tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୧୭ ଶ୍ଳୋକ :କାଶ୍ୟଶ୍ଚ ପରମେଷ୍ଵାସଃ ଶିଖଣ୍ଡୀ..

1 min read

କାଶ୍ୟଶ୍ଚ ପରମେଷ୍ଵାସଃ ଶିଖଣ୍ଡୀ ଚ ମହାରଥଃ ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ ॥

  • ମହାଧନୁର୍ଦ୍ଧର କାଶ୍ୟ, ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ ଏବଂ ଅପରାଜିତ ଯୋଦ୍ଧା ସାତ୍ୟକି,ଏହି ସମସ୍ତେ ପାଣ୍ଡବ ପକ୍ଷର ପ୍ରବଳ ପ୍ରତାପୀ ବୀର ଅଛନ୍ତି । ଏହି ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ପାଣ୍ଡବ ସେନାର ପ୍ରମୁଖ ବୀରମାନଙ୍କ ବିଷୟରେ କହୁଛନ୍ତି । ପାଣ୍ଡବ ପକ୍ଷରେ କେବଳ ରକ୍ତସମ୍ପର୍କୀୟ ନୁହଁନ୍ତି, ନୀତି, ନ୍ୟାୟ ଓ କର୍ତ୍ତବ୍ୟରେ ବିଶ୍ୱାସୀ ଯୋଦ୍ଧାମାନେ ଏକତ୍ରିତ ହୋଇଛନ୍ତି । ନ୍ୟାୟ ପକ୍ଷରେ ଦୃଢ଼ ଭାବରେ ଦଣ୍ଡାୟମାନ ରହିବା ହେଉଛି ଗୀତାର ଶିକ୍ଷା ।
  • ଏହି ଶ୍ଳୋକ ଆମକୁ କୁହେ, ଧର୍ମ ପକ୍ଷରେ ଥିବା ଲୋକମାନେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ ଏକତ୍ରିତ ହୋଇପାରନ୍ତି । ସମାଜରେ ପରିବର୍ତ୍ତନ ଆଣିବାକୁ ସଚେତନ ଓ ନୀତିଶୀଳ ଲୋକଙ୍କ ଏକତା ଦରକାର ।
  • ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଶ୍ୟ, ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ ଓ ସାତ୍ୟକି, ଏମାନେ ସମସ୍ତେ ଭିନ୍ନ ଭିନ୍ନ ପୃଷ୍ଠଭୂମିର ବ୍ୟକ୍ତି। ଏଥିରୁ ଦର୍ଶାଉଛି ଯେ, ଧର୍ମ କୌଣସି ଏକ ଜାତି, ଗୋଷ୍ଠୀ କିମ୍ବା ପରିବାରର ସମ୍ପତ୍ତି ନୁହେଁ । ଯେଉଁଠାରେ ସତ୍ୟ ଓ ନ୍ୟାୟ ଅଛି, ସେଠାରେ ଧର୍ମ ଅଛି । ମହାଭାରତ ଯୁଦ୍ଧ ମୂଳତଃ ଏକ ପାରିବାରିକ ସଂଘର୍ଷ । କିନ୍ତୁ ଏହି ଶ୍ଳୋକ ଦର୍ଶାଏ ଯେ, ପାଣ୍ଡବମାନେ କେବଳ ନିଜ ଭାଇମାନଙ୍କ ଉପରେ ନିର୍ଭର କରିନଥିଲେ, ସେମାନେ ସମାଜର ସମାଜର ନ୍ୟାୟପ୍ରିୟ ଲୋକମାନଙ୍କୁ ମଧ୍ୟ ସହଯୋଗୀ କରିଛନ୍ତି । ସମାଜ ଗଢ଼ିବା ପାଇଁ ରକ୍ତସମ୍ପର୍କ ଠାରୁ ମୂଲ୍ୟବୋଧ ଅଧିକ ଗୁରୁତ୍ୱପୂର୍ଣ୍ଣ ।
