ଶ୍ରୀମଦ୍ ଭଗବଦ୍ ଗୀତା ୨:୭୦ ଶ୍ଳୋକ: ଆପୂର୍ୟମାଣମଚଲପ୍ରତିଷ୍ଠଂ…
1 min read
ଆପୂର୍ୟମାଣମଚଲପ୍ରତିଷ୍ଠଂ ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ୱତ୍ ।
ତଦ୍ୱତ୍ କାମା ଯଂ ପ୍ରବିଶନ୍ତି ସର୍ବେ ସ ଶାନ୍ତିମାପ୍ନୋତି ନ କାମକାମୀ ॥
ଯେପରି ସମସ୍ତ ନଦୀ ଓ ଜଳଧାରା ସମୁଦ୍ରରେ ପ୍ରବେଶ କଲେ ମଧ୍ୟ, ତାକୁ ବିଚଳିତ ନକରି ସେଥିରେ ମିଶିଯାଆନ୍ତି, ସେହିପରି ଯେଉଁ ମନୁଷ୍ୟଙ୍କ ମନରେ ବିଭିନ୍ନ କାମନା ପ୍ରବେଶ କରେ, କିନ୍ତୁ ସେ ସେଥିରେ ଆସକ୍ତ ହୁଅନ୍ତିନାହିଁ, ସେଇ ମନୁଷ୍ୟ ଶାନ୍ତି ପ୍ରାପ୍ତ କରନ୍ତି । ଭୋଗ କାମନା କରୁଥିବା ପୁରୁଷ ଶାନ୍ତି ପାଏନାହିଁ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ “ସ୍ଥିତପ୍ରଜ୍ଞ” ବ୍ୟକ୍ତିଙ୍କ ଅନ୍ତଃସ୍ଥ ଅବସ୍ଥାକୁ ସୁନ୍ଦର ଉପମା ମାଧ୍ୟମରେ ବ୍ୟାଖ୍ୟା କରିଛନ୍ତି । ସମୁଦ୍ର ଅତ୍ୟନ୍ତ ବିଶାଳ । ନଦୀମାନେ ତାହା ମଧ୍ୟରେ ନିରନ୍ତର ପ୍ରବେଶ କରୁଥିଲେ ମଧ୍ୟ ସେ ନା ଉତ୍ସାହିତ ହୁଏ, ନା ଅଶାନ୍ତ ହୁଏ । ସେ ତାହାର ଗମ୍ଭୀରତା ଓ ସ୍ଥିରତା ବଜାୟ ରଖିଥାଏ । ସେହିପରି ଜ୍ଞାନୀ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଇନ୍ଦ୍ରିୟ ସୁଖ, ଆକାଂକ୍ଷା, ପରିସ୍ଥିତି, ସୁଯୋଗ ସବୁ ଆସେ । କିନ୍ତୁ ସେ ସେଗୁଡିକର ଦାସ ହୁଅନ୍ତିନାହିଁ । ତାଙ୍କର ମନ ଆତ୍ମଜ୍ଞାନରେ ପ୍ରତିଷ୍ଠିତ ଥିବାରୁ ସେ ଅନ୍ତରରେ ଅଚଳ ଓ ଶାନ୍ତ ରହିଥାନ୍ତି । ଯେଉଁ ବ୍ୟକ୍ତି ସବୁବେଳେ ଅଧିକ ପାଇବାକୁ ଚାହେଁ, ସୁଖ ଭୋଗରେ ଲିପ୍ତ ରହେ, ସେ କେବେ ସନ୍ତୁଷ୍ଟ ହୁଏନାହିଁ। ତାଙ୍କର ଜୀବନ ଅଶାନ୍ତିରେ ପୂର୍ଣ୍ଣ ରହେ ।
ଏହି ଶ୍ଳୋକରେ ସମୁଦ୍ରକୁ ଜ୍ଞାନୀ ବ୍ୟକ୍ତିଙ୍କ ମନ ସହ ତୁଳନା କରାଯାଇଛି । ସମସ୍ତ ନଦୀ ଓ ଜଳଧାରା ସମୁଦ୍ରରେ ପ୍ରବେଶ କରିଥିଲେ ମଧ୍ୟ ସମୁଦ୍ର କେବେ ପୂର୍ଣ୍ଣ ହୋଇଯାଏନାହିଁ କିମ୍ବା ଅଶାନ୍ତ ହୁଏନାହିଁ । ସେ ତାହାର ଗମ୍ଭୀରତା ଓ ସ୍ଥିରତାକୁ ଅକ୍ଷୁର୍ଣ୍ଣ ରଖିଥାଏ । ସେହିପରି ଜୀବନର ବିଭିନ୍ନ କାମନା, ଆକାଂକ୍ଷା, ସୁଯୋଗ ଓ ପରିସ୍ଥିତି ଜ୍ଞାନୀ ବ୍ୟକ୍ତିଙ୍କ ଜୀବନରେ ପ୍ରବେଶ କରିଥିଲେ ମଧ୍ୟ, ସେ ସେଗୁଡିକ ଦ୍ଵାରା ବିକ୍ଷୁବ୍ଧ ହୁଅନ୍ତି ନାହିଁ । ଯେଉଁ ବ୍ୟକ୍ତି ସଦା କାମନା ପୂରଣରେ ଲିପ୍ତ, ସେ କେବେ ସନ୍ତୁଷ୍ଟ ହୋଇପାରେନାହିଁ, କାରଣ ଏକ କାମନା ପୂରଣ ହେଲେ ଆଉ ଏକ ନୂଆ କାମନା ଜନ୍ମ ନେଇଥାଏ ।

ଏହି ଶ୍ଳୋକରେ ଉଲ୍ଲେଖିତ ସମୁଦ୍ରର ଉପମା ପରିବାରର ମୁଖ୍ୟ ବ୍ୟକ୍ତି – ପିତା, ମାତା କିମ୍ବା ବୃଦ୍ଧ ଅଭିଭାବକଙ୍କ ସହ ସଠିକ ଭାବରେ ମେଳ ଖାଏ । ପରିବାରରେ ଭିନ୍ନ ଭିନ୍ନ ସଦସ୍ୟଙ୍କ ଆଶା, ଚାହିଦା ଓ ଆବେଗ “ନଦୀ” ପରି ନିରନ୍ତର ଆସୁଥାଏ । କିନ୍ତୁ ଯଦି ପରିବାରର ମୁଖ୍ୟ ବ୍ୟକ୍ତି ସମୁଦ୍ର ପରି ସ୍ଥିର ଓ ଧୈର୍ଯ୍ୟଶୀଳ ରହନ୍ତି, ତେବେ ସମଗ୍ର ପରିବାରରେ ଶାନ୍ତି ବ୍ୟାପିଥାଏ । ପାରିବାରିକ ଜୀବନରେ ଅଶାନ୍ତିର ମୂଳ କାରଣ ହେଉଛି ଅତ୍ୟଧିକ ଆଶା ଓ କାମନା । ପିତାମାତା ସନ୍ତାନଠାରୁ ଅତିରିକ୍ତ ଆଶା କରନ୍ତି, ସ୍ୱାମୀ-ସ୍ତ୍ରୀ ପରସ୍ପର ଠାରୁ ଅପୂରଣୀୟ ଆକାଂକ୍ଷା ରଖନ୍ତି, ଫଳରେ ଦ୍ୱନ୍ଦ୍ୱ ଜନ୍ମ ନେଉଥାଏ । ଗୀତା ଶିଖାଏ ଯେ ଆଶା ଥାଇପାରେ, କିନ୍ତୁ ସେ ଆଶାରେ ଆସକ୍ତି ହେଲେ ପାରିବାରିକ ସମ୍ପର୍କ ଭାଙ୍ଗିଯାଏ ।
ଔଦ୍ୟୋଗୀକରଣ ଏବଂ ବହୁଳ ମାତ୍ରାରେ ଉତ୍ପାଦନ ସିଦ୍ଧାନ୍ତ ଉପରେ ଆଧାରିତ ଭୌତିକବାଦୀ ସମାଜ ମନୁଷ୍ୟଠାରେ ଇଛା ବୃଦ୍ଧି କରିବାକୁ ସବୁବେଳେ ଚେଷ୍ଟା କରେ । ଏହାର ପରିଣାମ ହେଲା କି ଆଜିର ସାଧାରଣ ମନୁଷ୍ୟର ଇଚ୍ଛାଗୁଡିକ ଏକ ଶତାବ୍ଦୀ ପୂର୍ବର ତାଙ୍କର ପୂର୍ବଜମାନଙ୍କର କାମନା ବା ଇଚ୍ଛାଠାରୁ ଲକ୍ଷଗୁଣ ଅଧିକ । ବଡ଼ ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତିମାନେ ବିଜ୍ଞାନର ଆଧୁନିକ ଉପଲବ୍ଧିଗୁଡିକର ସହାୟତାରେ ନୂଆ ନୂଆ ଇଚ୍ଛା ଉତ୍ପର୍ଣ୍ଣ କରିବା ଏବଂ ସେଗୁଡିକୁ ପୂର୍ଣ୍ଣ କରିବାର ପ୍ରଚେଷ୍ଟା କରି ଚାଲିଛନ୍ତି । ଯେଉଁ ମାତ୍ରାରେ ମନୁଷ୍ୟର କାମନା ଅପୂର୍ଣ୍ଣ ରହୁଛି, ତାକୁ ଦେଖି ଅନୁମାନ କରାଯାଇପାରେ କି ବର୍ତ୍ତମାନ ଅପେକ୍ଷା ପୂର୍ବରୁ ମନୁଷ୍ୟ ବହୁତ ସୁଖୀ ଥିଲା ।
ଏହି ଶ୍ଳୋକରେ ସମୁଦ୍ରର ଉପମା ଅତ୍ୟନ୍ତ ଗଭୀର ଦାର୍ଶନିକ ଅର୍ଥ ବହନ କରିଥାଏ । ସମୁଦ୍ର ଅଚଳ, ଗଭୀର ଓ ସ୍ୱୟଂପୂର୍ଣ୍ଣ । ନଦୀମାନେ ସେଥିରେ ପ୍ରବେଶ କରିଥିଲେ ମଧ୍ୟ ସେ ନା କିଛି ପାଇଥାଏ ନା କିଛି ହରାଏ । ଏହା ଆତ୍ମାର ଦାର୍ଶନିକ ସ୍ୱରୂପକୁ ସୂଚିତ କରେ – ଆତ୍ମା ପୂର୍ଣ୍ଣ, ଅକ୍ଷୟ ଓ ଅପରିବର୍ତ୍ତନଶୀଳ । ଯେଉଁ ମନୁଷ୍ୟ ନିଜକୁ ଏହି ପୂର୍ଣ୍ଣତା ସହ ଏକାତ୍ମ କରେ, ସେ ବାହ୍ୟ କାମନା ଦ୍ୱାରା ବିକ୍ଷୁବ୍ଧ ହୁଏନାହିଁ । ଦାର୍ଶନିକ ଭାବେ ଏହି ଶ୍ଳୋକ “କାମ” ଓ “ଶାନ୍ତି” ମଧ୍ୟରେ ବିରୋଧାଭାସକୁ ସ୍ପଷ୍ଟ କରେ । କାମ ଅର୍ଥାତ୍ ଇଚ୍ଛା – ଏହା ଅପୂର୍ଣ୍ଣତାରୁ ଉତ୍ପନ୍ନ । ଯେଉଁଠି ଅପୂର୍ଣ୍ଣତାର ଅନୁଭୂତି ଅଛି, ସେଠି କାମନା ଜନ୍ମ ନେଇଥାଏ । କିନ୍ତୁ ଯେଉଁଠି ପୂର୍ଣ୍ଣତାର ଜ୍ଞାନ ଅଛି, ସେଠି କାମନା ଶିଥିଳ ହୋଇଯାଏ । ତେଣୁ ଗୀତା କହେ – କାମନାର ସମାପ୍ତି ଦ୍ୱାରା ନୁହେଁ, ବରଂ ଆତ୍ମପୂର୍ଣ୍ଣତାର ବୋଧ ଦ୍ୱାରା ଶାନ୍ତି ମିଳେ । ଏଠାରେ “କାମକାମୀ” ବ୍ୟକ୍ତି ଦାର୍ଶନିକ ଭାବେ ଏକ ଅଜ୍ଞାନୀ ଅବସ୍ଥାକୁ ପ୍ରତିନିଧିତ୍ୱ କରେ । ସେ ବାହ୍ୟ ବସ୍ତୁରେ ସୁଖ ଖୋଜେ, ଯାହା ଚଞ୍ଚଳ ଓ ଅସ୍ଥାୟୀ । ଏହିକାରଣରୁ ତାହାର ଜୀବନ ଦ୍ୱନ୍ଦ୍ୱ, ଭୟ ଓ ଅସନ୍ତୋଷରେ ପରିପୂର୍ଣ୍ଣ ରହେ । ସ୍ଥିତପ୍ରଜ୍ଞ ବ୍ୟକ୍ତି ସୁଖକୁ ବାହାରେ ନୁହେଁ, ନିଜ ଆତ୍ମାରେ ଅନୁଭବ କରେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
