03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଭବିଷ୍ୟତର କୃଷି ନବସୃଜନ, ଗବେଷଣା ଓ ସମ୍ପ୍ରସାରଣ ପାଇଁ କରିବ ପଥ ପ୍ରଶସ୍ତ

1 min read
  • କୃଷି ଓଡ଼ିଶା: ରାଜ୍ୟର କୃଷି ପ୍ରଗତିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଗତିଶୀଳ ମଞ୍ଚ
  • +++++++++++++++++
  • କନକ ବର୍ଦ୍ଧନ ସିଂହଦେଓ
  • +++++++++++++++


କୃଷି ଓଡ଼ିଶା” ହେଉଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ପ୍ରଗତିକୁ ପ୍ରଦର୍ଶିତ କରିଥାଏ। ଏହି ବିଶାଳ ସମାବେଶ ଆଧୁନିକ ,ସମସାମୟିକ, ପାରମ୍ପରିକ କୃଷି ଏବଂ ନବସୃଜନ ସହିତ ସମନ୍ୱୟ ରଖି ବର୍ଷ ବର୍ଷ ଧରି କୃଷି ପଦ୍ଧତିର ସଫଳତା ଓ ବିକାଶକୁ ପ୍ରଦର୍ଶନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ କାର୍ଯ୍ୟ କରିଆସୁଛି ।


ଚଳିତ ବର୍ଷର ବିଷୟବସ୍ତୁ “ଅନ୍ତର୍ଭୂକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି” ରହିଛି । ଯାହା ରାଜ୍ୟରେ ଚାଷୀଙ୍କ ଉନ୍ନତି, ଅଗ୍ରଗତି, ସମ୍ପ୍ରଦାୟର ବିକାଶ ଏବଂ ଏକାଧାରାରେ ସମୃଦ୍ଧ କୃଷି ଐତିହ୍ୟ, ଜୈବ ବିବିଧତାର ସଂରକ୍ଷଣ ସହିତ ଲିଙ୍ଗଗତ ଓ ପୁଷ୍ଟି ସମ୍ବେଦନଶୀଳ କୃଷି କଲ୍ୟାଣ ଭବିଷ୍ୟତ ଓ ରଣନୀତି ନିର୍ମାଣ ଉପରେ ପର୍ଯ୍ୟବସିତ ।


ମୁଁ ରାଜ୍ୟରେ ବର୍ତ୍ତମାନ କୃଷିର ସ୍ଥିତି ଓ ଏହାର ପ୍ରଗତିକୁ ଅନୁଧ୍ୟାନ କରି ଦେଖିଛି ଯେ ଏହି କ୍ଷେତ୍ର ଏକଦା ଖାଦ୍ୟଶସ୍ୟରେ ନିଅଣ୍ଟିଆ ଥିଲା କିନ୍ତୁ ବର୍ତ୍ତମାନ ଏହା ଏକ ଖାଦ୍ୟଶସ୍ୟରେ ବଳକା ରାଜ୍ୟଭାବେ ପରିଗଣିତ l କେବଳ ସେତିକି ନୁହେଁ ବର୍ତ୍ତମାନ ଓଡ଼ିଶା ବିଦେଶକୁ ମଧ୍ୟ ଚାଉଳ, ପନିପରିବା ଓ ଫଳମୂଳ ରପ୍ତାନି କରି ଅନ୍ନଦାତାଙ୍କୁ ସଶକ୍ତ କରିପାରୁଛି l ଏହି ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ଆମ ମାଟିର କୃଷକ ମାନେ ହିଁ l ଯେଉଁମାନେ ନିଜ ଜମିରେ ସୁନାର ଫସଲ ଫଳାଇ କେବଳ ନିଜ ଆବଶ୍ୟକକୁ ପୂରଣ କରୁନାହାନ୍ତି ବରଂ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ପ୍ରଦାନ ଏବଂ ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ସଂରକ୍ଷଣ ଭଳି ବିରାଟ ସମସ୍ୟାର ପ୍ରତିରୋଧ ପ୍ରତ୍ୟକ୍ଷରୂପେ କରି ଆଗାମୀ ପିଢି ପାଇଁ ମଧ୍ୟ ଏକ ସୁସ୍ଥ, ସ୍ଥିର କୃଷି ଭବିଷ୍ୟତ ନିର୍ମାଣ କରୁଛନ୍ତି l ରଣନୈତିକ ନୀତି ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ଜଳବାୟୁ-ପ୍ରତିରୋଧୀ କୃଷି ଅଭ୍ୟାସ, ଡିଜିଟାଇଜେସନ୍ ଏବଂ ସ୍ଥାୟୀତ୍ୱ ଉପରେ ଧ୍ୟାନ ଦ୍ୱାରା ଓଡ଼ିଶାର କୃଷି କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଅନୁଭବ କରୁଛି। ରାଜ୍ୟ ଜନସଂଖ୍ୟାର ଏକ ସିଂହ ଭାଗର, ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ପାଇଁ କୃଷି କ୍ଷେତ୍ର ଜୀବନରେଖା ହୋଇ ରହିଛି। ଆସନ୍ତୁ ସମସ୍ତେ ମିଳିମିଶି ଏହି ସକାରାତ୍ମକ ପରିବର୍ତ୍ତନକୁ ସ୍ୱୀକାର କରିବା ଏବଂ ସଶକ୍ତିକରଣକୁ ଆଗେଇ ନେବା I

GUEST EDITOR : KV SINGHDEO, Dy CM



ବର୍ତ୍ତମାନ, କୃଷି କ୍ଷେତ୍ର ଏକ ଗତିଶୀଳ ପରିବର୍ତ୍ତନ ଦେଇ ଗତି କରୁଛି, ଯାହା ରେକର୍ଡ ପରିମାଣର ଉତ୍ପାଦନ, ରଣନୈତିକ ନିବେଶ ଏବଂ ଏକ ଅନ୍ତର୍ଭୁକ୍ତ ପଥ ଆଡକୁ ଏକ ପରିବର୍ତ୍ତନ ଦ୍ୱାରା ବର୍ଣ୍ଣିତ। ରାଜ୍ୟ ଏହାର ବଜେଟ୍ ଆବଣ୍ଟନ, ଅଭିନବ ଯୋଜନା ଓ କୃଷି କ୍ଷେତ୍ରରେ ଏକ ଅନ୍ତର୍ଭୁକ୍ତ ଏବଂ ସମଗ୍ର ସମାଜ ଆଭିମୁଖ୍ୟ ଉପରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଓଡ଼ିଶା ଡିଜିଟାଲ୍ କୃଷିରେ ଏକ ବିପ୍ଳବ ଆଣିଛି ଯାହାକୁ ଅନ୍ୟ ରାଜ୍ୟମାନେ ପରିବର୍ତ୍ତନ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବରେ ବ୍ୟବହାର କରିପାରିବେ। ଅଦ୍ୟାବଧି ରାଜ୍ୟର ପ୍ରାୟ ୪୯ ପ୍ରତିଶତ ଜନସଂଖ୍ୟା ସିଧାସଳଖ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ଅଛନ୍ତି ।


ଓଡ଼ିଶା ଅର୍ଥନୈତିକ ସର୍ଭେ-୨୦୨୪-୨୫ ଅନୁଯାୟୀ, ସମୟ ସହିତ ତାଳଦେଇ, ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଉଲ୍ଲେଖନୀୟ ହାରରେ ବୃଦ୍ଧି ପାଉଛି । ଓଡ଼ିଶାରେ ୬୧.୮୦ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଉପଯୋଗୀ ଜମି ଏବଂ ପ୍ରାୟ ୪.୫ କୋଟି ଜନସଂଖ୍ୟା ରହିଛି, ଏହାସହିତ ଏକ ବିପୁଳ ଏବଂ ଗତିଶୀଳ ଯୁବ ଶ୍ରମଶକ୍ତି ଅଛି ଯାହାକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ସାହାଯ୍ୟ କରାଯାଉଛି, ଯାହା ନିଯୁକ୍ତି ସୃଷ୍ଟି କରୁଛି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରୁଛି।


ବର୍ତ୍ତମାନର ସରକାର ରାଜ୍ୟର କୃଷି ପରିସ୍ଥିତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଏହି ଜୀବିକା କ୍ଷେତ୍ରର ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛି । ରାଜ୍ୟରେ ଏକ ଅନ୍ତର୍ଭୁକ୍ତ ଓ ସ୍ଥାୟୀ କୃଷି ଭବିଷ୍ୟତ ପାଇଁ କୃଷିକୁ ଅଧିକ ଲାଭଦାୟକ କରିବା ଏବଂ ଆମ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ବର୍ତ୍ତମାନର ସରକାରଙ୍କ ଦ୍ୱାରା କିଛି ଭବିଷ୍ୟବାଦୀ, କୃଷକ ହିତୈଷୀ ନିଷ୍ପତ୍ତି ଏବଂ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ଓ ପଦକ୍ଷେପ ନିଆଯାଇଛି।


ରାଜ୍ୟର ଧାନ ଚାଷୀଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ଓ ସେମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ତଦନୁଯାୟୀ, ୨୦୨୫ ଖରିଫ ଋତୁଠାରୁ ସରକାର ଚାଷୀଙ୍କଠାରୁ ପ୍ରତି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରୁଛନ୍ତି, (ଯାହାକି ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ମଧ୍ୟ ଅଧିକ) ଏବଂ ତତ୍ ସଙ୍ଗେସଙ୍ଗେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ ଇନପୁଟ୍ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି।


ଶ୍ରୀ ଅନ୍ନ ଅଭିଯାନର ଲକ୍ଷ୍ୟ ହେଉଛି ଜଳବାୟୁ-ଅନୁକୂଳ ତଥା ପୁଷ୍ଟିକର ଖାଦ୍ୟ ମାଣ୍ଡିଆ, ଯଅ, ବାଜରା ଇତ୍ୟାଦିକୁ ପୁନରୁଦ୍ଧାର କରି ଦୈନନ୍ଦିନ ଜୀବନରେ ଲୋକଙ୍କ ଖାଦ୍ୟରେ ସାମିଲ୍ କରିବା । ଏହି ଜଳବାୟୁ-ଅନୁକୂଳ ଫସଲଗୁଡ଼ିକ ସ୍ଥାୟୀ କୃଷି ଓ ପୁଷ୍ଟିକର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ଶୁଷ୍କ ଭୂମି ପାଇଁ ଉପଯୁକ୍ତ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ଉନ୍ନତିରେ ମୁଖ୍ୟ ବାହକ ସାଜିଛି।


ସିଏମ୍ କିଷାନ ହେଉଛି ଏକ କୃଷକ କଲ୍ୟାଣ ଯୋଜନା ଯାହା ରାଜ୍ୟର କୃଷି ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କରାଯାଇଛି। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାରଙ୍କୁ ଚାଷ କାର୍ଯ୍ୟ ନିଆମନ୍ତେ ବର୍ଷକୁ ୨ ଟି କିସ୍ତିରେ ୪୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି l ଏହା ପ୍ରଗତିଶୀଳ, ଅନ୍ତର୍ଭୁକ୍ତ, କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର ଉଭୟଙ୍କୁ ସଶକ୍ତ କରୁଛି।


ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ଯେଉଁଥିରେ କୃଷକଙ୍କୁ, କୃଷି ଉତ୍ପାଦନ ଖର୍ଚ୍ଚ ପୂରଣ ପାଇଁ ସୁନିଶ୍ଚିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି l ବାର୍ଷିକ ୩ ଟି କିସ୍ତିରେ ମୋଟ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।


କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ, ରାଜ୍ୟ ଏବଂ ଜାତୀୟ ସ୍ତରର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା ପାଇଁ ସିଏମ୍ କିଷାନ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ, ୭୨ ହଜାରରୁ ଅଧିକ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନାରେ ଉପକୃତ ହୋଇଛନ୍ତି, ଯାହା ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ପ୍ରସାରକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ହେଉଛି ଭାରତୀୟ କୃଷିକୁ ଅଧିକ ଉତ୍ପାଦନକ୍ଷମ, ସ୍ଥାୟୀ ଏବଂ କୃଷକଙ୍କୁ ଆର୍ଥିକ ରୂପେ ସ୍ଵାବଲମ୍ବୀ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ଯୁଗାନ୍ତକାରୀ ସରକାରୀ ପଦକ୍ଷେପ। ଜଳସେଚନ, ମୃତ୍ତିକା ସଂରକ୍ଷଣ, ଋଣ, ତାଲିମ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହାୟତା ପ୍ରଦାନ କରି, କୃଷକଙ୍କ ଆୟ ବୃଦ୍ଧି, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଆତ୍ମନିର୍ଭରଶୀଳ ଭାରତ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ଅଧୀନରେ, ଓଡିଶାକୁ ଡାଲି ଓ ତୈଳ ବୀଜ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ।


ଖାଇବା ବେଳେ ଭାତ ହେଉ ଅବା ରୁଟି, ଡାଲି ସବୁଥିରେ ଖୋଜାପଡ଼ିଥାଏ l ସେହି ମର୍ମରେ, ଧାନ ଚାଷ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା ଉପରେ ବ୍ୟାପକ ପ୍ରକଳ୍ପ (Comprehensive Rice Fallow Management) ଏକ ପ୍ରମୁଖ ପଦକ୍ଷେପ ଯାହା ଏକ ପୁନଃ-ଉତ୍ପାଦନକାରୀ କୃଷି ପଦ୍ଧତି ଭାବରେ କାର୍ଯ୍ୟକାରୀ ହେଉଛି l ରବି ଋତୁରେ ସ୍ୱଳ୍ପଅବଧିର ଡାଲି ଏବଂ ତୈଳବୀଜ ଚାଷ ସହିତ ବିସ୍ତୃତ ଧାନ ପଡ଼ିଆ ଜମିକୁ ଉତ୍ପାଦନକ୍ଷମରେ ପରିଣତ କରିବା ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ କେବଳ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ନାହିଁ, ବରଂ ଫସଲ ବୃଦ୍ଧି ତୀବ୍ରତା ମଧ୍ୟ ବୃଦ୍ଧି କରିଥାଏ l ତତ୍ ସହିତ ମୂଲ୍ୟ ସହାୟତା ଯୋଜନା ଅଧୀନରେ ଡାଲି ଏବଂ ତୈଳବୀଜ ଫସଲ କ୍ରୟ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରୁଛି ।


ରପ୍ତାନି ସମ୍ଭାବନା / ସ୍ଥାନୀୟ ବଜାର ସହିତ ସ୍ୱଦେଶୀ ସୁଗନ୍ଧିତ ଏବଂ ଅଣ-ସୁଗନ୍ଧିତ ଧାନର ପ୍ରୋତ୍ସାହନ ଓଡ଼ିଶାର ଐତିହ୍ୟ ଧାନ କିସମର ଚାଷକୁ ପୁନର୍ଜୀବିତ ଏବଂ ବିସ୍ତାର କରିବା ଲକ୍ଷ୍ୟ ରଖିଛି


ସରକାର ରାଜ୍ୟରେ ‘ବଳଭଦ୍ର ଜୈବିକ ଚାଷ ମିଶନ’ ମାଧ୍ୟମରେ ଜୈବିକ ଏବଂ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି l ଶ୍ରୀ ଜଗନ୍ନାଥ ମନ୍ଦିରରେ କୋଠଭୋଗ ଏବଂ ମହାପ୍ରସାଦ ପ୍ରସ୍ତୁତି ପାଇଁ ବଡ଼ ପରିମାଣରେ ସୁଗନ୍ଧିତ ଜୈବିକ ଚାଉଳ ଚାଷର ଏକ ଉପାଦାନ “ଅମୃତ ଅନ୍ନ” ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହା ଶ୍ରୀ ଜଗନ୍ନାଥ ସଂସ୍କୃତିର ପବିତ୍ରତାକୁ ମହିମାନିତ୍ଵ କରିବ।


ଏକ ମୋବାଇଲ୍ ଆପ୍ ମାଧ୍ୟମରେ ସଠିକ୍ ଏବଂ ବାସ୍ତବ-ସମୟ ତଥ୍ୟ ସଂଗ୍ରହ ପାଇଁ ଡିଜିଟାଲ୍ ଫସଲ ସର୍ଭେ କରାଯାଇଛି। ଏହି ସର୍ଭେ ମାଧ୍ୟମରେ, ପ୍ରକୃତ ଫସଲ ବୁଣାଯାଇଥିବା କ୍ଷେତ୍ର ଆକଳନ କରାଯିବ ଯାହା କଷ୍ଟୋମାଇଜ୍ଡ କୃଷି ପରାମର୍ଶଦାତା ସେବା ଏବଂ ଅନ୍ୟାନ୍ୟ ସମ୍ପର୍କିତ ସୂଚନାର ଉତ୍ତମ ପ୍ରସାରଣରେ ସାହାଯ୍ୟ କରିବ। ଏହି ଏକକ ପଦକ୍ଷେପ ରାଜ୍ୟରେ ଏକ ପରିବର୍ତ୍ତନଶୀଳ କୃଷି ପାଇଁ ସରକାରୀ ସହାୟତାର ଏକ ସ୍ୱଚ୍ଛ, ନିର୍ଦ୍ଦିଷ୍ଟ-ଫସଲ ଓ ବାସ୍ତବ-ସମୟ ବିତରଣ ଦିଗରେ ଚାଷୀଙ୍କ ତଥ୍ୟାବଳୀକୁ ଲିପିବଦ୍ଧ କରିବ।


ବିଭିନ୍ନ କୃଷି ଯନ୍ତ୍ରପାତି, ଚାଷ ଖର୍ଚ୍ଚ ହ୍ରାସ ପାଇଁ ଉପକରଣ, ବିଶେଷକରି ମହିଳା ଚାଷୀଙ୍କ ଲାଗି ଉପୋଯୋଗୀ କୃଷି ଉପକରଣ, ଚାଷୀ ଏବଂ ଶ୍ରମିକଙ୍କ ପାଇଁ କଠିନ ପରିଶ୍ରମ ଲାଘବ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଫସଲ ଋତୁରେ ଶ୍ରମଶକ୍ତି ଅଭାବ ଦୂର କରିବା ପାଇଁ କୃଷି ଯନ୍ତ୍ରପାତି ଉପଲବ୍ଧ କରିବା ପାଇଁ ଆଞ୍ଚଳିକ ଏବଂ ଉପ-ବିଭାଗୀୟ ମେଳା ଆୟୋଜନ କରାଯାଉଛି, ଯେଉଁଠାରେ ସବସିଡ଼ିରେ ବିଭିନ୍ନ କୃଷି ଯନ୍ତ୍ରପାତିର ବିକ୍ରୟ ହୋଇଥାଏ ।


ରାଜ୍ୟରେ ଶୀତଳ ଭଣ୍ଡାର ସୁବିଧା ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ୫୮ ଟି ଉପ-ଖଣ୍ଡରେ ଅତି କମରେ ଗୋଟିଏ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଏକ ନୂତନ ଶୀତଳ ଭଣ୍ଡାର ନୀତି ପ୍ରଣୟନ କରାଯାଇଛି। ଏହା କୃଷି, ଉଦ୍ୟାନ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀର ଉତ୍ତମ ବଜାର ସୁଯୋଗ, ମୂଲ୍ୟ ସଂଯୋଜନ ଏବଂ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବ ଏବଂ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରୟକୁ ରୋକିବା ସହ କୃଷକଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ।


ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ଓଡ଼ିଶାରୁ ୟୁଏଇ, କତାର, ଇଟାଲୀ, ପୋଲାଣ୍ଡ, ଆୟର୍ଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ସ୍ୱିଡେନ ଏବଂ ବେଲଜିୟମ ଭଳି ଦଶଟି ଦେଶକୁ ତାଜା ଫଳ ଓ ପନିପରିବା ରପ୍ତାନି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ୧୩ଟି ଜିଲ୍ଲାର ୩୩ଟି ଏଫପିଓଙ୍କ ସମ୍ପୃକ୍ତିରେ ଆମ୍ରପାଲି ଏବଂ ଦଶେରୀ ଆମ୍ବ, ଡ୍ରାଗନ ଫଳ, ବରକୋଳି, ଭେଣ୍ଡି, ଲାଉ, ଲମ୍ବା ବିନ୍, କଦଳୀ, ଅମୃତଭଣ୍ଡା ଏବଂ ସଜନା ଛୁଇଁ ରପ୍ତାନି କରାଯାଉଛି।


ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୧୨ଟି ବୈଷୟିକ ଅଧିବେଶନ ମାଧ୍ୟମରେ ଓଡ଼ିଶାରେ କୃଷିର ବର୍ତ୍ତମାନର ସ୍ଥିତି ପ୍ରଦର୍ଶନ କରାଯିବ, ଯାହାର ବିଷୟବସ୍ତୁ, ସ୍ଥିର ଖାଦ୍ୟ ବ୍ୟବସ୍ଥା ପାଇଁ ପଥ ପ୍ରସ୍ତୁତ କରିବା, ଆଲୋଚନା, ବିତର୍କ ଆଦି ରହିଛି l ଏହି ଅଧିବେଶନ ୨୦୩୬ ବର୍ଷ ପାଇଁ ବିକଶିତ ଓଡ଼ିଶା ଏବଂ ୨୦୪୭ ବର୍ଷ ପାଇଁ ବିକଶିତ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।
୧୫,୦୦୦ ରୁ ଅଧିକ ଚାଷୀଙ୍କ ସମାଗମ ; ପ୍ରାୟ ୬୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରଖ୍ୟାତ ବୈଜ୍ଞାନିକ ବକ୍ତା ଭାବେ ଯୋଗଦେବେ; ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଏବଂ ଲାଇଭ୍ ପ୍ରଦର୍ଶନ; କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟପାଳନ, ପଶୁପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଓ କୃଷକ ଉତ୍ପାଦକ ସଂଗଠନ (FPO) କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧନା; କୃତ୍ରିମ ବୁଦ୍ଧିମତା-ସକ୍ଷମ ସୂଚନା ପ୍ରସାରଣ ଓ କୃଷକ ସୁବିଧା କେନ୍ଦ୍ର; କୁଇଜ୍, ବିତର୍କ, କାହାଣୀ କହିବା ଏବଂ ସ୍କିଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଏହି କୃଷି ମହାକୁମ୍ଭକୁ ରାଜ୍ୟବାସୀଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ ଓ ତତ୍ପର୍ଯ୍ୟପୂର୍ଣ୍ଣ କରିବା ବ୍ୟବସ୍ଥା କରାଯାଇଛି ।


ଏହି ତିନି ଦିନିଆ କୃଷି ଓଡ଼ିଶା-୨୦୨୬ ସମାବେଶ ରାଜ୍ୟର ଚାଷୀ ବର୍ଗଙ୍କ ସ୍ଵପ୍ନକୁ ସାକାର କରିବା ସହିତ ଭବିଷ୍ୟତର କୃଷି ନବସୃଜନ, ଗବେଷଣା ଏବଂ ସମ୍ପ୍ରସାରଣ ପାଇଁ ପଥ ପ୍ରଶସ୍ତ କରିବ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ଆହୁରି ଅଧିକ ଦୃଢ଼ ଏବଂ ଭବିଷ୍ୟବାଦୀ କୃଷି ପ୍ରଗତି ପାଇଁ ପ୍ରଦର୍ଶକ ସାଜିବ ବୋଲି ମୋର ଆଶା ଓ ବିଶ୍ଵାସ ।

  • କନକ ବର୍ଦ୍ଧନ ସିଂହଦେଓ
    (ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ)
Share

Leave a Reply