  • ଶିଖଣ୍ଡୀଙ୍କ ଉପସ୍ଥିତି ବିଶେଷ ଅର୍ଥାବହ, ଯିଏ ସାମାଜିକ ଦୃଷ୍ଟିରେ “ବିବାଦିତ”, କିନ୍ତୁ ଧର୍ମ ଦୃଷ୍ଟିରେ ଆବଶ୍ୟକ । ଏହା କୁହେ: ସମାଜ ଯାହାକୁ ଅସ୍ୱୀକାର କରେ, ଧର୍ମ ତାହାକୁ ମଧ୍ୟ ସ୍ୱୀକାର କରିପାରେ । ଆଜିର ସମାଜରେ, ସାମାଜିକ ନ୍ୟାୟ, ଅବହେଳିତ ଶ୍ରେଣୀଙ୍କ ସ୍ୱର, ନୀତିଶୀଳ ନେତୃତ୍ୱ ଏକତ୍ରିତ ହୋଇ ଏକ ଆଧୁନିକ “ଧର୍ମଯୁଦ୍ଧ” ଗଢ଼ି ତୋଳୁଛି । ଶିଖଣ୍ଡୀ ହେଉଛନ୍ତି ଆଜିର ସମାଜର ଏକ ଅଣଦେଖା ଗୋଷ୍ଠୀର ସ୍ୱର । ଶିଖଣ୍ଡୀ ସାମାଜିକ ଅସ୍ୱୀକୃତିର ପ୍ରତୀକ । ଶିଖଣ୍ଡୀଙ୍କ ଉପସ୍ଥିତି ଏକ ଗଭୀର ସାମାଜିକ ସନ୍ଦେଶ ଦେଉଛି। ସେ ଧର୍ମଯୁଦ୍ଧ ସପକ୍ଷ ତାଲିକାରେ ଅଛନ୍ତି, ଯାହାଙ୍କୁ ସମାଜ ଅନେକ ସମୟରେ ସହଜରେ ସ୍ୱୀକାର କରେନାହିଁ।
  • ଶୀଖଣ୍ଡୀ, ଧର୍ମଯୁଦ୍ଧରେ ଏକ ଅବହେଳିତଙ୍କ ସ୍ୱର । ଶୀଖଣ୍ଡୀ ମହାଭାରତର ଏକ ଅତ୍ୟନ୍ତ ଜଟିଳ, ଗଭୀର ଓ ପ୍ରତୀକାତ୍ମକ ଚରିତ୍ର। ସେ କେବଳ ଏକ ଯୋଦ୍ଧା ନୁହେଁ, ବରଂ ସାମାଜିକ ଅନ୍ୟାୟ, ପ୍ରତିଶୋଧ, ଲିଙ୍ଗ ଧାରଣା ଓ ଧର୍ମର ଗଭୀର ସଂଘର୍ଷର ପ୍ରତୀକ । ପୂର୍ବଜନ୍ମର ଅମ୍ବାଙ୍କ ଜୀବନ ଭୀଷ୍ମଙ୍କ ଦ୍ୱାରା ଧ୍ୱଂସ ହୋଇଥିଲା । ନା ବିବାହ, ନା ସମ୍ମାନ, ନା ସ୍ୱୀକୃତି । ଏହି ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ଅମ୍ବା ଦୀର୍ଘ ତପସ୍ୟା କରି ଶୀଖଣ୍ଡୀ ଭାବେ ପୁନର୍ଜନ୍ମ ନେଲେ । ମହାଭାରତ କାଳର ସମାଜରେ ଯୁଦ୍ଧ ଏକ “ପୁରୁଷ ଧର୍ମ” ଭାବେ ଦେଖାଯାଉଥିଲା । କିନ୍ତୁ ଶୀଖଣ୍ଡୀ ଲିଙ୍ଗଭିତିକ ସାମାଜିକ ବ୍ୟବସ୍ଥା ଠାରୁ ଉପରେ ଉଠି ନ୍ୟାୟର ଯୋଦ୍ଧା ହୋଇପାରିଥିଲେ । ଭୀଷ୍ମ ଶୀଖଣ୍ଡୀଙ୍କ ଉପରେ ଶସ୍ତ୍ର ଉଠାଇଲେ ନାହିଁ – ଏହା ଥିଲା ତାଙ୍କର ନୀତି । କିନ୍ତୁ ଏହି ନୀତି, ଅଧର୍ମୀଙ୍କ ପାଇଁ ଅସୁରକ୍ଷାର ଦ୍ୱାର ଖୋଲିଦେଲା । କେବଳ ପରମ୍ପରାକୁ ଅନୁସରଣ କଲେ ଧର୍ମ ହୁଏନାହିଁ; ନ୍ୟାୟ ଅନୁପସ୍ଥିତ ହେଲେ ନୀତି ମଧ୍ୟ ଅଧର୍ମ ହୋଇଯାଏ । ଶୀଖଣ୍ଡୀ ସିଧାସଳଖ ଭାବେ ଭୀଷ୍ମଙ୍କୁ ବଧ କରିନଥିଲେ, କିନ୍ତୁ ଭୀଷ୍ମ ପତନର ଦ୍ୱାର ଶୀଖଣ୍ଡୀ ଖୋଲିଥିଲେ । ଆଜିର ସମାଜରେ ଶୀଖଣ୍ଡୀ ହେଉଛନ୍ତି – ଅବହେଳିତ ବର୍ଗ, ଅସ୍ୱୀକୃତ ପରିଚୟ, ଚୁପ୍ କରାଯାଇଥିବା ସତ୍ୟ । ଯେଉଁମାନଙ୍କୁ ସମାଜ ପଛେଇଦେଉଛି, ସେମାନେ ହିଁ ଏକଦିନ ଇତିହାସର ଦିଗ ବଦଳାଇଦେବେ ।
    🌹🙏🌹


ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply