CAG: ବିହାର ଚାରା ଘୋଟାଲା ପର୍ଦ୍ଦାଫାସ କରିଥିବା ଅଧିକାରୀ ଏବେ ପୂର୍ବାଞ୍ଚଳ ଡେପୁଟି ସିଏଜି
1 min read
- ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଦାୟିତ୍ୱରେ ରହିବେ
ଭୁବନେଶ୍ୱର,/TATKAL ODISHA//
ବହୁଚର୍ଚ୍ଚିତ ବିହାରର ଚାରା ଦୁର୍ନୀତି ମାମଲାରେ ଏବେବି ଡୋର ବନ୍ଧା ହୋଇନାହିଁ। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଜେଲ ଜୀବନ କାଟିସାରଛନ୍ତି। ଏସବୁ ଏଜି ରିପୋର୍ଟ ଅଧାରରେ ହୋଇଛି। ତେବେ ଉକ୍ତ ଅଡିଟ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ସେବାର ୧୯୯୨ ବ୍ୟାଚ୍ର ଅଧିକାରୀ ପ୍ରମୋଦ କୁମାର ଭୁବନେଶ୍ୱରସ୍ଥିତ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ପୂର୍ବାଞ୍ଚଳ) କାର୍ଯ୍ୟାଳୟରେ ଉପନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ଡେପୁଟି ସିଏଜି ) ଭାବେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଶ୍ରୀ କୁମାର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର କ୍ଷେତ୍ରର ଉପ-ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ପୂର୍ବାଞ୍ଚଳ) ଭାବେ ଅଡିଟ୍ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟକଳାପକୁ ତଦାରଖ କରିବେ। ଏଥିସହିତ ସାର୍ବଜନିକ କ୍ଷେତ୍ରର ଅଡିଟ୍ ବ୍ୟବସ୍ଥା, ଆର୍ôଥକ ଉତ୍ତରଦାୟିତ୍ୱ ଏବଂ ସୁଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ ରଣନୀତିଗତ ନେତୃତ୍ୱ ପ୍ରଦାନ କରିବେ।

ପୂର୍ବରୁ ପ୍ରମୋଦ କୁମାର ଭାରତୀୟ ମିଶନ ଏବଂ ଜେନେଭାସ୍ଥିତ ଜାତିସଂଘ ମୁଖ୍ୟାଳୟର ଅଡିଟ୍ ସମେତ ଅନେକ ଆନ୍ତର୍ଜାତିକ ଅଡିଟ୍ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ସେ ମଧ୍ୟ ନୂଆଦିଲ୍ଲୀସ୍ଥିତ ଅତିରିକ୍ତ ଉପ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ଭିତ୍ତିଭୂମି) ଭାବେ କାର୍ଯ୍ୟରତ ଥିଲେ। ସେଠାରେ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ମନ୍ତ୍ରଣାଳୟ ଓ ବୃହତ୍ ସରକାରୀ ଉଦ୍ୟୋଗଗୁଡ଼ିକର ଅଡିଟ୍ ତଦାରଖ କରୁଥିଲେ। ତାଙ୍କର ଦୀର୍ଘ କର୍ମଜୀବନରେ ସେ ଉତ୍ତର-ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରଣାଳୟରେ ଉପ-ସଚିବ ଏବଂ ମାଲେସିଆର କୁଆଲାଲମ୍ପୁରସ୍ଥିତ ସିଏଆଣ୍ଡଏଜିଙ୍କ ବିଦେଶସ୍ଥ ଅଡିଟ୍ କାର୍ଯ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ନିର୍ଦ୍ଦେଶକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି।
ଭୁବନେଶ୍ୱରସ୍ଥିତ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ପୂର୍ବାଞ୍ଚଳ) କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ କୁମାରଙ୍କୁ ସ୍ୱାଗତ ଜଣାଇବା ସହିତ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସାର୍ବଜନିକ ଆର୍ôଥକ ପରିଚାଳନାରେ ଉତ୍କର୍ଷତା ସୁନିଶ୍ଚିତ କରିବା ନିମନ୍ତେ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ସାମ୍ବିଧାନିକ ଦାୟିତ୍ୱ ପାଳନରେ ତାଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଛନ୍ତି।(ଜିତେନ୍ଦ୍ର)
