ଶ୍ରୀମଦ୍ ଭଗବଦ୍ ଗୀତା ୧: ୨୨ ଶ୍ଳୋକ : ଯାବଦେତାନ୍ ନିରୀକ୍ଷେଽହଂ..
1 min read
ଯାବଦେତାନ୍ ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍ ।
କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ ରଣ ସମୁଦ୍ୟମେ ॥
- ହେ କୃଷ୍ଣ ! ଏହି ଯୁଦ୍ଧକ୍ଷେତ୍ରରେ ଯେଉଁମାନେ ଯୁଦ୍ଧ କରିବା ଇଚ୍ଛାରେ ଦଣ୍ଡାୟମାନ, ମୋତେ ସେମାନଙ୍କୁ ଭଲଭାବେ ଦେଖିବାକୁ ଦିଅନ୍ତୁ । କାହା ସହିତ ଏହି ଭୟଙ୍କର ଯୁଦ୍ଧରେ ମୋତେ ଯୁଦ୍ଧ କରିବାକୁ ପଡ଼ିବ, ତାହା ମୁଁ ଦେଖିବାକୁ ଚାହେଁ ।
ଏହି ଶ୍ଳୋକରେ ଅର୍ଜୁନଙ୍କ ମନୋଭାବର ଗଭୀର ପରିବର୍ତ୍ତନ ଦେଖିବାକୁ ମିଳୁଅଛି । ସେ ଆଉ କେବଳ ଯୁଦ୍ଧଜିତିବା ଉଦ୍ଦେଶ୍ୟରେ ଉତ୍ସୁକ ନୁହଁନ୍ତି, ବରଂ “କାହା ସହ ମୁଁ ଯୁଦ୍ଧ କରିବି?”- ଏହି ପ୍ରଶ୍ନ ତାଙ୍କୁ ଅନ୍ତର୍ମୁଖୀ କରିଦେଉଛି । ଏହି ପ୍ରଶ୍ନ ଏକ ଯୋଦ୍ଧାର ନୁହେଁ, ଏହା ଏକ ସଂବେଦନଶୀଳ ମାନବ ମନର ପ୍ରଶ୍ନ । ଅର୍ଜୁନ ଚାହାନ୍ତି ତାଙ୍କ ପ୍ରତିପକ୍ଷଙ୍କୁ ଭଲଭାବେ ନିରୀକ୍ଷଣ କରିବାକୁ । କାରଣ ସେମାନେ କେବଳ ଅପରପକ୍ଷର ଶତ୍ରୁ ନୁହଁନ୍ତି, ସେମାନେ ତାଙ୍କର ଗୁରୁ, ଆତ୍ମୀୟ, ବନ୍ଧୁ ଓ ସ୍ୱଜନ । ଏହି ଦୃଷ୍ଟିକୋଣ ଅର୍ଜୁନଙ୍କ ମନରେ ନୀତି, କର୍ତ୍ତବ୍ୟ ଓ ମାନବିକତା ମଧ୍ୟରେ ଦ୍ୱନ୍ଦ୍ୱକୁ ଉଦ୍ଭବ କରାଇଛି । ଅର୍ଜୁନ ନିଜକୁ ପ୍ରଶ୍ନ କରୁଛନ୍ତି – ଏହି ଯୁଦ୍ଧ କେବଳ ବିଜୟ ପାଇଁ ନା ଏହାର ପଛରେ କୌଣସି ଧର୍ମ ଅଛି? ମନୋବିଜ୍ଞାନ ଦୃଷ୍ଟିରୁ ଏହି ଶ୍ଳୋକ ଏକ କିଂକର୍ତ୍ତବ୍ୟବିମୂଢତା ଅବସ୍ଥା । ନିଷ୍ପତ୍ତି ନେବା ପୂର୍ବରୁ ମସ୍ତିଷ୍କ, ନୀତି ଓ ସମ୍ବେଦନାର ଆଧାରରେ ନିଜକୁ ପ୍ରଶ୍ନ କରୁଛି । ଏହା ହେଉଛି ଆତ୍ମସଚେତନତାର ଆରମ୍ଭ।
ଆଜିର ସମାଜରେ ମଧ୍ୟ ଏହି ଶ୍ଳୋକ ଅତ୍ୟନ୍ତ ପ୍ରାସଙ୍ଗିକ । ଯେତେବେଳେ ସମାଜରେ ଧର୍ମ, ଜାତି, ଭାଷା କିମ୍ବା ରାଜନୈତିକ ମତଭେଦ ହିଂସାର ରୂପ ନିଏ, ସେତେବେଳେ ଅର୍ଜୁନଙ୍କ ଏହି ଦୃଷ୍ଟି ପ୍ରତ୍ୟେକ ମଣିଷକୁ ପ୍ରଥମେ ମଣିଷ ଭାବେ ଦେଖିବାକୁ ଶିଖାଏ। ସମାଜରେ ଅନ୍ଧ ପ୍ରତିଦ୍ୱନ୍ଦିତା, ଅସହିଷ୍ଣୁତା ଓ ଘୃଣା ମନୋଭାବ ଗଢ଼ିଉଠିଲେ ସାମାଜିକ ସମନ୍ୱୟ ଭଙ୍ଗ ହୁଏ ।
ପରିବାର ମଧ୍ୟରେ ଯେତେବେଳେ ସ୍ୱାର୍ଥ, ସମ୍ପତ୍ତି କିମ୍ବା ଅହଂକାର ଦ୍ୱନ୍ଦ୍ୱ ସୃଷ୍ଟି କରେ, ସେତେବେଳେ ଏହି ଶ୍ଳୋକ ଆମକୁ ପ୍ରଶ୍ନ କରେ -“ଆମେ କାହା ସହିତ ଲଢ଼ୁଛୁ?” ପାରିବାରିକ ଦ୍ୱନ୍ଦ୍ୱରେ ଯଦି ମାନବିକତା ଓ ସମ୍ପର୍କର ମୂଲ୍ୟ ଅଣଦେଖା ହୋଇଯାଏ, ତେବେ ବିଜୟ ମଧ୍ୟ ପରାଜୟର ସମାନ ହୋଇଯାଏ । ଗୀତା ୧.୨୨ ଆମକୁ ଶିଖାଏ – ଯୁଦ୍ଧ କିମ୍ବା ସଂଘର୍ଷ ପୂର୍ବରୁ ନିଜ ଅନ୍ତରାତ୍ମା ସହ ଥରେ ସାକ୍ଷାତ କରିବା ଆବଶ୍ୟକ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
