03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ

1 min read

ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//

• ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
• ମନ୍ତ୍ରୀଙ୍କ ସେବା ସଂକଳ୍ପକୁ ପାଥେୟ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ଫଳ ବିତରଣ ସହ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୬,୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମଦିନ ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଭଳି ଅନେକ ଶୀର୍ଷ ନେତୃବୃନ୍ଦ, ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପତ୍ର ଲେଖି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପ-ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

ମାନ୍ୟବର ରାଷ୍ଟ୍ରପତି ଶ୍ରୀ ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ କାମନା କରିଛନ୍ତି ଏବଂ ସେ ଆଗାମୀ ବର୍ଷ ବର୍ଷ ଧରି ଦେଶସେବା ଜାରି ରଖନ୍ତୁ ବୋଲି ଶୁଭେଚ୍ଛା ପତ୍ରରେ ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବରେ ମାନ୍ୟବର ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ଦିଗରେ ଶ୍ରୀ ପ୍ରଧାନ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି, ଯାହା ଭାରତକୁ ଜ୍ଞାନ, ଶିକ୍ଷା ଏବଂ ନବସୃଜନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଗଢ଼ିତୋଳିବ । ସେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ସଂସଦୀୟ ବ୍ୟାପାର ମନ୍ତ୍ରୀ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଖାଉଟି ବ୍ୟାପାର ମନ୍ତ୍ରୀ, ସାମାଜିକ ନ୍ୟାୟ ମନ୍ତ୍ରୀ, ଜନଜାତି ବ୍ୟାପାର ମନ୍ତ୍ରୀ, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ, ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ, ହସ୍ତତନ୍ତ ମନ୍ତ୍ରୀ, ଯୋଗାଯୋଗ ମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ପରିବେଶ ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଏହାବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ବିହାର, ଛତିଶଗଡ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ,ଗୋଆ, ସିକିମ, ଅରୁଣାଞ୍ଚଳ, ତ୍ରିପୁରା, ମଣିପୁର ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ ନେତୃବୃନ୍ଦ ଓ ବ୍ୟକ୍ତିବିଶେଷମାନେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ସେବା ହିଁ ସଂକଳ୍ପ’ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତ୍ତା ଓ ବିଶେଷ କରି ଯୁବମୋର୍ଚ୍ଚାର ଭାଇଭଉଣୀମାନଙ୍କ ପକ୍ଷରୁ ବ୍ୟାପକ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ରାଜ୍ୟର ସମସ୍ତ ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ହଜାର ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି, ଯାହା ମୁମୂର୍ଷୁ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ । ଏହାସହ ବିଭିନ୍ନ ହସ୍ପିଟାଲ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଅନାଥାଶ୍ରମରେ ଶିଶୁ ଏବଂ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବିତରଣ କରାଯାଇଛି। ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକର୍ତ୍ତାମାନେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ହାତକୁ ନେଇଥିବା ବେଳେ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଓ ଦେବାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ସୁସ୍ଥ ଶରୀର ଏବଂ ଦେଶସେବା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ ଏହି ସେବାମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜନ୍ମଦିନର ଆନନ୍ଦକୁ ଏକ ମହତ ଉଦ୍ଦେଶ୍ୟରେ ପରିଣତ କରିଛି, ଯାହା ଶ୍ରୀ ପ୍ରଧାନଙ୍କ ପ୍ରତି ଜନସାଧାରଣଙ୍କ ଥିବା ଅଗାଧ ଭଲପାଇବା ଓ ସମ୍ମାନକୁ ପ୍ରତିଫଳିତ କରୁଛି ।

Share

Leave a Reply