ସରକାରୀ କର୍ମଚାରୀଙ୍କୁ ଇଭି ଯାନ ଋଣ ଉପରେ ଆଉ ମିଳିବନି ‘ସୁଧ ରିହାତି’
1 min read
Oplus_16908288
- ଅର୍ଥ ବିଭାଗର କଡ଼ା ନିର୍ଦ୍ଦେଶ
- ଆର୍ଥିକ ବର୍ଷ ୨୦୨୬-୨୭ରୁ ଲାଗୁ
ଭୁବନେଶ୍ୱର,//TATKAL ODISHA//
ଇଭି ଯାନ କିଣିବାବେଳେ ସରକାରୀ କର୍ମଚାରୀମାନେ ଆଉ ଋଣ ଉପରେ ସୁଧ ଛାଡ଼ ପାଇବେ ନାହିଁ। ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରୁ ତାହା ଲାଗୁ ହୋଇଛି। ଏନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଯେମିତି ଉଲ୍ଲଂଘନ ନହୁଏ ସେଥିପ୍ରତି ଯତ୍ନଶୀଳ ହେବାକୁ ସରକାର କହିଛନ୍ତି।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଚିଠି ନମ୍ବର ୧୧୦୮୪/ଅର୍ଥ ବିଭାଗ ଭିତ୍ତିରେ ସବୁ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

- ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ୍ ପଲିସି-୨୦୨୧ ଆଧାରରେ ଓଡ଼ିଶା ସରକାର ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ ଗାଡ଼ି କିଣିବା ପାଇଁ ସ୍ୱତନ୍ତ୍ର ସୁଧ ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ।
- ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀ, ବୋର୍ଡ଼ ଓ ନିଗମ କର୍ମଚାରୀ ଏହି ସୁବିଧା ପାଉଥିଲେ। କର୍ମଚାରୀଙ୍କ ଚାକିରି ଅବଧି ଅନ୍ତତଃ ୫ ବର୍ଷ ହୋଇଥିବାର ନିୟମ ରହିଥିଲାବେଳେ ଜଣେ କର୍ମଚାରୀ କେବଳ ଥରେ ଏହି ସୁବିଧା ନେଇପାରିବେ ବୋଲି ବିଜ୍ଞପ୍ତି ସ୍ପଷ୍ଟ କରାଯାଇଥିଲା।
- ପ୍ରଥମେ ଦୁଇ ଚକିଆ ଯାନ ପାଇଁ ଋଣ ଉପରେ ତିନି ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ସୁଧ ଛାଡ଼ କରିଥିବାବେଳେ ଚାରି ଚକିଆ ଯାନ ପାଇଁ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ୩ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ସୁଧ ଛାଡ଼ କରିଥିଲେ। ଏଥିସହ ଇଭି ଯାନ ପାଇଁ ୧୦୦% ରୋଡ୍ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ଼ ହୋଇଥିଲା।
- ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସୁଧ ଛାଡ଼ ନିଷ୍ପତ୍ତି ବୈଧ ଥିଲା। ପୁଣି ରାଜ୍ୟ ସରକାର ୩୧ ମାର୍ଚ୍ଚ ୨୦୨୬ ଯାଏ ଛାଡ଼ ବୈଧକୁ ବୃଦ୍ଧି କରିଥିଲେ।
- ଏପରିକି ସୁଧଛାଡ଼ ପରିମାଣକୁ ୭୫%କୁ ବି ହ୍ରାସ କରାଯାଇଥିଲା। ସରକାରୀ କର୍ମଚାରୀମାନେ
ଉଭି ଯାନ ସୁଧ ଛାଡ଼ ପାଇବା ନିମନ୍ତେ ଡିଡିଓ ଜରିଆରେ ଟ୍ରେଜେରୀ ପୋର୍ଟାଲରେ ଆବେଦନ କରିବା ସହ ବ୍ୟାଙ୍କରୁ ଇଭି ଲୋନ୍ବେଳେ ସେଙ୍କ୍ସନ ଚିଠି ଦେବାକୁ ପଡ଼ୁଥିଲା।
ଏବେ ରାଜ୍ୟ ସରକାର ସୁଧ ଛାଡ଼ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଅର୍ଥାତ ସରକାରୀ କର୍ମଚାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରେ ଇଭି ଯାନ ପାଇଁ ଋଣ ଉପରେ ସୁଧ ଛାଡ଼ ପାଇବେ ନାହିଁ।
