କହିବା-କରିବା ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ : ରାଜନାଥ
1 min read
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଭାରତୀୟ ରାଜନୀତିର ଥିଲେ ମୂଳାଧାର ସ୍ତମ୍ଭ : ରାଜନାଥ
- ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,/TATKAL ODISHA//
ଭାରତୀୟ ରାଜନୀତିର ଏକ ଦୀପ୍ତିମନ୍ତ ମୂଳାଧାର ସ୍ତମ୍ଭ ଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସେହିପରି ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସହଜତା, ସରଳତା ଓ ସଠିକ୍ ଭାବ ଡାକ୍ତର ପ୍ରଧାନଙ୍କ କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା। ଖୁବ୍ କମ୍ ସମୟ ପାଇଁ ହେଉ ମଧ୍ୟ ତାଙ୍କ ସହିତ ଉଦ୍ବୁଦ୍ଧ ଭାବେ କାମ କରିବାର ସୁଯୋଗ ପାଇଛି। ଆଉ ଏହା ମଧ୍ୟ ଜାଣିଛି ଯେ, କହିବା ଏବଂ କରିବା ଏହି ଦୁଇଟି କାର୍ଯ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ଆଚରଣ ତଥା ଉଚ୍ଚାରଣରେ ଏହା ତାଙ୍କ ଠାରେ ସର୍ବଦା ପ୍ରତିଫଳିତ ହେଉଥିଲା। କେବଳ ଜଣେ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ହିଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ୍ କରିବାରେ ମୁଖ୍ୟ ସୂତ୍ରଧର ସାଜିଥିଲା। ସେ ଥିଲେ ଆମ ସମସ୍ତଙ୍କ ପାଇଁ ଏକ ଅଫୁରନ୍ତ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ।
ଏହି ଅବସରରେ ଲେଖକ କାଳିନ୍ଦି ସାମଲଙ୍କ ଦ୍ୱାରା ରଚିତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଡାକ୍ତର ବାବୁ’କୁ କେନ୍ଦ୍ର ରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ।

ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତିର ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ । ଉତ୍ସବର ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଧାରିତ ସ୍ମୃତି ପୁସ୍ତକ “ଡାକ୍ତର ବାବୁ”ର ଓଡ଼ିଆ ଏବଂ ହିନ୍ଦୀ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ତାଙ୍କ ଜୀବନଯାତ୍ରାକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ସ୍ମୃତିଚାରଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଦେଶର ଅନେକ ପ୍ରମୁଖ ନେତୃବୃନ୍ଦ ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ମନମୋହନ ସାମଲ ଏବଂ ଓଡ଼ିଶାର ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
