମିତ ଚେତନାର ଧାରକ, ଯାହା ମାୟା ଓ ଅବିଦ୍ୟାରେ ଆବୃତ । ତାହାର ଜ୍ଞାନ ଖଣ୍ଡିତ ଓ ସ୍ମୃତି ଅସ୍ଥାୟୀ। ପରମେଶ୍ୱର ସର୍ବଜ୍ଞ, ସର୍ବଶକ୍ତିମାନ୍ ଓ କାଳତୀତ । ସେ କାଳର ତିନୋଟି ମାପ – ଭୂତ, ବର୍ତ୍ତମାନ ଓ ଭବିଷ୍ୟତ – ସମସ୍ତକୁ ଏକାଧାରରେ ଅନୁଭବ କରନ୍ତି । ଏହି ତତ୍ତ୍ୱଭେଦ ଦ୍ୱାରା ଈଶ୍ୱରଙ୍କ ସର୍ବଜ୍ଞତା ଓ ଜୀବର ସୀମାବଦ୍ଧତା ସ୍ପଷ୍ଟ ହୁଏ । ଜୀବ ନିରନ୍ତର କର୍ମାନୁସାରେ ଜନ୍ମ ଓ ମୃତ୍ୟୁର ଚକ୍ରରେ ପ୍ରବେଶ କରେ । ଏହି କାଳଚକ୍ର ଅନାଦି ଓ ଅନନ୍ତ । କିନ୍ତୁ ଈଶ୍ୱର ଏହି କାଳଚକ୍ରରେ ବନ୍ଧା ନୁହେଁ; ସେ ତାହାର ନିୟନ୍ତା । ଜୀବ କାଳାଧୀନ, ଯେଉଁଠାରେ ଈଶ୍ୱର କାଳାତୀତ ।


ମାନବୀୟ ଜ୍ଞାନ ଇନ୍ଦ୍ରିୟ ଓ ମନସ୍‌ର ଉପରେ ନିର୍ଭର କରେ, ଯାହା ସ୍ମୃତିଭ୍ରମରେ ପତିତ ହୁଏ । କିନ୍ତୁ ପରମଜ୍ଞାନ ସ୍ୱତଃସିଦ୍ଧ ଓ ସମ୍ପୂର୍ଣ୍ଣ । ଈଶ୍ୱରଙ୍କ ଜ୍ଞାନ ଅବିଚ୍ଛିନ୍ନ ଓ ସର୍ବବ୍ୟାପୀ, ଯାହା କୌଣସି ଆବରଣରେ ଆବୃତ ହୁଏନି । ଜୀବ ନିଜର ପୂର୍ବଜନ୍ମ ସ୍ମରଣ କରିପାରେନି, କାରଣ ସେ ଅବିଦ୍ୟାରେ ଆବୃତ । ଏହି ଅବିଦ୍ୟା ହେଉଛି ମାୟାର ପ୍ରଭାବ । ମାୟା ଜୀବକୁ ତାହାର ସତ୍ୟ ସ୍ୱରୂପରୁ ବିମୁଖ କରେ । ଦାର୍ଶନିକ ଚିନ୍ତନରେ ମୋକ୍ଷ ଅର୍ଥାତ୍ ଏହି ଅବିଦ୍ୟାର ନାଶ ଓ ଆତ୍ମସ୍ୱରୂପର ଉପଲବ୍ଧି।
ମନୋବିଜ୍ଞାନ ଦୃଷ୍ଟିରୁ ଦେଖିଲେ ମଧ୍ୟ ମାନବୀୟ ସ୍ମୃତି ସୀମିତ । ଆମେ ଏହି ଜୀବନର ଅନେକ ଘଟଣାକୁ ଭୁଲିଯାଉଛୁ; ତେଣୁ ପୂର୍ବଜନ୍ମ ସ୍ମରଣ କରିପାରିବା ଅସମ୍ଭବ ହେବା ସ୍ୱାଭାବିକ । ଆଧୁନିକ ମନୋବିଜ୍ଞାନ ଅଚେତନ ମନର କଥା କହେ । ଅନେକ ଅନୁଭବ, ଭୟ, ଆକାଂକ୍ଷା ଓ ପ୍ରବୃତ୍ତି ଅଚେତନ ମନରେ ସଂରକ୍ଷିତ ରହେ । ତେଣୁ ଜୀବର ଅନେକ ଅଭିଜ୍ଞତା ତାହାର ଗଭୀର ଚେତନାରେ ସଂଚିତ ଅଛି, କିନ୍ତୁ ସେ ସେଗୁଡ଼ିକୁ ସଚେତନ ଭାବରେ ସ୍ମରଣ କରିପାରେନି ।


ଅର୍ଜୁନଙ୍କର ମନୋଦଶା କୁରୁକ୍ଷେତ୍ରରେ ଏକ ଆତ୍ମସଂକଟର ଅବସ୍ଥା । ସେ ନିଜର କର୍ତ୍ତବ୍ୟ, ପରିଚୟ ଓ ଧର୍ମ ସମ୍ପର୍କରେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଶ୍ରୀକୃଷ୍ଣଙ୍କ ଏହି କଥା ତାଙ୍କୁ ଜଣାଇଦେଲା ଯେ ଜୀବନ କେବଳ ଏକ ଘଟଣା ନୁହେଁ; ଏହା ଏକ ଦୀର୍ଘ ଯାତ୍ରାର ଅଂଶ । ମନୁଷ୍ୟ ଯେତେବେଳେ ନିଜ ସୀମାବଦ୍ଧତାକୁ ଅନୁଭବ କରେ, ସେତେବେଳେ ଏକ ଉଚ୍ଚତର ଶକ୍ତିର ଆଶ୍ୱାସନ ମନୋବଳ ଦେଇଥାଏ ।

ଏହି ଶ୍ଳୋକରେ ଶ୍ରୀକୃଷ୍ଣଙ୍କ ସର୍ବଜ୍ଞତା ଅର୍ଜୁନଙ୍କୁ ମାନସିକ ସ୍ଥିରତା ଦେବା ପାଇଁ ଏକ ଆଶ୍ୱାସନ ସୃଷ୍ଟି କରେ – “ତୁମେ ଯଦି ନଜାଣ, ମୁଁ ଜାଣେ।” ଏହା ଆତ୍ମସମର୍ପଣ ଓ ଭକ୍ତିର ମନୋବୈଜ୍ଞାନିକ ଆଧାର ସୃଷ୍ଟି କରେ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply